ଗଳ୍ପ

ଅନୁବ୍ରତା ଦମୟନ୍ତୀ

Dr Archana Nayak's odia story Anubrataa Damayanti

ସେହି ଘଟକୁ ବାହୁକ ଚାହିଁବା ମାତ୍ରେ ସେଥିରେ ଜଳପୂର୍ଣ୍ଣ ହୋଇଗଲା ଓ ଚୂଲୀରେ ପାକପାତ୍ର ରଖି ସେ ମୁଠାଏ ତୃଣକୁ ଚୂଲୀରେ ପକାଇ ଦେବାକ୍ଷଣି ଅଗ୍ନି ଜଳିବାକୁ ଲାଗିଲା ।

ଅନୁବ୍ରତା ଦମୟନ୍ତୀ

-: ପୂର୍ବରୁ :-

ସେ ତାଙ୍କର ବିଶ୍ୱସ୍ତ ପରିଚାରିକା କେଶିନୀଙ୍କୁ ସେହି ବାମନାକୃତି ସାରଥିଙ୍କ ନିକଟକୁ ପ୍ରେରଣ କରି ସତ୍ୟାସତ୍ୟ ବୁଝିବାକୁ ମନସ୍ଥ କଲେ । କେଶିନୀ ରାଜକନ୍ୟାଙ୍କର ନିର୍ଦ୍ଦେଶରେ ବାହୁକଙ୍କ ନିକଟରେ ଉପସ୍ଥିତ ହୋଇ ପ୍ରଥମେ ତାଙ୍କର କୁଶଳ ଜିଜ୍ଞାସା କଲେ । ବାହୁକ ଖୁବ୍ ବିନୀତ ଭାବରେ ତାଙ୍କ ପ୍ରଶ୍ନର ଉତ୍ତର ଦେଉଥାନ୍ତି । ସେମାନେ ବିଦର୍ଭ ନଗରୀକୁ କାହିଁକି ଆସିଛନ୍ତି ବୋଲି କେଶିନୀ ପ୍ରଶ୍ନ କରିବାରୁ ବାହୁକ ମୁଖ ଅବନତ କରି ବାଷ୍ପରୁଦ୍ଧ କଣ୍ଠରେ କହିଲେ, “ଅଯୋଧ୍ୟାପତି ଜଣେ ବ୍ରାହ୍ମଣଙ୍କ ନିକଟରୁ ଆପଣଙ୍କ ରାଜକନ୍ୟାଙ୍କର ଦ୍ୱିତୀୟ ସ୍ୱୟଂବର କଥା ଶୁଣି ସେଥିରେ ଯୋଗ ଦେବାକୁ ଆସିଛନ୍ତି । ମୁଁ ତାଙ୍କର ରଥର ସାରଥି ଭାବରେ ରଥ ଚଳାଇ ଆସିଛି ।”

– ଆଚ୍ଛା ସେ ଅନ୍ୟ ସାରଥି ଜଣକ କିଏ ?

– ସେ ବାଷ୍ଣେୟ !

– ସେ କିଏ ? କ’ଣ ତାଙ୍କର ପରିଚୟ ?

– ସେ ରାଜା ନଳଙ୍କର ସାରଥି ଥିଲେ ।

– ଆଚ୍ଛା, ତେବେ ରାଜା ନଳଙ୍କ ବିଷୟରେ ସେ ତ ନିଶ୍ଚୟ ଜାଣିଥିବେ ।

– ନା ସେ ଜାଣନ୍ତି ନାହିଁ ।

– ଏହା କିପରି କଥା ? ନଳଙ୍କର ବିଶ୍ୱସ୍ତ ସାରଥି ତାଙ୍କ ରାଜାଙ୍କ ବିଷୟରେ ଜାଣନ୍ତି ନାହିଁ ।

– ରାଜା ନଳ ଦ୍ୟୁତକ୍ରୀଡ଼ାରେ ହାରିଯିବାରୁ ତାଙ୍କର ଦୁଇ ସନ୍ତାନଙ୍କ ସୁରକ୍ଷା ପାଇଁ ବାଷ୍ଣେୟ ରାଣୀଙ୍କ ନିର୍ଦ୍ଦେଶରେ ସେମାନଙ୍କୁ ରଥରେ ନେଇ ବିଦର୍ଭ ଚାଲି ଆସିଥିଲେ । ଏଠାରେ ପିଲାମାନଙ୍କୁ ନିରାପଦରେ ଛାଡ଼ି ସେ ଅଯୋଧ୍ୟାପତିଙ୍କ ପାଖରେ ସାରଥି ଭାବରେ କାର୍ଯ୍ୟ କରୁଛନ୍ତି । ତେଣୁ ନଳଙ୍କ ସମ୍ପର୍କରେ ସେ କିଛି ଜାଣନ୍ତି ନାହିଁ ।

– କିନ୍ତୁ ଆପଣ ଏତେ କଥା କିପରି ଜାଣିଲେ ?

ବାହୁକ ଟିକେ ଇତସ୍ତତଃ ହୋଇଗଲେ । ପରେ ନିଜକୁ ସମ୍ୱରଣ କରି କହିଲେ ଯେ “ସେ କଥା ସେ ଶୁଣିଥିଲେ ।”

ଏଥର କେଶିନୀ ପୁଣି ପ୍ରଶ୍ନ କଲେ ଆଚ୍ଛା ଆପଣ ବ୍ରାହ୍ମଣ ପର୍ଣ୍ଣାଦଙ୍କ ନିକଟରୁ ଯେତେବେଳେ ଶୁଣିଲେ ଯେ ଜଣେ ନାରୀ ଅର୍ଦ୍ଧବସ୍ତ୍ର ପରିଧାନ କରି ତାଙ୍କ ପତିଙ୍କ ଫେରିବା ପଥକୁ ଚାହିଁଛନ୍ତି ଓ ତାଙ୍କର ସ୍ୱାମୀ ତାଙ୍କ ପରି ଅନୁବ୍ରତା ପତ୍ନୀକୁ କିପରି ତ୍ୟାଗ କରିପାରିଲେ ଭାବି ସର୍ବଦା ରୋଦନ କରୁଛନ୍ତି ସେତେବେଳେ ଆପଣ ତାଙ୍କୁ କିଛି କଥା କହିଥିଲେ । ତାହା ଆପଣଙ୍କର ନିଶ୍ଚୟ ସ୍ମରଣ ଥିବ । ଆମ୍ଭର ରାଜକନ୍ୟା ତାହା ଆପଣଙ୍କୁ ମୁହଁରୁ ଶୁଣିବାକୁ ଚାହୁଁଛନ୍ତି ।

ନଳ ନିଜର କହିଥିବା କଥାର ପୁନଃରୋକ୍ତି କରିବା ସମୟରେ ନିଜର ଆବେଗକୁ ନିୟନ୍ତ୍ରଣ କରି ନ ପାରି ରୋଦନ କରିବାକୁ ଲାଗିଲେ ।

କେଶିନୀ ଅନ୍ତପୁରକୁ ଫେରିଆସି ଦମୟନ୍ତୀଙ୍କ ନିକଟରେ ପ୍ରତିକ୍ରିୟାର କଥା କହିଲେ । ଦମୟନ୍ତୀଙ୍କ ମନରେ ନଳଙ୍କ ପରିଚୟ ସମ୍ପର୍କରେ ବିଶ୍ୱାସ ଦୃଢ଼ ହେବାକୁ ଲାଗିଲା । ସେ ପୁଣି କେଶିନୀଙ୍କୁ ବାହୁକଙ୍କର କ୍ରିୟାଶୈଳୀ ଉପରେ ସତର୍କ ଦୃଷ୍ଟି ରଖିବାକୁ କହିଲେ । କେଶିନୀ ଗୋପନରେ ରହି ଲକ୍ଷ୍ୟ କରିପାରିଲେ ଯେ ବାହୁକଙ୍କ ନିକଟରେ ରନ୍ଧନ ପ୍ରସ୍ତୁତ ପାଇଁ ଖାଦ୍ୟଦ୍ରବ୍ୟ ବହୁ ପରିମାଣରେ ରଖାଯାଇଥିଲେ ମଧ୍ୟ ଜଳଘଟ ଗୁଡ଼ିକ ଶୂନ୍ୟ ଥିଲା । କିନ୍ତୁ ସେହି ଘଟକୁ ବାହୁକ ଚାହିଁବା ମାତ୍ରେ ସେଥିରେ ଜଳପୂର୍ଣ୍ଣ ହୋଇଗଲା ଓ ଚୂଲୀରେ ପାକପାତ୍ର ରଖି ସେ ମୁଠାଏ ତୃଣକୁ ଚୂଲୀରେ ପକାଇ ଦେବାକ୍ଷଣି ଅଗ୍ନି ଜଳିବାକୁ ଲାଗିଲା ।

ଏ ସମ୍ୱାଦ କେଶିନୀ ମୁଖରୁ ଶୁଣିବା ବେଳେ ଦମୟନ୍ତୀ ସ୍ମରଣ କଲେ ନଳଙ୍କୁ ଦେବତାମାନଙ୍କର ବରଦାନ ସମୟର କଥା । ଏପରି ଚମତ୍କାରୀ କାର୍ଯ୍ୟ କରିପାରିବା କୌଣସି ସାଧାରଣ ମଣିଷ ପକ୍ଷରେ ସମ୍ଭବ ନୁହେଁ । ଏସବୁ ଦେବ ଆଶୀର୍ବାଦର ଫଳ । ଶେଷ ପରୀକ୍ଷା ବାକି ରହିଲା । ଦମୟନ୍ତୀ ନଳଙ୍କ ଦ୍ୱାରା ପାଚିତ ବହୁବିଧ ମାଂସର ସ୍ୱାଦ ପୂର୍ବରୁ ଆସ୍ୱାଦନ କରିଥିଲେ । ଯେଉଁ ଅପୂର୍ବ ସ୍ୱାଦ ଅନ୍ୟ କାହାରି ପାଚନରେ ଆସିପାରେ ନାହିଁ । ତେଣୁ ପରିଚାରିକା ମାଧ୍ୟମରେ ଖୁବ୍ କୌଶଳରେ ବାହୁକଙ୍କ ଅଜ୍ଞାତରେ ତାଙ୍କ ରନ୍ଧନଶାଳାରୁ ପାଚିତ ମାଂସ କିଛି ବାଟିକାରେ ମଗାଇ ଆଣିଲେ ।

ଏବେ ସ୍ୱାଦର ପରୀକ୍ଷା । ଦମୟନ୍ତୀ ପାଚିତ ମାଂସ ପାଟିରେ ଦେବା ପରେ ବୁଝିଗଲେ ତାହା ନଳ ରାନ୍ଧଣା ଭିନ୍ନ ଅନ୍ୟ କାହାରି ହୋଇପାରେନା ।

ସବୁ ରହସ୍ୟ ଉପରୁ ପର୍ଦ୍ଦା ଅପସରି ଯାଇଥିଲା । ବାହୁକ ଯେ ନଳ ଏଥିରେ ତାଙ୍କର ଆଉ ସନ୍ଦେହ ନଥିଲା । କିନ୍ତୁ ରୂପରେ ଯେ କିଛି ସାମ୍ୟ ନାହିଁ । ତେଣୁ ଏଥିରେ ଯେ କିଛି ରହସ୍ୟ ନିଶ୍ଚୟ ରହିଛି ତାହା ଯେ କୌଣସି ଉପାୟରେ ଜାଣିବାକୁ ପଡ଼ିବ ।

ମାତାଙ୍କର ଅନୁମତି ନେଇ ଦମୟନ୍ତୀ ବାହୁକଙ୍କୁ ଅନ୍ତଃପୁରକୁ ଡକାଇ ଆଣିଲେ ।

ନିର୍ଜନ କକ୍ଷରେ ଦମୟନ୍ତୀ ଆଶନରେ ଉପବେଶନ କରିଛନ୍ତି । ଅଦୂରରେ ପରିଚାରିକା କେଶିନୀ ଅପେକ୍ଷାରତା । ପ୍ରବେଶ କଲେ ବାହୁକ । ସମ୍ମୁଖରେ କଷାୟ ବସ୍ତ୍ର ପରିଧାନ କରିଥିବା ଆଭରଣଶୂନ୍ୟ ତପସ୍ୱିନୀଚିଏ ଉପେଶନ କରିଛନ୍ତି । ବାହୁକର କୁରୂପ ତଳେ ପ୍ରେମିକ ସ୍ୱାମୀ ନଳଙ୍କର ଅନ୍ତରାତ୍ମା ଛଟପଟ ହୋଇଉଠିଲା । ଦମୟନ୍ତୀଙ୍କର ଏହି ଦୀନହୀନ ରୂପ ଦେଖି ସେ ତାଙ୍କର ଶୋ ସମ୍ୱରଣ କରିପାରିଲେ ନାହିଁ । ତାଙ୍କର ଦୁଇ ଆଖିରୁ ଝରିଆସିଲା ଅବାରିତ ଅଶ୍ରୁଧାର । ରାଜକନ୍ୟା ମଧ୍ୟ ନିଜ ଶୋକାକୁଳ ହୃଦୟକୁ ଅଶ୍ରୁଧାରାରେ ନିଗାଡ଼ି ଦେଲେ ।

ନିରବତାରେ କଟିଗଲା କିଛିକାଳ । ଉଭୟଙ୍କର ବାକ୍‌ଶକ୍ତି ସତେକି ଲୋପ ପାଇଯାଇଛି । କେହି ନିଜର କୋହ ସମ୍ୱରଣ କରିପାରୁନାହାନ୍ତି । ଏ ପରିସ୍ଥିତିରେ କେଶିନୀ ଆଗେଇ ଆସି ରାଜକନ୍ୟାଙ୍କୁ ପ୍ରବୋଧନା ଦେବା ସହ ସେ ବାହୁକଙ୍କୁ କ’ଣ ପଚାରିବା ପାଇଁ ଅନ୍ତଃପୁରକୁ ଡାକିଛନ୍ତି ତାହା ସ୍ମରଣ କରାଇଦେଲେ ।

ନିଜକୁ ସଂଯତ କଲେ ଦମୟନ୍ତୀ । ନତମୁଖ ବାହୁକଙ୍କୁ ସମ୍ୱୋଧନ କରି କହିଲେ, “ହେ ବାହୁକ ତୁମେ କ’ଣ ଏପରି କୌଣସି ଧର୍ମନିଷ୍ଠ ବ୍ୟକ୍ତିଙ୍କୁ ଜାଣ କି ଯିଏ ଅରଣ୍ୟ ମଧ୍ୟରେ ତାଙ୍କର ଏକାକିନୀ ଅସହାୟା ନିଦ୍ରିତା ପତ୍ନୀକୁ ପରିତ୍ୟାଗ କରି ଚାଲିଯାଇଥିଲେ । ଅଥଚ ସେ ନାରୀ ଚିରକାଳ ସର୍ବାନ୍ତଃକରଣରେ ତାଙ୍କର ଅନୁବ୍ରତା ରହିଆସିଛି ଓ ଯିଏ ତା’ର ସ୍ୱୟଂବର କାଳରେ ଦେବତାମାନଙ୍କର ଆଗ୍ରହକୁ ଏଡ଼େଇ ଦେଇ ତାଙ୍କୁ ପତି ରୂପେ ବରଣ କରିଥିଲା । ଅଗ୍ନି ସମୀପରେ ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ଯେଉଁ ପୁରୁଷ ତା’ର ବିବାହିତା ପତ୍ନୀର ଅନୁଗତ ରହିବା ସହ ତାକୁ ଜୀବନବ୍ୟାପୀ ସୁରକ୍ଷା ଦେବାରୁ ପ୍ରତିଶ୍ରୁତି ଦେଇଥିଲେ ସେ ଏପରି ଅବିବେକୀ କାର୍ଯ୍ୟ କଲେ କିପରି ? ତୁମେ ତାଙ୍କୁ ଜାଣ କି ?”

ଦମୟନ୍ତୀ ବାଷ୍ପରୁଦ୍ଧ ହୋଇ ଭୂମିରେ ଲୋଟି ପଡ଼ିଲେ ।

ବାହୁକର ରୂପ ଓ ନାମ ଭିତରେ ରାଜା ନଳ ଆଉ ଆତ୍ମଗୋପନ କରିପାରିଲେ ନାହିଁ । ସେ ତାଙ୍କର ଅଶ୍ରୁକୁ ସେହିପରି ଝରିବାକୁ ଦେଇ ନମ୍ର କଣ୍ଠରେ କହିଲେ “ହେ ମୋର ପ୍ରିୟତମା ଦମୟନ୍ତୀ, ମୁଁ ହିଁ ତୁମର ପତି ନଳ । ମୋର ରାଜ୍ୟ ହରାଇବା ଓ ତୁମକୁ ତ୍ୟାଗ କରିବା ପଛରେ ଦୁଷ୍ଟ କଳିର ଶକ୍ତି ହିଁ କାର୍ଯ୍ୟ କରୁଥିଲା । ସେ ମୋର ଶରୀରରେ ପ୍ରବେଶ କରି ମୋର ବୁଦ୍ଧିକୁ ବିନଷ୍ଟ କରି ଏହିସବୁ ଅପକର୍ମ କରାଇଅଛି । କିନ୍ତୁ ତୁମେ ବନରେ ଦିବାନିଶି ମୋତେ ଚିନ୍ତା କରି ଯେଉଁ ଶୋକ କରୁଥିଲ ତା’ର ପରାଭାବ ସେ ପାଇଲା । ଅନ୍ୟମାନେ ସମସ୍ତେ ସବୁ ଅଘଟଣ ପାଇଁ ମତେ ଦାୟୀ କରୁଥିବାବେଳେ ତୁମେ ହିଁ କେବଳ ବିଶ୍ୱାସ ରଖିଥିଲ ଯେ ତୁମର ସତ୍ୟବାଦୀ ନୀତିନିଷ୍ଠ, ଧର୍ମପରାୟଣ ସ୍ୱାମୀ କୌଣସି ଅପଶକ୍ତି ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ଓ ସେ ଅଜ୍ଞାତ ଶକ୍ତିକୁ ତୁମେ ଅଭିଶାପ ଦେଇଥିଲ । ସେହି ଶାପରେ ସେ ଅହରହ ଦହିତ ହେଉଥିଲା ଓ ମୋର ତପସ୍ୟାରେ ସେ ମୋ ଶରୀରରୁ ନିଜେ ଅସୁସ୍ଥ ହୋଇ ନିର୍ଗତ ହୋଇଯାଇଛି । ଏବେ ମୁଁ ଶରୀର ଓ ମନରେ ସୁସ୍ଥ ହୋଇସାରିଛି ।”

ଦମୟନ୍ତୀ ବାହୁକଙ୍କ କଥା ଏକନିଷ୍ଠ ଚିତ୍ତରେ ଶୁଣୁଥାନ୍ତି । ତାଙ୍କ ହୃଦୟରେ ଏତେ ଦିନ ପରେ ପ୍ରଗାଢ଼ ଆନନ୍ଦର ଅନୁଭବ ସଞ୍ଚରି ଯାଉଥାଏ । ଦୁର୍ବଳ ଶରୀରରେ ଉଲ୍ଲାସ କମ୍ପନ ସୃଷ୍ଟି କରୁଥାଏ । ଅଶ୍ରୁ ଓ କୋହରେ ତାଙ୍କର ବାକ୍ ସ୍ଫୁରଣ ହେଉନଥାଏ ।

ସେହି ଅବସ୍ଥାରେ ମଧ୍ୟ ସେ ଲକ୍ଷ୍ୟ କରିପାରିଲେ ବାହୁକ ରୂପ ଧାରଣ କରିଥିବା ନଳ ନିଜର ପରିଚୟ ଦେଇସାରିବା ପରେ କୌଣସି କାରଣରୁ ଇତସ୍ତତଃ ହେଉଛନ୍ତି ।

ତା’ପରେ

ଲୋକପ୍ରିୟ ଲେଖା

To Top