ହାତରେ ବେତ ଧରି
ମୁହଁରେ ନୀତି ନୈତିକତାର
ବେଦ ଗାଇ,
ଅମଣିଷଙ୍କୁ ମଣିଷ କରି
ଗଢୁଥିବା ଦରଦୀ ଲୋକଟିଏ ।
ଆଜି ବନି ତ ଯାଇଛି ନିଜେ. . .
ଗୋଟାଏ ବେତ ।
ଘଡ଼ିକି ଘଡ଼ି ଘୋଡ଼ା ଛୁଟୁଥିବା
ଅନୁଶାସନର ତତଲା ବାଆରେ,
ପୋଡ଼ିଯାଇ ଅଛି ତା’ର
ମୁହଁ, ପାଟି ଆଉ ପେଟ,
ଘନ ଘନ ନାଲି ହୁକୁମତିରେ
କେଉଁ ଘରକୋଣ ଅବା
ଅଳିହା ଅଳନ୍ଧୁ ମଧ୍ୟରେ ପଡ଼ିରହି,
ଶତ ବୃଚ୍ଛିକ ଦଂଶନରେ
ଅହରହ ଖାଲି ହେଉଅଛି ଛଟପଟ ।
ଶିକ୍ଷାର ସବୁଜ କ୍ଷେତ ପରେ,
ସର୍ବଶିକ୍ଷା ଅଭିଯାନର ବାଲିଚର
ମାଡ଼ିଗଲା ପରେ, ଛାତ୍ରଛାତ୍ରୀ. . . ,
ଭାବିଲେଣି, ମଧ୍ୟାହ୍ନ ଭୋଜନର
ଉର୍ବର ପଟୁମାଟିରେ,
ଆମେ ସବୁ ପରିପୁଷ୍ଟ ହୋଇ
ବନିଯିବୁ ଶିକ୍ଷିତ, ହୃଷ୍ଟପୁଷ୍ଟ
ଆଉ ସ୍ୱୟଂସମ୍ପୂର୍ଣ୍ଣ ।
ଲୋଡ଼ାନାହିଁ ବେତ ଆମର
ଲୋଡ଼ାନାହିଁ ଗୁରୁଘର ପାଠର
ମହାମନ୍ତ୍ର,
ଉତୁରି ପଡ଼ିଲାଣି, ଫାଇଲ ପରେ
ଫାଇଲ୍ ଚାଷ ଆଉ ଦଣ୍ଡି, ଥାଳି,
ଭାତହାଣ୍ଡିରୁ ଗୋଟାପଣ ଆମ
ଗୁଣାତ୍ମକ ଶିକ୍ଷାର ତତଲା ପେଜ ।
ଭଳିକି ଭଳି ଏକରଙ୍ଗୀ
ପୋଷାକ ପିନ୍ଧି, ନୂଆ ନୂଆ. . .
ସାଇକଲ ଚଢ଼ି, ପିଲାଏଁ କହିଲେଣି
ଆମର ବେତ କ’ଣ ଦରକାର ?
ଶିକ୍ଷକ ତ ପାଲଟି ଗଲାଣି
ନିଜ ପାଇଁ ନିଜେ ଗୋଟାଏ ବେତ ।
