ଆ’ ବୋଲି ଡାକି ଦେଲେ, ତମେ ଥରେ
ବାଙ୍ମୟ ହେଇଯାଏ ମୋ ଚାରିଆଡ଼
ଉଭେଇ ଯାଏ ଚାରିଆଡ଼ର ବାସ୍ତବତା,
ସମୁଦ୍ର-ଅର୍ଦ୍ଦଳୀ,
ପାର୍ଥିବ ଜଞ୍ଜାଳ, ମାୟା ମୋହ
ସୂର୍ଯ୍ୟ ମୁହଁ ଲୁଚେଇ ନିଏ ବଉଦରେ
କାଶତଣ୍ଡି ଓଢ଼ଣିରେ ଛପି
ପବନ ବହେ, ବାଟ କଢ଼େଇ ନିଏ
ତମ ଆଖିର ଇଙ୍ଗିତ
ଦୀପଟିଏ ହେଇ ଜଳେ ମୋ ଭିତରେ
ପତା ପକେଇଲେ,
ତମ ମୁଁହ ଦିଶେ,
ଖୋଲିଯାଏ ରାସ୍ତା ତମ ଦୁଆରକୁ
କାରାଗାର ରନ୍ଧ୍ର ଦେଇ
ଟୋପାଏ ସୂର୍ଯ୍ୟ କିରଣ ପରି,
ସ୍ମୃତି ସବୁ ଭାସେ ସେଠି
ଚକ୍ ଚକ୍ ଧୂଳିକଣା ପରି
ଦୋହଲେଇ ହୁଏ, ଶୋଷି ହୁଏ ନିଶ୍ୱାସରେ
ଆତ୍ମସ୍ଥ କରିହୁଏ ନାହିଁ
ନିଜକୁ ମୁଁ ପାଏନାହିଁ ଖୋଜି,
ମୋ ଭିତରେ, ଆଲୋକରେ,
ମୋ ଅସ୍ତିତ୍ଵ କାହିଁ ହଜିଯାଇଥାଏ
ଅରଣ୍ୟ ଅନ୍ଧାର ଭିତରେ
ଆ’ ବୋଲି ଡାକିଦେଲେ, ତମେ ଥରେ
ଆଲୋକର ରେଖାଟିଏ ଆସେ
ଜୀବନ ଆସେ,
ମିଳନୀର ସ୍ୱର ଶୁଭେ,
ନିମିଷକେ ତମ ପାଶେ ପହଞ୍ଚିଯିବାକୁ
ବେଗମତୀ ଇଚ୍ଛା
ମନପବନ ଘୋଡ଼ାରେ ଚଢ଼ି ବସେ ମୋର ସତ୍ତା
ଝଣ୍ କରି ଶବ୍ଦ ହୁଏ ଜଞ୍ଜିରର
ସଂସାରର ଆଗୁଳିରେ ବନ୍ଧା ହାତପାଦ
ଥରି ଉଠି ନିଶ୍ଚଳ ହୋଇଯାଏ
ଆ’ ବୋଲି ଡାକିଦେଲେ, ତମେ ଥରେ
ବାଙ୍ମୟ ହେଇଯାଏ ମୋ ଚାରିଆଡ଼
