ଭଗବାନ କେଉଁ ଧାତୁରେ ଗଢ଼ିଛନ୍ତି କେଜାଣି
ବାପାଙ୍କୁ ।।
କୁଟା କାଠିର ଘରଟିରେ
ମଝି ଖୁଣ୍ଟ ପରି
ଅବା ବୁଢା ବରଗଛଟିଏ ପରି
ମୋ ଆଖି ଉଠିଲା ଦିନରୁ ଦେଖୁଛି ତାଙ୍କୁ ।
ଦେହରେ ତାଙ୍କର ଝାଳ ନଦୀ
ଆଖିରେ ସ୍ୱପ୍ନର ଇମାରତ
ଆମ ମାନଙ୍କ ପାଇଁ ,
ଦେହଟା ନୁହେଁ ତାଙ୍କର ଯନ୍ତ୍ର ଗୋଟେ
ଦିନ ରାତି ଦୌଡ଼ି ପାରେ ,
ମନ ନାହିଁ , ଦେହ ନାହିଁ
ଦୁଃଖ କିମ୍ବା ସୁଖ ନାହିଁ
ସବୁଯାକ ବଳି ପଡିଛି
ଅବା କେଉଁଠି ବନ୍ଧା ପଡ଼ିଛି
ସେତକ ପୁଣି ଆମରି ପାଇଁ ।
ମୁଁ ଭାବେ ବାପା ଭାବୁ ନ ଥିବେ ତ’
ମୁଁ କାହିଁ ବାପା ହେଲି
ଦିନ ରାତି ଜଳିବା ପାଇଁ ।
ମୁଁ ନିଜେ ବରଗଛ ରୂପି ବାପାଙ୍କର
ଛୋଟ ଶାଖା ଡାଳଟିଏ
କାଲି ସକାଳୁ ଗଛମୂଳକୁ ଛାଇ ଦେଇ ପାରେ
କିମ୍ବା ନୁହେଁ ମଧ୍ୟ,
ଏହା ବାପା ବି ଜାଣନ୍ତି
ତଥାପି ସେ
ଆମ ପାଇଁ ସବୁ ଦିନ କାହିଁକି ଜଳନ୍ତି ?
