ଭୟ ଲାଗୁଛି
ପାଖରେ ବସିଥିବା ଲୋକଟି – ପ୍ରିୟ ବନ୍ଧୁ
ବେଳ ଅବେଳରେ ଯିଏ ସହୃଦୟତାର
ହାତ ବଢ଼ାଏ
ନିତି ନିତି ସମୟ ଦିଏ ଆଳାପ ଆଲୋଚନାରେ
ସୁଖ-ଦୁଃଖ ବାଣ୍ଟିବାରେ ନିଜକୁ
ସଦା ପ୍ରସ୍ତୁତ କରି ରଖେ
କହି ହେବନି
ପ୍ରତିଦାନରେ ପ୍ରତିପକ୍ଷର ତା’ ପାଇଁ
କେଉ ସନ୍ଦିଗ୍ଧ ବେଭାର ଅପେକ୍ଷା କରିଛି ।
କିଏ ଭରସା ଦେବ !
ସ୍ଵାଭାବିକତାର କଣ୍ଠରୋଧ କରି
କେତେବେଳେ କେଉଁଠି ଶବ୍ଦର ଭିଡ଼ ଠେଲି
ବିସ୍ଫୋରିତ ବାରୁଦ ଗନ୍ଧରେ ମିଳେଇ ନ ଯିବ
ଅକସ୍କାତ୍ ବୁକୁଫଟା ଅଜସ୍ର ଚିତ୍କାର
ନିମିଷକରେ ଦୋହଲି ନ ଯିବ
ମଗ୍ନ ବିଭୋରତାରେ ଉବୁଟୁବୁ
ରାଜପଥ ଅଟ୍ଟାଳିକା ପାଦତଳ ମାଟିଠୁଁ ଆକାଶ
ପ୍ରଲମ୍ବିତ ସୁଦୀର୍ଘ ଦୂରତା ।
ଏବେ ଏବେ କେଉଁଠି ନା କେଉଁଠୁଁ
ଭାସି ଆସୁଥିବା ପୋଡ଼ାଗନ୍ଧ କହେ
ବେଦନା ଜର୍ଜରିତ ଗୋଟେ ପୃଥିବୀର କଥା
ସନ୍ତ୍ରାସର ଖୋଲାଖୋଲି ଘୋଷଣାନାମାରେ
ମନ୍ଦିର ମସ୍ଜିଦ୍ ଗୀର୍ଜା ଗୁରୁଦ୍ୱାର ଦରଜା
କିଳି ଦେଲେଣି ଆତଙ୍କିତ ଈଶ୍ଵରଗଣ
ତଥାକଥିତ ଧର୍ମ ଧ୍ଵଜାଧାରୀଙ୍କ
ବେଦ ବିଳିବିଳା ଉଦ୍ଘୋଷଣାରେ
ନିର୍ବାକ ହତଚକିତ ନିର୍ମଳ ମାନବିକତା ।
କେବେ ବଦଳିବ ଏତେ ଦୀର୍ଘଯାତ୍ରା ପରେ
ଆତତାୟୀ ମନ ବୁଦ୍ଧି ଚେତନାର ପରିସର
ନିରୁତ୍ତର ନାଚାର ସମୟ… ! !
ଆଜି ଖୁବ୍ ଶୁଭେ ଖୁବ୍ ବାଧେ
ଲୁଚାଛପା ଅନ୍ଧାର ଭିତରୁ
ପାଦଝୁଣ୍ଟା ସମୟର କଇଁ କଇଁ କାନ୍ଦ
ନା’ – ସେ କାନ୍ଦଣା କେଉଁ ପରିତ୍ୟକ୍ତ
ଭଙ୍ଗାଘରୁ ଗୋଟେ ନିର୍ମାଖୀ ନାରୀର
ନା’ – ପାରିବାରିକ ହିଂସା କବଳିତ କେଉଁ ବଧୂର
ବୃଦ୍ଧର, ବୃଦ୍ଧାର ନା’ ଆଉ କା’ର …. ।
ଗୋଟେ ରୁଦ୍ଧ ଗୃହର ନପାରିଲାପଣ ପଙ୍ଗୁକରେ
ଗୋଡ଼ କାଢ଼ିବାକୁ ଆଗକୁ
ଭୟର ପାଚେରି ଗଢ଼ିଦିଏ କିଏ ସାମ୍ନାରେ ।
