ମୃତ୍ୟୁରେ ଜୀବନ ସରିଯାଏ ନାହିଁ । ଶରୀର ପୁଣି ପଞ୍ଚଭୂତରେ ବିଲୀନ ହେଇଯାଏ ମାତ୍ର । ପଞ୍ଚଭୂତରେ ଗଢ଼ା ଶରୀର ଫେରିଯାଏ କ୍ଷିତି, ଆପଃ, ତେଜ, ମରୁତ, ବ୍ୟୋମକୁ । ଶରୀରର ଅଂଶସବୁ ମିଶି ଯାଆନ୍ତି ମାଟି, ପାଣି, ଅଗ୍ନି, ପବନ ଓ ଆକାଶ ଭିତରେ । ଆତ୍ମା ଆଉ ପରମାତ୍ମା ଏକ ହେଇ ଯାଆନ୍ତି । (ଭ) ଭୂମି, (ଗ) ଗଗନ, (ବ) ବାୟୁ, (ଆ) ଆପଃ, (ନ) ଅଗ୍ନି ସମୂହର ସମଷ୍ଟିରେ ହିଁ ତ ଭଗବାନ ।
ମୃତ୍ୟୁ ସର୍ବସ୍ରଷ୍ଟା ଭଗବାନଙ୍କର ଜୀବଜଗତକୁ ଏକ ମହତ୍ୱପୂର୍ଣ୍ଣ ଆଶୀର୍ବାଦ । ଜୀର୍ଣ୍ଣ ଦେହର ଦୁଃଖ, କଷ୍ଟ, ଜଞ୍ଜାଳର ଅବସାନପାଇଁ, ମୁକ୍ତିପାଇଁ ମୃତ୍ୟୁ ଏକ ବରଦାନପରି । ମୃତ୍ୟୁ ନ ଥିଲେ ଜୀବଜଗତର, ଜୀବମାନସର ବିକାଶ ଓ ବିବର୍ତ୍ତନ ଅସମ୍ଭବ ହୋଇଯାଆନ୍ତା ।
ମୃତ୍ୟୁ ଜୀବନ ଯାତ୍ରାର ଏକ ଅବସ୍ଥା । ଏକ ଷ୍ଟେସନ । ଚିର ବିରାମ, ବିଶ୍ରାମର ଆରମ୍ଭ ମୁହୂର୍ତ୍ତ । ତା ପରେ କେବଳ ଦେହାତୀତ ଅବସ୍ଥାନ । ସ୍ମୃତିରେ, ଇତିହାସରେ, ନିଜ କୃତକର୍ମର ପରିଣାମରେ, ଫଳାଫଳରେ, ପ୍ରଭାବରେ ଜଣେ ବଞ୍ଚିରହେ, ଦିନ, ମାସ, ବର୍ଷ, ଯୁଗ,ଅବା ଶତାବ୍ଦୀ, ଶତାବ୍ଦୀ ।
ତେବେ ମୃତ୍ୟୁ ଏକ ଚରମ ବିଦାୟର ବେଳା । ଏକ ପୂର୍ଣ୍ଣଚ୍ଛେଦ । ଏକ ଶୁନ୍ୟତାର ଆରମ୍ଭ । ଆଉ କେବେ ଦେଖା ନ ହେବାର ଅସହାୟତା । ସବୁ ବିଦାୟ ଦୁଃଖଦ । ଜନ୍ମ ପରେ ମରଣ ଅବଶ୍ୟମ୍ଭାବୀ ଓ ମୃତ୍ୟୁ ସଂସାରର ଅନ୍ୟ ଏକ ନିୟମ, ରୀତି, ଜାଣି ସୁଦ୍ଧା ଦୁଃଖଲାଗେ । ଦୁଃଖର ଗଭୀରତା ସୂଚେଇଦିଏ ମିଳେଇ ଯାଇଥିବା ଆତ୍ମାର ଗରିମା । ପଛରେ ରହି ଯାଇଥିବା ଜୀବନମାନଙ୍କର ଦୁଃଖ ଯଥାର୍ଥ । ଏହାଜୀବନର ଏକ ଅନୁଭବ, ଏ ମାୟା ନୁହଁ ।
ତେବେ ଆଉ ନ ଥିବା ଜୀବନର ଅନେକ ଅଂଶ ଯେ ବର୍ତ୍ତମାନ ଥାଏ, ତା ହୁଏତ ବେଳେ ବେଳେ ପରତେ ହୁଏନି । ଶେଷ ହେଇଯାଇଥିବା ଜୀବନର ଅଂଶ ତାଙ୍କ ପରପିଢିର ଗୁଣସୂତ୍ରରେ କେବଳ ନୁହେଁ, ତାଙ୍କ କାର୍ଯ୍ୟ,ବିଶ୍ୱାସ, ଇଚ୍ଛା, କରୁଣା ଓ ଅନୁଗ୍ରହର ଅନୁଭବୀ ଜନସମୁଦାୟରେ ସନ୍ନିବେଶିତ ଥାଏ । ଏ ସବୁ ରହିଥାଏ ସବୁବେଳେ । ସେସବୁକୁ ଆଗେଇ ନେବାର, ତାଙ୍କ ସ୍ନେହ ପ୍ରେମ ଓ ଅନୁଭବର ମନ୍ତ୍ରକୁ ପରପିଢ଼ି ପାଖରେ ପହଞ୍ଚେଇବାର ଦାୟିତ୍ୱ ସବୁ ପ୍ରିୟଜନର । ବିଦାୟୀ ଜନର ଇଚ୍ଛା, ଖୁସି, ମୌଳିକ ନିୟମ ଅନୁଯାୟୀ କାର୍ଯ୍ୟ କଲେ, ତାଙ୍କ ଅବସ୍ଥିତି ବାରି ହୁଏ, ତାଙ୍କୁ ହରେଇ ଥିବାର ଦୁଃଖ କମି ପାରେ । ସେ ଯେ ଆଖପାଖରେ, ଚାରିଆଡେ ଏବେ ବି ଭିନ୍ନ ଭିନ୍ନ ଉପାଦାନରେ ବିଦ୍ୟମାନ ତା ଅନୁଭବ ହୁଏ । ଆଶ୍ୱସ୍ତ ଲାଗେ ।
ବିଗତ ହୋଇଥିବା ଜୀବନର କୃତି, କୀର୍ତ୍ତି, ସିଦ୍ଧିସବୁର ଉତ୍ସବ ମନେଇବା ଉଚିତ । ସେସବୁକୁ ମନେ ରଖିବା ଉଚିତ । ତାହାହିଁ ହେବ ଜୀବନ ସ୍ରୋତରେ ବିଲୀନ ହୋଇ ଯାଇଥିବା ଆତ୍ମା ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ।