କବିତା

ପ୍ରେମ କରିଥିବା କଥାକୁହା ଶାରୀ

Dr Anukampa Naik's odia poem Prema Karithiba Kathakuha Shaari

ତଥାପି , ତାର ଉଚ୍ଚାରଣ, ଆଚରଣ ରେ କ’ଣ ଥିଲା ଯେ
ଦେହର ଅନୁକରଣ ହେଇ
ଜୀବନ ଭାବନରେ ମିଳେଇଯାଏ ।

ଲୋକ କହୁଥିଲେ
ସେ ଉଡି କାହିଁ ପାରିବ
କେଉଁ ଓଜନଟା ପଡିଲା କି ତା ଦେହରେ
ନାଁ କେହି ଭାଙ୍ଗିଦେଲା ଡେଣା
କିଛିଦିନ ହେଲା ପଡିରହିଛି
କିଛିଦିନ ପରେ ମିଶିଯିବ ମାଟିରେ ।

ସେମାନେ କାହିଁ ଜାଣିବେ
ଭାଙ୍ଗିଗଲା ପରେ ହିଁ ତ
ମୁଁ ପଞ୍ଜୁରିରୁ ବାହାରି
ଖଣ୍ଡିଉଡା ଦେଇ ଉଡି ନ ପାରିବାର ପୀଡାକୁ
ଭୁଲିପାରିଥିଲି ।

ନାଲି, ନେଳି ହଳଦିଆ ରଙ୍ଗର
ଠିକଣା ଭିତରେ ଥିବା କିଛି ଅସଜଡା ଅତୀତ
ପରିଚିତ ଆବାଜ ଭାସି ଆସି
ମୋ ଡେଣାକୁ ହାଲୁକା କରି କହିଦେବ
ଆ ଘର ବାହୁଡିଯିବା
ଚମତ୍କାର ଛଡା କ’ଣ ହେଇପାରେ !

ନିର୍ମାତାର ହାତ ମୁଠାରେ ଥିବା
ମୂକ ହେଇ ବସିଥିବା ନଇ କୂଳ,
ଆଗକୁ ମାଡିଯାଉଥିବା ନଈ
ଓ ସେଥିରେ ନାଉରିଥାଇ ଭାସୁଥବା ନୌକାର ଦୃଶ୍ୟ
ଜୀଇଁ ଯାଇ ଭିନ୍ନ ଏକ ଶବ୍ଦ କରିବା
ଭୟ ବୁଣିଥିଲା ସତ
କିନ୍ତୁ କହୁଥିଲା ଉଡିବାର କଥା ।

ମାଟିରୁ ଉଠେଇବା , ଅନେକ ହାତରେ ଉଡେଇବା କହିବା
ବିଚିତ୍ର ଏ ଲୋକ
ମୃତ୍ୟୁକୁ ମୁଁ ଭେଟିବା ଦେଖିବି
ଏପରି କହିବା ।

ମତେ ଉଡେଇବାକୁ ଯାଇ ସେ ବୁଣିଥିଲା ମାୟା
ସବୁ କାଗଜ ଫୁଲକୁ
ରଙ୍ଗ ବାସ୍ନା ଦେଇ ଫୁଟେଇଥିଲା
ପ୍ରତ୍ୟହ ନୂଆଁ ନୂଆଁ ସକାଳରେ ।

ମୁଁ ହସୁଥୁଲି
ଜହ୍ନତରା ଦେଖି
ସବୁ ମେଘକୁ ଏକାଠି କରି ଖରାଟାରେ
ମୋ ଉପରେ ଝାରେଇ ଦେବାକୁ ଜିଦ୍‌ ଧରିଥିଲି
ତାହା ବି ହେଲା ଓ ମୁଁ ଅଦିନରେ ଭିଜିଥିଲି ।

ଏକାପରି ଦିଶୁଥିବା
ଶୀତ, ଭୟ ଓ ଲଜ୍ଜ୍ୟା
ଯଦି ଅଗଣାରେ ପଡିରହେ
ଜରତୀ ପୌଷର ପୀଡା ଉତୁରି ଆସେ ଆଖିରେ
ଆଉ ମୁଁ ଅତୀତର ପାଷାଣି ଶିଳା ହେଇ
ବର୍ତ୍ତମାନରେ ମିଳେଇଯିବାକୁ ଚାହେଁ
ହେଲେ ପାରେନି
କାହା ଜଳରେ ପଡି
କାହା ପଞ୍ଜୁରିର କଥାକୁହା ଶାରୀ ହେବା କଥା ପାରେନୀ ଭୁଲି ।

କେବଳ ଦେଖୁଥାଏ ମୁଁ
ସେ ଆଉଁସୁଥାଏ ଦେହ
ଆଖି ମିଶେଇ ଶୁଣୁଥାଏ ମତେ
ଖଣ୍ଡିଉଡା ରଙ୍ଗ ଦେଖି ଆ ଆ ତୁ … ତୁ କହୁଥାଏ
ଏ କ’ଣ ଥଲା ପ୍ରେମର ?

ଏଠୁ ଥାଇ ଅନ୍ୟକୁ ଡାକିବା
ଆଖ -ପାଖରେ ନିଆଁ ଜାଲି
ଲୁଚି ରହିବା
ସୁଯୋଗ ଆସିଲେ ଆଉଁସି ଦେଇ ଛାଡି ଦେବା
ଗୋଟେ ଶିକାରୀ ହିଁ କରିପାରେ
ପ୍ରେମିକ ନୁହେଁ ।

ପୁରୁଷକୁ ବୁଝିବାର କଳା କି ଭାଷା
କ’ଣ ଏତେ ଭିନ୍ନଥାଏ
ଆପଣା ଆପେ ଖୁସିହେବାଟାକୁ
ପ୍ରେମ କହେ ସେ ।

ତଥାପି , ତାର ଉଚ୍ଚାରଣ, ଆଚରଣ ରେ କ’ଣ ଥିଲା ଯେ
ଦେହର ଅନୁକରଣ ହେଇ
ଜୀବନ ଭାବନରେ ମିଳେଇଯାଏ ।

ମାଟିକୁ ଆଉଜି ଧରିଥିବା କୁହୁଡି ଓ
ସେଇ ଭିତରୁ ଆକାଶ ଆଡକୁ ଧାଉଁଥିବା ଧୂଆଁ ଭିତରେ
ଜିଇଁ ହୁଏ ନାହିଁ ବୋଲି ଦୁନିଆ ଗଢ଼ୁଥିବା ମାଲିକ
ତା ହାତରେ ମତେ ତୋଳି ଧରି ଧୂଆଁ ଓ କୁହୁଡିର ବହୁ ଉପରକୁ ଉଡେଇଦିଏ ।

ଯେବେ ଥକିଯାଏ ଏ ଦୁନିଆଁ ରେ
ଆପଣା ଭିତରୁ ପୁଣି ବାହାରିଯାଏ
ତା ସ୍ଵର ସହ ମୋ ସ୍ଵର ମିଶେଇ କାଢ଼ିଥିବା
ସେଇ ପୁରୁଣା ସ୍ଵର ଓ ଲୁହ
ଜାଣିପାରେନି
ସେସବୁ ପ୍ରେମର କି ଘୃଣାର ?

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top