ମା’ ନାହିଁ
ତା’ର ଛାଇ ଟିକେ ବି ନାହିଁ ।
ପାଦରେ କଣ୍ଟା ଫୁଟିଗଲେ
କେହି କହୁନି
ମାମୁଁଘରକୁ ଚାହାଁ ବୋଲି ।
ଆଖିରୁ ଲୁହ ବୋହିଗଲେ
ମା’ କାନି ପୋଛି ଦେଉନି ।
ତଣ୍ଟିରେ ଦାନାଟିଏ ଅଟକିଗଲେ
ପିଠି ଥାପୁଡ଼େଇ ଦେବା ପାଇଁ
ମା’ ହାତ ହଜିଯାଇଛି ।
ଆଖିରେ ଧୂଳି ଟିକେ ପଡ଼ିଗଲେ
ଉଷୁମ ଲୁଗା କାନିକୁ କେହି ମାଡ଼ି ଦେଉନି
ଦୁଇ ଆଖିରେ ।
ବର୍ଷାରେ ଭିଜିଲେ
ତେଲ ଟିକେ ପାଦ ପାଇଁ ସ୍ୱପ୍ନ ଏବେ !
କିଏ ସେ ବାରିବ ଆଜି
ଭଲ ମନ୍ଦ କରିବାକୁ ?
କଣ୍ଢେଇ ଭାଙ୍ଗିଯିବାର ଦୁଃଖରେ
ନିଜେ ଭାଙ୍ଗିଯିବା ବେଳେ
କିଏ ଆଉଜେଇ ନେବ କୋଳକୁ ।
ଆଜି ଯେବେ ଦୁଃଖ ଲୁହ କଷ୍ଟ ଆଉ ଯନ୍ତ୍ରଣା
ମାଡ଼ି ବସେ କୁହୁଡ଼ି ପରି,
ମା’ ଖାଲି ମନେପଡ଼େ ।
ତା’ର ସ୍ମୃତି ସବୁ
ସ୍ପର୍ଶ କଲାପରି ଲାଗନ୍ତି
କିନ୍ତୁ କ୍ଷଣକ ପାଇଁ ।
ସେ ବେଶି ବେଶି ମନେପଡ଼େ
ଖାସ୍ ସେଇଥିପାଇଁ ।
