କବିତା

ମୋ ମନର ପ୍ରେୟସୀ

Liza Panda's odia poem Mo Manara Preyasi

ଭସା ବାଦଲ ର ବିକ୍ଷିପ୍ତ ଖଣ୍ଡ କୁ
ଚାହିଁ ରହି ପାରେନାହିଁ
ତୁମଠାରୁ ପ୍ରିୟା କ୍ଷଣିକ ବିଚ୍ଛେଦ
ସହି ରହି ପାରେନାହିଁ ।

ଜ୍ୟୋତ୍ସ୍ନାସିକ୍ତ ଏହି ମଳୟ ରେ ପ୍ରିୟା
ତୁମ କଥା ମନେପଡ଼େ
ସ୍ମୃତି ର ବିରହେ କାମିନୀ ଆଖିରୁ
ଲୁହ ଟୋପେ ଝରିପଡ଼େ।

ଦେଖି ବସନ୍ତ ର ନବ ଯୌବନ କୁ
ତୁମ ରୂପ ମନେପଡ଼େ
ଅପୂର୍ବ ସୌନ୍ଦର୍ଯ୍ୟେ ଲାଳିମା ରେ ହୁଏ
ଦିଗହରା କେଉଁଆଡ଼େ ।

କୋକିଳ ର ଏହି ମଧୁଭରା ସ୍ଵନ
ଯେବେ ମୁହିଁ ଶୁଣୁଥାଏ
ତୁମ ମିଠାଧ୍ଵନି ହୃଦୟ ରେ ଭାସି
କର୍ଣ୍ଣପଟେ ନାଚିଯାଏ।

ରଙ୍ଗବେରଙ୍ଗର କୁସୁମ ମାଳାକୁ
ନେତ୍ରଭରି ଦେଖୁଥାଏ
ତୁମ ଅଧରର ଲାଲିମା ରଙ୍ଗଟା
ସତେ ମନେ ପଡ଼ିଯାଏ ।

ନିଶାର ଗଭୀର ଅନ୍ଧାରରେ ପୂର୍ଣ୍ଣ
ଆକାଶ କୁ ଦେଖୁଥାଏ
ତୁମ କେଶବିନ୍ୟାସ ର କାଳିମା ପଣ ଟା
ସ୍ମୃତି ପଟେ ନାଚିଯାଏ ।

ଝିଲମିଲ ସେହି ତାରକାପୁଞ୍ଜି ର
ଉଜ୍ଜ୍ୱଳତା ଦେଖୁଥାଏ
ରଙ୍ଗାୟିତ ତୁମ ଗଭାର ଗଜରା
ସତେ ମନେ ପଡିଯାଏ ।

ଭସା ବାଦଲ ର ବିକ୍ଷିପ୍ତ ଖଣ୍ଡ କୁ
ଚାହିଁ ରହି ପାରେନାହିଁ
ତୁମଠାରୁ ପ୍ରିୟା କ୍ଷଣିକ ବିଚ୍ଛେଦ
ସହି ରହି ପାରେନାହିଁ ।

ଗଗନ ର ଏହି ନିରବତା ସାମ୍ନେ
ତୁମ କଥା ମନେପଡ଼େ
ବିହ୍ଵଳିତ ଏହି ମନର ପକ୍ଷୀ କୁ
ଅଟକାଇ ଥକିପଡେ ।

ତୁମେ ଯେ ଚଞ୍ଚଳା ନଦୀର ଲହରୀ
ମୋ ମନର ରୂପସୀ
ତୁମେ ପ୍ରିୟତମା ସୌନ୍ଦର୍ଯ୍ୟ ସୁକନ୍ୟା
ମୋ ମନର ପ୍ରେୟସୀ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top