କବିତା

ଇଏ ସେଇ କେନ୍ଦ୍ରାପଡ଼ା

Priyanka Priyadarshini Swain's odia poem Ea Sei Kendrapada

ପାର ଯଦି ଦେଖିନିଅ ଥରେ
ଅଙ୍କା ଥିବା ସୀମାନ୍ତର ଚିତ୍ରକୁ
ମଧୁସାଗରର ମହତପଣିଆକୁ
ଆଉ ଛବିଳ ହେନ୍ତାଳର ସବୁଜିମା ସହ
ଭିତରକନିକାର ପ୍ରାକୃତିକତାକୁ ।

ଏଇ ଦେଖ ଥରେ
ଉପରେ ଆକାଶ
ତଳେ ତଳେ ଦିଶେ ଶାଗୁଆ ଭୂଇଁ
ଦେଖ ତ
ତା’ର ରୂପମାଧୁରୀକୁ,
ତା’ର ସ୍ୱର୍ଣ୍ଣିମ ଆଭାକୁ ।

ରସାବଳୀର ଧାପେ ମିଠାରେ
ଶୋଷି ନିଅ ତୁମେ
ସବୁତକ ନିଗିଡା ରସକୁ
ଶୋଷିନିଅ ଏଇ ଗୋବରୀ ଛାତିର ଫେନୀଳ ଜଳକୁ
ହଁ, ତୁମେ ଆହୁରି ଶୋଷିପାର
ଏ ବାୟୁର ସ୍ନିଗ୍ଧତାକୁ ।

ପାର ଯଦି ଦେଖିନିଅ ଥରେ
ଅଙ୍କା ଥିବା ସୀମାନ୍ତର ଚିତ୍ରକୁ
ମଧୁସାଗରର ମହତପଣିଆକୁ
ଆଉ ଛବିଳ ହେନ୍ତାଳର ସବୁଜିମା ସହ
ଭିତରକନିକାର ପ୍ରାକୃତିକତାକୁ ।

ସତରେ ଥରେ ଦେଖ
ଦୀନବନ୍ଧୁ ଲ୍ରାଇବ୍ରେରୀକୁ
ତା’ର ପୁଞ୍ଜିଭୂତ ଆଶାଗୁଡାକୁ,
ପାରୁଛ ଯଦି ଆଖି ବୁଲାଅ
ଆଖେପାଖେ ଦୃଶ୍ୟମାନ ହେବ,
ତୁମେ ପାଇବ ନିଶ୍ଚୟ
ସଦ୍ୟ ଅଙ୍କୁରିତ
ଷୋଡଶୀ କିଶୋରୀର ପ୍ରେମିଳ ଚାଟୁକ୍ତି,
ରସମୟ ପ୍ରେମମୟ ମୂର୍ତ୍ତି
ଆଉ ଗୋଟିଏ ଖୁନ୍ଦାଖୁନ୍ଦି ଅବୁଝା ଯୁଗଳବନ୍ଦୀର ସ୍ୱପ୍ନ,
ଯାହା ଚରିତାର୍ଥ ହୁଏ
ଅବା ଅବେଳରେ ବଳିପଡ଼େ ।

ଦେଖ ପୁଣି ତମେ
ବିଲେଶ୍ଵର ମହାଦେବଙ୍କୁ,
ଯିଏ ଚାହିଁ ରହିଛନ୍ତି
ଗୋଟେ ବିଶ୍ୱାସୀ ସ୍ତୁପଟେ ପରି ।

ହଁ, ବୁଲି ଦେଖ
ସେଇ ରେବତୀରମଣଙ୍କୁ
ସେ ତୁଳସୀ ରସିଆ
ସେ ସିଦ୍ଧ ବଳଦେବ ବଡ଼ ଭାଇ,
କିବା ବର୍ଣ୍ଣିବି ସେ ବଡ଼ିମା…

ତୁମେ ମୋହିତ ହେବ
ଅନ୍ୟ ଏକ ଦୃଶ୍ୟରେ
ସୀମାନ୍ତ ଦେଶର ରାମଲୀଳା
ଆଉ ତାର ସୀତା ଚୋରିର ଛବିରେ,
ରଘୁନାଥଙ୍କ ରୂପରେ କମ୍ପିତ ହେବ ସେଇ ଛାତି ତୁମର ।

ସର୍ବପୁରାତନ ପୌରପାଳିକା ଏଇ
ଯେଉଁଠି ଉଦ୍ଭାସିତ ହୁଏ
ରାଜନୀତିଠୁଁ ସାହିତ୍ୟ
ଧର୍ମଠୁଁ ଆଧୁନିକତା,
ହଁ, ଇଏ କେନ୍ଦ୍ରାପଡ଼ା !

ଯେଉଁଠି ଗୋପପୁରର ଆଭାସ ପାଇଁ
ରହିଯାଆନ୍ତି ରାମଚନ୍ଦ୍ର,
ଯଶୋଦା ମା’ର ସ୍ନେହକୁ ଆଉ କିବା ଛାଡ଼ିବା ସମ୍ଭବ,
ହଁ ଇଏ ସେଇ ଯଶୋଦା
ଇଏ ସେଇ କେନ୍ଦ୍ରାପଡ଼ା !

ଯେଉଁଠି ଅକ୍ଷୟଙ୍କ କ୍ଷୟ ନ ହୁଏ
ଯେଉଁଠି ଶ୍ରୀରାମଙ୍କ ନାଁ ଥରକୁ ଥର ଉଠେ
ଯେଉଁଠି ଅରଣାମଇଁଷିର ଚିତ୍କାର ଶୁଭେ
ଇଏ ସେଇ କେନ୍ଦ୍ରାପଡ଼ା ।

ଦେଖି ପାରିଲ କି
ଏଇ ମୋ ଜିଲ୍ଲାର ଶୋଭାକୁ
ତାର ସ୍ୱପ୍ନମୟ ଭବିଷ୍ୟତକୁ
ଗଭୀର ଇତିହାସକୁ
ସାହିତ୍ୟର ମୁକୁଳା କ୍ଷେତକୁ
ଆଉ ତା ଶିରା ପ୍ରଶିରାର ମନ୍ତ୍ରକୁ ।

ଇଏ ସେଇ କେନ୍ଦ୍ରାପଡ଼ା !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top