ଶ୍ରାବଣର ପହିଲି ବର୍ଷା
ଭଲଝିଅ ଲିପା ଅଗଣାରେ ଧୁମ୍ ନାଚେ
ହେଲେ ଜିଣି ପାରେନା ତା ମନ ।
ବର୍ଷା ହେଲେ ବତୁରି ଯାଏ
ଚାଳରେ ଲୁଚେଇ ଥିବା ସ୍ବପ୍ନ,
ତିନ୍ତି ଯାଏ ହେଁସରେ ଗୁରେଇ
ହେଇଥିବା ଦେହର ଦରଜ ।
ବର୍ଷା ହେଲେ ଭଲଝିଅ ଖୋଜେନା
ରଫ୍ ଖାତାରୁ କେଇ ଫର୍ଦ୍ଦ କାଗଜ ଚିରି ତିଆରିବାକୁ କାଗଜ ଡଙ୍ଗା,
ଖୋଜେନା ପକୁଡ଼ି କି ଅଦାଛେଚା ଚା,
ବରଂ ଖୋଜୁଥାଏ ଚୁଲିଚାଳ
ଘୋଡ଼େଇବା ପାଇଁ ଜରିପାଲ ।
କଲେଜ ଛକରେ ରଙ୍ଗୀନ ଛତା ଧରି
ଗୁଣୁଗୁଣୁ ଗୀତ ଗାଉ ନଥାଏ ଭଲଝିଅ ।
ଶ୍ରାବଣର ଜିଦିଆ ବର୍ଷା ମନମାନି
ଦେଖେଇ ପାରେନା ତା ଆଗରେ
ସେ ବି ଅଟକି ଯାଏନା ଦି’ ଘଡି
ଅଜଣା ଅଚିହ୍ନା ଦୋକାନୀ ପିଣ୍ଡାରେ ।
ଏତେ ପରେ……
ଭଲଝିଅ ପ୍ରକାଶ ନକଲେ ବି
ବେଳେବେଳେ ଅପେକ୍ଷା କରିଥାଏ ବର୍ଷାକୁ,
ବର୍ଷା ହେଲେ ସେ ବୁହାଇ ଦେବ
କାହିଁ କେତେଦିନୁଁ ଆଖିରେ ଚାପିଥିବା
ଅଦୃଶ୍ୟ ଲୁହକୁ……..
