ପ୍ରବନ୍ଧ

କରୋନା ଆତଙ୍କ …

Prasanta Kumar Behera's odia Prose Corona Aatanka

ପ୍ରବାସୀ ଶ୍ରମିକମାନେ କରୋନା ଆରମ୍ଭରୁ ଯେମିତି ଅନ୍ୟରାଜ୍ୟରୁ ନିଜ ଘରକୁ ଆସିବାକୁ ବ୍ୟଗ୍ର ହେଉଥିଲେ, ଏବେ କରୋନା ତା’ କାୟା ସବୁଆଡେ ବିସ୍ତାର କରିସାରିଥିଲେ ବି ନିଜ ଜୀବନକୁ ଗୌଣ କରି ଜୀବିକା ପାଇଁ ଅନ୍ୟରାଜ୍ୟକୁ ଯିବା ଆରମ୍ଭ କରିସାରିଲେଣି ।

କରୋନା ଭୂତାଣୁ କାଳେ ନିଜ ଦେହ ଭିତରକୁ ପଶି ଆସିବ ଏଇ କଥା ଭାବି ଭାବି ସାରା ବିଶ୍ୱର ପ୍ରତେକଟି ମଣିଷ ଗତ କେଇମାସ ହେବ ଆତଙ୍କରେ ସମୟ କାଟୁଛି । ଆମ ଦେଶବାସୀ ମଧ୍ୟ ଏଇ ଆତଙ୍କର ଶିକାର ହୋଇ ଗତ ମାର୍ଚ୍ଚ ମାସରୁ ଏ ଯାବତ୍ ରହିଛନ୍ତି । ଉଭୟେ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ ଡାଉନ୍ ଓ ସଟ୍ ଡାଉନ୍ କରି ଏହି ଭୟଙ୍କର ଭୂତାଣୁ କବଳରୁ ଲୋକମାନଙ୍କୁ ରକ୍ଷା କରିବାକୁ ସବୁପ୍ରକାର ଚେଷ୍ଟା କଲେ । କିନ୍ତୁ କରୋନା ତା’ କାୟା ବିସ୍ତାର କରି ଚାଲିଲା । ଓଡ଼ିଶାରେ ମଧ୍ୟ ଏହି ଭୂତାଣୁ ଏବେ ଗାଆଁ ଗାଆଁ ରେ ନିଜର ଆସ୍ଥାନ କେବେଠାରୁ ଜମାଇ ସାରିଲାଣି ।

ପ୍ରଥମେ ପ୍ରଥମେ ସଟ୍ ଡାଉନ୍ ଓ ଲକ୍ ଡାଉନ୍ ନିଷ୍ପତି ସରକାର ନେଇ ଯେଭଳି ଢଙ୍ଗରେ ତାକୁ କାର୍ଯ୍ୟକାରୀ କରିବାକୁ ପୋଲିସ୍ ଫୋର୍ସକୁ ନିର୍ଦ୍ଦେଶ ଦେଇଥିଲେ ଆଜି ସେଇ ସମୟର କଥା ଭାବିବା ବେଳକୁ ଯେତିକି ଆଶ୍ଵର୍ଯ୍ୟ ଲାଗୁଚି ସେତିକି ଦୁଃଖ ମଧ୍ୟ ମନରେ ଆସୁଛି । ଓଡିଶାରେ ଯେତେବେଳେ ମାତ୍ର ଦୁଇ କି ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ, ସେତେବେଳେ ସାରା ଓଡିଶାର ବିଭିନ୍ନ ଜାଗାରେ କିଛି ଅମାନିଆଁଙ୍କୁ ରାସ୍ତାରେ ପୁଲିସ୍ ଯେପରି ଢଙ୍ଗରେ ସାବାଡ୍ କରୁଥିଲା ତାହା ଦେଖିବାର କଥା ! କାହାକୁ ରାସ୍ତାରେ ଆଣ୍ଠେଇପକାଇ, କାହାକୁ ରାସ୍ତାରେ ଶୁଆଇ ତ ଆଉ କାହାକୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିବା ଏକ ସାଧାରଣ କଥା ହୋଇଥିଲା । କେବଳ ଆମ ରାଜ୍ୟ କାହିଁକି ସାରା ଭାରତର ବିଭିନ୍ନ ରାଜ୍ୟରୁ ଏମିତି ସବୁ ଚିତ୍ର ଟିଭିରୁ ଦେଖିବାକୁ ମିଳୁଥିଲା । ଅବଶ୍ୟ ପୁଲିସ୍‌ର ସେଇ ମାତ୍ରାଧିକ କାର୍ଯ୍ୟର ଶୀକାର କିଛି ନିରୀହ ଲୋକ ହୋଇ ନଥିବେ ତାକୁ ଅସ୍ୱୀକାର କରିହେବନାହିଁ, ଯେଉଁମାନେ ନିହାତି କିଛି ଜରୁରୀ କାର୍ଯ୍ୟପାଇଁ ଘରୁ ଗୋଡ କାଢିବାକୁ ବାଧ୍ୟ ହୋଇଥିବେ । କିନ୍ତୁ ବର୍ତ୍ତମାନ ଯେତେବେଳେ ଲକ୍ଷାଧିକ ଲୋକ ଆମ ରାଜ୍ୟରେ କରୋନା ଆକ୍ରାନ୍ତ ହୋଇ ସାରିଲେଣି, ରାସ୍ତାଘାଟରେ ଆଉ ସେଇ ଦୃଶ୍ୟ ଦେଖିବାକୁ ମିଳୁନାହିଁ । କାହିଁକି ନା କରୋନାକୁ ବର୍ତ୍ତମାନ ସାଙ୍ଗରେ ଧରି ଆଗକୁ ଆଗେଇବାକୁ ହେବ । ଦେଶର ଓ ରାଜ୍ୟ ମାନଙ୍କର ଆର୍ଥିକ ସ୍ଥିତି ସହିତ ଲୋକମାନଙ୍କ ଜୀବିକା ବର୍ତ୍ତମାନ କରୋନା ଅପେକ୍ଷା ଅଧିକ ଗୁରୁତ୍ତ୍ୱ ବହନ କରୁଛି ।

କରୋନା ଭୂତାଣୁ ଆମ ଦେଶକୁ ଆସିବାପରଠାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ୍ ଗତ ସାତମାସ ଭିତରେ କିଛି ଘଟିଥିବା କଥା ସବୁକୁ ମୁଁ ଯେମିତି ଦେଖିଛି, ବୁଝିଛି ଆଉ ହେଜିଛି ତାକୁ ନେଇ ମୋର ଏହି ଆଲଖ୍ୟ ।

କରୋନା ଆମ ଦେଶରେ ତା’ କାୟା ବିସ୍ତାର କରିବା ଆରମ୍ଭରୁ ସାରା ଦେଶରେ ସଟ୍‌ଡାଉନ୍ ସରକାର କରିବା ଦ୍ୱାରା ନିଜ ଜନ୍ମମାଟି ଛାଡି ବିଭିନ୍ନ ରାଜ୍ୟରେ କାମ କରି ଜୀବିକା ନିର୍ବାହ କରୁଥିବା ଶ୍ରମିକ ଶ୍ରେଣୀର ଲୋକମାନେ ନିଜ ରାଜ୍ୟକୁ ଫେରି ନ ପାରି ବିଭିନ୍ନ ଜାଗାରେ ଫସି ରହିଲେ । ସେମାନଙ୍କୁ କାମ ଯୋଗାଇଥିବା ସଂସ୍ଥାର ମାଲିକମାନେ କିଛି ଦିନ ସେମାନଙ୍କର ଦାୟିତ୍ୱ ବୁଝିବାପରେ ନିଜ ପରିସ୍ଥିତି ଅସମ୍ଭାଳ ହେବାରୁ ଶ୍ରମିକ ମାନଙ୍କୁ ନିଜ ପାଖରୁ ଦୂରାଇବାକୁ ବାଧ୍ୟ ହେଲେ । ଫଳତଃ ଖଟିଖିଆ ମେହେନତି ମଣିଷମାନେ ବିଭିନ୍ନ ରାଜ୍ୟର ରାଜ ରାସ୍ତାରେ ବୁଲିବାର ଦୃଶ୍ୟ ଦେଖିବାକୁ ମିଳିଲା । ସେଇ ସମୟରେ ରାଜ୍ୟ ସରକାରମାନେ ନିଜ ଲୋକଙ୍କୁ ଫେରାଇ ଆଣିବା ପାଇଁ ଅଣ୍ଟା ଭିଡିବା ସ୍ୱାଭାବିକ୍ କଥା । କିନ୍ତୁ ସେଇ ସମୟରେ ବଲିଉଡ୍ ଆକ୍ଟର ସୋନୁ ସୁଦ୍ , ଯିଏକି ହିନ୍ଦୀ ଚଳଚିତ୍ରରେ ଖଳନାୟକ ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି, ଏଇ କରୋନା ସଂକଟରେ ରାସ୍ତାରେ ବୁଲୁଥିବା ସେଇ ଶ୍ରମିକ ମାନଙ୍କୁ ନିଜ ପଇସାରେ ଘରକୁ ପଠାଇବାର ବ୍ୟବସ୍ଥାକରି ଜଣେ ରିଏଲ୍ ହିରୋର ପରିଚୟ ଦେଇଥିଲେ । ଆମ ଓଡ଼ିଶାର ୧୭୭ ଜଣ ଯୁବତୀଙ୍କୁ ସେ ନିଜ ଖର୍ଚ୍ଚରେ ବିମାନରେ କେରଳରୁ ଓଡିଶା ଫେରାଇ ଆଣିଥିଲେ । ସତରେ ସୋନୁ ସୁଦ୍ ପ୍ରବାସୀମାନଙ୍କ ପାଇଁ ସେଇ ସମୟରେ ଭଗବାନ ସାଜିଥିଲେ । ହଜାର ହଜାର ଅସହାୟ ଓ ଅଭାବୀଙ୍କୁ ସାହାର୍ଯ୍ୟ କରିଛନ୍ତି ସୋନୁ ସୁଦ । ତାଙ୍କର ଏହି ସହାୟତା ପାଇଁ ତାଙ୍କୁ ସଂଯୁକ୍ତ ରାଷ୍ଟ୍ର ବିକାଶ କାର୍ଯ୍ୟକ୍ରମ ଦ୍ୱାରା ପ୍ରତିଷ୍ଠିତ ଏସଡିପି ସ୍ପେଶାଲ ହ୍ୟୁମାନିଟେରିଆନ୍ ଆକ୍ସନ ଆୱାର୍ଡ ରେ ସମ୍ମାନିତ କରାଯାଇଛି । ଠିକ୍ ତାଙ୍କପରି ଓଲିଉଡ୍‌ରେ ରିଲ୍ ଲାଇଫ୍ ହିରୋ ସବ୍ୟସାଚୀ ରିଏଲ୍ ଲାଇଫ୍‌ରେ ହିରୋର ପରିଚୟ ଦେଇ ବହୁ ଶ୍ରମିକଙ୍କୁ ସାହାର୍ଯ୍ୟ କରି ଓଡିଶା ଫେରାଇ ଆଣିଥିଲେ । ତାଙ୍କର ଏହି ମାନବିକ ସେବାପାଇଁ ତାଙ୍କୁ ଓଡିଶାର ସୋନୁ ସୁଦ୍ ବୋଲି ଲୋକେ ପ୍ରଶଂସା କରି କହୁଛନ୍ତି ।

ପ୍ରଥମେ ପ୍ରଥମେ ଗୋଟେ ଅଞ୍ଚଳରେ ଯଦି ଜଣେ କରୋନାରେ ଆକ୍ରାନ୍ତ ବୋଲି ଜଣାପଡୁଥିଲା ତାହେଲେ ସେଇ ଏରିଆରେ ପୁରା ଲୋକମାନେ ଆତଙ୍କିତ ହୋଇ ପଡୁଥିଲେ । ଯାହାକୁ କୁହନ୍ତି ପୁରା କୋକୁଆ ଭୟ ! ସେ ଲୋକ ପାଖକୁ କରୋନା କେମିତି ଆସିଲା ସେ ବିଷୟରେ ବିଭିନ୍ନ କିସମର ଆଲୋଚନା ଲୋକମାନେ କରିବା ଆରମ୍ଭ କରିଦେଉଥିଲେ ଯେଉଁଥିରେ ସତ୍ୟ କମ୍ ଆଉ ଅତିରଞ୍ଜିତ କଥା ସବୁ ବେଶି ରହୁଥିଲା । କରୋନା ପଜେଟିଭ୍ ଆସିଥିବା ଲୋକର ପରିଚୟ ସରକାରଙ୍କ ନିୟମ ମୁତାବକ ଗୋପନ ରଖାଯାଉଥିଲେ ବି ସେଇ ଆଖପାଖର ଲୋକମାନେ ଆକ୍ରାନ୍ତ ହୋଇଥିବା ଲୋକଟିର ପରବାରକୁ ଏକ ପ୍ରକାର ବାସନ୍ଦ କରିବା ସହିତ ବିଭିନ୍ନ ପ୍ରକାରର ଅସୁବିଧାରେ ପକାଉଥିବାର ଖବରମାନ ଆସୁଥିଲା । କେହି କେହି ଲୁଚିରହି କରୋନା ଆକ୍ରାନ୍ତଙ୍କ ଫଟୋ ବା ଭିଡିଓ କରି ସୋସିଆଲ୍ ମିଡିଆରେ ଛାଡି ଆରେଷ୍ଟ ହେବାଯାଏ କଥା ବି ଯାଇଥିଲା ।

ପ୍ରବାସୀମାନେ ଫେରିବା ପରେ ତାଙ୍କୁ ସରକାରଙ୍କ ତରଫରୁ ପଞ୍ଚାୟତ ଓ ସହରାଞ୍ଚଳରେ କରାଯାଇଥିବା ସଂଗରୋଧ କେନ୍ଦ୍ରରେ ରହିବାକୁ ପଡୁଥିଲା । ସେଠି ସରକାରଙ୍କ ତରଫରୁ ଖାଇବା ସହିତ ଆବଶ୍ୟକୀୟ ମେଡିସିନ୍ ମଧ୍ୟ ଯୋଗାଇ ଦିଆ ଯାଉଥିଲା । କରୋନା ଲକ୍ଷଣ ଦେଖା ଯାଉଥିବା ଲୋକମାନଙ୍କୁ ସରକାରଙ୍କ ତରଫରୁ ମାଗଣାରେ ପରୀକ୍ଷା କରିବା ବ୍ୟବସ୍ଥା ମଧ୍ୟ କରାଯାଇଥିଲା । କିଛି ସଂଗରୋଧ କେନ୍ଦ୍ରର ଅବ୍ୟବସ୍ଥା ସହିତ ଆଉ କେଉଁଠି କିଛି ପ୍ରବାସୀ ଅଭଦ୍ର ଆଚରଣ ଦେଖାଇବା ସହିତ ଖାଇବା ଜିନିସ ସବୁ ଫୋପଡା କଚଡା କରିବା କଥା ଖବର କାଗଜ ମାନଙ୍କରେ ବାହାରୁଥିବାର ଦୃଷ୍ଟିଗୋଚର ହେଉଥିଲା । କିଛି ସଂଗରୋଧ କେନ୍ଦ୍ରର ପରିଚାଳନା ଏତେ ସୁରୁଖୁରୁରେ ଚାଲୁଥିଲା ଯେ, ପ୍ରବାସୀମାନେ ସେଠାରୁ ବିଦାୟ ନେବାବେଳେ କନ୍ଦାକଟା କରୁଥିବା ମଧ୍ୟ ଦେଖାଯାଉଥିଲା । ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛି ଓଡିଶା ସରକାର ସରପଞ୍ଚମାନଙ୍କୁ ତାଙ୍କ ପଞ୍ଚାୟତ ଏରିଆରେ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିବା । କିଛି ସରପଞ୍ଚ ତାଙ୍କୁ ଦିଆଯାଇଥିବା କ୍ଷମତାର ଅପବ୍ୟବହାର କରିଥିବା କଥା ମଧ୍ୟ ସାମ୍ନାକୁ ଆସିଥିଲା । କେହିଜଣେ ଏସବୁ କଥା ଦେଖି ମଜାଦାର୍ ଢଙ୍ଗରେ ସୋସିଆଲ୍ ମିଡିଆରେ ଲେଖିଥିଲା , ” ସରପଞ୍ଚ୍ ମାନେ ଜିଲ୍ଲାପାଳଙ୍କ କ୍ଷମତା ପାଇବା ଦେଖି ଓ୍ୱାଡ୍ ମେମ୍ୱରମାନେ କୁଆଡେ ତହସିଲଦାର୍ କ୍ଷମତା ପାଇଯିବେ ବୋଲି ଆଶାଧରି ବସିଛନ୍ତି ! ”

କରୋନା ସହିତ ଲଢେଇରେ ସାରା ଦେଶବାସୀ ଏକତା ଦେଖାଇବା ସହିତ କରୋନା ପିଡିତାଙ୍କ ପାଇଁ ଈଶ୍ୱରଙ୍କୁ ପାର୍ଥନା କରିବା ଉଦ୍ଦେଶ୍ୟରେ ଘଣ୍ଟ, ଘଣ୍ଟି ଓ ଥାଳି ବାଡେଇବା ସହିତ ତା ୦୫/୦୪/୨୦୨୦ରିଖ ରାତିରେ ୯ ଟାରୁ ୯ ମିନିଟ୍ ପାଇଁ ଘରର ଲାଇଟ୍ ବନ୍ଦକରି ଦୀପ, ମହମବତୀ ଓ ଟର୍ଚ୍ଚ କଳାଇଥିଲେ ।

କରୋନା ପାଇଁ ହୋଇଥିବା ତାଲାବନ୍ଦର ପ୍ରଭାବ ସମସ୍ତଙ୍କ ଉପରେ ପଡିଥିଲା । ବହୁଲୋକ ନିଜର ଜୀବିକା ହରାଇ ଘରେ ବସି ରହିବାକୁ ବାଧ୍ୟ ହେଲେ । ବୋଧହୁଏ ସବୁଠୁ ଅଧିକ ପ୍ରଭାବିତ ହୋଇଥିଲେ ପ୍ରେମୀଯୁଗଳ ମାନେ । ଯେତେ ମୋବାଇଲ୍‌ରେ କଥା ହେଉଥିଲେ ମଧ୍ୟ ବିନା ଦେଖା ସାକ୍ଷାତରେ ସେମାନଙ୍କର ମନ ବୁଝୁ ନଥିଲା । କିଛି ପ୍ରେମିକ ପ୍ରେମପାଇଁ ପୁଲିସ୍ ମାଡ ଖାଇବାର ରିସ୍କ୍‌କୁ ଖାତିର୍ ନକରି ବାହାରକୁ ବାହାରିବା ପାଇଁ ରେଡ୍ଡି ଥିବାବେଳେ ପ୍ରେମିକାମାନେ ସେମିତି ପଦକ୍ଷେପ ନେବାକୁ ସାହସ କରିପାରୁ ନଥିଲେ । ଏମିତି ଏକ ଘଟଣାକୁ ନେଇ ଖବରକାଗଜରେ ଲେଖାଟେ ଦୃଷ୍ଟିରେ ପଡିଲା ଯାହାର ଶିର୍ଷକଥିଲା –

” ପ୍ରେମ ପାଇଁ ଲକ୍ ଡାଉନ୍ ବାଧକ, ପ୍ରେମିକା ଗାଁକୁ ଆସି ଫସିଲେ ପ୍ରେମିକ !”

ଉକ୍ତ ପ୍ରେମିକ ଜଣଙ୍କ ପ୍ରେମିକାକୁ ଦେଖା କରିବାକୁ ଏତେ ବ୍ୟାକୁଳ ହୋଇଗଲେ ଯେ, ଲକ୍ ଡାଉନ୍ କଟକଣାକୁ ଖାତିର୍ ନକରି ଅର୍ଥାତ୍ ପୁଲିସ୍‌ର ନିର୍ଦ୍ଦୟ ପ୍ରହାର ଖାଇବାକୁ ରେଡ୍ଡି ହୋଇ ପ୍ରେମିକା ଘରପାଖକୁ ଆସିଥିଲେ । ତେବେ ପୁଲିସ୍ ତାଙ୍କୁ ଧରି ପାରିନଥିଲେ ବି ଶେଷକୁ ପ୍ରେମିକାର ଗ୍ରାମବାସୀଙ୍କ ହାତରେ ଧରାପଡିଥିବା ବେଳେ କେତେକ ଯୁବକ ତାଙ୍କୁ ଉତ୍ତମ ମଧ୍ୟମ ଦେଇଥିବାର ଜଣାପଡିଥିଲା ।

ଆଉ ଏକ ଖବର ପ୍ରେମକୁ ଜଡିତକରି ସେଇ ଲକ୍ ଡାଉନ୍ ସମୟରେ ଖୁବ୍ ଭାଇରାଲ୍ ହୋଇଥିଲା । ଖବରର ଶିର୍ଷକ ଥିଲା , —

” ତାଲାବନ୍ଦ ବେଳେ ପ୍ରେମ, ଧରିଲା ପୁଲିସ୍ !”

ଏଇଟା ଥିଲା ଖୋଦ୍ ରାଜଧାନୀ ଅଞ୍ଚଳର ଅର୍ଥାତ୍ ଭୁବନେଶ୍ୱରର ଟଙ୍କପାଣି ପାଖର ଘଟଣା । ସେଇ ଖବର ଭିତରେ ଥିବା ଲେଖା ଯିଏ ପଢିବ ହସି ହସି ବେଦମ୍ ହେବା ଫାଇନାଲ୍ । ଦୁଇ ଯୋଡା ପ୍ରେମୀଯୁଗଳ ଏକ ପୋଲତଳେ ଲୁଚି ପ୍ରେମାଳପ କରୁଥିବା ବେଳେ ସହିଦନଗର ପୁଲିସ ଧରିଲା । ମାସ୍କ ନାହିଁ କିମ୍ୱା ସାମାଜିକ ଦୂରତ୍ୱ ନାହିଁ , ପାଖା ପାଖି ବସି ନିଜ ନିଜ ଭିତରେ ହଜି ଯାଇଥିବା ବେଳେ ଦୁଇଜଣ ଯୁବତୀ ଓ ଦୁଇଜଣ ଯୁବକ ପିସିଆର୍‌ ଭ୍ୟାନ୍ ହାବୁଡରେ ପଡି ହଟହଟା ହୋଇଥିଲେ । ଯେଉଁ ସାମ୍ୱାଦିକ ଭାଇ ଏଇ ଖବର ଲେଖିଥିଲେ ସେ କାହୁଁ ଜାଣିବେ ପ୍ରେମର ସଂଜ୍ଞା ? ପ୍ରେମରେ କ’ଣ ସାମାଜିକ ଦୂରତ୍ୱ କେବେ ସମ୍ଭବ ??? ଯଦି ମାସ୍କ୍ ପିନ୍ଧି ପ୍ରେମାଳପ କରିବେ, ତାହେଲେ କାଇଁ ଏତେ ରିକ୍ସ୍ ନେଇ ପୋଲ ତଳେ ପଶିଥିଲେ ? ମୋବାଇଲ୍‌ରେ ତ ପ୍ରେମ ସମ୍ୱନ୍ଧୀୟ କଥାସବୁ ହୋଇ ପାରିଥାନ୍ତେ । ଆଉ ଶେଷକୁ ରହିଲା ନିଜ ନିଜ ଭିତରେ ହଜି ଯାଇଥିବା କଥା !! ପ୍ରେମରେ ପରା ତାହା ଖୁବ୍ ସାଧାରଣ କଥା !! ତେବେ ଏଭିଳି ସାହସ ପ୍ରଦର୍ଶନ କରି ଘରୁ ଗୋଡକାଢି ଆସିଥିବା ପ୍ରେମୀ ଯୁଗଳଙ୍କୁ ମାନିବାକୁ ପଡିବ ନିଶ୍ଚେ । ଅବଶ୍ୟ ସମୟ କହିବ ସେମାନଙ୍କର ପ୍ରେମ ସଫଳ ହେବ କିମ୍ୱା ଅସଫଳ ହୋଇ ଅମର ହେବ !!

ତାଲାବନ୍ଦ ଖୋଲିବାପରେ ମଧ୍ୟ କିଛି ଦିନପାଇଁ ବସ୍ ଚଳାଚଳ ବନ୍ଦ ରହିଥିଲା । ତାହାର କାରଣ ହେଲା ସାମାଜିକ ଦୂରତା ବସ୍‌ରେ ଯାତ୍ରାକଲେ ରହି ପାରିବନି । ତାଲାବନ୍ଦ ପୂର୍ବରୁ କନ୍ଧମାଳରୁ ଭାଣିଜୀ ବୁଲି ଆସିଥିଲା ଭୁବନେଶ୍ୱରରେ ଥିବା ତା’ ମାମୁଁ ଘରକୁ । ତାଲାବନ୍ଦର ସବୁ ସମୟତକ ମାମୁଁ ଘରେ ରହି ରହି ଯୁବତୀ ଜଣଙ୍କ ନିଜ ଘର କନ୍ଧମାଳକୁ ଫେରିବାକୁ ଅସମ୍ଭାଳ ହେଲା । କନ୍ଧମାଳର ସୁନ୍ଦର ପରିବେଶ ସହିତ ଘରେଥିବା ବାପା ମା ଭାଇ ଭଉଣୀ କଥା ଭାବିଭାବି ଘରକୁ ଫେରିବା କଥା କହିବା ନିହାତି ଠିକ୍ କଥା । ମାମୁଁ ଭଣଜୀର ଘରକୁ ଫେରିବାର ବ୍ୟସ୍ତତା ଶେଷକୁ ନିଜ ଗାଆଁର ଜଣେ ଯୁବକକୁ ବାଇକ୍‌ରେ ନେଇ କନ୍ଧମାଳରେ ଛାଡିଦେବାକୁ କହିଲେ ।

ବାସ୍ ଏଇ କଥାରୁ ଖବରକାଗଜରେ ନିଉଜ୍ ବାହାରିଲା –

” ବାଇକ୍‌ରେ ଭୁବନେଶ୍ୱରରୁ କନ୍ଧମାଳ… ରାସ୍ତାରେ ହୋଇଗଲା ପ୍ରେମ ! ”

ଖାଲି ପ୍ରେମରେ କଥା ଅଟକିଲା ନାହିଁ, ଦୁହେଁ ବିବାହ କରିବାକୁ ନିଷ୍ପତି ନେଇଗଲେ । ଯେଉଁ ଯୁବତୀ ଜଣକ ଘର ଲୋକଙ୍କୁ ଦେଖିବାପାଇଁ ଝୁରି ହେଉଥିଲା, ବ୍ୟସ୍ତ ଅସମ୍ଭାଳ ହେଉଥିଲା, ସେଇ ଯୁବତୀ ମାତ୍ର କେଇ ଘଣ୍ଟା ଉକ୍ତ ଯୁବକଙ୍କ ସହିତ ବାଇକ୍‌ରେ ବସି ଯିବାବେଳେ ପ୍ରେମରେ ପଡି ସବୁ ଭୁଲିଯାଇ ତା’ ସହିତ ଫେରାର୍ ହୋଇଗଲା । ଏଠି ଦେଖନ୍ତୁ ପ୍ରେମ କେତେ ଶୀଘ୍ର ଗତିଶୀଳ ହୋଇଗଲା । ଏଇଥି ପାଇଁ ତ କୁହାଯାଏ, କେବଳ ଚାରି ଆଖିର ମିଳନ ବି ସମୟେ ସମୟେ ପ୍ରେମ ସୃଷ୍ଟି କରିଦିଏ । ସେତେ ଚିହ୍ନାପରିଚୟ ନଥାଇ ବି ଯୁବତୀ ଜଣକ ସେ ଯୁବକ ସହିତ ଫେରାର୍ ହୋଇଗଲା । ଏକଥା ଶୁଣି ଯେ କେହି କହିବେ ସତରେ ପ୍ରେମ ଅନ୍ଧ ଆଉ ପ୍ରେମ ନିଶାରେ ଥରେ ପଡିଗଲେ ଅସମ୍ଭବ ବୋଲି କିଛି କଥା ନଥାଏ ! ସେମାନେ ତେଣେ ଫେରାର୍ ହେଲେ, ଏଣେ ମାମୁଁ ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଥାନାରେ ଉକ୍ତ ଯୁବକ ନାମରେ ନିଜ ଭାଣିଜୀକୁ ଅପହରଣ କରାଯାଇଛି ବୋଲି ଏତଲା ଦେଇଛନ୍ତି । ତେବେ ଫାଇନାଲି ମାତ୍ର କେଇ ଘଣ୍ଟାରେ ବାଟରେ ବାଇକ୍‌ରେ ଯାଉଯାଉ ଗଢି ଉଠିଥିବା ଏଇ ପ୍ରେମ କାହାଣୀଟି ସଫଳ ହେବ କି ଅସଫଳ ହୋଇ ଅମର ହେବ ତାହା ଆମକୁ ଜଣାନାହିଁ । କିନ୍ତୁ ଗୋଟେ କଥା ଜଣାପଡିଗଲା ତାହା ହେଉଛି , ଏଇ କରୋନାର ଆତଙ୍କ ପ୍ରେମିକ ପ୍ରେମିକାଙ୍କ ଉପରେ ସେତେ ମାତ୍ରାରେ ପଡିନାହିଁ !

ତେବେ ଏସବୁ ପ୍ରେମଠାରୁ ଏକ ସ୍ୱତନ୍ତ୍ର ତଥା ନିଆରା ପ୍ରେମ କାହାଣୀ ଯାହା ଅଧିକାଂଶଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା ତାହା ହେଉଛି ରଙ୍ଗେଇଲୁଣ୍ତା ପାଖା ପାଖି ଏକ ଗାଆଁରୁ ପ୍ରେମୀ ଯୁଗଳଙ୍କୁ ଏକ ଗଛର କୋରଡ ଭିତରୁ ଠାବ କରିବା ! ଗୋଟେ ଗଛର କୋରଡ ଭିତରେ କେତେ ବା ଜାଗାଥିବ ? ସେଇ ଭିତରେ ଖୁନ୍ଦିଖାନ୍ଦି ହୋଇ କେମିତି ଦୁଉଜଣ ପଶିଥିବେ ? ଗଛର କୋରଡ ଭିତରେ ଏମିତିରେ ପ୍ରାୟ ସାପ ଆଦି ଜନ୍ତୁଜୁନ୍ତା ରହିଥାନ୍ତି । ସେ ପ୍ରେମିକ ପ୍ରେମିକା ଦୁଇଜଣ ସେ ଭୟକୁ ମଧ୍ୟ ଖାତିର୍ ନକରି ସିଧା ପଶିଗଲେ ସେଇ କୋରଡ ଭିତରେ । ସତରେ ପ୍ରେମରେ ଯେଉଁ ସାହାସ ସଂକଳ୍ପ ଥାଏ ତାହା ବୋଧେ ଦୁନିଆର କେଉଁ କାମରେ ନଥାଏ । ତାପରେ ସେଇ କୋରଡ ଭିତରେ ମୁହଁରେ ମାସ୍କ୍ ସହିତ ସାମାଜିକ ଦୂରତାର ଅବସ୍ଥା କଣ ହୋଇଥିବ ତାହା ଜଳଜଳ କରି ଆଖି ଆଗରେ ନାଚି ଉଠୁଛି ।

ଏସବୁ କଥା ବାଦ୍ ଏଇ କରୋନା ଆତଙ୍କ ସମୟରେ ବହୁ ପ୍ରେମ କାହାଣୀ ବାହାର ରାଜ୍ୟରୁ ନିଜ ରାଜ୍ୟକୁ ଫେରିବା ବେଳେ ବାଟରେ ନିଶ୍ଚତ ସୃିଷ୍ଟି ହୋଇଥିବ । ଆଉ ଗୁଡେ ପ୍ରେମ ବି କ୍ୱାରେନଟାଇନ୍ ସେଣ୍ଟରମାନଙ୍କରେ ହୋଇଥିବାର ଆଲୋଚନା ହେଉଛି । ଲକ୍ ଡାଉନ୍ ସମୟରେ ଯେତିକି ପ୍ରେମୀ ଯୁଗଳ ସାହସ ପଦର୍ଶନ କରି ଧରାପଡିଲେ, ସେଥିରୁ ବହୁତ ଅଧିକ ପ୍ରେମିକ ପ୍ରେମିକା ଧରା ନପଡି ଏକାଠି ହୋଇଥିବାର ସମ୍ଭାବନାକୁ କେହି ଏଡାଇ ଦେଇ ପାରିବେ ନାହିଁ । ଆଉ କିଛି ପ୍ରେମିକ ପ୍ରେମିକାମାନେ ସମାଜ ଓ ପୁଲିସ୍‌ର ମାଡକୁ ଡରି ଘରେ ରହିବାକୁ ଉଚିତ୍ ମଣିଥିଲେ ।

ପ୍ରଥମରୁ କରୋନା ସାରା ବିଶ୍ୱରେ ଭୟ ଏବଂ ଚିନ୍ତାର ପରିବେଶ ସୃଷ୍ଟି କରିଛି ଯାହା ଏ ଯାବତ୍ ବି ବଳବତ୍ତର ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହି ସଙ୍କଟ ସମୟରେ ଅନ୍ୟସବୁ ସତର୍କତା ମଧ୍ୟରେ ଲୋକଙ୍କୁ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବାକୁ କହି ଅସୁଛି | କରୋନା ଭୟ, ଚିନ୍ତା ଏବଂ ଅବସାଦର ଏକ ପ୍ରମୁଖ କାରଣ ହୋଇ ଏବେ ଉଭା ହୋଇଛି । ବିଭିନ୍ନ ଅଧ୍ୟୟନରୁ ଜଣାପଡିଛି ଯେ ଏହି ରୋଗର ଭୂତାଣୁ ରୋଗୀର ମାନସିକ ସ୍ୱାସ୍ଥ୍ୟ ଉପରେ କିମ୍ବା କ୍ଵାରେଣ୍ଟାଇନରେ ରହୁଥିବା ବ୍ୟକ୍ତି, ଏବଂ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ଉପରେ ବହୁ ଭାବରେ ପ୍ରଭାବ ପକାଉଛି । ଏପରିକି କରୋନା ଆସିବା ପୂର୍ବରୁ ରହିଥିବା ମାନସିକ ରୋଗୀଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି । ଦେଶର ସର୍ବବୃହତ ମାନସିକ ରୋଗ ବିଶେଷଜ୍ଞ ସଂଘ ” ଭାରତୀୟ ସାଇକ୍ରେଟ୍ରିକ୍ ସୋସାଇଟି ” ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ, କରୋନା ପରଠାରୁ ଦେଶରେ ମାନସିକ ରୋଗୀଙ୍କ ସଂଖ୍ୟା ୧୫ ରୁ ୨୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏହି ମାନସିକ ରୋଗୀଙ୍କ ସଂଖ୍ୟା ଆହେତୁକ ବୃଦ୍ଧି ପାଇବାର କାରଣ ଏହି ବିଶ୍ୱ ମହାମାରୀ କରୋନା, ଏଥିରେ ତିଳେହେଁ ସନ୍ଦେହ ନାହିଁ । ଲକ୍‌ଡାଉନ୍‌ ଓ ପରବର୍ତ୍ତି ସମୟରେ ବ୍ୟବସାୟ, ଚାକିରୀ, ରୋଜଗାର, ସଞ୍ଚୟ ଏବଂ ମୌଳିକ ସମ୍ବଳ ଆଦି ହରାଇବା ଭୟ ଲୋକଙ୍କ ମଧ୍ୟରେ ଅଧିକ ରହିଛି, ଯାହାର ପ୍ରଭାବ ମଣିଷର ମାନସିକ ସ୍ଥିତିକୁ ବିଗାଡିବାରେ ପ୍ରମୁଖ ଭୁମିକା ନେଇଛି ।

କରୋନା ଭାଇରସ୍‌ ଯୋଗୁଁ ସାରା ଦୁନିଆରେ ପ୍ରଥମେ ଲକ୍‌ଡାଉନ ସ୍ଥିତି ଉପୁଜିଥିଲା । ଏପରି ସମୟରେ ସମେସ୍ତ ନିଜ ନିଜ ଘରେ ରହିବାକୁ ବାଧ୍ୟ ହେଇଥିଲେ । ତେବେ ଏପରି ସମୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଥିଲା। ଲକ୍‌ଡାଉନ୍‌ ପାଇଁ ସାରା ବିଶ୍ୱରେ ଘରୋଇ ହିଂସାର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାର ନଜର ଆସିଥିଲା । ଲକ୍‌ ଡାଉନ୍‌ ଯୋଗୁଁ ମହିଳାମାନେ ନିଜ ଘରେ ସୁରକ୍ଷିତ ରହୁ ନଥିବାର ସୂଚନା ମିଳିଥିଲା । ଏହି ସମୟରେ ବହୁ ସଂଖ୍ୟାରେ ମହିଳାମାନେ ନିଜ ସାଥୀଙ୍କ ଦ୍ୱାରା ହିଁ ହିଂସାର ଶିକାର ହେଉଥିଲେ। ସେତେବେଳେ ଏଥିପାଇଁ ସଂଯୁକ୍ତରାଷ୍ଟ୍ରର ମହାସଚିବ ଆଣ୍ଟୋନିଆ ଗୁତାରେସ ଚିନ୍ତା ପ୍ରକଟ ମଧ୍ୟ କରିଥିଲେ । ଗୁତାରସଙ୍କ ଏହି କଥାକୁ ସମର୍ଥନ ଜଣାଇଥିଲେ ଲିସା କିଙ୍ଗ୍‌ । ବ୍ରିଟେନ୍‌ରେ ଶରଣାର୍ଥୀଙ୍କ ପାଇଁ କାମ କରୁଥିବା ସଙ୍ଗଠନର ନିର୍ଦ୍ଦେଶକ ହେଉଛନ୍ତି ଲିସା କିଙ୍ଗ୍‌ । ବ୍ରିଟେନ୍‌ ବ୍ୟତୀତ ଋଷିଆରେ ମଧ୍ୟ ଘରୋଇ ହିଂସା ବଢିଥିବାର ସୂଚନା ମିଳିଥିଲା । କରୋନା ମହାମାରୀ ପାଇଁ ଲକ୍‌ ଡାଉନ୍‌ ପରେ ଲେବାନନ ଓ ମାଲେସିଆରେ ହେଲପ ଲାଇନରେ ଆସୁଥିବା କଲ୍‌ ସଂଖ୍ୟାରେ ଦ୍ୱିଗୁଣ ବୃଦ୍ଧି ପାଇଥିଲା । ସେହିପରି ଚୀନ୍‌ରେ ଏହା ତିନିଗୁଣା ହୋଇଥିବା ବେଳେ ଅଷ୍ଟ୍ରେଲିଆରେ ଗୁଗୁଲ୍‌ ପରି ସର୍ଚ୍ଚ ଇଞ୍ଜିନ୍‌ରେ ଘରୋଇ ହିଂସା ସମ୍ବନ୍ଧୀୟ ସାହାଯ୍ୟ ପାଇଁ ଢେର ଅଧିକ ସର୍ଚ୍ଚ ହୋଇଥିବାର ସୂଚନା ମିଳିଥିଲା । ଆମ ଭାରତରେ ମଧ୍ୟ ଲକ୍‌ ଡାଉନ୍‌ ଯୋଗୁଁ ଘରୋଇ ହିଂସାରେ ଆହେତୁକ ବୃଦ୍ଧି ଘଟିଥିଲା । ଲକ୍‌ଡାଉନ୍‌ ପରେ ଘରୋଇ ହିଂସା ସମ୍ପର୍କିତ ଅଧିକ ମାମଲା ଆସୁଥିବାର ମହିଳା ଆୟୋଗ ମଧ୍ୟ ସ୍ପଷ୍ଟ କରିଥିଲେ । ଏସବୁ କଥାକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘର ମହାସଚିବ ଏଣ୍ଟୋନିଆ ପୃଥିବୀର ସମସ୍ତ ଦେଶର ସରକାରଙ୍କୁ ଅପିଲ୍‌ କରି ମହିଳାଙ୍କ ପ୍ରତି ଘରୋଇ ହିଂସାକୁ ରୋକିବା ସହିତ ସେମାନଙ୍କର ଚିନ୍ତା ଦୂର କରିବା ପାଇଁ କିଛି ଦୃଢ଼ ପଦକ୍ଷେପ ନେବାକୁ କହିଥିଲେ ।

କିନ୍ତୁ ଏସବୁ ସତ୍ତ୍ବେ ତାଲା ବନ୍ଦ ସମୟତକ ଦମ୍ପତ୍ତିମାନେ ଘରେ ରହିବାକୁ ବାଧ୍ୟ ହୋଇଥିଲେ । ଅଫିସ, ଚାକିରି ତଥା ଅନାନ୍ୟ ସାମାଜିକ କାର୍ଯ୍ୟକ୍ରମ ଆଦି ଯୋଗୁଁ ପୂର୍ବରୁ ପରଷ୍ପର ପାଇଁ ସମୟ ପାଉନଥିବା ଦମ୍ପତ୍ତିମାନେ ଘରେ ରହିବା ହେତୁ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ବଢ଼ିଥିବା ଆଲୋଚନା ହୋଇଥିଲା । ଫଳତଃ ଆମ ଦେଶ ଭାରତ ସହିତ ବିଶ୍ୱର ଅଧିକାଂଶ ଦେଶର ଔଷଧ ଦୋକାନ ଓ ଇ-କମର୍ସ ସାଇଟ୍‌ଗୁଡ଼ିକରେ କଣ୍ଡୋମ୍ ଓ ଗର୍ଭନିରୋଧକ ବଟିକା ବିକ୍ରି ବହୁତ ବଢ଼ିଯାଇଥିବାର କୌତୁହଳ ଖବର ମଧ୍ୟ ଆସୁଥିଲା ।

ଲକ୍ ଡାଉନ୍ ଫଳରେ ହଠାତ୍ ଶାନ୍ତ ହୋଇଯାଇଥିଲା ସବୁବେଳେ ଚଳଚଞ୍ଚଳ ଥିବା ରାଜରାସ୍ତା । ଅହରହ ରସ୍ତାରେ ଦୌଡୁଥିବା ଗାଡିମଟର ସବୁ ହଠାତ୍ କୁଆଡେ ଗାୟବ୍ ହୋଇଗଲେ । ଗାଁ ଠୁ ସହର ସବୁଠି ନିଶବ୍ଧତା ବିରାଜମାନ କରୁଥିଲା । ଆଉ ତା’ ଭିତରେ ଯେମିତି ହଠାତ ବଦଳି ଯାଇଥିଲା ଲୋକଙ୍କ ଜୀବନଚର୍ଯ୍ୟା ବା ଜୀବନଶୈଳୀ । ଲକ୍‌ଡାଉନ୍ ପୂର୍ବରୁ ସମୟ ବହୁତ ଅଲଗା ଥିଲା । ଇଚ୍ଛା ଥିଲେ ବି ପ୍ରିୟ ଲୋକଙ୍କ ପାଇଁ ସମୟ ବାହାର କରିବା ଖୁବ୍ କଷ୍ଟକର ହୋଇ ପଡୁଥିଲା । ଯାହାକୁ ଦେଖିବ ସେହି ଶନିବାର ଓ ରବିବାରକୁ ଭରସା କରୁଥିଲେ । ସେଥିରେ ବି ଅନେକ ଆଗୁଆ ଯୋଜନା ଅନ୍ତର୍ଭୁକ୍ତ ଥିଲା । କେବେ ପାର୍ଟି ଫଙ୍କ୍‌ସନ୍‌ରେ ସମୟ ଯାଉଥିଲା ତ ଆଉ କେବେ କ୍ଲବ୍, ହୋଟେଲରେ ସମୟ କୁଆଡେ କଟି ଯାଉଥିଲା । ଦର୍ଶନୀୟ ସ୍ଥାନ ବୁଲିବା ସହିତ ମନ୍ଦିରରେ ଦିଅଁ ଦର୍ଶନ ସବୁଥିରେ ଲକ୍ ଡାଉନ୍ ପୁରା ତାଲା ଲଗାଇ ଦେଲା । ସେତେବେଳେ କରୋନା ଲୋକଙ୍କୁ ଘରୁ ପଦାକୁ ବାହାରିବାକୁ ଦେଉନି ସତ ହେଲେ ପରିବାରକୁ ଏକାଠି କରି ପାରିଥିଲା । ପୂର୍ବରୁ ଅଫିସ୍-ଘର ହୋଇ ସମୟ କୁଆଡେ ସରିଯାଉଥିଲା । ହେଲେ ଲକ୍ ଡାଉନ୍ ସମୟରେ ଲୋକଙ୍କ ପାଖରେ ଘରେ ବିତାଇବାକୁ ଏତେ ସମୟ ମିଳିଲା ଯେ ପୁରୁଣା ସ୍ମୃତିର ରୋମନ୍ଥନ କରି ଜୀବନର ଅତୀତ ପୃଷ୍ଠାକୁ ଯିବା ବହୁତ ଲୋକଙ୍କ ପକ୍ଷରେ ସମ୍ଭବ ହୋଇ ପାରିଥିଲା । କାଇଁ କେଉଁ କାଳରୁ ହଜିଯାଇଥିବା ସେ ପୁରୁଣା ତାସ୍ ଓ କଉଡ଼ିର ଖେଳ ଜମିଥିଲା ଘରେ ଗାଁ ପିଣ୍ଡାରେ । ଗାଆଁରେ ରହୁଥିବା ଜେଜେବାପା-ଜେଜେମା, ଅଜା-ଆଈଙ୍କ ଗପପେଡ଼ି ପୁଣି ଖୋଲିଥିଲା ସହରରୁ ଅସିଥିବା ନାତି ନାତୁଣୀଙ୍କୁ ପାଖରେ ପାଇ ।

ତେବେ ଏ ଭିତରେ ଲକ୍ ଡାଉନ୍, ସଟ୍ ଡାଉନ୍ ସବୁ କୋହଳ ହୋଇ ସାରିଛି । ଲୋକମାନେ ପୁଣି ନିଜ ଜୀବିକା ପାଇଁ ଅହରହ ଦୌଡିବା ଆରମ୍ଭ କଲେଣି । ପ୍ରବାସୀ ଶ୍ରମିକମାନେ କରୋନା ଆରମ୍ଭରୁ ଯେମିତି ଅନ୍ୟରାଜ୍ୟରୁ ନିଜ ଘରକୁ ଆସିବାକୁ ବ୍ୟଗ୍ର ହେଉଥିଲେ, ଏବେ କରୋନା ତା’ କାୟା ସବୁଆଡେ ବିସ୍ତାର କରିସାରିଥିଲେ ବି ନିଜ ଜୀବନକୁ ଗୌଣ କରି ଜୀବିକା ପାଇଁ ଅନ୍ୟରାଜ୍ୟକୁ ଯିବା ଆରମ୍ଭ କରିସାରିଲେଣି । ସବୁ ଦେଶର ସରକାରମାନେ ମଧ୍ୟ ଦେଶର ଅର୍ଥନୀତିକୁ ଧ୍ୟାନରେ ରଖି କରୋନା ମୁକାବିଲା ସହିତ ଠପ୍ ହୋଇଯାଇଥିବା ଅନାନ୍ୟ କାର୍ଯ୍ୟ ସବୁକୁ ଏ ଭିତରେ ଗତିଶୀଳ କଲେଣି ।

ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତ ଦେଶ ମାନଙ୍କ ମଧ୍ୟରୁ ଏକ ନମ୍ୱର ସ୍ଥାନ ଆମେରିକା ନେଇଥିବା ବେଳେ ଆମ ଦେଶ ଭାରତ ଏହାର ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି । ବର୍ତ୍ତମାନ ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚାରି କୋଟି ସତୁରି ଲକ୍ଷରେ ପହଞ୍ଚିବା ବେଳେ ଆମ ଦେଶ ଭାରତରେ ଏହି ସଂଖ୍ୟା ବୟାଅଶୀ ଲକ୍ଷ ତିରିଶ ହଜାର ପାର୍ କରି ସାରିଛି । ସମଗ୍ର ବିଶ୍ୱର ତିନି କୋଟି ଅଠତିରିଶ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ସୁସ୍ଥ ହୋଇ ସାରିଥିବା ବେଳେ ଭାରତର ଏହି ସଂଖ୍ୟା ପଚସ୍ତରୀ ଲକ୍ଷ ପଇଁଚାଳିଶ ହଜାର । ସେହିପରି ପୃଥିବୀରେ ଏହି ଭୟଙ୍କର ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ବାର ଲକ୍ଷ ଛଅ ହଜାରରୁ ଉର୍ଦ୍ଧ୍ଵ ହୋଇଥିବା ସ୍ଥଳେ ଭାରତରେ ଏକ ଲକ୍ଷ ବାଇଶି ହଜାରରୁ ଅଧିକ ଲୋକ ଏଥିରେ ମୃତ୍ୟୁ ବରଣ କରିଛନ୍ତି । ଏବେ ସୁଦ୍ଧା ସମଗ୍ର ବିଶ୍ୱରେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ଏକ କୋଟି ଉଣେଇଶି ଲକ୍ଷରୁ ଅଧିକ ଥିବା ବେଳେ ଭାରତରେ ଏହି ସଂଖ୍ୟା ପାଞ୍ଚ ଲକ୍ଷ ତେଷଠି ହଜାରରୁ ଉର୍ଦ୍ଧ୍ଵ ରହିଛି । ଓଡିଶାରେ ଆଜି ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଲକ୍ଷ ଚଉରାନବେ ହଜାର ପାର୍ କରିଥିବା ବେଳେ ସୁସ୍ଥ ହୋଇଛନ୍ତି ଦୁଇ ଲକ୍ଷ ଅଠସ୍ତରି ହଜାର । ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ଚଉଦ ହଜାରରୁ ଅଳ୍ପ ଅଧିକ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଏକ ହଜାର ଚାରିଶହ ପାଖା ପାଖି ଧରିଲାଣି ।

ଏ ଭିତରେ ଇଂଲଣ୍ତରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟ ହୁହୁ ବଢୁଥିବାରୁ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ପୁଣି ଚାରି ସପ୍ତାହ ପାଇଁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଆମ ଦେଶ ଭାରତରେ ମଧ୍ୟ ଆଗକୁ ଶୀତ ଦିନ ଆସୁଥିବାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ପାଇବାର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବନାହିଁ । ପ୍ରଥମରୁ ଯେପରି କରୋନାକୁ ନେଇ ଆମମାନଙ୍କ ମନଭିତରେ କୋକୁଆ ଭୟ ସୃଷ୍ଟି ହେଉଥିଲା ଆଜି ସେଥିରେ ବହୁତ ପରିବର୍ତ୍ତନ ଆସିସାରିଛି । କରୋନାକୁ ଲୋକମାନେ ଆଉ ଏତେ ମାତ୍ରାରେ ଗୁରୁତ୍ୱ ଦେଉନାହାନ୍ତି । ତେବେ ବାସ୍ତବତା ହେଉଛି ଯେ ପର୍ଯ୍ୟନ୍ତ କରୋନା ପାଇଁ ସଠିକ୍ ଓୌଷଧ ବଜାରକୁ ଆସିନାହିଁ ସେ ପର୍ଯ୍ୟନ୍ତ କୌଣସି ପ୍ରକାର ଅବହେଳା କରିବା ଆଦୌ ଉଚିତ୍ ହେବନାହିଁ । କରୋନାକୁ ରୋକିବାପାଇଁ ମାସ୍କ୍ ପିନ୍ଧିବା, ହାତ ଧୋଇବା ସହିତ ଶାରୀରିକ ଦୂରତା ବଜାୟ ରଖିବାକୁ ହେବ, ଏଥିରେ ତିଳେହେଁ ସନ୍ଦେହ ନାହିଁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top