ମୁରୁକି ମୁରୁକି ହସୁଥିଲେ ଧର୍ମାଧିରାଜ
ସେ ଭାବୁଥିଲେ ସବୁଆଡ଼େ ଠୋକର ଖାଇଥିବା
ଭାରତର ସୁପୁତ୍ରଗଣ
ମୋର ବଶୀଭୂତ ହୋଇ
ମୋ ନିଶ୍ଚଳତାରେ ହିଁ ପରାସ୍ତ ହେବେ
ଚରଖା ଚଲାଇ ଚାଲିଥିଲେ କିନ୍ତୁ କାନେଇ ଥିଲେ
କେଉଁଠୁ କାଳେ ଶୁଭିଯିବ ଅକସ୍ମାତ୍ ଏକ ଶବ୍ଦ
ଯେଉଁଠୁ ତୁରନ୍ତ ଏକ କଥା ସେ ସୃଷ୍ଟି କରିପାରିବେ
ସେ ଯୁବକଟିର ବ୍ୟାକୁଳତାକୁ ଭାଙ୍ଗି ଗଢ଼ି
ଆଲୋଚନା ଶୁଣି ସେ କଠୋର ଦିଶନ୍ତିନି
ଯାହା ତାଙ୍କ ଭିତରେ ଉକୁଟେ ବାରମ୍ୱାର
ତାହା ଜ୍ଞାନ ନୁହେଁ ହିଂସାର ବିଚାର
କିନ୍ତୁ କହିବେ ଏମିତି ଯେମିତି ରସ ନିଗାଡୁଛନ୍ତି ଜୀବନର
ଦେଖ ସେ କେତେ ବଡ଼ କଥା କହୁଛନ୍ତି
କହୁଛନ୍ତି ଭାରତର ସମାଜ ବଦଳୁଛି
ତାହା ବଦଳିବ କିଏ କିଛି କରୁ ବା ନ କରୁ
ଏଣୁ ଆପଣ ନିଶ୍ଚିତ ରୁହନ୍ତୁ
ସେ ବ୍ୟାକୁଳତାର ହତ୍ୟା କରିବାକୁ ଅଛନ୍ତି ପ୍ରସ୍ତୁତ
ସବୁ ପ୍ରଶ୍ନ ଯେମିତି ପଡ଼ିଯାଇଛି ଗଣ୍ଠି
ନିରପେକ୍ଷ ଦୃଷ୍ଟିରେ ଦେଖାଯିବ ତ ସବୁ ହୋଇଛି ସମାଧାନ
ଏହା ଶୁଣି ହତାଶ ଯୁବକଟି ଉଠିଗଲା ହୋଇ ଦିଗହୀନ
ଏ ବୃଦ୍ଧ- ଯୁବକ ସମ୍ୱାଦ ବାରମ୍ୱାର ହୋଇସାରିଛି
ଯୁବକର ଦୁର୍ନିବାର ବ୍ୟାକୁଳତାର ହୋଇନାହିଁ ଅନ୍ତ
କିନ୍ତୁ ଗାନ୍ଧିଙ୍କ ଶିଷ୍ୟ ବାରମ୍ୱାର ପ୍ରହାର କରି
ନିଶ୍ଚିତ ଦେଶ ସାରା କରିଛନ୍ତି ପ୍ରଚାର ହିଂସାର !