ଅନ୍ଧାରୀ ମୁଲକେ ଆଲୁଅ ଭରିଲା
ମନ ଘର ଧରୁ ନାହିଁ ,
ଚକୋରୀ ଚାହିଁଛି ଚାନ୍ଦିନୀ ଆସିବ
ଚାନ୍ଦକୁ ସାଥୀରେ ନେଇ ।
ସୁନେଲି ଜୋଛନା କରେ ଆନମନା
ଚାନ୍ଦିନୀ ପାରୁନି ଯାଇ ,
ହୃଦୟରୁ ଝରେ ପ୍ରେମ ବାରିଧାରା
ଚାନ୍ଦ ଭିଜି ପାରୁନାହିଁ ।
ଚାତକ ପରି ସେ ଚାହିଁଛି ଚକୋରୀ
ଜୋଛନା ପରଶ ପାଇଁ,
ହଜିଲା ଅତୀତ ଖୋଜି କି ଆଣିବ
ଚାନ୍ଦିନୀ ଚକୋରୀ ପାଇଁ ।
କରି ପ୍ରତାରଣା ଢାଳୁଛି ଜୋଛନା
ଲକ୍ଷେ ଯୋଜନରେ ଥାଇ,
ପ୍ରିୟା କୁମୁଦିନୀ ପ୍ରେମର ପରଶେ
ଯାଏ ପ୍ରସ୍ଫୁଟିତ ହୋଇ ।
ବୁଝେନି ଚକୋରୀ ଇଏ କି ଛଳନା
କରେ ଚାନ୍ଦ ତା’ ପାଇଁ,
ଭିଜୁଛି ଚାନ୍ଦିନୀ, ଭିଜେ କୁମୁଦିନୀ
ମୁଁ ଭିଜିପାରେ ନାହିଁ ।
