ଭାରତରେ ଆତ୍ମହତ୍ୟା ଜନିତ ମୃତ୍ୟୁର ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଏହା ଏକ ଗମ୍ଭୀର ସାମାଜିକ ସ୍ୱାସ୍ଥ୍ୟ ସମସ୍ୟା ଭାବେ ପରିଗଣିତ ହେଲାଣି । ସରକାରଙ୍କଠାରୁ ମିଳୁଥିବା ହାର ଅନୁଯାୟୀ ୨୦୨୧ ମସିହାରେ ଲକ୍ଷେ ଲୋକଙ୍କ ଭିତରେ ୧୨ ଜଣ ଆତ୍ମହତ୍ୟା କରିଥିଲେ । ତେବେ ପ୍ରକୃତ ହାର ସାଧାରଣତଃ ଏହାଠୁ ଅଧିକା, କାରଣ ବହୁ ଆତ୍ମହତ୍ୟା ଜନସାଧାରଣରେ ବା ସରକାରୀ ଭାବେ ସୂଚିତ ହୋଇ ନଥାଏ । ଗଲା ଅର୍ଦ୍ଧ ଶତାବ୍ଦୀ ଧରି ଭାରତରେ ଆତ୍ମହତ୍ୟାର ହାର କ୍ରମାଗତ ବଢୁଛି । ଆତ୍ମହତ୍ୟାର ହାର ଠାରୁ ଆତ୍ମହହତ୍ୟା ଉଦ୍ୟମର ହାର ସ୍ଥଳବିଷୟରେ ପ୍ରାୟ ୧୦ ରୁ ୧୫ ଗୁଣ ବା ବେଳେବେଳେ ତା ଠାରୁ ବି ଅଧିକା ହୋଇଥାଏ । ତେଣୁ ଆତ୍ମହତ୍ୟା ସମ୍ପର୍କିତ ଆଶଙ୍କା ସମାଜରେ ଅତ୍ୟନ୍ତ ଅଧିକ ।
ଆତ୍ମହତ୍ୟା ଜନସମୂହର ଏପରିକି ଦେଶର ମାନସିକ ସ୍ୱାସ୍ଥ୍ୟର ସ୍ତର ଦର୍ଶାଇଥାଏ । ଆତ୍ମହତ୍ୟା ବିଷୟରେ ଜାଣିବା ଓ ତାର ପ୍ରତିରୋଧ କରିବା ସମାଜରେ ସମସ୍ତଙ୍କର ଦାୟିତ୍ୱ ।
ଆତ୍ମହତ୍ୟାର କାରଣ
ଆତ୍ମହତ୍ୟାର କାରଣ ହିସାବରେ ଅନେକ ପରିସ୍ଥିତି ସାଧାରଣତଃ ଜଡ଼ିତ ଥାଏ । ତେବେ ମୁଖ୍ୟତଃ ମାନସିକ ଚାପ, ମାନସିକ ଅସନ୍ତୁଳତା, ଆଶାହୀନ ଅବସ୍ଥା, ଉପାୟହୀନତା, ଅସହାୟବୋଧ – ଲୋକଙ୍କୁ ଆତ୍ମହତ୍ୟା ଆଡ଼କୁ ଟାଣି ନେଇଥାଏ ।
ଭାରତରେ ଦର୍ଶାଯାଇଥିବା କାରଣଗୁଡ଼ିକ ମଧ୍ୟରେ – ପାରିବାରିକ ଅସୁବିଧା, ରୋଗ, ନିଶାଦ୍ରବ୍ୟ ନିର୍ଭରଶୀଳତା, ମନୋମାଳିନ୍ୟ, ବ୍ୟବାହିକ ଜୀବନରେ ଅସୁବିଧା, ପ୍ରେମ ସମ୍ପର୍କରେ ଅସୁବିଧା, ଋଣଗ୍ରସ୍ତ ଅବସ୍ଥା, ପରୀକ୍ଷାରେ ଅକୃତକାର୍ଯ୍ୟ ହେବା, ବେରୋଜଗାରୀ, କାମ ବା ବୈଷୟିକ ଅସୁବିଧା, ଜମିବାଡିରେ ବିବାଦ ଆଦି ମୁଖ୍ୟ ଅଟନ୍ତି । ଏହା ଛଡ଼ା, ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ନ ହେବା, ଶାରୀରିକ ପୀଡ଼ା, ସମାଜରେ ନିନ୍ଦା, କୋର୍ଟ କଚେରୀରେ ଅସୁବିଧା, ଇତ୍ୟାଦି ବି ଆତ୍ମହତ୍ୟାର କାରଣ ହୋଇଥାଏ । ଭାରତରେ ଅନେକ ଛାତ୍ରଛାତ୍ରୀ ପରୀକ୍ଷାରେ ଅକୃତକାର୍ଯ୍ୟ ହେବାପରେ ଓ ଅନେକ ଚାଷୀ ଋଣ ଭାରରେ ଆତ୍ମହତ୍ୟା କରିଥାନ୍ତି, ଏସବୁ ଅତ୍ୟନ୍ତ ଚିନ୍ତାଜନକ ।
ତେବେ ଅଧିକାଂଶ ସମୟରେ ମାନସିକ ସ୍ୱାସ୍ଥ୍ୟଜନିତ ଅସୁବିଧା ଆତ୍ମହତ୍ୟାର କାରଣ ହୋଇଥାଏ । ବିଷାଦ ରୋଗ, ଏହାର ଏକ ମୁଖ୍ୟ କାରଣ ହୋଇଥିଲା ବେଳେ, ଅନ୍ୟ ରୋଗ ଯଥା ସାଇକୋସିସ, ଉଦ୍ବେଗ ରୋଗ, ବ୍ୟକ୍ତିତ୍ୱ ବିକାର, ନିଶାଜନିତ ରୋଗ ଆଦି ଅନେକ ଆତ୍ମହତ୍ୟା ବା ଏହାର ଉଦ୍ୟମ ସହିତ ଜଡିତ ଥାଆନ୍ତି । ଓଡ଼ିଶାରେ ହୋଇଥିବା ଗବେଷଣାରୁ ଜଣାପଡେ ଯେ ଆତ୍ମହତ୍ୟା ଉଦ୍ୟମ କରୁଥିବା ଲୋକଙ୍କ ଭିତରେ ପ୍ରାୟ ୮୦% ମାନସିକ ରୋଗରେ ପୀଡ଼ିତ ଥାଆନ୍ତି ଓ କେବଳ ପ୍ରାୟ ୩୦% ସେସବୁ ପାଇଁ କିଛି ଚିକିତ୍ସା ନେଇଥାଆନ୍ତି । ଆତ୍ମହତ୍ୟାର କାରଣ ହିସାବରେ ସରକାରଙ୍କ ରିପୋର୍ଟରେ କେବଳ ମାନସିକ ଚାପ ଦର୍ଶା ଯାଉଥିବାବେଳେ, ମାନସିକ ରୋଗସବୁ ଏଥିରେ ସ୍ଥାନ ନ ପାଇବାର କାରଣ ହେଲା, ଅଧିକାଂଶ ଆତ୍ମହତ୍ୟା କରୁଥିବା ଲୋକଙ୍କର ଯେ ମାନସିକ ଅସୁବିଧା / ରୋଗ ଅଛି, ତାହା ତାଙ୍କ ନିଜ ଲୋକମାନଙ୍କୁ ଜଣା ନଥାଏ । ଏ ବିଷୟରେ ଜନଚେତନା ସୃଷ୍ଟି କରିବା ଦରକାର ।
ଆତ୍ମହତ୍ୟା କରୁଥିବା ଲୋକମାନଙ୍କ ମଧ୍ୟରେ ଅନେକେ ଅଳ୍ପବୟସର ହୋଇଥାନ୍ତି । ଏମାନଙ୍କ ଭିତରେ.ପ୍ରାୟ ତିନିଗୁଣ ପୁରୁଷ ଥିବାବେଳେ; ସ୍ତ୍ରୀଲୋକମାନେ ଅଧିକ ମାତ୍ରାରେ ଆତ୍ମହତ୍ୟା ଉଦ୍ୟମ କରିଥାଆନ୍ତି ।
ଆତ୍ମହତ୍ୟାର ଆଶଙ୍କାକୁ ଚିହ୍ନିବେ କିପରି
ଜଣେ ଆତ୍ମହତ୍ୟା କରିପାରେ ବୋଲି ଠଉରେଇବା କଷ୍ଟ । ଆତ୍ମହତ୍ୟା ପାଇଁ ଚିନ୍ତା ବା ଉଦ୍ୟମ କରୁଥିବା ବ୍ୟକ୍ତିମାନେ ଅଧିକାଂଶ ବେଳେ ଖୋଲାଖୋଲି ଏହା ପ୍ରକାଶ କରନ୍ତି ନାହିଁ । ତେବେ ସେମାନଙ୍କର କଥାବାର୍ତ୍ତା, ହାବଭାବରୁ ବେଳେବେଳେ ସେମାନେ ଯେ କିଛି ଅସୁବିଧାରେ ଅଛନ୍ତି ତାହା ଜଣାପଡ଼େ । ମାନସିକ ଚାପ ଓ ମାନସିକ ରୋଗ ବା ନିଜ ଜୀବନରେ କାମଦାମରେ ନକାରାତ୍ମକ ପ୍ରଭାବକୁ ଚିହ୍ନିବା ହୁଏତ ସମ୍ଭବ । ବେଳେବେଳେ ଏସବୁ ବ୍ୟକ୍ତି ମୃତ୍ୟୁ ବା ଆତ୍ମହତ୍ୟା ଉପରେ କଥାବାର୍ତ୍ତା କରନ୍ତି । ଆତ୍ମହତ୍ୟାର ଉପାୟ ଖୋଜିଥାଆନ୍ତି । ଆତ୍ମହତ୍ୟା ସମ୍ପର୍କିତ ଶେଷ ଚିଠି ଲେଖିଥାନ୍ତି ;ବା ଅସାଧାରଣ ଭାବେ ବିଭିନ୍ନ କାମ ସାରିବାକୁ ଚେଷ୍ଟା କରିବାର ଦେଖାଯାଏ । ଏସବୁ ସେମାନଙ୍କର ପାଖ ଲୋକ, ପରିବାର, ବନ୍ଧୁବର୍ଗ, ଠଉରେଇ ପାରିବେ । ସ୍କୁଲ ଯାଉଥିବା ପିଲାମାନଙ୍କର ଅସୁବିଧାସବୁକୁ ଶିକ୍ଷକମାନେ ବି ବେଳେବେଳେ ଧରିପାରିବେ । ତେବେ ମାନସିକ ଅସୁବିଧାଥିଲେ ଡାକ୍ତରମାନେ, ବିଶେଷ କରି ମନସ୍ତତ୍ଵବିତ ବା ମନରୋଗ ଚିକିସ୍ତକମାନେ ଏସବୁର ଓ ଆତ୍ମହତ୍ୟାର ଆଶଙ୍କାକୁ ପରୀକ୍ଷା କରିଥାଆନ୍ତି । ତେଣୁ ମାନସିକ ଚାପରେ ଅତ୍ୟନ୍ତ ଭାରକ୍ରାନ୍ତ ହେଲେ ବା ମାନସିକ ରୋଗ ଥିବାର ଆଶଂକା ଥିଲେ, ଡାକ୍ତରଙ୍କ ପାଖକୁ ଯିବା ଦରକାର । ସେମାନେ ତାର ଉପଯୁକ୍ତ ଚିକିତ୍ସା କରିପାରିବେ ।
ଆତ୍ମହତ୍ୟାର ଚିନ୍ତା ମନକୁ ଆସିଲେ କଣ କରିବେ ?
ଯଦି ନିଜ ମନରେ ମାନସିକ ଚାପ ବା ରୋଗ ଯୋଗୁ ହେଉ ଆତ୍ମହତ୍ୟାର ଚିନ୍ତା ଆସୁଛି, ତାହେଲେ ଜଣେ ନିଜ ଲୋକଙ୍କୁ କୁହନ୍ତୁ, ସେ ଆପଣଙ୍କର ମାନସିକ ଚାପ କମ କରିବାର ଉପାୟ ବିଷୟରେ ସାହାଯ୍ୟ କରିପାରିବେ ବା ଉପାୟ ବତେଇପାରିବେ । ଏହାଛଡ଼ା ଉପଯୁକ୍ତ ଚିକିତ୍ସା ପାଇଁ ମନରୋଗ ଚିକିସ୍ତକ ଓ ମନସ୍ତତ୍ଵବିତଙ୍କ ପାଖକୁ ଯାଆନ୍ତୁ । ମୁଖ୍ୟ କଥା ହେଲା, ସାହାଯ୍ୟ ମାଗନ୍ତୁ, ହେଳା କରନ୍ତୁ ନାହି, କି ଅସୁବିଧାକୁ ଅଣଦେଖା କରନ୍ତୁ ନାହିଁ । ସାହାଯ୍ୟ ଉପଲବ୍ଧ ଥିଲା ବେଳେ ଏକା ଏକା ଦୁଃଖ କଷ୍ଟ ସହିବା ଉଚିତ ନୁହେଁ । ମନେ ରଖିବା ଉଚିତ ଯେ ପରିବାର, ବନ୍ଧୁବର୍ଗଙ୍କ ଛଡ଼ା, ମନସ୍ତତ୍ତ୍ୱବିତ ଓ ମନରୋଗ ଚିକିସ୍ତକମାନେ ବି ସାହାଯ୍ୟ କରିପାରିବେ ।
ନିଜ ଜଣାଶୁଣା ଲୋକଙ୍କଠାରେ ମାନସିକ ଅସୁବିଧା ବା ଆତ୍ମହତ୍ୟାର ଆଶଙ୍କା ଦେଖିଲେ କଣ କରିବେ
କେହି ମାନସିକ ଅସୁବିଧା ବା ଚିନ୍ତାଜନକ ପରିସ୍ଥିତିରେ ଅଛି ବୋଲି ଜଣାପଡ଼ିଲେ ବା ଆଶଙ୍କା ହେଲେ, ସେମାନଙ୍କ ମନର ଅବସ୍ଥା ପଚାରିବା ଦରକାର । ତାଙ୍କ ଚିନ୍ତାର କାରଣ ଛଡ଼ା, ସେମାନଙ୍କର ଆଶା, ଉତ୍ସାହ, ବିଷୟରେ ପଚାରିବା ଦରକାର । କେହି କେହି, ହତାଶା, ବଞ୍ଚିବାକୁ ଅନିଚ୍ଛା, ‘ମରିଗଲେ ଭଲ ହୁଅନ୍ତା’, ‘କଣ ଗୋଟେ କିଛି ହୋଇ ଯାଆନ୍ତା କି ମରିଯାଆନ୍ତି’, ଏମିତିକି କେହି କେହି ଆତ୍ମହତ୍ୟା ଚିନ୍ତା ଆସୁଛି ବୋଲି କହିଥାନ୍ତି । କାହାକୁ ହୁଏତ ଏ ବିଷୟରେ ଖୋଲାଖୋଲି ପଚାରିବା ଦରକାର ହୁଏ । ତେବେ ବେଳେବେଳେ ପାଖ ଲୋକେ ଏପରିକି ଡାକ୍ତର ବି ଏମିତି ଆତ୍ମହତ୍ୟା ବିଷୟ ଉପରେ ପଚାରିବାକୁ ଇଚ୍ଛା କରନ୍ତି ନାହିଁ; କେହି କେହି ଡରନ୍ତି, କାଳେ ଏ ପ୍ରଶ୍ନ ପଚାରିବା ଦ୍ୱାରା ବ୍ୟକ୍ତି ଜଣଙ୍କୁ ଆତ୍ମହତ୍ୟାର ଉପାୟ ମିଳିଯିବ ନାହିଁ ତ ! ପ୍ରକୃତରେ ମାନସିକ ଚାପରେ ସଢ଼ୁଥିବା ଲୋକଟି ମନଖୋଲି ସବୁକଥା କାହାପାଖେ କହି ପାରିଲେ ତାଙ୍କୁ ଭଲ ଲାଗିଥାଏ, ମନ ଉଶ୍ୱାସ ହୁଏ । ତେଣୁ ଏ ସମୟରେ ସେମାନଙ୍କର କଥା ଧୈର୍ଯ୍ୟର ସହ ଶୁଣି, ତାଙ୍କ ଅସୁବିଧା ଓ ସମାଧାନ ପାଇଁ ସାହାଯ୍ୟ କରିବା ଉଚିତ । ସେମାନଙ୍କ ପାଖେ ପାଖେ ରହିବା ଦରକାର ।
ମାନସିକ ଚାପ ବା ରୋଗଗ୍ରସ୍ତ ବ୍ୟକ୍ତିମାନଙ୍କୁ ସମୟ ଥାଉ ଥାଉ ସାହାଯ୍ୟ ଖୋଜିବାକୁ, ନିଜ କଥା କେହି ସହୃଦୟ ପାଖରେ କହି ପକେଇବାକୁ ଉତ୍ସାହ ଦେବା ଉଚିତ । ଦୁଃଖକଷ୍ଟରେ ଥିବା ଲୋକଟି ପାଇଁ ସମୟ ଦେବା, ତା କଥା ଶୁଣିବା, ଯଥା ସମ୍ଭବ ସାହାଯ୍ୟ କରିବା, ବା ସାହାଯ୍ୟ ଯେଉଁଠି ଓ ଯେଉଁ ଉପାୟରେ ମିଳିବ ତାର ବନ୍ଦୋବସ୍ତ କରିବା ଉଚିତ । ଦରକାର ହେଲେ ସେମାନଙ୍କୁ ମନସ୍ତତ୍ତ୍ୱବିତ ବା ମନରୋଗ ଚିକିତ୍ସକଙ୍କ ପାଖକୁ ନେଇଯିବା ଆବଶ୍ୟକ । ଯେତେ ସମ୍ଭବ ସେମାନଙ୍କ ପାଖରେ ରହିବା, ସେମାନଙ୍କୁ ଏକୁଟିଆ ନ ଛାଡି଼ବା ଓ ଆତ୍ମହତ୍ୟାର ଉପାୟସବୁଠୁ ସେମାନଙ୍କୁ ଦୂରରେ ରଖିବା ଇତ୍ୟାଦି ଅନେକ ସମୟରେ ସହାୟକ ହୋଇଥାଏ ।
ସମସ୍ୟା ସମାଧାନର ଉପାୟ ଓ ଚିକିତ୍ସା
ଯେଉଁ କାରଣରୁ ଆତ୍ମହତ୍ୟାର ଚିନ୍ତା ମନକୁ ଆସୁଛି ସେସବୁର ଉପଚାର ସମ୍ଭବ । ମାନସିକ ଚାପକୁ ସମ୍ଭାଳିବା ପାଇଁ ଉପଚାରର ଉପାୟ ଉପଲବ୍ଧ । ଆଗକୁ ଆସୁଥିବା ମାନସିକ ଚାପ ପାଇଁ ମୂଳରୁ ପ୍ରସ୍ତୁତି ଆରମ୍ଭ କରିବା ଓ ତା ପାଇଁ ଉପାୟ ଖୋଜିବା ଦରକାର । ପରୀକ୍ଷାର ଓ ଫଳାଫଳର ଚାପ, ଭାବଗତ ପାରସ୍ପରିକ ସମ୍ପର୍କରେ ବାଧା, କାମରେ ଚାପ, ବିବାହ ବିଚ୍ଛେଦ, ଓ ଏମିତି ଅନେକ ମାନସିକ ଚାପର ମନସ୍ତାତ୍ୱିକ ଚିକିତ୍ସା, କାଉନ୍ସେଲିଂ ସମ୍ଭବ ଓ ଏଥିରେ ଲାଭ ଦେଇଥାଏ । ଆର୍ଥିକ ଅସୁବିଧା ଓ ବେରୋଜଗାରୀ ପାଇଁ ସରକାରଙ୍କ ସାହାଯ୍ୟ ଦରକାର ।
ମାନସିକ ଚାପକୁ ସହିବା ପାଇଁ ନିଜ ପାଇଁ ଉପଯୁକ୍ତ ଉପାୟ ଖୋଜି, ସେସବୁର ଉପଯୋଗ କରିବା ଉଚିତ । ଏମିତ ଅସୁବିଧାରେ ବ୍ୟକ୍ତିଟି ଏକା ନୁହେଁ, ତାଙ୍କପରି ଅନେକ ସେମିତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତା ଜାଣିଲେ ହୁଏତ ଅନେକ ଲୋକ ଧୈର୍ଯ୍ୟ ନ ହରେଇ ସମାଧାନ ପାଇଁ ଆଶା ଓ ସେ ଦିଗରେ କାମ କରିପାରନ୍ତି ।
ମାନସିକ ରୋଗ ପାଇଁ ଔଷଧ ଓ ମନସ୍ତାତ୍ୱିକ ଚିକିତ୍ସା ଅଛି ଓ ସେସବୁକୁ ବିନା ଦ୍ଵିଧାରେ ଗ୍ରହଣ କରିବା ଉଚିତ । ଯେଉଁମାନେ ମାନସିକ ରୋଗଗ୍ରସ୍ତ, ଏସବୁକୁ ନ ଲୁଚେଇ, ସେସବୁର ଚିକିତ୍ସା କରିବା ଦରକାର । ମନସ୍ତାତ୍ତ୍ୱିକ ଚିକିତ୍ସା, କଥାବାର୍ତ୍ତା, ଔଷଧ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ଧୀରେ ଧୀରେ ମନ ସୁସ୍ଥ ଅବସ୍ଥାକୁ ଫେରିଆସେ ।
ଆତ୍ମହତ୍ୟାର ପ୍ରତିରୋଧ
ସବୁ ନ ହେଲେ ବି ଅଧିକାଂଶ ଆତ୍ମହତ୍ୟାର ପ୍ରତିରୋଧ ସମ୍ଭବ । ଏହା ଏକ ପ୍ରକ୍ରିୟା, କୋଣସି କାରଣରୁ ଆରମ୍ଭ ହୋଇ ଧୀରେ ଧୀରେ – “ମୃତ୍ୟୁ ବିଷୟରେ ଚିନ୍ତା, ମରିଗଲେ ଭଲ ହୁଅନ୍ତା, ଆତ୍ମହତ୍ୟା ଜନିତ ଉପାୟ ଓ ଉଦ୍ୟମ” – ଆଦି ବିଭିନ୍ନ ସ୍ତର ବା ଅବସ୍ଥା ଦେଇ ଏହା ଗତି କରେ, ବେଳେବେଳେ ଏ ପ୍ରକିୟା ଦ୍ରୁତ ଗତିରେ ବଢିଥାଏ ତ କେବେ ଧିରେ ଧିରେ । ଏ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ବା ଯେତେ ଶୀଘ୍ର ସମ୍ଭବ ଏହାକୁ ଅଟକେଇ ପାରିଲେ, ଆତ୍ମହତ୍ୟାର ପ୍ରତିରୋଧ ସମ୍ଭବ ହୋଇ ପାରିବ ।
ସୁସ୍ଥ ଓ ସକାରାତ୍ମକ ମାନସିକତା ଆତ୍ମହତ୍ୟାର ପ୍ରତିରୋଧର ମୂଳଦୁଆ । ଏଥିପାଇଁ ସମସ୍ତେ ସଜାଗ ରହିବା ଉଚିତ । ବାପା’ମା’ ଓ ଶିକ୍ଷକମାନେ ପିଲାମାନଙ୍କୁ ଜୀବନରେ ସଠିକ ମାର୍ଗ, ଦୃଷ୍ଟିକୋଣ ପାଇଁ ଉତ୍ସାହ ଦେବା ଦରକାର । ମାନସିକ ଚାପକୁ ସୁଧାରିବାକୁ, ସହିବାର ଉପାୟ ଓ ଶକ୍ତି ବଢ଼େଇବା ପାଇଁ ଶିକ୍ଷା ଦେବା ଦରକାର । ଜୀବନର ଉଠାଣି ଗଡ଼ାଣିକୁ ଗ୍ରହଣ କରିବା ପାଇଁ ମନୋବଳ ଦେବା ଉଚିତ । ସଂଘର୍ଷରେ ଭାଙ୍ଗି ନଯାଇ, ତାକୁ ଶିଖିବାର ମାଧ୍ୟମ, ନିଜକୁ ଉନ୍ନତ, ଆହୁରି ମଜବୁତ କରି ଗଢି ତୋଳିବାର ସୁଯୋଗ ବୋଲି ଭାବିବା ଦରକାର ।
ଆତ୍ମହତ୍ୟାର ପ୍ରତିରୋଧରେ ଗଣମାଧ୍ୟମର ଗୁରୁଦାୟିତ୍ୱ ରହିଛି । ଖବର ସହ, କେଉଁଠି ଓ କିପରି ଏକାଭଳି ଅସୁବିଧାରେ ପୀଡିତ ବ୍ୟକ୍ତିମାନେ ସାହାଯ୍ୟ ପାଇପାରିବେ ତାହା ସୂଚେଇବା ଦରକାର । ଅସୁବିଧା ଗୁଡିକର ସମାଧାନର ଉପାୟ ସୂଚେଇବା ଉଚିତ ।
ଆତ୍ମହତ୍ୟାର ପ୍ରତିରୋଧ ପାଇଁ ସମାଜରେ ସମସ୍ତେ ଯତ୍ନବାନ ହେବା ଉଚିତ । ବିଭିନ୍ନ ସଂଗଠନ, ସେବା ସଂସ୍ଥା ଓ ସରକାର ବିଭିନ୍ନ ନକାରାତ୍ମକ ପରସ୍ଥିତି ପାଇଁ ଯେଉଁ ସବୁ ସୁବିଧାର ବନ୍ଦୋବସ୍ତ କରିଛନ୍ତି, ସେ ସମ୍ପର୍କରେ ଜନସାଧାରଣଙ୍କୁ ଧାରଣା ଦେବା ଆବଶ୍ୟକ । ସମାଜର ସର୍ବାଙ୍ଗୀନ ଉନ୍ନତିରେ, ଜୀବନର ଗୁଣମାନ ବଢିବ ଓ ଆତ୍ମହତ୍ୟାର ହାର କମିବ । ବିଭିନ୍ନ ଉପାୟ ଓ ସମାଜର ସମସ୍ତଙ୍କର ସହାୟତାରେ ଆତ୍ମହତ୍ୟାର ପ୍ରତିରୋଧ ସମ୍ଭବ – ଏ ବିଶ୍ଵାସ ଦୃଢ ହେବା ଉଚିତ ।