ନିସଂଗତା
ପକ୍ଷୀଟିର ଅନ୍ୟ ନାମ
ଦଳ ବାନ୍ଧି ଉଡ଼ିବାର ପ୍ରହେଳିରେ
ଆକାଶକୁ ଲଂଘେ ସିନା
ଡେଣା ପାଇଁ ହାତ ପତାଏନି
ନିଜ ଡେଣାର ବିଶ୍ୱାସରେ
ଏକା ଏକା ଉଡ଼େ ପକ୍ଷୀ
ଗୁମୁରେ ନିଜ ସ୍ୱର
ଋତୁ ବଦଳିଲେ
ସାଥି ବି ବଦଳି ଯାଏ
ବସା ବଦଳିଯାଏ,
ଶାଖା ପ୍ରଶାଖା ବି
ବର – ଅଶ୍ୱତ୍ଥ,
ଅଶ୍ୱତ୍ଥ – ବର
ପର ଲାଗିବା ପରଦିନ
ତା ଛୁଆ ଉଡ଼ିଯାଏ
ପକ୍ଷୀ ବଞ୍ଚେ
ନିଜେ ନିଜେ, – ନିଶ୍ଵାସ ନିଏ
କୋଳି ସାଉଁଟେ
ମନକୁ ମନ ଗୀତ ଗାଏ
ନିଜ ସାଥେ ଲୁଚକାଳି ଖେଳେ
ପ୍ରତୀକ୍ଷା କରେ ଏକା ଏକା
କେହି ଫେରିବାକୁ ନାହିଁ ବୋଲି
ଜାଣିଶୁଣି,
ଛାତି ଧଡ଼ଧଡ଼ କରେ
ବର୍ଷା ଆସେ, ବସନ୍ତ ଆସେ
ବର୍ଷା – ବସନ୍ତ
ବସନ୍ତ – ବର୍ଷା
ପକ୍ଷୀ ବଞ୍ଚିଥାଏ
