ଉପନ୍ୟାସ

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

Dr Mousumi Parida's Odia Novel ANABRUTA ABEGA O JHAPSA PRUTHIBI

ବୈବାହିକ ସୁଖରେ ଆତ୍ମହରା ହେବାକୁ ଚାହାନ୍ତି । ସୁଯୋଗ ଦେଖି କିଛିଦିନ ପରେ ସାନବାବୁ ତାଙ୍କ ମନ କଥା କହିଛନ୍ତି ଘରେ । ମାଲିକ ଓ ମାଲିକାଣୀ ବେଶ୍ ଖୁସି ଏ ପ୍ରସ୍ତାବରେ ।

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

-: ପୁର୍ବରୁ :-

ଏମିତି ଅନେକ ଦେଖା ସାକ୍ଷାତ୍. . . ସାନବାବୁ ଓ ତାଙ୍କ ତଥାକଥିତ ସାନମାଲିକାଣୀଙ୍କ ଭିତରେ । ଅନେକ ପ୍ରେମକାହାଣୀ, ଅଗଣିତ ରୋମାଞ୍ଚ, ଅସରନ୍ତି ସ୍ୱପ୍ନ, ଅମାପ ଆଶା. . . ଆଉ ତା’ରି ଭିତରେ କେଜାଣି କାହିଁକି ବେଳକୁବେଳ କ୍ଷୀଣ ହୁଏ ଲୀନା । ମନଟା ମରି ମରି ଆସେ । ବଞ୍ଚିବାକୁ ଇଚ୍ଛା ହୁଏନି କିମ୍ୱା ଯେତେ ବହଲାଇଲେ ବି ହୃଦୟ ବୁଝେନାହିଁ । ସବୁବେଳେ ଠକି ଦିଅନ୍ତି ସମୟ ଓ ଭାଗ୍ୟ । ତଥାପି ଲୀନା ତା’ କର୍ତ୍ତବ୍ୟରେ କେବେ ଊଣା କରିନାହିଁ । ସେ ସେଇ ପୁରୁଣାଦିନ ଲୀନା ପରି ସାନବାବୁଙ୍କୁ କେବେ ବି ଅଣଦେଖା କରିପାରିନାହିଁ । ସାନବାବୁଙ୍କ ମୁହଁ ଆଜିକାଲି ହସ ହସ । ମନତଳଟା ବେଶ୍ ସଫା, ପରିଷ୍କାର । ଯେତେ ଲୁଚାଇଲେ ବି ଦିଶିଯାଏ ତାଙ୍କ ମନତଳର ପ୍ରେମ । ସେ ମନିଷାକୁ ଭଲ ପାଆନ୍ତି । ତାକୁ ନେଇ ସେ ନିଜ ଜୀବନରେ ଖୁବ୍ ସିରିୟସ୍ । ଜୀବନସାଥୀ ରୂପେ ସେ ତାକୁ ବାଛିବାକୁ ଚାହାଁନ୍ତି । ତାଙ୍କ ଘର ଲୋକମାନେ ରାଜି ଏ ପ୍ରସ୍ତାବରେ । ଏବେ ସାନବାବୁ ବେଶ୍ ଆଶ୍ୱସ୍ତ । ଏବେ ସେ ଏକରୁ ଦୁଇ ହେବାକୁ ମନ ବଳେଇଛନ୍ତି । ବୈବାହିକ ସୁଖରେ ଆତ୍ମହରା ହେବାକୁ ଚାହାନ୍ତି । ସୁଯୋଗ ଦେଖି କିଛିଦିନ ପରେ ସାନବାବୁ ତାଙ୍କ ମନ କଥା କହିଛନ୍ତି ଘରେ । ମାଲିକ ଓ ମାଲିକାଣୀ ବେଶ୍ ଖୁସି ଏ ପ୍ରସ୍ତାବରେ । ସେ ବି ମନେ ମନେ ତାଙ୍କ ପାଇଁ କାଳେ ଶିକ୍ଷିତା, ଶୃଙ୍ଖଳିତା ଓ ମାର୍ଜିତା ଝିଅଟିଏ ଖୋଜୁଥିଲେ ଅନେକ ଦିନରୁ । ହେଲେ କେଉଁଝିଅ ବି ତାଙ୍କ ମନ ପାଉନଥିଲା । ତାଙ୍କର ଏକମାତ୍ର ରାଜକୁମାର ଭଳି ପୁଅ ଲାଗି ପସନ୍ଦ ଯୋଗ୍ୟ ହେଉନଥିଲା । ଏବେ କିନ୍ତୁ ସେ ଆଶ୍ୱସ୍ତ. . . ପୁଅ ନିଜେ ପସନ୍ଦ କରିଛି ଓ ସେ ଝିଅଟି ସମସ୍ତଙ୍କ ମନକୁ ପାଇଛି । ମାଲିକାଣୀ ତ ସବୁଠାରୁ ବେଶୀ ଖୁସି ଏ ସମ୍ୱାଦରେ । ସେଥିପାଇଁ ସେ ଘରେ ଶାନ୍ତିହୋମଟିଏ କରିବେ ଆଉ ପୂଜାର ସବୁତକ ଯୋଗାଡ଼ଯନ୍ତ୍ର ଲୀନା ହାତରେ ସମର୍ପି ଦେଇଛନ୍ତି । ଲୀନା ବି ମନଧ୍ୟାନ ଦେଇ ସବୁ କରି ଚାଲିଛି । ଆଗକୁ ସାନବାବୁଙ୍କ ବାହାଘର । ସେ ଦାୟିତ୍ୱ ବି କିଛି କିଛି ତାକୁ ଦିଆଯିବ । ଆଉ ସେସବୁକୁ ସେ ବିଶ୍ୱସ୍ତତାର ସହିତ ତୁଲାଇବ ।

ଆଜିକାଲି ତା’ ଦେହରେ ରଙ୍ଗର ଛିଟା. . . ପ୍ରଜାପତି ବସିଯାଉଛି ତା’ ଦେହରେ କେବେ କେମିତି ! ତା’ ଦେହର ଭୂଗୋଳ ଇତି ମଧ୍ୟରେ ଧୀରେ ଧୀରେ ବଦଳି ଯାଉଛି । ଲାଗୁଛି ଯେମିତି ତା’ ଭିତରେ ନୂଆ ସମ୍ଭାବନା ଓ ନୂତନ ସଂରଚନା । ଦେହରେ ହାଡ଼ମାଂସର ଅଦ୍ଭୁତ ସମନ୍ୱୟ । ସେ ଆଗଠାରୁ ଖୁବ୍ ସୁନ୍ଦର ଦିଶୁଛି । ଦେହର ରଙ୍ଗ ବି ବଦଳିଯାଇଛି । ତା’ର ଚାଲି, ଚାହାଁଣୀ ସବୁକିଛିରେ ଗୋଟାଏ ବିରାଟ ପରିବର୍ତ୍ତନ । ତା’ ଚଳନିରେ ଶିଷ୍ଟତା, ତା’ ମୁହଁରେ ଲଜ୍ଜା, ତା’ ଦେହରେ ବସନ୍ତର ମହକ । ସତରେ ଲୀନା ବଡ଼ ହେଉଛି । ଜେଜେମା’ ତା’ର ଏ ଅପରୂପ ସୌନ୍ଦର୍ଯ୍ୟକୁ ଦେଖି ଯେତିକି ଆତ୍ମହରା ହେଉଛି ସେତିକି ଶଙ୍କାଚ୍ଛନ୍ନ ମଧ୍ୟ ହୋଇପଡୁଛି । ଆଜିକାଲି ଡ୍ରେସ୍ ଛାଡ଼ି ସେ ଶାଢ଼ୀ ପିନ୍ଧିଲାଣି । ମାଲିକାଣୀ ତାକୁ ପାଖକୁ ଡାକି ନୂଆଶାଢ଼ୀ କେଇଟା ଦେଇଛନ୍ତି ପିନ୍ଧିବାକୁ । ସେ ପିନ୍ଧିବାକୁ ଅମଙ୍ଗ ହେଉଥିଲେ ବି ମାଲିକାଣୀଙ୍କ ତାଗିଦାକୁ ଖାତିର୍ କରି ପିନ୍ଧୁଛି । ହେଲେ ସାନବାବୁଙ୍କ ସାମ୍ନାକୁ ଯାଉ ନାହିଁ ଲାଜରେ । ଇସ୍, ସାନବାବୁ କ’ଣ ଯେ ଭାବିବେ । ହେଲେ ସେ କ’ଣ ଦେଖନ୍ତି ତାକୁ କେବେ ? ପାର ଚହଲିଯାଏ ଦୁଃଖରେ । ଭାବେ- ସେ ତା’ ଭଳି ହତଭାଗିନୀଟାଏ ନୁହେଁ ତ ! ତା’ ଆଖିରେ ଲୁହ ଜକେଇଯାଏ । ବଢ଼ିଲା ଝିଅକୁ କେମିତି ସମ୍ଭାଳିବ ସେ ଏଥର । କୋଉଠି ଲୁଚାଇବ ନେଇ ତାକୁ । ଝିଅ. . . ଘିଅ । ବେଶୀଦିନ କେମିତି ସାଇତି ରଖିବ ତାକୁ । ସାନବାବୁଙ୍କ ବାହାଘର ପରେ ସେ ଭଲ କାମିକା ଘରର ପିଲା ଦେଖି ଲୀନାକୁ ବି ହାତକୁ ଦି ହାତ କରିଦେବ । ତା’ହେଲେ ତା’ର ଚିନ୍ତାଯିବ ମନରୁ । ଆଜିକାଲି କିନ୍ତୁ ଲୀନା ଗୁମ୍‌ସୁମ୍ ରହୁଛି । ଦେହ ଭଲ ଲାଗୁନି କହି ବଗିଚାରେ ଏକୁଟିଆ ବସି ରହି କ’ଣ ସବୁ ଭାବି ହେଉଛି ।

ପାଦରେ ଗାର ଟାଣୁଛି । ଶୂନ୍ୟଆକାଶକୁ ଆତୁରତାର ସହିତ ଚାହିଁ ରହୁଛି । ଏଇ କିଛିଦିନ ହେବ ତା’ ମୁହଁର ଚମକ ହଜିଗଲାଣି । କାମ କରି କରି ବିଚାରି ଶୁଖି ଗଲାଣି ନା ଆଉ କେଉଁ ଗୁପ୍ତବେଦନା ତାକୁ ଭିତରେ ଭିତରେ କୁହୁଳାଇ ମାରୁଛି । ଜେଜେମା’ ତା’ ଅପ୍ରକାଶ୍ୟ ଦୁଃଖ ବୁଝିପାରୁଛି । ତା’ ଅବ୍ୟକ୍ତ ବେଦନାକୁ ପଢ଼ିପାରୁଛି । ହେଲେ ସେ ତ ତାକୁ ଆଗରୁ ଏ ବିଷୟରେ କେତେ ବୁଝାଇଛି । ଏଭଳି ପରିସ୍ଥିତି ଦିନେ ଆସି ତା’ ନାତୁଣୀକୁ ବିପର୍ଯ୍ୟସ୍ତ କରିଦେବ ବୋଲି ଆତଙ୍କିତ ହୋଇପଡ଼ିଛି । ତଥାପି କ’ଣ ଲୀନା ଶୁଣିଛି ସେସବୁକୁ । କୋଉ ଅନ୍ଧନିଶାରେ ପାଗଳଙ୍କ ପରି ଧାଇଁଛି ଯେ ଧାଇଛି । ସୁଅ ମୁହଁର ପତର ଭଳି ଜେଜେମାଆ ବି ତା’ ସହିତ ଉଡ଼ି ଚାଲିଛି ଜୀବନ ତମାମ୍ । ହେଲେ ନା, ଆଉ ନୁହେଁ । ସେ ଏମିତି ନିଜ ଆଖି ସାମ୍ନାରେ ନିଜ ନୟନ ପିତୁଳିକୁ ସନ୍ତୁଳି ହେବାର ଦେଖିପାରିବନି । ସେ କିଛି ଗୋଟାଏ ବନ୍ଦୋବସ୍ତ କରିବ ନିଶ୍ଚୟ । ସାନମାଲିକାଣୀ ଘରକୁ ଆସିଯିବା ପରେ ଲୀନାର ଆଉ କି କାମ ଯେ । ସେ ସମ୍ଭାଳିବେ ନିଜ ଘରର ଦାୟିତ୍ୱ, ସ୍ୱାମୀ, ଶାଶୁ, ଶ୍ୱଶୁରଙ୍କ ଦାୟିତ୍ୱ । ଆଉ ୟାରି ଭିତରେ ଭଲ ପିଲାଟିଏ ଯୋଗାଡ଼ କରି ସେ ଲୀନାର ବାହାଘର ବି ସାରିଦେବ । ସେଦିନ କାମ ସାରି ଜେଜେମାଆ ଓ ନାତୁଣୀ ଦୁହେଁ ବିଛଣାରେ ଗଡ଼ପଡ଼ ହେଲାବେଳେ ଜେଜେମା’ ତା’ ମନ କଥା କହିଲା- “ସାନବାବୁ ବାହାଘର ପରେ ତୋ ବାହାଘର କାମ ସାରିଦେଇ ମୁଁ ଜଞ୍ଜାଳରୁ ମୁକ୍ତ ହୋଇଯିବି ।” ଲୀନା ଚିହିଁକି ଉଠିଲା ଏ କଥା ଶୁଣି- “ନା ମୋତେ ବାହାଘର କଥା କେବେ ବି କହିବୁନି ଜେଜେମା’ । ମୁଁ ବାହା ହେବିନି କି ତୋ ପାଖରୁ କେବେ ଯିବିନି ।” ଜେଜେମା’ ତାକୁ କୋଳକୁ ଆଉଜେଇ ନେଇ କହିଲା- “ନାରେ ମାଆ ସେମିତି କହନି । ଝିଅ ଜନମ ନେଇଛୁ ଯେତେବେଳେ ବିବାହ ତ ନିଶ୍ଚେ କରିବୁ । ଆଜିକାଲି ତ ପୁରା ବୁଢ଼ୀ ହୋଇଗଲିଣି । କାମକୁ ବି କୋଉ ପାରୁଛି ଆଉ ଆଗ ପରି । କେତେବେଳେ କୋଉ କଥା. . . ଯଦି ମୁଁ ଚାଲିଯାଏ ଏ ସଂସାରରୁ, ତୋ କଥା କିଏ ବୁଝିବ ? ତୁ ଏମିତି କେତେଦିନ ମୋ ପରି ପର ଘରେ ଖଟି ଚାଲିଥିବୁ ମୂକ ବଧିର ପରି !” ଜେଜେମା’ କାନ୍ଦି ପକାଇଲା ବାଷ୍ପାକୂଳ କଣ୍ଠରେ । ଲୀନା ମାଆ କୋଳରେ ଲାଖି ଯାଇ ତା’ ଆଖିରୁ ଲୁହ ପୋଛି ଦେଇ କହିଲା- “ମୋ ପାଇଁ ତୁ କିଛି ଚିନ୍ତା କରନି ଜେଜେମା’ । ମାଲିକ, ମାଲିକାଣୀ ଆଉ ସାନବାବୁ ଅଛନ୍ତି ପରା । ତୁ ଏତେ କଥା କାଇଁ ଚିନ୍ତା କରୁଛୁ । ତୁ ତ ସାରା ଜୀବନ ଖଟିଲୁ । ଏଥର ମୋ ପାଳି । ମୁଁ ତୋର ସେବା କରିବି । ତୋ ଭାଗର କାମ ସବୁ ମୁଁ କରିବି ଏଥର । ତୁ ଏଥର ଖାଲି ବସିବୁ, ଆରାମ କରିବୁ । ଯେତିକି କଷ୍ଟ କରିବାର ଥିଲା ତୁ ସବୁ କରିସାରିଛୁ । ଆଉ ନୁହେଁ. . . ତୁ ଶୋଇପଡ଼ ଜେଜେମା’ ।”

ଜେଜେମା’ କିନ୍ତୁ ତା’ ଯନ୍ତ୍ରଣା ସବୁକୁ ବ୍ୟକ୍ତ କରି ପାରୁନଥିଲା । ସେ ଗୁଣୁଗୁଣେଇ କହିଲା- “ତୋତେ ବାରବାର କହିଛି ବାମନ ହୋଇ ଆକାଶର ଚାନ୍ଦକୁ ଦେଖି ମନ ବଳାନା । ହେଲେ ତୁ କ’ଣ ଶୁଣିଲୁ କି ରଖିଲୁ ମୋ କଥା । ଏବେ ତୋ ନିରବ ଦହନ ମୋତେ ବି ପୋଡ଼ି ମାରୁଛି । ତୋ ହୃଦୟର ବ୍ୟଥା ସବୁ ମୋ ମରମ ଛୁଉଁଛି । କିଏ ଜାଣେ ତୋ ପୋଡ଼ାକପାଳ ତୋ ଭାଗ୍ୟରେ କ’ଣ ସବୁ ଲେଖିଛି ?” ଲୀନା ସେଦିନ ଜେଜେମା’ କୋଳରେ ମୁହଁଗୁଞ୍ଜି ଢେର୍ କାନ୍ଦିଲା । ବହୁଦିନର ବ୍ୟଥା ଆଜି ନିଗିଡ଼ିଗଲା ପାଣି ହୋଇ । ଜେଜେମା’ ବି କାନ୍ଦିଲା ଆଉ ନିନ୍ଦିଲା ତା ଭାଗ୍ୟକୁ । ଏମିତିରେ ସନ୍ଧ୍ୟା ହୋଇ ଆସୁଥିଲା । ଅଇଁଠା ବାସନ ଧୋଇବାକୁ ଉଠିଗଲା ଲୀନା । ଆଉ ଜେଜେମା’ ବିଛଣାରେ ଥାଇ ଭାବୁଥିଲା ଲୀନା କଥା. .. ସାନବାବୁଙ୍କ କଥା । ଗୋଟେ ଅସମାହିତ ସମସ୍ୟାର କଥା. . . ।

ତା’ପରେ

ଲୋକପ୍ରିୟ ଲେଖା

To Top