ଯେବେ ଯେବେ ରାତି ହୁଏ
ଶବ୍ଦମାନେ ନିରବି ଯାଆନ୍ତି
ହଜିଯାଏ କିଛି ସ୍ବପ୍ନ
ଆଉ ହୁଏ କିଛିର ଉତ୍ଥାପନ…
କେବେ କେବେ
ବିରହ ବଢେ
ତୀବ୍ରତାରେ ଗାଢ଼ ପାଲଟେ
ମିଳନର ମିଠା ଆକାଂକ୍ଷା
ଚକ୍ରବାକ ବାହୁନି ବାହୁନି କାନ୍ଦେ
ଆଉ ସେତେବେଳେ …
ଅୟୁତ ବର୍ଷର ଅପେକ୍ଷା ଜମାଟ ବାନ୍ଧେ ବୋଧେ ।
ଯେବେ ଯେବେ ରାତି ହୁଏ
ଝରକା ସେପାଖେ ଉଙ୍କି ମାରେ
କେବେ ଅଧା କେବେ ପୁରା
ସେଇ ଚନ୍ଦ୍ରମାର ଲାଜୁଆ ମୁହଁ
ଭାସି ଉଠେ ବାଦଲ ଛାତିରେ
ଅନାମିକା ଅନାବନ ଅସଂଖ୍ୟ ତାରା
ପୁଣି ସେଇ ଅନ୍ଧାରରେ
ଆକାଶ ଛାଇରେ କିଏ ଚାହିଁ ରହେ
କେହି ଜଣେ ଆସିବାର ଅପେକ୍ଷାରେ…
ହଁ ସତରେ…
ଯେବେ ରାତି ହୁଏ
କଳାର ଚାଦର ମାଡି ଆସେ
ବହଳ ପଣରେ ଜାବୁଡି ଧରେ ସେ
କିଛି ସ୍ବପ୍ନ ଦିଏ
ଆଉ କେବେ କେବେ…..
ସ୍ମୃତିରେ ଧୋଇ ଦିଏ ।
କିଏ କାନ୍ଦେ…
କିଏ ହସେ…
କିଏ ନିସ୍ବ ପାଲଟେ…
ପୁଣି କିଏ ଆନନ୍ଦରେ ମତ୍ତ ହସ ହସେ
କିଛି ଗର୍ବରେ…
ଧନରେ…
ଆଉ ଅନ୍ୟକୁ ଲୁଟିବା ମହତପଣିଆରେ
ରାତିର ସେଇ ବୁକୁତଳେ …
ଯେବେ ଯେବେ ଗାଢ଼ ରାତି ହୁଏ…
କୁହୁଳି ଉଠେ
ସେଇ ସ୍ବପ୍ନ ଆଉ ମନ
ପୋତି ହୋଇଯାଏ
ସବୁ କଳ୍ପନା ଆଉ ନୀରବ ବାସ୍ତବତା
ପାଉଁଶର ସ୍ତୁପ ପାଲଟେ ଜୀବନ
କୁହୁଳି କୁହୁଳି ଇତିହାସ ରଚେ
ସେଇ ପାଉଁଶ ତଳର ନିଆଁ !
