ଶାନ୍ତିର ଇଟା
ପ୍ରେମର ସିମେଣ୍ଟ
ଏବଂ ଦୟାର ରଙ୍ଗ ଦେଇ
ପରିବାର ନାମକ ଯେଉଁ ଦେଉଳ ଗଢ଼ାହୁଏ
ସେଠି ସମସ୍ତ ନାରୀ ଜଣେ ଜଣେ ଦେବୀ
ସମସ୍ତ ପୁରୁଷ ଜଣେ ଜଣେ ଦେବତା ।
ସେହି ଦେଉଳର ଫାଟକ ଖୋଲିଲେ
ତମେ ଦେଖି ପାରିବ
ମମତାର ମୁଖଶାଳାଟିଏ ,
ତା ଦୁଇକଡ଼େ ବସିଥିବେ
ସତ୍ୟ ଏବଂ ଅହିଂସାର ଦୁଇଟି ସିଂହ,
ସ୍ନେହର ଧୂପ, ସମ୍ପର୍କର ଦୀପ
ଏବଂ ଭଲ ପାଇବାର ନୈବେଦ୍ୟରେ
ମହ ମହ ବାସି ଯାଉଥିବ
ଆତ୍ମୀୟତାର ଆସ୍ଥାନ
ବନ୍ଧୁତାର ଗମ୍ଭୀରି ଭିତର ।
ଦେଉଳ ତ
ଥାକ ଥାକ ଇଟା
କିମ୍ବା ପଥର ନିର୍ମିତ
ଏକ କମନୀୟ ସ୍ଥାପତ୍ୟ
ଏକ ଧାର୍ମିକ ଅନୁଚିନ୍ତା
ଯେଉଁଠି ପୂଜା ପାଆନ୍ତି
ବିଶ୍ୱାସରେ ଜୀବନ୍ୟାସ ପାଇଥିବା
ଏକ ମୂର୍ତ୍ତୀ
ଯାହା କାଷ୍ଠ,ପାଷାଣ
ଅବା ଧାତୁରୁ ନିର୍ମିତ,
ଏହି ବିଶ୍ୱାସର ମାଟିରେ ଭରା ଦେଇ
ଛାଏଁ ଛାଏଁ ଗଢି ଉଠେ
ଘରେ ଘରେ ଦେଉଳ
ଯେଉଁଠି ଠାକୁର ହୋଇ ପୂଜା ପାଆନ୍ତି
ଆମ ପିତାମାତା
ଆମ ଗୁରୁ ଗୁରୁଜନ ।
କାମନାରୁ ଆରମ୍ଭ ହୁଏ ଆଶକ୍ତି
ଆଶକ୍ତିରୁ ହିଂସା
ହିଂସାରୁ ଅବିଶ୍ୱାସ
ଏବଂ ଅବିଶ୍ୱାସରୁ ସୃଷ୍ଟିହୁଏ
ବିଶୃଙ୍ଖଳାର ଭୂମିକମ୍ପ,
ଏହି ଭୂମିକମ୍ପରେ ଭୁଶୁଡିପଡେ
କାମନାର ଦେଉଳ ।
ଦେଉଳ
ଏକ ପାଷାଣର ପାହାଡ଼ ନୁହେଁ ଯେ
ତୁମେ ତା ଦେହରୁ ପଥର ଖୋଳି ଖୋଳି
ତାକୁ କରି ପାରିବ ଅନ୍ତ,
ସେ ପରା ଦେଉଳ ନାଆଁରେ
ଗୋଟିଏ ପବିତ୍ର ନେତ,
ଯିଏ ଫର ଫର ଉଡି ଉଡି
ଗାଉଥାଏ ମୁକ୍ତିର ଗୀତ ।
ତମେ କହୁଥିଲ
ଦେଉଳ ଗଢିବ ପରା
ତେବେ ଆସ,
ଏକତାର ମାର୍ବଲ
ଦେଶଭକ୍ତିର ଭାସ୍କର୍ଯ୍ୟ
ଭାଇଚାରାର ମନ୍ତ୍ର
ଏବଂ ମାନବିକତାର ଯଜ୍ଞରେ
ପ୍ରତିଷ୍ଠା କରିବା ଏକ ଅପୂର୍ବ ଦେଉଳ
ଆଉ ତା ନାଆଁ ଦେବା ଭାରତ ।