ଆଜିକାଲି ସହରରେ ରହୁଥିବା ବ୍ୟକ୍ତିମାନେ ଘର ଭିତରେ ଏକପ୍ରକାର ଅଣନିଃଶ୍ୱାସୀ ମନେ କରନ୍ତି । ଗାଁ ଭଳି ଏଠି ଖୋଲାମେଲାରେ ବୁଲି ମନ ହାଲକା କରିବାକୁ କିଛିନାହିଁ । ନିଜ ଘର ଚାରିକାନ୍ଥ ଭିତରେ କେବଳ ନିଜ ଲୋକଙ୍କ ସହ ସମୟକଟେ । ସାହିପଡିଶା ଯଦିବା ଅଛନ୍ତି କିନ୍ତୁ କେହିକାହାକୁ ଜାଣନ୍ତି ନାହିଁ । କେହି ସ୍ଥାୟୀ ପରିବାର ନଥାନ୍ତି , କିଛି ଭଡାରେ ଥାନ୍ତି , ଅନେକ ଗାଁ ଗହଳିରୁ ଆସି ସହରୀ ହୋଇଥାନ୍ତି , ତେଣୁ ନଜାଣି ଶୁଣି କାହାସହ ବନ୍ଧୁତା କରିହୁଏନାହିଁ । ଯଦି ଅବସର ପ୍ରାପ୍ତ କର୍ମଚାରୀ ବା ଗୃହିଣୀ କଥା କହିବା ତ ଅବସର ତାଙ୍କପାଇଁ ଅବସାଦରେ ପରିଣତ ହୁଏ । ଅଧିକାଂଶ ଘରେ ପୁଅଝିଅ ନିଜ ସଂସାର ନେଇ ବାହାରେ ରହନ୍ତି , ଘରେ ବୁଢାବୁଢୀ ଦୁଇଜଣ । ଦୁହେଁ ସାଙ୍ଗହୋଇ ବଞ୍ଚିଥିଲେ ଚଳିବ ଯଦି ଜଣେ ଆଗ ଆରପାରିକୁ ଚାଲିଗଲା ତେବେ ରହିଯିବା ମଣିଷର ଭାଗ୍ୟ ଖରାପ ପଡିଗଲା । ଯେତେଦିନ ବଞ୍ଚିବ ଖୁବ୍ କଷ୍ଟରେ । ସେଥିପାଇଁ ଆଜିକାଲି ସେମାନେ କିଛି ସାମାଜିକ ଅନୁଷ୍ଠାନ ସହ ଯୋଡିହୋଇ ସମୟ କାଟନ୍ତି ତ ମନଦେହ ସବୁ ଖୁସିରହେ । ସେଥି ମଧ୍ୟରୁ ସମାଜ ସେବା, ମନ୍ଦିର ସେବା, ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ମନୋରଂଜନ ଓ ଅବସର ସମୟକୁ ସଦବ୍ୟବହାର କରିବାରେ ଗୋଟିଏ ଗୋଟିଏ ଭଲ ମାଧ୍ୟମ ।
ଏବେ ଅନେକ ଲୋକ ସାହିତ୍ୟ ମୁହାଁ ହୋଇଛନ୍ତି । ପ୍ରତିଦିନ ସହର ଭିତରେ ଛୋଟ ବଡ ପ୍ରେକ୍ଷାଳୟ ମାନଙ୍କରେ ସାହିତ୍ୟ ସଭା, କବିତା ଗପ ଆବୃତ୍ତି, ସାହିତ୍ୟ ସଂସ୍କୃତି ଆଲୋଚନା, ନୂତନ ପୁସ୍ତକ ଉନ୍ମୋଚନ ପ୍ରାୟ ହେଉଛି । ଏହି ସଭାର ଆୟୋଜକ ମାନେ ଭଲଭଲ ବିଜ୍ଞ ପ୍ରାଜ୍ଞ ବ୍ୟକ୍ତି ମାନଙ୍କୁ ଅତିଥି ରୂପେ ଡାକିଥାନ୍ତି କିଛି ବକ୍ତବ୍ୟ ଦେବାପାଇଁ । ଯେଉଁମାନେ ଅତିଥି ରହନ୍ତି ସେମାନେ କଥାକହି ଅନ୍ୟମାନଙ୍କୁ ସନ୍ତୁଷ୍ଟ ମଧ୍ୟ କରିବାରେ ଖୁବ୍ ପାରିବାର । ଆମେ ଜଣ ଜଣକ ବକ୍ତବ୍ୟରେ ଏତେ ଖୁସି ଥାଉ ଯେ ପୁନଃ ତାଙ୍କର ଆଉ କୋଉ ସଭାରେ ଭାଷଣ ଅଛି ଜାଣିଲେ ତାଙ୍କୁ ଶୁଣିବାକୁ ଟାଣିହୋଇଯାଉ । ସେଠାରେ ଯାହାସବୁ ଆଲୋଚନା ହୁଏ ହୁଏତ ଅନେକ ଲୋକ ଜାଣିଥିବେ କିନ୍ତୁ ଶୁଣିବାରେ ଯେଉଁ ଆନନ୍ଦ ପ୍ରାପ୍ତି ହୁଏ ଜାଣିବାରେ ହୁଏନାହିଁ । ଆମେ ପ୍ରତିଦିନ ଖବର କାଗଜ ଓ ବିଭିନ୍ନ ପ୍ରକାର ପୁସ୍ତକ ପଠନ କରୁ ହେଲେ ସେ ସବୁ ମନରେ ଏମିତି ଗଣ୍ଠିପଡି ରହେନାହିଁ ଯାହା ଜଣେ ବକ୍ତାଙ୍କ ମୁଖରୁ ଶୁଣିଲେ ମନରେ ରହେ । ଅନେକ ସ୍ଥାନରେ ମନରେ ଉଠୁଥିବା ଦ୍ୱନ୍ଦ୍ୱ , ନିରାଶା, ଏକଲା ଭାବ ଏସବୁ ଭାଷଣ ଶୁଣିବାପରେ ମନରୁ ଦୂରେଇଯାଏ ଏବଂ ଶାନ୍ତିରେ ବଂଚିବାର ପ୍ରେରଣା ମିଳେ । ଶୁଣିବା ଖୁବ୍ ଭଲକଥା । ଆମେ କୋଣସି ଭଲକଥା ଶୁଣିଲେ ତାକୁ ମନେରଖି ସମୟ ଆସିଲେ କୋଉଠି ଉଦାହରଣ ରୂପେ ବ୍ୟବହାର କଲେ ସେ କଥା ବେଶୀ ମନେରହେ କିନ୍ତୁ ଖରାପ କଥାକୁ କୋଉଠି ଆଲୋଚନା ନକରି ଭୁଲିଯିବା ସବୁଠୁ ଭଲ ।
ଅବସର ସମୟରେ କିଛି କାମ ନାହିଁ ଭାବି ଚିନ୍ତାଗ୍ରସ୍ଥ ହେବା କି ଅଯଥା କିଛି ଆଜେବାଜେ କଥାକୁ ମନରେ ରଖି କାହାପ୍ରତି ଈର୍ଶା ବା ଘୃଣା କରିବା ବିଲକୁଲ୍ ଠିକ୍ ନୁହେଁ । ଆମେ ଯାହାର ଖରାପ ଭାବିବା ତାର ଖରାପ ହେବନାହିଁ ବରଂ ନିଜେଚିନ୍ତା କରି ମନ ଦେହ ଖରାପ କରିବା ସାର । ଘରେ କିଛି କାମଥିଲେ ନିଜ କ୍ଷମତା ଅନୁସାରେ କରିବା ନିଜକୁ ଚଳଚଂଚଳ ରଖିବାର ଏକ ମହତ୍ତ୍ୱପୂର୍ଣ୍ଣ ଦିଗ । କିଛି ବି କିଛି ବହି ପଢିବା , ଭଗବତ୍ ଚିନ୍ତା ବା କାମ କରିବା , ବନ୍ଧୁ ବାନ୍ଧବ ଘରକୁ ଯାଇ ବୁଲି ଆସିଲେ ମନ ଭଲରହିବ ନିଶ୍ଚୟ । ସାହିତ୍ୟ ସଭାରେ ମଧ୍ୟ ଅନେକ ବନ୍ଧୁ ସୃଷ୍ଟି ହୁଅନ୍ତି । କେହିକାହାକୁ କିଛି ଦେବା ଆବଶ୍ୟକ ନାହିଁ କେବଳ ମିଠାହସ ଟିକେ ଆଦାନ ପ୍ରଦାନ କରି ଭଲମନ୍ଦ ପଚାରିଦେଲେ ଅନେକ ଆନନ୍ଦ ମିଳେ । ଆସିଚୁ ଏକା ଫେରିବା ଏକା , ଏ ସଂସାର ରଙ୍ଗମଂଚରେ ଆମ ଅଭିନୟ କିଏ ଜାଣେ କେବେ ସରିଯିବ ! ତେଣୁ ଯେତିକି ସମୟ ଅଛି ତାକୁ ସଦ୍ ବ୍ୟବହାର କଲେ ନିଜର , ପରିବାର ତଥା ସମାଜର ମଙ୍ଗଳ ହେବ ।