ତୁମ ଅପେକ୍ଷାରେ
ଏ ଅନ୍ଧାରୁଆ କୋଠରୀରେ
ଏକାନ୍ତରେ ମୁଁ ବସିଛି,
ଅନ୍ଧାରକୁ ପୋଛିଦେବା ପାଇଁ
ପୃଥିବୀ ଦେହରୁ ।
କେଉଁଆଡ଼େ କେତେ ଯେ ଦିପାଳୀ
କିନ୍ତୁ ମୋ ପୃଥିବୀରେ ଅନ୍ଧାର ଘୋଟିଛି ।
କିଏ କାହିଁକି ଜାଳିବ ଯେ
ପର ପାଇଁ ଦ୍ୱୀପଟିଏ,
ତୁମେ ଯେବେ ଆସିବ
ପାଦ ଚିପି ଚିପି ମୋ କୋଠରୀକୁ
ନିଜେ ଆଲୋକର ଶିଖାଟିଏ ହୋଇ
ମୋତେ ଆଲୋକିତ କରିବା ପାଇଁ ।
ଏବେ ତ ସନ୍ଧ୍ୟା ମାତ୍ର
ସାରା ରାତି ପଡ଼ି ରହିଛି,
ମୁଁ କିନ୍ତୁ ଅପେକ୍ଷା କରିବି
ଏମିତି ଏକା ଏକା ତୁମ ପାଇଁ,
ଏବେ ତ ଅପେକ୍ଷାର ଆରମ୍ଭ ମାତ୍ର
ଶେଷ କେବେ ମୋତେ ଜଣାନାହିଁ ।
