ଗଳ୍ପ

ଅନୁବ୍ରତା ଦମୟନ୍ତୀ

Dr Archana Nayak's odia story Anubrataa Damayanti

ନଳ ତତ୍‌କ୍ଷଣାତ୍ କର୍କୋଟକ ନାଗଙ୍କୁ ସ୍ମରଣ କରି ସର୍ବଦା ପାଖରେ ରଖୁଥିବା ନାଗଦତ୍ତ ଅମ୍ଳାନ ବସ୍ତ୍ରକୁ ପରିଧାନ କଲେ । ଅଶ୍ରୁମୁଖୀ ଦମୟନ୍ତୀ ଚାହିଁ ଦେଖିଲେ ତାଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଛନ୍ତି ସେହି ସୌମ୍ୟଦର୍ଶନ ବଳିଷ୍ଠ ଦୀର୍ଘଦେହୀ ସୁପୁରୁଷ ତାଙ୍କ ପ୍ରାଣ ସ୍ୱାମୀ ରାଜା ନଳ ।

ଅନୁବ୍ରତା ଦମୟନ୍ତୀ

– : ପୂର୍ବରୁ :-

ତାଙ୍କର ସେ ଭାବ ମଧ୍ୟ କେଶିନୀ ଲକ୍ଷ୍ୟ କରିପାରିଥିଲେ । ଏତେ ଦୀର୍ଘଦିନର ବିଚ୍ଛେଦ ପରେ ପତ୍ନୀକୁ ଏତେ ନିକଟରେ ପାଇଁ ମଧ୍ୟ ନଳ କୁଣ୍ଠିତ ଜଣାପଡୁଛନ୍ତି କାହିଁକି ? ସେ ମୁହଁ ଖୋଲି ନଳଙ୍କର କୁଣ୍ଠାପ୍ରକାଶର କାରଣ ଜାଣିବାକୁ ଚାହିଁଲେ ।

ନଳ କହିଲେ ଯେ, “ସେ ଅଯୋଧ୍ୟାପତି ଋତୁପର୍ଣ୍ଣଙ୍କର ସାରଥି ଭାବରେ ଏ ନଗରୀକୁ ଆସିଛନ୍ତି । ରାଜକନ୍ୟା ଦମୟନ୍ତୀଙ୍କର ଦ୍ୱିତୀୟ ସ୍ୱୟଂବର କଥା ଜାଣିବା ପରେ ରାଜା କନ୍ୟାପ୍ରାର୍ଥୀ ହୋଇ ଏଠାରେ ଉପସ୍ଥିତ ହୋଇଛନ୍ତି । ଯଦି ରାଜକନ୍ୟା ସତରେ ସେପରି ନିଷ୍ପତ୍ତି ନେଇଥାନ୍ତି ତେବେ ସେ ନିଜର ପରିଚୟ ପ୍ରକାଶ କରିବାକୁ ଚାହାଁନ୍ତି ନାହିଁ ।”

ତାଙ୍କ କଣ୍ଠସ୍ୱରରେ ଦୁଃଖ ଓ କ୍ଷୋଭ ପ୍ରକାଶ ପାଉଥିଲା । ଏବେ ଦମୟନ୍ତୀ ପତିଙ୍କର କୁଣ୍ଠାର କାରଣ ଜାଣିପାରି ଦୃଢ଼ ସ୍ୱରରେ କହିଲେ, “ହେ ରାଜନ୍ ଆପଣଙ୍କୁ ବରଣ କରିବାକୁ ଯାଇ ମୁଁ ଦେବତାମାନଙ୍କୁ ପ୍ରତ୍ୟାଖ୍ୟାନ କରିଥିଲି ସେକଥା ଆପଣ ଜାଣନ୍ତି । ଆପଣ ମତେ ପରିତ୍ୟାଗ କରିଯିବା ପରେ ବନରୁ ବନ ଦେଶରୁ ଦେଶ କାଙ୍ଗାଳିଣୀ ରୂପରେ ଘୁରି ଆପଣଙ୍କୁ ଖୋଜି ବୁଲୁଥିଲି । ଦୈବାତ୍ ଆସି ପହଞ୍ଚିଲି ନିଜର ପିତ୍ରାଳୟରେ । ବ୍ରାହ୍ମଣଙ୍କ ନିକଟରୁ ରାଜା ଋତୁପର୍ଣ୍ଣଙ୍କର ସାରଥି ବାହୁକଙ୍କର ମୋ କଥାରେ ପ୍ରକାଶ ପାଇଥିବା ପ୍ରତିକ୍ରିୟା ଜାଣି ମୋ ମନରେ ଆଶାର ସଞ୍ଚାର ହେଲା । ଆପଣଙ୍କୁ ଏଠାକୁ ଅଣାଯିବାର ଏକମାତ୍ର ଉପାୟ ଥିଲା ଯେ ଯଦି ରାଜା ନଳ ସାରଥି ରୂପରେ ଅଯୋଧ୍ୟାରେ ଅଛନ୍ତି ସେହି କେବଳ ଶତ ଯୋଜନ ପଥକୁ ରଥରେ ଏକ ଦିନରେ ଅତିକ୍ରମ କରି ଆସିପାରିବେ । ସ୍ୱୟଂବର କଥା ନ କହିଥିଲେ ଋତୁପର୍ଣ୍ଣ ବା କାହିଁକି ଆଗ୍ରହୀ ହୋଇ ଆସିଥାନ୍ତେ ।

ହେ ମହୀପତି, ମୁଁ କାୟ ବା ମନରେ କୌଣସି ଅସତ୍ କର୍ମ କରିନାହିଁ । ଯଦି ମୁଁ ପାପକର୍ମ କରିଥିଲି ତେବେ ସର୍ବତ୍ର ବିରାଜିତ ପ୍ରାଣୀର ପ୍ରାଣସ୍ୱରୂପ ବାୟୁଦେବ ମୋର ପ୍ରାଣ ହରଣ କରନ୍ତୁ, ସଚରାଚର ବିଶ୍ୱକୁ ଦିବା ଓ ରାତ୍ର କାଳରେ ସମସ୍ତ କର୍ମର ସାକ୍ଷୀ ସ୍ୱରୂପ ସୂର୍ଯ୍ୟ ଓ ଚନ୍ଦ୍ରଦେବ ମୁଁ ଯଦି ଅପକର୍ମ କରିଥାଏ ତେବେ ମୋର ବିନାଶ କରନ୍ତୁ ।”

ଆବେଗରେ ତାଙ୍କର କଣ୍ଠରୁଦ୍ଧ ହୋଇଗଲା । କିନ୍ତୁ ଅନ୍ତରୀକ୍ଷରେ ଅବସ୍ଥାନ କରୁଥିବା ବାୟୁ ଦେବଙ୍କର କଣ୍ଠସ୍ୱର ଶୁଣାଗଲା । ଜଳଦଗମ୍ଭୀର ସ୍ୱର ଶୂନ୍ୟରୁ ଭାସି ଆସିଲା, “ହେ ନିଷଧପତି, ଇଏ ତୁମର ପତ୍ନୀ ସବୁପ୍ରକାର ଦୁଃଖ କ୍ଳେଶ ଭୋଗ କରୁଥିବା ବେଳେ ବି ତୁମର ଆଚରଣ ଲାଗି କେବେ ବି କୁପିତା ହୋଇନାହାନ୍ତି କେବଳ ତୁମ ବିଚ୍ଛେଦରେ ଶୋକାକୁଳ ହୋଇ ତୁମର ମଙ୍ଗଳ ପ୍ରାର୍ଥନା କରିଛନ୍ତି । ଆମ୍ଭେ ଦେବତାମାନେ ତାଙ୍କୁ ତିନିବର୍ଷ କାଳ ପଦେ ପଦେ ରକ୍ଷା କରିଆସିଛୁ । ଶୁଦ୍ଧ ମନରେ ନିଜ ପତ୍ନୀଙ୍କୁ ଗ୍ରହଣ କର ଓ ପୁନଃ ରାଜ୍ୟ ଲାଭ କର ।”

କଣ୍ଠସ୍ୱର ନିରବ ହୋଇଗଲା । ନଳ ତତ୍‌କ୍ଷଣାତ୍ କର୍କୋଟକ ନାଗଙ୍କୁ ସ୍ମରଣ କରି ସର୍ବଦା ପାଖରେ ରଖୁଥିବା ନାଗଦତ୍ତ ଅମ୍ଳାନ ବସ୍ତ୍ରକୁ ପରିଧାନ କଲେ । ଅଶ୍ରୁମୁଖୀ ଦମୟନ୍ତୀ ଚାହିଁ ଦେଖିଲେ ତାଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଛନ୍ତି ସେହି ସୌମ୍ୟଦର୍ଶନ ବଳିଷ୍ଠ ଦୀର୍ଘଦେହୀ ସୁପୁରୁଷ ତାଙ୍କ ପ୍ରାଣ ସ୍ୱାମୀ ରାଜା ନଳ ।

ନଳଙ୍କର ଦୁଇବାହୁ ପ୍ରସାରିତ ହୋଇଆସିଲା ପ୍ରାଣପ୍ରିୟା ପତ୍ନୀଙ୍କ ଦିଗରେ । ତାଙ୍କର ଦୁର୍ବଳ କ୍ଷୀଣ ଶରୀରକୁ ସେ ନିଜର ବାହୁବନ୍ଧନରେ ଜଡ଼ାଇ ଧରିଲେ ନିଜର ବକ୍ଷଦେଶରେ । କେତେକାଳ ବିତିଗଲା ସେହି ମୁଗ୍ଧ ବିଭୋର ଅବସ୍ଥାରେ କେହି ଜାଣିପାରିନଥିଲେ ।

କିନ୍ତୁ ଏହି ଅପୂର୍ବ ମିଳନର ସମ୍ୱାଦ କେଶିନୀ ମାଧ୍ୟମରେ ପହଞ୍ଚି ଯାଇଥିଲା ରାଜପୁରର ପ୍ରତିଟି ମଣିଷ ପାଖରେ । ହର୍ଷ ଆନନ୍ଦ ଉଲ୍ଲାସରେ ପୂରି ଯାଇଥିଲା ରାଜପୁର । ରାଜା ଭୀମ, ରାଣୀ ଓ ଦମୟନ୍ତୀଙ୍କର ଦୁଇ ସନ୍ତାନ ସହିତ ଛୁଟି ଆସିଥିଲେ ଦମୟନ୍ତୀଙ୍କ କକ୍ଷକୁ । ସନ୍ତାନ ଦୁହିଁଙ୍କୁ ବକ୍ଷରେ ଜାବୁଡ଼ି ଧରି ନିଷଧପତି ନଳ ଏତେ ଦିନର ଦୁଃଖକୁ ଭୁଲି ଯାଇଥିଲେ ।

ଏ ସମ୍ୱାଦ କ୍ଷଣିକ ଭିତରେ ସମଗ୍ର ରାଜ୍ୟରେ ଖେଳିଗଲା । ନିଜର ପ୍ରିୟ ରାଜକନ୍ୟାଙ୍କ ଦୁଃଖରେ ଦୁଃଖୀ ହୋଇ ରହିଥିବା ପ୍ରଜାଗଣଙ୍କ ପାଇଁ ଏହାଠାରୁ ବଳି ଆନନ୍ଦର କାରଣ କିଛି ନ ଥିଲା ।

କେତୋଟି ମୁହୂର୍ତ୍ତ ମଧ୍ୟରେ ସମଗ୍ର ନଗରଟି ପତାକା, ଧ୍ୱଜ ଓ ପୁଷ୍ପମାଳରେ ସୁଶୋଭିତ ହେଲା । ରାଜରାସ୍ତା ନାନାପ୍ରକାର ରଙ୍ଗର ଅବିରରେ ରଙ୍ଗାୟିତ ହୋଇଉଠିଲା । ମଙ୍ଗଳବାଦ୍ୟରେ ମୁଖରିତ ହେଲା ପରିବେଶ । ପ୍ରଜାଙ୍କର ବିଶାଳ ସ୍ରୋତ ରାଜପ୍ରସାଦ ଅଭିମୁଖେ ଗତିକଲା ।

ରାଜ ଅତିଥିଶାଳାରେ ଅବସ୍ଥାନ କରୁଥିବା ରାଜା ଋତୁପର୍ଣ୍ଣ ମଧ୍ୟ ଜାଣିବାକୁ ପାଇଲେ ତାଙ୍କ ସାରଥି ବାହୁକର ପରିଚୟ । ସେ ଅତିଥିଶାଳାରୁ ବାହାରି ଆସିଲେ ।

ରାଜା ନଳଙ୍କର ସାକ୍ଷାତ୍ ପାଇ ଦୁହେଁ ପରସ୍ପରକୁ ବନ୍ଧୁପରି ସମାଦର କଲେ । ନିଜର ଅଜାଣତରେ ଜଣେ ରାଜପୁରୁଷଙ୍କୁ ସାରଥି ଭାବରେ ରଖିଥିବାରୁ ଋତୁପର୍ଣ୍ଣ ଦୁଃଖପ୍ରକାଶ କରିବାରୁ ନଳ ତାଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରି କହିଲେ ଯେ “ଋତୁପର୍ଣ୍ଣଙ୍କ ଆଶ୍ରୟରେ ସେ ଖୁବ୍ ସ୍ୱଚ୍ଛନ୍ଦରେ ଥିଲେ । ତାଙ୍କର ସେ ଦୁଃଖ ସମୟ ମଧ୍ୟ ରାଜା ଋତୁପର୍ଣ୍ଣଙ୍କର ବ୍ୟବହାରରେ ତାଙ୍କ ପାଇଁ ସୁଖମୟ ହୋଇଥିଲା ।”

ରାଜା ନଳ ବିସ୍ମୃତ ହୋଇନଥିଲେ ନିଜର ପ୍ରତିଶ୍ରୁତି । ଋତୁପର୍ଣ୍ଣଙ୍କୁ ପ୍ରଦାନ କଲେ ଅଶ୍ୱବିଦ୍ୟା ଓ ସେ ମଧ୍ୟ ତାହା ବିଧିପୂର୍ବକ ପ୍ରତିଗ୍ରହଣ କଲେ । ଅନ୍ୟ ଏକ ସାରଥିଙ୍କୁ ନେଇ ରାଜା ଋତୁପର୍ଣ୍ଣ ନିଜ ରାଜ୍ୟକୁ ଆନନ୍ଦ ଚିତ୍ତରେ ଫେରିଗଲେ ।

ନିଷଧରାଜ ନଳ ନିଜର ପତ୍ନୀ ଓ ସନ୍ତାନଙ୍କ ସହ ବିଦର୍ଭ ନଗରୀରେ ଏକମାସ ବିଶ୍ରାମ ନେଲେ । କିଛିକାଳ ପରେ ପତ୍ନୀ, ସନ୍ତାନଙ୍କୁ ବିଦର୍ଭରେ ଛାଡ଼ି ନିଜ ରାଜ୍ୟକୁ ଫେରିଯିବା ପାଇଁ ନଳ ଇଚ୍ଛା ପ୍ରକାଶ କରିବାରୁ ରାଜା ଭୀମସେନ ବହୁ ପରିଚାର ରଥ, ଗଜ, ଅଶ୍ୱ ଓ ପ୍ରଭୂତ ଧନ ସମ୍ପତ୍ତି ଦେଇ ଜାମାତାଙ୍କୁ ବିଦାୟ ଦେଲେ ।

ନଳ ପହଞ୍ଚିଲେ ନିଜ ରାଜ୍ୟ ନିଷଧରେ । ସେ ସମୟରେ କପଟ ଦ୍ୟୁତରେ ତାଙ୍କ ରାଜ୍ୟକୁ ଅଧିକାର କରିନେଇ ରାଜା ହୋଇ ବସିଥିବା ପୁଷ୍କରଙ୍କ ପାଖରେ ନଳଙ୍କ ଆଗମନର ସମ୍ୱାଦ ପହଞ୍ଚି ଯାଇଥିଲା । ସେ ନିଜକୁ ପ୍ରସ୍ତୁତ କରୁଥିଲେ ।

ରାଜସଭାରେ ପ୍ରବେଶ କରି ନଳ ତାଙ୍କୁ ଆହ୍ୱାନ କରି କହିଲେ, “ହେ ପୁଷ୍କର ଏଇ କିଛି ବର୍ଷ ଭିତରେ ଆମ୍ଭେ ବହୁ ଅର୍ଥ ଉପାର୍ଜନ କରିଛୁ । ସେ ସମସ୍ତ ଅର୍ଥ, ଦମୟନ୍ତୀ ଓ ନିଜର ପ୍ରାଣକୁ ଆମ୍ଭେ ପଣରୂପେ ରଖିଛୁ, ତୁମ୍ଭର କେବଳ ରାଜପଣ ରହିବ । ତୁମ୍ଭେ ଯଦି ଏହି ପ୍ରସ୍ତାବକୁ ଗ୍ରହଣ କରୁଛ ତେବେ ଅକ୍ଷକ୍ରୀଡ଼ାରେ ପ୍ରବୃତ୍ତ ହୁଅ । ଯଦି ତୁମେ ଏ ପ୍ରସ୍ତାବରେ ସମ୍ମତ ନୁହଁ ତେବେ ଦୈବରଥ ବିଧାନରେ ଯୁଦ୍ଧରେ ପ୍ରବୃତ୍ତ ହୁଅ । ମୁଁ ଜାଣେ ଜଣେ କ୍ଷତ୍ରିୟ ରାଜା ଦ୍ୟୁତ ବା ଯୁଦ୍ଧର ଆହ୍ୱାନକୁ ପ୍ରତ୍ୟାଖ୍ୟାନ କରିପାରିବ ନାହିଁ । ତୁମ୍ଭେ ଶୀଘ୍ର ନିଷ୍ପତ୍ତି କର । ତୁମେ ମୋ ସହିତ ଦ୍ୟୁତ ନା ଯୁଦ୍ଧରେ ପ୍ରବୃତ୍ତ ହେବ ।

ପୁଷ୍କର ଭ୍ରାତା ଭାବରେ ନଳଙ୍କର ପରାକ୍ରମ ଓ ଅସ୍ତ୍ର ଚାଳନାର ଦକ୍ଷତା ସମ୍ପର୍କରେ ଅବଗତ ଥିଲେ । ସେ ବିଚାର କଲେ ଯୁଦ୍ଧରେ ସେ ନଳଙ୍କୁ କେବେ ବି ପରାସ୍ତ କରିପାରିବେ ନାହିଁ ତେଣୁ ଦ୍ୟୁତକ୍ରୀଡ଼ାର ଆହ୍ୱାନକୁ ଗ୍ରହଣ କରିବା ବୁଦ୍ଧିମାନର କାର୍ଯ୍ୟ ହେବ । ତା’ ଛଡ଼ା ଯେଉଁ ଅପୂର୍ବ ରୂପବତୀ ଦମୟନ୍ତୀଙ୍କୁ ସେ ସଦାସର୍ବଦା ମନରେ କାମନା କରନ୍ତି ତାଙ୍କୁ ନଳ ସ୍ୱତଃପ୍ରବୃତ୍ତ ଭାବରେ ପଣ ରଖୁଥିବାରୁ ତାଙ୍କର ଅଭିଳାଷ ନିଶ୍ଚୟ ଚରିତାର୍ଥ ହେବ ଭାବି ସେ କଥା ମଧ୍ୟ ସେ ସର୍ବଜନ ସମକ୍ଷରେ ନଳଙ୍କୁ ତାତ୍ସଲ୍ୟ କରି କହିଲେ ।

ନଳ କ୍ରୋଧକୁ ସମ୍ୱରଣ କରିନେଇ କହିଲେ, “ମୁଁ ଯାହା ପଣ ରଖିବାକୁ କହିଛି ତାହା ଅନ୍ୟଥା ହେବନାହିଁ, ତୁମେ ଯଥାଶୀଘ୍ର ଅକ୍ଷଧାରଣ କର ।”

ପୁଷ୍କର ଗତଥର ନଳଙ୍କର ପ୍ରତିଟି କ୍ରୀଡ଼ା କୌଶଳକୁ ନଷ୍ଟ କରିପାରିଥିବାରୁ ଅକ୍ଷକ୍ରୀଡ଼ାରେ ନିଜର ନିପୁଣତା ଉପରେ ତାଙ୍କର ଖୁବ୍ ବିଶ୍ୱାସ ଆସିଯାଇଥିଲା । ସେ ନଳଙ୍କୁ ଉପେକ୍ଷା କରି କ୍ରୀଡ଼ାରେ ପ୍ରବୃତ୍ତ ହେଲେ । ସେ ଭୁଲିଯାଇଥିଲେ ଯେ ଗତ ଥରର ବିଜୟ ତାଙ୍କୁ ମିଳିଥିଲା କଳିର ସହାୟତାରେ । ଏବେ କଳି ତାଙ୍କ ପକ୍ଷରେ ନାହିଁ ଓ ଅକ୍ଷବିଦ୍ୟାର ଗହନ ତତ୍ତ୍ୱ ନଳଙ୍କ ନିକଟରେ ଅଛି ।

ଦ୍ୟୁତକ୍ରୀଡ଼ା ଆରମ୍ଭ ହେଉ ହେଉ ଶେଷ ହୋଇଗଲା । ପ୍ରଥମରୁ ଗୋଟି ଚାଳନାରେ ଭୁଲ କରି ପୁଷ୍କର ପରାସ୍ତ ହେଲେ । କପଟରେ ସେ ନଳଙ୍କର ହରଣ କରିଥିବା ରାଜ୍ୟ ଓ ରତ୍ନକୋଷ ପୁଣି ନଳଙ୍କ ନିକଟକୁ ଫେରିଆସିଲା ।

ପରାଜିତ ପୁଷ୍କର ଅଚାନକ ଘଟଣାଚକ୍ରର ପରିବର୍ତ୍ତନରେ ବିମୂଢ଼ ହୋଇପଡ଼ିଲେ । ନଳଙ୍କ ନିକଟରୁ ପରାଭବ ପାଇବା ଆଶଙ୍କାରେ ସେ ଭୟଭୀତ ହେଉଥିବାବେଳେ ନଳ ମୃଦୁ ହସି ତାଙ୍କୁ ଆଶ୍ୱାସନା ଦେଇ କହିଲେ, “ପୁଷ୍କର, ଗତଥର ମତେ ଯେ ତୁ ପରାଜିତ କରିଥିଲୁ ତା’ ନୁହେଁ, କଳି କରିଥିଲା । ତେଣୁ ଅନ୍ୟର ଦୋଷ ପାଇଁ ମୁଁ ତତେ ଦଣ୍ଡିତ କରିବି ନାହିଁ । ତୁ ମୋର ଭାଇ । ତୋ ପ୍ରତି ମୋର ଶ୍ରଦ୍ଧା ଅତୁଟ ଅଛି । ପୈତୃକ ସମ୍ପତ୍ତିରୁ ତୋର ଯାହା ପାଇବା କଥା ତୁ ପାଇବୁ । ତେଣୁ ତୁ ସମ୍ପତ୍ତି ନେଇ ତୋ ପରିବାର ସହ ଆନନ୍ଦରେ ରହ ।”

ନଳଙ୍କର ଏହି ଉଦାରତା ନିକଟରେ ପୁଷ୍କରଙ୍କର ମସ୍ତକ ଅବନତ ହୋଇଗଲା । ନିଜର ମୂଢ଼ତା ପାଇଁ ସେ ଅନୁଶୋଚନା କରୁଥିଲେ । ଭ୍ରାତୃଦତ୍ତ ସମ୍ପତ୍ତି ନେଇ ସେ ଆଶ୍ୱସ୍ତ ହୋଇ ନିଜପୁରକୁ ଫେରିଗଲେ ।

ଏବେ ନିଷ୍କଣ୍ଟକ ରାଜ୍ୟର ଅଧିପତି ନଳ ବିଗତ ଦିନର ତିକ୍ତ ଓ ଦୁଃଖଦାୟକ ସ୍ମୃତିକୁ ମନରୁ କାଢ଼ି ଦେଲେ । ଏବେ ମନ ତାଙ୍କର ପରିପୂର୍ଣ୍ଣ କେବଳ ପତ୍ନୀ ଦମୟନ୍ତୀଙ୍କର ମଧୁର ସ୍ମୃତିରେ ।

ପ୍ରିୟତମା ପତ୍ନୀ ଓ ସନ୍ତାନ ଦ୍ୱୟଙ୍କର ଆଗମନ ପାଇଁ ହୃଦୟ କେବଳ ବ୍ୟଗ୍ର ବ୍ୟାକୁଳ ।

ନିଜର ପ୍ରିୟ ରାଜା ନଳଙ୍କର ପ୍ରତ୍ୟାବର୍ତ୍ତନରେ ସମଗ୍ର ରାଜ୍ୟ ଉତ୍ସବ ମୁଖର ହୋଇଉଠିଥିଲା । ରାଜ୍ୟର ମନ୍ତ୍ରୀ, ଅମାତ୍ୟ, ପୁରଜନ ଓ ପ୍ରଜାସକଳ ରାଜାଙ୍କ ନିକଟରେ ନିଜ ନିଜର ଆନୁଗତ୍ୟ ପ୍ରକାଶ କରି ଆଶ୍ୱସ୍ତ ହେଉଥିଲେ ।

ସେ ପାଖରେ ବିଦର୍ଭନଗରୀରେ ମଧ୍ୟ ଉତ୍ସବ ପାଳିତ ହେଉଥିଲା । ନିଜର ପ୍ରିୟ ରାଜକନ୍ୟାଙ୍କୁ ତାଙ୍କର ପତିଗୃହକୁ ସମୁଚିତ ବିଧାନରେ ପ୍ରେରଣ କରିବା ପାଇଁ ସମସ୍ତ ପୁରଜନ ଆନନ୍ଦ ମନରେ ଆୟୋଜନରେ ବ୍ୟସ୍ତ ରହିଲେ ।

ପିତାମାତାଙ୍କର ଆଶୀର୍ବାଦ ନେଇ ସୁଶୋଭିତ ଓ ଆନନ୍ଦ ବାଦ୍ୟରେ ମୁଖରିତ ବିଦର୍ଭ ନଗରୀରୁ ବିଦାୟ ନେଇ ରାଜକନ୍ୟା ଦମୟନ୍ତୀ ସନ୍ତାନ ଦ୍ୱୟଙ୍କ ସହିତ ଆସି ପ୍ରବେଶ କଲେ ନିଷଧ ନଗରୀରେ, ଯାହାର ସୁସଜ୍ଜିତ ବିଶାଳ ତୋରଣମାନ ବହୁ ଦୂରରୁ ଦୃଶ୍ୟ ହେଉଥିଲା । ଦମୟନ୍ତୀଙ୍କର ରଥ ରାଜ୍ୟର ସୀମାନ୍ତ ସ୍ପର୍ଶ କରିବା ବେଳକୁ ସମଗ୍ର ରାଜ୍ୟ ଉଠି ଆସିଥିଲା ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ।

ଲୋକପ୍ରିୟ ଲେଖା

To Top