ମୃତ୍ୟୁର ସତ୍ୟତା ଗାନ
ନବ ଜୀବ ଆବାହନ
ଈଶ୍ୱରଙ୍କ ସୃଷ୍ଟି ଅତି ବିଚିତ୍ରତମା,
ଆସନ୍ତି ହୋଇଣ ନଗ୍ନ
ଶେଷେ ମାଟିରେ ବିଲୀନ
ଜୀବନ ତ ଏକ ଅଭିନବ ଯାତନା,
ଏ ଯାତନା ସୁଖ ଯେ ଦିଏ
ଦୁଃଖପରେ ଝଡ଼ପରେ ଆନନ୍ଦପ୍ରାୟେ ।
ବିରହେ ବିଶ୍ୱେ ଜନମୁ
ମରଣେ ବିଷାଦ ଘେନୁ
ଜୀବନର ମୂଲ୍ୟବୋଧ ସଦା ବିଚାରୁ,
ଭ୍ରମୁ ସଙ୍ଗୀତର ତାନେ
ଭ୍ରମୁ ପ୍ରେମର ସନ୍ଧାନେ
ଲକ୍ଷ୍ୟସ୍ଥଳ ପାଇ ମଧ୍ୟ ତିମିରେ ମରୁ,
ଲକ୍ଷ୍ୟପଥୁ ହୋଇ ବିଚ୍ୟୁତ
କି ଲାଭ ପାଉ ଯେ ଆମେ ହୋଇ ପ୍ରଖ୍ୟାତ ?
କର୍ତ୍ତବ୍ୟର ଅସହ୍ୟତା
ଅଧିକାରର ବିବ୍ରତା
ଲଢୁଥାଉ ସଦା ଶାନ୍ତିଲାଭ ନିମିତ୍ତ,
ଏକ ବିଂଶେ ହୋଇ ଜନ୍ମ
ପ୍ରଥା ଧରୁ ପୁରାତନ
ଆଶା କରୁ ସଦା ଆମେ ଫଳ ନିମିତ୍ତ,
କରମେ ଆମ୍ଭ ଅଧିକାର
ମରିଚିକା ପ୍ରାପ୍ୟ ପଛେ ଧାଉଁ ସତ୍ୱର ।
ମୃତ୍ୟୁ ଆମ ପରମ ମିତ୍ର
ଲାଭ ଫଳର ଆଶାକୁ ଛାଡ଼ ହେ ମିତ୍ର !
ଶେଷ କ୍ଷଣର ତୃଷ୍ଣାକୁ କର ବିସ୍ତାର,
କରମ ନିଶାରେ ମିଳେ ଫଳ ସମ୍ଭାର ।