ମୋ ହୃଦୟରେ. . .
ପୁଞ୍ଜୀଭୂତ ସମ୍ପର୍କର
ସୀମା ସରହଦ ଡେଇଁ
ଚାଲିଗଲ ତୁମେ,
କାହିଁ ? କୋଉଁ ଅସତ୍ୟ ସହରର
ଅନ୍ଧଗଳି ମଧ୍ୟକୁ
ଭିଡ଼ଭାଡ଼ ଠେଲିପେଲି
ଅଣନିଃଶ୍ୱାସୀ ହୋଇ
ଯେ ଫେରିବାର କି
ଦେଖା ହବାର ଆଉ ନାଁ ଗନ୍ଧ ନାହିଁ ।
ଆଉଜି ଗଲ କି ? ଲୋଭାସକ୍ତ ହୋଇ
ପାଇବାର ଦୁର୍ବାର ଆଶାରେ
କୋଉ ବହୁତଳ ପ୍ରାସାଦର
ମସୃଣ ମାର୍ବଲ ଛାତିରେ ।
ଅଟକିଗଲ କି ?
ଚିକ୍ମିକ୍ ରଙ୍ଗୀନ୍ ଆଲୁଅର
ନଜରବନ୍ଦୀରେ ଅବା
କଂକ୍ରିଟ୍ ଜଙ୍ଗଲରେ
କିଣାବିକାର ରୂପର ହାଟରେ ।
ଫେରିଆସ ଥରେ. . .
ଡେଣା ତଳେ ଝାଡ଼ିଝୁଡ଼ି ଦେଇ
ସବୁ ରାଗରୁଷା ଆଉ
ମାନ ଅଭିମାନ, ନୋହିଲେ
ଅସତ୍ୟ ସହରର ବୁନିଆଦି ପରେ
ପଇଁତରା ମାରୁଥିବା
ବେଇମାନୀ ସମୟଟା ଲୁଟିନେବ
ତମ ଜୀବନର ସବୁ ଜିଜୀବିଷା ।
ଆଉ କାମନାର ନିଆଁରେ
ହୁତୁହୁତୁ ହୋଇ ଜଳିଯିବ
ଗୋରା ତକତକ ତମ
ମୁଲାୟମ ଦେହରୁ. . .
ସବୁ ସମ୍ଭାବନାର ରଙ୍ଗାନ୍ ପର ।
ପ୍ରିୟା ମୋର, ପାରିବନି. . . ପାରିବନି
ଉଡ଼ି ଆଉ, ଫେରି ଆସ ଥରେ
ଏ ଅସତ୍ୟ ସହରର ମିଛ ମାୟାଜାଲ
କବଳରୁ କଳେବଳେ କଉଶଳେ
ନିଜକୁ ମୁକୁଳାଇ ଦେଇ
ତମର ସେ ସିଧାସାଧା ଝାଟିମାଟିର
ସୁଖଦୁଃଖର ଆପଣା ନୀଡ଼କୁ
ଆଉ ଗରିବର ପେଜପାଣି,
ପଖାଳ କଂସାକୁ, ହଜିଲା ଦିନର
ଗାଁ ଦାଣ୍ଡ ଧୂଳିଘର, ଆମ୍ୱତୋଟା,
କିଆ ଗୋହିରି ଆଉ ତାଳ ତମାଳ ବନକୁ ।
ଏଇଠି ସ୍ୱର୍ଗ, ଏଇଠି ମର୍ତ୍ତ୍ୟ
ଏଇଠି ଆରମ୍ଭ, ଏଇଠି ଶେଷ
ଏତିକି ତ କେବଳ ସତ୍ୟ. . .
ଆଉ ସବୁ ଖାଲି ମିଛ. . . ମିଛ,
ଡାହାମିଛ ମାୟାଜାଲ ।
