ସେଦିନ ରାସ୍ତା ବେଶ୍ ଲମ୍ୱା ଲାଗୁଥିଲା,
ଚାଲିବା ଆଗରୁ ମୁଁ ଥକି ପଡ଼ିଥିଲି,
ବୈଶାଖ ନଥିଲା
ତଥାପି ଝାଞ୍ଜି ପୋଡ଼ି ଦେଉଥିଲା
ଆଶାର ପ୍ରତିଟି ଭୃଣକୁ ।
ନିଜ ଉପରେ ନିଜର ଥିଲା ଅବିଶ୍ୱାସ,
ସତେ କି ମୁଁ ଚାଲିପାରିବି
ଏକା ଏକା ଏତେବାଟ ।
ତୁମେ ଆସିଲ
ମୋ ଯାତ୍ରାର ପ୍ରାରମ୍ଭରେ,
ଶ୍ରାବଣର ବର୍ଷା ବିନ୍ଦୁପରି
ଢାଳି ହୋଇପଡ଼ିଲି
ମୋ ନିର୍ଜୀବ ସ୍ୱପ୍ନମାନଙ୍କ ଉପରେ ।
ଆଜି ତୁମେ ନାହଁ
ସେ ଭୟ ବି ନାହିଁ ଏକା ଏକା ଚାଲିବାର,
ତୁମେ ଆସିବା ଆଉ ଚାଲିଯିବା
ମୋତେ ଅନେକ କିଛି ଶିଖେଇଛି,
ମୁଁ ଭୁଲିଯାଇଥିଲି
ମୁଁ ପଥିକଟିଏ ମାତ୍ର
ଚାଲିବାକୁ ହେବ ମୋତେ ଏକା ଏକା
ତୁମ ବିନା !
