କବିତା

ଫୁଲ ଫଗୁଣର ଚିଠି

Basanti Das's Odia Poem PHOOLA FAGUNARA CHITHI

ଶିରିଶିରି ଏଇ ମଳୟ ଛୁଆଁରେ
ଫୁଲ ଭରା ଉପବନ
ନିରବଧି ମୋର ହୃଦେ ମଳମଳ
ଶୁଭେ କାର ବଂଶୀସ୍ୱନ !!

ଫୁଲ ଫଗୁଣର ଚିଠି
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ନିଶାର୍ଦ୍ଧ ରାତିରେ ଫୁଲ ମହକରେ
ମତୁଆଲା ନିଦ ଭାଙ୍ଗେ
ଚୋରାଇ ସେ ମନ କରେ ହୀନିମାନ
ପ୍ରାଣରେ ପୁଲକ ଜାଗେ ।

ପରଜାପତିର ଟିକି ଛିଟ ଡେଣା
ମୋ ମନରେ ଚିତ୍ର ଆଙ୍କେ
ଫୁଲ ପାଶେ ଅଳି କରେ ନିଉଛାଳି
କଅଁଳ ପତର ଫାଙ୍କେ ।

ଧୀରେ ଧୀରେ ଛୁଏଁ ମଳୟ ମହକ
ମତୁଆଲା ଫୁଲ ବନ
ଏ ବେଳେ କୋଇଲି କୁହୁତାନ କରେ
ମନ ହୁଏ ଛନଛନ !!

ଫଗୁଣ ସାଜଇ ଅଭିସାରିକାଟେ
କୃଷ୍ଣଚୂଡ଼ା ପାଟ ପିନ୍ଧି
ଅଳପ ଅଳପ ହସୁଥାଏ ଜହ୍ନ
ଆକାଶ କରଇ ସନ୍ଧି !!

ଗୁଣୁ ଗୁଣୁ ଆଉ ହୁଏ ନାହିଁ ଅଳି
ଫୁଲକୁ ଚୁମିଲା ପରେ
ଫଗୁଣ ଚାହିଁଛି ଅତିଥି ପରାୟେ
ଫୁଲ ପ୍ରୀତି ମଧୁ ଝରେ ।

ଶିରିଶିରି ଏଇ ମଳୟ ଛୁଆଁରେ
ଫୁଲ ଭରା ଉପବନ
ନିରବଧି ମୋର ହୃଦେ ମଳମଳ
ଶୁଭେ କାର ବଂଶୀସ୍ୱନ !!

ସାଗର ଆକାଶ ମାଟିରୁ ସାଉଁଟି
ଫୁଲ ପାଇଁ ଫଗୁ ଭେଟି
ଲୁଚେଇ ଲୁଚେଇ ଗୋଲାପି କାଗଜେ
ଲେଖୁଛି ମୁଁ ପ୍ରେମ ଚିଠି !!

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top