ମୁଁ ସଭିଁଙ୍କ ଭୋକକୁ ମାରିବାର ଅସ୍ତ୍ର ତିଆରି କରେ
ହେଲେ ବିଡ଼ମ୍ୱନା ତ ଏଇଠି,
ଅନେକ ଥର ସେଇ ଭୋକ
ମୋତେ କଲବଲ କରି ମାରେ ।
ଭଙ୍ଗା ଚାଳ, ଛିଣ୍ଡା ମଶିଣା,
ସାହୁକାରର କରଜ, ସ୍ତ୍ରୀ ପିଲାଙ୍କ ଛିଣ୍ଡା କନା,
କେତେଥର ମୋ ଆତ୍ମାକୁ ମାରିଛି
ନେତା ଆସିଲେ, ମୋ ସହ ପଖାଳ ଖାଇଲେ,
ପ୍ରତିଶ୍ରୁତି ଦେଲେ, ପୁଣି ଚାଲିଗଲେ,
ମୁଁ ତ ଆଜି ବି ମରୁଛି ।
“ଜୟ ଜବାନ୍, ଜୟ କିଷାନ୍” ନାରା ଛଡ଼ା
ମୋ ଅସ୍ତିତ୍ୱ, ସମ୍ମାନ
କେଉଁଠି ଆଜି ଖୋଜି ପାଉନି,
ଦାରିଦ୍ର୍ୟ ମୋ ଅଲୋଡ଼ା ଅତିଥି ସାଜିଛି
ଯିବାର କେବେ ନାଁ ନେଉ ନି !
ମୋ ଛଡ଼ା ସମସ୍ତେ ନିର୍ଦ୍ଦୋଷ
କାରଣ ମୁଁ ଗୋଟେ ଗରିବ ଚାଷୀ,
ହତାଶ ମୁଁ, ନିଜ ଭାଗ୍ୟକୁ ଆଦରି ବଞ୍ଚିଛି,
ମୋ ଆତ୍ମା ତ ହଜାରେ ଥର ମରି ସାରିଛି
ଖାଲି ଯାହା, କେଉଁ ଥୁଣ୍ଟା ବରଗଛେ
ମୋ ଶରୀର ଝୁଲିବା ବାକି ଅଛି ।