-: ପୂର୍ବରୁ :-
. . . ଆଶା ଦୁଇଦିନ ଫାଇନାଲ୍ ପରୀକ୍ଷାକୁ ଆସି, ତୃତୀୟ ଦିନ ଅନୁପସ୍ଥିତ ରହିଲା । ବନ୍ୟା ତାକୁ ଫୋନ୍ କରିବାରୁ ଉତ୍ତର ମିଳିଲା- ଦୁଇଟା ପେପର୍ରେ ଫେଲ୍ ହୋଇସାରିଲା ପରେ, ଆଉ କାହିଁକି ସମୟ ବରବାଦ୍ କରନ୍ତି ?
ତା’ ପରଦିନ କଲେଜ୍ ସାରା ହାଲ୍ଲା ହୋଇଗଲା- ସମସ୍ତଙ୍କ ଅଜାଣତରେ ଆଶା କାହା ସହିତ ଘର ଛାଡ଼ି ଦେଇଛି । ଚିଠିଟିଏ ରଖିଯାଇଛି- ପଢ଼ା ଟେବୁଲ୍ କାଚ ତଳେ ସେ ତା’ର ଜୀବନ ସାଥୀ ବାଛିସାରିଛି । ସହଯାତ୍ରିଣୀ ହେଇ, ନିଜ ଇଚ୍ଛାରେ ଯାଉଛି । ତାକୁ ଖୋଜିବାକୁ ଥାନାରେ ରିପୋର୍ଟ କରିବେନି କେହି । ସାବାଳିକା ହୋଇସାରିଛି ସେ । ସ୍ୱାମୀ ବାଛି, ତା’ ସହିତ ଶାଶୁଘରକୁ ଚାଲିଯିବାର ଅଧିକାର. . . ତା’ ନିଜର ।
ଆଶାର କମ୍ପ୍ୟୁଟର ଫେସ୍ବୁକ୍ରୁ ଦେଖାଗଲା- ଜଣେ ରୂପବାନ୍ ଯୁବକ ସହିତ, ତା’ର ଯୁଗ୍ମ ଫଟୋ । ତା’ ତଳେ ଲେଖାଯାଇଛି- ଜଣେ ଆର ଜଣକ ପାଇଁ ।
ନିଶ୍ଚୟ ଏହି ଯୁବକ ସହିତ ସେ ଘର ଛାଡ଼ିଛି ।
. . . ମୋବାଇଲ୍ରେ ଘଣ୍ଟା ଘଣ୍ଟା ଧରି ଗପୁଥିଲା ଆଶା- ନିଶ୍ଚୟ ଏହାରି ସହିତ । ଗପିବାରେ ବେଳା ଅବେଳା କିଛି ନଥାଏ ତା’ର । ଗପୁ ଗପୁ ହସୁଥିବ. . . ହସୁ ହସୁ ନହକିଯାଉଥିବ ବାଉଁଶକଣି ପରି । ହଠାତ୍ କାହାକୁ ହାବୁଡ଼ି ଯାଇ, ସରୁ “ସରୀ”ଟିଏ କହି, କିଛି ନ ହେଲା ପରି ଅନ୍ଦାଜ୍ରେ ବାହାରି ଯାଉଥିବ- କୃଷ୍ଣଚୂଡ଼ା ମୂଳକୁ ତ ବଉଳ ଗଛ ଛାଇକୁ ।
ବେଳେ ବେଳେ କହିଦିଏ ବନ୍ୟାକୁ- ଏ ଗୁଡ଼ାକ କଦମ୍ୱ ଗଛ ହୋଇଥାନ୍ତେ କି ! ମୋ କୃଷ୍ଣ ଆସନ୍ତେ ! ଆମେ କ୍ୟାଲେଣ୍ଡର୍ର ଛବି ପରି ହୋଇଯାନ୍ତୁ- ତିନି ଭାଙ୍ଗରେ ଛନ୍ଦାଛନ୍ଦି ହେଇ, ଗୋଟାଏ ବଂଶୀକୁ ଚାରି ହାତରେ ଧରି । ଓଃ ! ଗୋପ ଅନୁଭବର ମଧୁର ରୋମାଞ୍ଚ !
. . . ଏଇ ଆଶା ଦିନେ ସାଇନ୍ସ କ୍ଲାସରେ ବସିଥିଲା- ତା’ ପାଖରେ । ପ୍ରଫେସର୍ ପ୍ରଜନନ ପ୍ରକ୍ରିୟାକୁ ନେଇ ଆଲୋଚନା କରୁଥିଲେ । ରେଖା ଚିତ୍ର ଆଙ୍କୁଥିଲେ । ମଡ଼େଲ୍ ଦେଖାଉଥିଲେ । ଗର୍ଭାଶୟରେ ଭ୍ରୁଣ ସଞ୍ଚରିତ ହେବା ପୂର୍ବରୁ ଫର୍ଟିଲାଇଜେସନ୍ ପଦ୍ଧତିର ଉଦାହରଣ ରଖୁଥିଲେ. . . ।
ହଠାତ୍ ଆଶା ଖିଲିଖିଲି ହୋଇ ହସିଲା ଓ ହସୁ ହସୁ ବନ୍ୟାକୁ ଗାଢ଼ ଚୁମାଟିଏ ଦେଲା । କ୍ଲାସ୍ ରୁମ୍ରୁ ବାହାରକୁ ଯିବା ପାଇଁ ଅନୁମତି ଚାହିଁଲା ପ୍ରଫେସର୍ଙ୍କର- ସାର୍ । ଭାରି ଟେମ୍ପଟେସନ୍ ଫିଲ୍ କରୁଛି । ବାହାରକୁ ଯିବା ପାଇଁ ପର୍ମିଶନ୍ ଦିଅନ୍ତୁ ପ୍ଲିଜ୍. . . ।
ପ୍ରଫେସର୍ ବିରକ୍ତି ପ୍ରକାଶ କରି କହିଲେ- ତୁମ ପରି ଝିଅଙ୍କର ସ୍ଥାନ ତ କ୍ଲାସ ରୁମ୍ରେ ନୁହେଁ, ପଦାରେ । ଆସିଲ କାହିଁକି । ଶୀଘ୍ର ଯାଅ. . . ଟାଇମ୍ ପାଶ୍ କର ବାହାରେ, ଭିତରେ ଟାଇମ୍ ଲଶ୍ ହେବାକୁ ଦିଅ ନାହିଁ ।
ପ୍ରଫେସର୍ ପଢ଼ାଇବାରେ ବ୍ୟସ୍ତ ରହିଲେ । ଆଶା ଦ୍ୱାର ଅତିକ୍ରମ କରିବା ସଙ୍ଗେ ସଙ୍ଗେ, କରିଡ଼ର୍ ପାହାଚରୁ ତଳକୁ ଓହ୍ଲାଉ ଓହ୍ଲାଉ. . . ଫୋନ୍ ଲଗାଇଥିଲା ତା’ ପ୍ରିୟତମକୁ ।
ଆଉ ଦିନକର ଘଟଣା-
ସେ ମାସର ସେମିନାର୍ କ୍ଲାସ୍ ଥିଲା- ପ୍ରିନ୍ସପାଲ୍ଙ୍କର. . . ।
ଛୁଞ୍ଚି ପଡ଼ିଲେ ଶବ୍ଦ ହେବା ପରି ନିରବତା ।
ଡିପାର୍ଟମେଣ୍ଟର ଜଣେ ବି ଛାତ୍ରଛାତ୍ରୀ ଅନୁପସ୍ଥିତ ନଥାନ୍ତି, କେବଳ ଆଶାକୁ ଛାଡ଼ି । ସମସ୍ତେ ନୋଟ୍ କରିବାରେ ବ୍ୟସ୍ତ । ଆଶା ବାରମ୍ୱାର ଆଗକୁ ପଛକୁ କେଶ ଉଡ଼ାଇ, ବଉଳ ଗଛ ତଳେ ଫୋନ୍ କରୁଥାଏ- ପ୍ରିୟ ସାଥୀକୁ । ପ୍ରିନ୍ସିପାଲ୍ ତାକୁ ଝରକାରେ ଦେଖି ଦେଲେ ।
ପରଦିନ ପ୍ରିନ୍ସିପାଲ୍ଙ୍କ ଅଫିସରୁ ଡାକରା ପାଇଲା- ଆଶା ! ବନ୍ୟା ମଧ୍ୟ ପରଦା ଲଗା ଝରକା ଏ ପାଖରେ ଥାଇ ଶୁଣିବାକୁ ଚାହୁଁଥିଲା- ଭାରତୀୟ ସଂସ୍କୃତିର ଧାର୍ ଧାରୁ ନଥିବା ଏ ପାଶ୍ଚାତ୍ୟ ନଦୀଟିର ପ୍ରବାହକୁ. . . ସେ କେମିତି, କୋଉ ବାଟକୁ, ମଡ଼ାଇ ଦେବାକୁ ଚାହୁଁଛନ୍ତି ।
– ଆଶା ! ପ୍ରିନ୍ସିପାଲ୍ ଆରମ୍ଭ କଲେ. . . କେଉଁ ଶୁଭ କ୍ଷଣରେ ତୁମ ନାମ କିଏ ଆଶା ରଖିଥିଲା, ମୁଁ ଜାଣେନି । ସେ କିନ୍ତୁ ଯଥେଷ୍ଟ ଆଶା ରଖିଥିବେ ତୁମ ଠାରୁ । ମୋ ଜାଣିବାରେ- ଆଶା. . . ଉଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ସବୁ ଦିଗରୁ ଚ୍ୟାଲେଞ୍ଜଟିଏ । ପୁଣି ବିଫଳତାର ଗଭୀର ଗହ୍ୱରକୁ ଖସିପଡ଼ିବାର କୁହୁଡ଼ିଟିଏ । ମୋତେ କେବଳ ନୁହେଁ, ତୁମର ସାଙ୍ଗ ସାଥୀ ଓ ଅଧ୍ୟାପକ- ଅଧ୍ୟାପିକାମାନଙ୍କୁ ଲାଗିଲାଣି- ତୁମେ ଆଶାର ଦ୍ୱିତୀୟ ପକ୍ଷରେ ଥାଇ, କୁହୁଡ଼ିରେ ପହଁରୁଛ । ସ୍ୱପ୍ନକୁ ବାସ୍ତବ ମନେ କରି, ବାସ୍ତବତା ଠାରୁ ଘୁଞ୍ଚି ଘୁଞ୍ଚି ଯାଉଛି । ପ୍ରତ୍ୟେକ ଛାତ୍ରଛାତ୍ରୀ ଲକ୍ଷ୍ୟର ନିକଟବର୍ତ୍ତୀ ହୋଇଗଲେ । ତୁମେ କିନ୍ତୁ ଲକ୍ଷ୍ୟଠାରୁ ଘୁଞ୍ଚି ଘୁଞ୍ଚି ଯାଉଛ । ବିଦ୍ୟାର୍ଥୀ ଜୀବନ ଉଚ୍ଛୃଙ୍ଖଳ ହେଲେ, ସାରା ଜୀବନ ଇଚ୍ଛା ନ କରି ମଧ୍ୟ ନାନା ଦୁଷ୍ପରିଣାମକୁ ଭେଟିବାକୁ ବାଧ୍ୟ ହୁଏ । ତାହା ଜ୍ୱାଳା ହିଁ ଦିଏ. . . ଆନନ୍ଦ ନୁହେଁ । ସବୁ ହରାଇ ନିସ୍ୱ ହେବା ଆଗରୁ, ଭଲ ଛାତ୍ରୀଟିଏ ହୁଅ । ଯାଅ. . . ।
ଆଶା ଅନୁତାପ କଲା ପରି ସ୍ୱରରେ. . . ଅଭ୍ୟାସଗତ ସରୁ ସରୀଟିଏ ଉଚ୍ଚାରଣ କରି, ବାହାରିଆସିଲା- ଅଫିସ୍ରୁ । ବନ୍ୟାର ହାତଧରି ହସି ହସି କରିଡ଼ର୍ ପାର୍ ହେଉ ହେଉ କହିଲା- କ’ଣ କରିବି ବନ୍ୟା. . . ପ୍ରିନ୍ସିପାଲ୍ ମତେ କିଛି କହୁଥିଲେ. . . ମୁଁ ଶୁଣୁଥିଲି, ଯେହେତୁ କାମ ଅଛି । ମନ କିନ୍ତୁ ତାଙ୍କ ଆଡ଼େ ନଥିଲା । ପ୍ରିନ୍ସିପାଲ୍ଙ୍କ ମୁହଁରେ ମୋତେ ମୋ ପ୍ରିୟଙ୍କ ମୁହଁ ଦିଶୁଥିଲା । ମୁଁ ଚୁମାଟିଏ ଆଙ୍କିବାକୁ ଚାହିଁଲା ବେଳେ, ଖିଆଲ ଆସିଲା- ଏ ତ. . . ପ୍ରିନ୍ସିପାଲ୍ ! ବୃଦ୍ଧ ଜରଦ୍ଗବ । ସ୍ପର୍ଶର ଅନୁଭବ, ମୂଲ୍ୟହୀନ ହେଇଯିବ ।
. . . ବନ୍ୟା ! ସେ ତ ମୋତେ ସବୁଥିରେ ଦିଶୁଛନ୍ତି । ଘରେ ଥିଲାବେଳେ କମ୍ପ୍ୟୁଟର- ଫେସ୍ବୁକ୍ରେ । ବାହାରେ ଥିଲାବେଳେ- ଥ୍ରୀଜି ମୋବାଇଲ୍ ସେଟ୍ରେ । କଲେଜ୍ କ୍ଲାସ୍ରେ- ପଢ଼ା ବହିର, ନୋଟ୍ ଖାତାର, ପ୍ରତ୍ୟେକ ପୃଷ୍ଠାରେ. . . ।
ବିଳମ୍ୱ ରାତିରେ- ଶୋଇଲା ବେଳେ, ସ୍ୱପ୍ନରେ ବି !
ସେ ଅଛନ୍ତି- ମୋ ଚେତନାରେ, ଅର୍ଦ୍ଧ ଚେତନାରେ । ଏପରିକି. . . ସାର୍ ମାଡ଼ାମ୍ ପଢ଼ାଇଲା ବେଳେ- ସେମାନଙ୍କ ସ୍ୱରରେ ମୁଁ ତାଙ୍କ ସ୍ୱର ଶୁଣୁଛି । ଏତେ ଆଚ୍ଛନ୍ନ କରି ରଖିଛନ୍ତି ସେ ମୋ ମସ୍ତିଷ୍କକୁ. . . ସବୁ ତାଙ୍କମୟ ହୋଇଯାଉଛି ବନ୍ୟା । କିଛି ବି ପାଠ ମନେ ରହୁନି ।
ବନ୍ୟା ଉତ୍ତର କରିଥିଲା- ପଢ଼ା ବୟସରେ ପ୍ରେମ. . . ଦାମ୍ପତ୍ୟକୁ ଦୀର୍ଘକାଳ କଞ୍ଚାକରି ରଖିପାରେନି ଆଶା । ଅନେକ ସମୟରେ ଲୁହଭିଜା ହୋଇଯାଏ ପଣନ୍ତ । ରସର ମଲ୍ଲୀ ଓ ପ୍ରୀତିର ଗୋଲାପ ବାସ୍ନାରେ, ଦିନେ ବିଭୋର ହୋଇଥିବା ଛଳଛଳ ଜୀବନ. . . ମୁଠାମୁଠା ଶୂନ୍ୟତାର କରୁଣତାରେ, ହତାଶ କରିଥାଏ ତାକୁ । ସେ ସବୁ ଏହି ପାଇଁ- ଠିକ୍ଠିକ୍ ମଣିଷର ହୃଦୟକୁ ଚିହ୍ନିପାରୁ ନଥିବା ଅନଭିଜ୍ଞ ବୟସର ଆଖି, କାନେ କାନେ କହେ- ଅନେକ ଦେଖି ସାରିଲେଣି, ବୁଝି ସାରିଲାଣି ସେମାନେ । ସବୁ ଅମୃତ ଅମୃତ । ଆଗକୁ ମାଡ଼, କିନ୍ତୁ ତା’ ଅଜାଣତରେ ବିଷରେ ଗୋଳେଇ ହେଉଥାଏ, ଗୋଟାଏ ଜ୍ୱାଳାମୟ ଜୀବନର ନିଅଁ ଉପରେ ଠିଆ ହୋଇଯାଏ ସେ ।
. . . ଆଶା ! ଏବେଠୁ ଖସଡ଼ା ବାଟରୁ ଘୁଞ୍ଚିଆ । ସମୟ ତଥାପି ଗଡ଼ିନାହିଁ ।
ଆଶାର ନିଶା ପୂର୍ବ ପରି ।
କିଛି ବି ପ୍ରଭାବ ପଡ଼ିଲା ନାହିଁ. . . ବନ୍ୟା ପରାମର୍ଶର ।
କହିଲା, ଭାରି ଛଟ୍ପଟ୍ ଲାଗୁଛି ଏମିତି ଭାବିଭାବି. . . ।
କେମିତି କେବେ ତାଙ୍କୁ ପାଖରେ ପାଇବି । ଏଇ ମନ ମାଟିରୁ ଫଳାଇଛି ପରା. . . ଅନେକ ଆକାଶର ସ୍ୱପ୍ନ । ଧୂସର ପାଟର ନିର୍ଜଳା ତାତିରେ ହେଉ. . . କିମ୍ୱା ଫଗୁଣ ବଗିଚାର ଫୁଲଙ୍କ ଛାତିରେ ଜ୍ୟୋତ୍ସ୍ନା ଭିଜା ରାତି, ମୁଁ ଯାତ୍ରୀ. . . ଆଶାକୁ ନେଇ ।
. . . ପଦ୍ମ ପୋଖରୀର ମାଛ ହେବାକୁ ବହୁତ ଇଚ୍ଛା ।
. . . ଯଦି ପାଣି ବିନା ଶୁଖିଲା ହୁଡ଼ାରେ ଛଟପଟ ହୁଏ, ସେ ପାଇଁ ମୋର ଚିନ୍ତା ନାହିଁ । ମଣିଷ ଭୁଲ୍ କରିଥାଏ ତ ।
. . . ସେ ହିଁ ତାକୁ ସଜାଡ଼େ । ସୁଧାରେ ! ସଜାଡ଼ିବାକୁ ତ ନାରୀର ଜନ୍ମ ।
. . . ବନ୍ୟା ! ଯେତେ ବି ବିରୋଧ ଆସୁ. . . ମୋ ବର୍ତ୍ତମାନକୁ ଚେନାଏ ଚେନାଏ ରଙ୍ଗିନ୍ ସ୍ୱପ୍ନରେ ରଙ୍ଗେଇ, ସଜେଇ. . . ମୁଁ ମୋ ନିଜ ଇଚ୍ଛାର ବଗିଚାରେ ବୁଲିବାକୁ ଚାହେଁ । ଯାହା ଆସିନାହିଁ, ସେ ଭବିଷ୍ୟତଟାକୁ ବିଶ୍ୱାସ କ’ଣ ଯେ. . . ମତେ ସ୍ୱପ୍ନ ଦେଖିବାକୁ ମନା !
– ତା’ପରେ –
