ଗଳ୍ପ

ଅନୁବ୍ରତା ଦମୟନ୍ତୀ

Dr Archana Nayak's odia story Anubrataa Damayanti

ସେ ବିଶ୍ୱାସ କରିପାରିଲେ ନାହିଁ ଯେ ପତିବ୍ରତା ସତୀ ଦମୟନ୍ତୀ ଏପରି ଏକ ନିଷ୍ପତ୍ତି ନେଇଛନ୍ତି । ହୁଏତ ତାଙ୍କ ନିକଟରୁ ଦୀର୍ଘକାଳ ଭିନ୍ନ ହୋଇ ରହିବା ଫଳରେ ତାଙ୍କର ସ୍ନେହଭଙ୍ଗ ହୋଇଛି ।

ଅନୁବ୍ରତା ଦମୟନ୍ତୀ

-: ପୂର୍ବରୁ :-

ଦମୟନ୍ତୀ ବ୍ରାହ୍ମଣ ସୁଦେବଙ୍କ ଅନ୍ତଃପୁରକୁ ଡକାଇଲେ ଓ କହିଲେ, ଆପଣ ଯେତେ ଶୀଘ୍ର ସମ୍ଭବ ଅଯୋଧ୍ୟା ନଗରୀକୁ ଯାଆନ୍ତୁ । ରାଜା ଋତୁପର୍ଣ୍ଣଙ୍କ ସହ ସାକ୍ଷାତ୍ କରି ଏତିକି କହିବେ ଯେ “ବିଦର୍ଭ ରାଜନନ୍ଦିନୀ ତାଙ୍କ ସ୍ୱାମୀଙ୍କୁ ବହୁ ସନ୍ଧାନ କରି ନ ପାଇବାରୁ ଏବେ ଦ୍ୱିତୀୟବାର ସ୍ୱୟଂବରା ହେବାକୁ ମନସ୍ଥ କରିଛନ୍ତି । ତେଣୁ ବିଦର୍ଭ ନଗରୀରେ ବିପୁଳ ଆୟୋଜନ ହେଉଛି ।”

ସୁଦେବ ପଚାରିଲେ, “ଯଦି ରାଜା ଏହି ସ୍ୱୟଂବର କେବେ ହେଉଛି ଓ କେଉଁମାନେ ଏଥିରେ ଯୋଗ ଦେବାକୁ ଆସୁଛନ୍ତି ବୋଲି ଜାଣିବାକୁ ଚାହିଁବେ, ସେ କ’ଣ ଉତ୍ତର ଦେବେ ?”

ଦମୟନ୍ତୀ କହିଲେ, “ବହୁ ରାଜା ଓ ରାଜପୁତ୍ର ଆସୁଛନ୍ତି ବୋଲି ଆପଣ ଶୁଣିଥିବା କଥା କହିବେ ଓ ଦିନଗଣନା କରି କହିବେ ଯେ ଆଗାମୀ କାଲି ତାହା ନିଷ୍ପନ୍ନ ହେବ । ଯଦି ସେ ସ୍ୱୟଂବରକୁ ଯିବାକୁ ଚାହାଁନ୍ତି ତେବେ ଶୀଘ୍ର ଗମନ କରନ୍ତୁ ।”

ସୁଦେବ ସମ୍ମତ ହେଲେ । ଏ କଥା ବିଦର୍ଭର ରାଣୀମା’, କନ୍ୟା ଓ ବ୍ରାହ୍ମଣଙ୍କ ମଧ୍ୟରେ ହିଁ ସୀମିତ ରହିଲା । ନିକଟତମ ଲୋକେ ମଧ୍ୟ ଏ ଗୋପନ ଯୋଜନା ସମ୍ପର୍କରେ ଅଜ୍ଞାତ ରହିଲେ ।

ଅଯୋଧ୍ୟା ନଗରୀରେ ପହଞ୍ଚି ଜଣେ ପରିବ୍ରାଜକ ବ୍ରାହ୍ମଣ ଭାବରେ ସୁଦେବ ନିଜର ପରିଚୟ ଦେଇ ରାଜସଭାରେ ରାଜା ଋତୁପର୍ଣ୍ଣଙ୍କୁ ଏ ବିଷୟ ଅବଗତ କରାଇଲେ ।

ବାମନ ବାହୁକ ରୂପରେ ସେଠାରେ ଉପସ୍ଥିତ ଥିବା ରାଜା ନଳଙ୍କର ଏ ସମ୍ୱାଦ ଶୁଣି ହୃଦୟ ବିଦୀର୍ଣ୍ଣ ହୋଇଗଲା । ସେ ବିଶ୍ୱାସ କରିପାରିଲେ ନାହିଁ ଯେ ପତିବ୍ରତା ସତୀ ଦମୟନ୍ତୀ ଏପରି ଏକ ନିଷ୍ପତ୍ତି ନେଇଛନ୍ତି । ହୁଏତ ତାଙ୍କ ନିକଟରୁ ଦୀର୍ଘକାଳ ଭିନ୍ନ ହୋଇ ରହିବା ଫଳରେ ତାଙ୍କର ସ୍ନେହଭଙ୍ଗ ହୋଇଛି । ତା’ ଛଡ଼ା ସେ ସ୍ୱାମୀ ଭାବରେ ତାଙ୍କ ପ୍ରତି ଯେଉଁ ଅନ୍ୟାୟ, ଅବିଚାର ଓ ପ୍ରତାରଣା କରିଛନ୍ତି ତାହାକୁ ସେ ବା କିପରି କ୍ଷମା କରିପାରିବେ ! ସେ ତ ନିଜ ବିଚାରରେ ମଧ୍ୟ କ୍ଷମାର ଯୋଗ୍ୟ ନୁହଁନ୍ତି । କିନ୍ତୁ ତାଙ୍କ ଭିତରୁ ପ୍ରେମ ଓ ପ୍ରତ୍ୟୟର କ୍ଷୀଣ ସ୍ୱରଟିଏ କହୁଥିଲା ଦମୟନ୍ତୀଙ୍କର ଏସବୁ ଯୋଜନା ସ୍ୱାମୀଙ୍କୁ ଫେରି ଆସିବାର ଶେଷ ପ୍ରୟାସ ନୁହେଁ ତ । କିନ୍ତୁ କିପରି ଜାଣିବେ ସେ ! ଆସନ୍ତାକାଲି ଯେ ସ୍ୱୟଂବର !

ମାନସିକ ଯନ୍ତ୍ରଣା ଓ ଉଦ୍‌ବେଗରେ ଅସ୍ଥିର ହେଉଥିବା ନଳଙ୍କୁ ପାଖକୁ ଡାକି ରାଜା ଋତୁପର୍ଣ୍ଣ କହିଲେ “ମୁଁ ଶୁଣିଛି ବିଦର୍ଭର ରାଜକନ୍ୟା ଅପୂର୍ବ ରୂପଲାବଣ୍ୟର ଅଧିକାରିଣୀ । ତାଙ୍କ ପରି ସୁନ୍ଦରୀ ଏ ଜଗତରେ ଦୁର୍ଲ୍ଲଭ ! ସେ ରାଜା ନଳଙ୍କୁ ବିବାହ କରିବା ପରେ ତାଙ୍କ ବିଷୟରେ ଚିନ୍ତା କରିବା ପାପ ବୋଲି ଲୋକେ ବିଚାର କରୁଥିଲେ । ଯଦି ସେ ସ୍ୱାମୀଙ୍କ ଦ୍ୱାରା ପରିତ୍ୟକ୍ତା ହୋଇ ଦ୍ୱିତୀୟ ବିବାହରେ ଆଗ୍ରହ ପ୍ରକାଶ କରି ସ୍ୱୟଂବର ଆୟୋଜନ କରିଛନ୍ତି ତେବେ ମୁଁ ମଧ୍ୟ ସେଥିରେ ଯୋଗ ଦେବାକୁ ଚାହେଁ । କିନ୍ତୁ ହେ ବାହୁକ, ସମୟ ସ୍ୱଳ୍ପ । ଆଗାମୀ କାଲି ସ୍ୱୟଂବର । ଅଯୋଧ୍ୟାରୁ ବିଦର୍ଭ ଅନେକ ଦୂର ପଥ । ଏତେ ସ୍ୱଳ୍ପ ସମୟ ମଧ୍ୟରେ ଆମର ସେଠାରେ ପହଞ୍ଚିବା ସମ୍ଭବ ହେବ କି !”

ତତ୍‌କ୍ଷଣାତ୍ ନଳ ଉତ୍ସାହିତ ହୋଇ କହିଲେ, “ହଁ ମହାରାଜ ! ସମ୍ଭବ ! ମୁଁ ଅଶ୍ୱମାନଙ୍କୁ ପବନ ବେଗରେ ଚାଳନା କରିପାରିବି । ଆପଣ ପ୍ରସ୍ତୁତ ହୁଅନ୍ତୁ ।”

ଋତୁପର୍ଣ୍ଣ ଯାତ୍ରା ପାଇଁ ପ୍ରସ୍ତୁତ ହେଲେ । ନଳଙ୍କର ଉତ୍କଣ୍ଠା ବଢ଼ି ଚାଲିଥିଲା । ସେ ମଧ୍ୟ ନିଜେ ବିଦର୍ଭ ନଗରୀରେ ପହଞ୍ଚି ସତ୍ୟ କ’ଣ ଜାଣିବା ପାଇଁ ବ୍ୟାକୁଳ ହେଉଥିଲେ ।

ବାହୁକ ଅଶ୍ୱଶାଳାରୁ ଖୋଜି ଖୋଜି ଉତ୍ତମ ଲକ୍ଷଣଯୁକ୍ତ, ଦୂରଗମନରେ ସମର୍ଥ ଚତୁଷ୍ଟୟ ଅଶ୍ୱଙ୍କୁ ରଥରେ ଯୋଚନା କଲେ ଓ ଅନ୍ୟ ଜଣେ ସାରଥି ବାଷ୍ଣେୟଙ୍କୁ ମଧ୍ୟ ସାଥିରେ ରଖିଲେ ।

ଯାତ୍ରା ଆରମ୍ଭ ହେଲା । ବାହୁକଙ୍କର ରଥଚାଳନାର ଦକ୍ଷତା ଦେଖି ବାଷ୍ଣେୟ ମନେ ମନେ ଭାବିଲେ, ଇଏ ଏକ ଅଶ୍ୱତତ୍ତ୍ୱଙ୍କ ଶାଳୀହୋତ୍ର ବାହୁକ ରୂପରେ ବିଜେ ହୋଇଛନ୍ତି ନା ଇଏ ରାଜା ନଳ ? ନଳଙ୍କ ପାଖରେ ଥାଇ କାର୍ଯ୍ୟ କରିଥିବା ବାଷ୍ଣେୟ ରାଜାଙ୍କର ଅଶ୍ୱଚାଳନାର ଦକ୍ଷତା ଓ ସ୍ୱତନ୍ତ୍ର ରୀତି ବିଷୟରେ ଜାଣିଥିଲେ । ତେଣୁ ସେ ତାଙ୍କୁ ନଳ ବୋଲି ଚିନ୍ତା କରୁଥିଲେ ବି ତାଙ୍କର ବିରୂପ ଦେଖି ଭ୍ରମରେ ପଡ଼ିଯାଉଥିଲେ । ବାଷ୍ଣେୟଙ୍କ ମନରେ ଦ୍ୱନ୍ଦ୍ୱ ଲାଗି ରହିଥିଲା ।

ଋତୁପର୍ଣ୍ଣ ବାୟୁବେଗରେ ଯାଉଥିବା ରଥରେ ଉପବେଶନ କରି ଚମତ୍କୃତ ହେଉଥିଲେ । ବାହୁକ ସାରଥି ଭାବରେ ନିଯୁକ୍ତ ହେବା ପରଠାରୁ ଏହା ଥିଲା ତାଙ୍କର ପ୍ରଥମ ଦୂରଯାତ୍ରା ।

ଦ୍ରୁତଗାମୀ ଅଶ୍ୱଙ୍କ ଦ୍ୱାରା ଆକର୍ଷିତ ହୋଇ ରଥ ତ୍ୱରିତ ବେଗରେ ଗମନ କରିବା ଫଳରେ ସମ୍ମୁଖରୁ ବାୟୁର ଆଘାତ ମଧ୍ୟ ବୃଦ୍ଧି ପାଉଥିଲା । ରଥ ଉପରେ ଉପବେଶନ କରିଥିବା ରାଜା ଋତୁପର୍ଣ୍ଣଙ୍କ ସ୍କନ୍ଧରେ ଥିବା ଉତ୍ତରୀୟ ବାୟୁଚାଳିତ ହୋଇ ପଛକୁ ଉଡ଼ିଯିବାରୁ ରାଜା ରଥ ଅଟକାଇବାକୁ ନିର୍ଦ୍ଦେଶ ଦେଲେ । କିନ୍ତୁ ବାହୁକ କହିଲେ ଇତ୍ୟବସରରେ ରଥ ବହୁପଥ ଅତିକ୍ରମୀ ଯାଇଥିବାରୁ ଉତ୍ତରୀୟ ସଂଗ୍ରହ ପାଇଁ ବହୁ ସମୟ ନଷ୍ଟ ହୋଇଯିବ । ବିଦର୍ଭ ନଗରୀରେ ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚିବା ସମ୍ଭବ ହେବନାହିଁ । ରାଜା ଋତୁପର୍ଣ୍ଣ ନିରବ ରହିଲେ ।

କିଛି ପଥ ଅତିକ୍ରମ କରିବା ପରେ ବାହୁକ ଅଶ୍ୱମାନଙ୍କର ବିଶ୍ରାମ ପାଇଁ ଏକ ଫଳିତ ବିଭୀତକ ବୃକ୍ଷମୂଳରେ ରଥ ରଖିଲେ । ଋତୁପର୍ଣ୍ଣ ବାହୁକଙ୍କର ଅଶ୍ୱବିଦ୍ୟାର ନିପୁଣତା ଲକ୍ଷ୍ୟ କରି ନିରବ ରହିଥିଲେ ମଧ୍ୟ ନିଜର କିଛି ବିଶେଷ ଗୁଣ ପ୍ରଦର୍ଶନ କରିବାକୁ ଚାହୁଁଥିଲେ ।

ସେ ବାହୁକଙ୍କ ଉଦ୍ଦେଶ୍ୟରେ କହିଲେ, “ହେ ସାରଥି, ସମସ୍ତେ ସବୁ ବିଷୟରେ ଜାଣନ୍ତି ନାହିଁ । କେହି ସର୍ବଜ୍ଞ ନୁହଁନ୍ତି । କାରଣ ଜଣକଠାରେ ସବୁ ଜ୍ଞାନ ରହିବା ସମ୍ଭବ ନୁହେଁ । ଅଶ୍ୱଚାଳନାରେ ତୁମେ ଯେପରି ନିପୁଣ ମୁଁ ମଧ୍ୟ ସେହିପରି ସଂଖ୍ୟାଗଣନରେ ଦକ୍ଷ । ହେଇ ଦେଖ ଏହି ବିଭୀତକର ଦୁଇ ଶାଖାରେ ପାଞ୍ଚକୋଟି ପତ୍ର ଓ ଦୁଇସହସ୍ର ପଞ୍ଚନବତି ଫଳ ଅଛି । ତୁମ୍ଭେ ସେହି ଶାଖାର ପତ୍ର ଓ ଫଳ ଗଣି ଦେଖିପାର ।”

ବାହୁକ ଆଶ୍ଚର୍ଯ୍ୟ ହୋଇ କହିଲେ “ବୃକ୍ଷରେ ଥିବା ଅବସ୍ଥାରେ ଏହା ଗଣିବା ସମ୍ଭବ ନୁହେଁ । ତେଣୁ ମୁଁ ସେହି ଶାଖାଦ୍ୱୟ ଛେଦନ କରି ପତ୍ର ଓ ଫଳର ସଂଖ୍ୟା ନିର୍ଣ୍ଣୟ କରିବି ।”

ଋତୁପର୍ଣ୍ଣ ମୃଦୁହାସ କରି କହିଲେ “ଏବେ ତ ବିଳମ୍ୱ କରିବାର ସମୟ ନୁହେଁ । ଆମ୍ଭେ ତ ଲକ୍ଷ୍ୟସ୍ଥାନରୁ ଅନେକ ଦୂରରେ ଅଛେ ।”

ବାହୁକ ତାଙ୍କ କଥାରେ ଉତ୍ତର ଦେଲେ ଯେ “ସେ ଗଣିବାଯାଏ ରାଜା ଅପେକ୍ଷା କରନ୍ତୁ ନ ତୁବା ସାରଥି ବାଷ୍ଣେୟଙ୍କୁ ରଥରେ ନେଇ ଗମନ କରନ୍ତୁ ।”

ଋତୁପର୍ଣ୍ଣ ଆଉ କିଛି ନ କହି ଅପେକ୍ଷା କଲେ । ବାହୁକ ତତ୍‌କ୍ଷଣାତ୍ ବିଭୀତକ ବୃକ୍ଷ ଆରୋହଣ କରି ଉକ୍ତ ଶାଖାଦ୍ୱୟ ଛେଦନ କରି ଭୂମିକୁ ଆଣିଲେ ଓ କ୍ଷିପ୍ର ଭାବରେ ସେସବୁ ଗଣିବାକୁ ଲାଗିଲେ । ଗଣନା ସରିଲା ।

ବାହୁକ ବିସ୍ମୟାବିଷ୍ଟ ଚିତ୍ତରେ ରାଜା ଋତୁପର୍ଣ୍ଣଙ୍କୁ ଚାହିଁ କହିଲେ, “ବଡ଼ ଆଶ୍ଚର୍ଯ୍ୟ କଥା, ଆପଣ ଯେଉଁ ସଂଖ୍ୟା କହିଥିଲେ ଏ ଦୁଇ ଶାଖାରେ ସେହି ସମସଂଖ୍ୟକ ପତ୍ର ଓ ଫଳ ରହିଛି । ଏହା କିପରି ସମ୍ଭବ ହେଲା ? ଆପଣ କେଉଁ ବିଦ୍ୟାବଳରେ ଏସବୁ ଜାଣିପାରିଲେ ? ମତେ ଦୟାକରି କହିବା ହୁଅନ୍ତୁ ।”

ଋତୁପର୍ଣ୍ଣ ନିଜର ବିଦ୍ୟା ପ୍ରଦର୍ଶନ କରି ଏକପ୍ରକାର ଆତ୍ମସନ୍ତୋଷ ଅନୁଭବ କରୁଥିଲେ ବି ଶୀଘ୍ର ଗମନ ପାଇଁ ତତ୍ପର ହୋଇଉଠିଲେ । ତେବେ ଇତ୍ୟବସରରେ ବାହୁକଙ୍କ ସ୍ୱଭାବ ବିଷୟରେ ତାଙ୍କର ବେଶ୍ ଧାରଣା ହୋଇଯାଇଥିଲା । ତାଙ୍କ ପ୍ରଶ୍ନର ଉତ୍ତର ନ ପାଇଲେ ସେ ହୁଏତ ରଥଚାଳନା ନ କରି ପାରନ୍ତି । ତେଣୁ ଋତୁପର୍ଣ୍ଣ ତାଙ୍କୁ ଉତ୍ତର ଦେଲେ, “ଆମ୍ଭେ ଦ୍ୟୁତକ୍ରୀଡ଼ାର ନିଗୁଢ଼ ତତ୍ତ୍ୱ ବିଷୟରେ ସମସ୍ତ କଥା ଜାଣିଅଛୁ । ତେଣୁ ଆମ୍ଭେ ଗଣନା ବିଷୟରେ ବିଶାରଦ !”

ବାହୁକ ତତ୍ପର ହୋଇ କହିଲେ, “ମହାରାଜ ଆପଣ ଆମ୍ଭଠାରୁ ଅଶ୍ୱବିଦ୍ୟା ଗ୍ରହଣ କରନ୍ତୁ ଓ ତା’ର ପ୍ରତିବଦଳରେ ଆପଣଙ୍କର ଅକ୍ଷଜ୍ଞାନ ମତେ ପ୍ରଦାନ କରନ୍ତୁ ।”

ଋତୁପର୍ଣ୍ଣ ସମ୍ମତ ହୋଇ କହିଲେ “ଆମ୍ଭର ଅଶ୍ୱବିଦ୍ୟା ଏବେ ତୁମ୍ଭଠାରେ ସୁରକ୍ଷିତ ଥାଉ । ଆମ୍ଭେ ପରେ ତାହା ଗ୍ରହଣ କରିବୁ । କିନ୍ତୁ ତୁମ୍ଭେ ଆଗ୍ରହ କରୁଥିବାରୁ ବର୍ତ୍ତମାନ ଅକ୍ଷବିଦ୍ୟା ତୁମ୍ଭକୁ ପ୍ରଦାନ କରୁଛି ।”

ସ୍ୱଳ୍ପ ସମୟ ମଧ୍ୟରେ ରାଜା ଋତୁପର୍ଣ୍ଣ ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ନଳଙ୍କୁ ଅକ୍ଷବିଦ୍ୟାର ନିଗୂଢ଼ ତତ୍ତ୍ୱ ବୁଝାଇ ଦେଲେ । ନଳ ଉକ୍ତ ଜ୍ଞାନ ଆୟତ୍ତ କରିବା ସଙ୍ଗେ ତାଙ୍କ ଶରୀରରେ ଏଯାବତ୍ ବାସ କରୁଥିବା କଳି କର୍କୋଟକ ନାଗର ବିଷକୁ ବମନ କରି କରି ତାଙ୍କ ଦେହରୁ ନିର୍ଗତ ହେଲା । ହାତ ଯୋଡ଼ି ନିଜର କୁକର୍ମ ପାଇଁ ନଳଙ୍କୁ କ୍ଷମାପ୍ରାର୍ଥନା କଲା । ଅସୂୟାବଶତଃ ସେ ନଳଙ୍କର ବହୁ କ୍ଷତି କରିଛି ଓ ସେଥିପାଇଁ ଦଣ୍ଡ ଭୋଗ କରିଥିବା କଥା ମଧ୍ୟ କହିଲା । କର୍କୋଟକର ଦଂଶନ ଜନିତ ଯନ୍ତ୍ରଣା ଓ ଦମୟନ୍ତୀଙ୍କ ଅଭିଶାପର ଜ୍ୱାଳାରେ ଅହରହ ତାପିତ ପୀଡ଼ିତ ହେଉଥିଲେ ବି ତାଙ୍କ ଶରୀରରୁ ନିର୍ଗତ ହୋଇ ପାରୁନଥିଲା । ନଳ ଅକ୍ଷବିଦ୍ୟା ଆୟତ କରିବା ପରେ ତା’ର ନିଷ୍କ୍ରମଣ ସମ୍ଭବ ହୋଇଛି । ବିନା କାରଣରେ ନଳଙ୍କ ସହ ଶତ୍ରୁତା କରିଥିବାରୁ ଅନୁଶୋଚନା କରି ନଳଙ୍କୁ ସେ ବହୁ କୀର୍ତ୍ତି ଭାଜନ କରିବେ ବୋଲି କଳି ବିନୀତ ନିବେଦନ କଲେ ଏବଂ ଯେଉଁ ବ୍ୟକ୍ତି ନଳଙ୍କର ନାମ ସ୍ମରଣ ବା ଉଚ୍ଚାରଣ କରିବ କଳି ତାହାର କ୍ଷତି କରିବେ ନାହିଁ ବୋଲି ମଧ୍ୟ ଘୋଷଣା କଲେ ।

ନଳ ତାଙ୍କୁ ଉଦାର ଚିତ୍ତରେ କ୍ଷମା କଲେ । କଳି ତାଙ୍କ ଶରୀରରୁ ନିର୍ଗତ ହୋଇଯାଇଥିବାରୁ ତାଙ୍କ ଶରୀର ରୋଗମୁକ୍ତ ହୋଇଗଲା । ସେ ଖୁବ୍ ସୁସ୍ଥ ମନେ କଲେ । କେବଳ ରୂପର ପରିବର୍ତ୍ତନ ହେଲାନାହିଁ ସତ କିନ୍ତୁ ଏ ପର୍ଯ୍ୟନ୍ତ ଅଜଣା ପୀଡ଼ା ଭୋଗ କରୁଥିବା ନଳଙ୍କର ଶରୀର ଓ ପ୍ରାଣରେ ଅଫୁରନ୍ତ ଶକ୍ତି ଜାଗ୍ରତ ହୋଇଗଲା । କଳି ସହିତ ତାଙ୍କର କଥୋପକଥନ ସମସ୍ତଙ୍କୁ ଅଜ୍ଞାତ ରହିଲା ।

ଏଥର ନଳ ସ୍ୱଚ୍ଛନ୍ଦରେ ଅଧିକ ବେଗରେ ରଥଚାଳନା କରି ସୂର୍ଯ୍ୟାସ୍ତ ପୂର୍ବରୁ ବିଦର୍ଭ ରାଜ୍ୟର ସୀମାରେ ଉପନୀତ ହେଲେ । ଧୀରେ ଧୀରେ ନଗର ମଧ୍ୟକୁ ପ୍ରବେଶ କଲେ । ଋତୁପର୍ଣ୍ଣଙ୍କର ରଥର ନିର୍ଘୋଷ ମେଳମାଳାର ଗମ୍ଭୀର ଧ୍ୱନି ପରି ଚତୁର୍ଦ୍ଦିଗକୁ ପ୍ରସରି ଗଲା । ଅନ୍ତଃପୁରରେ ଥାଇ ସେ ଶବ୍ଦ ଶୁଣିପାରିଲେ ଦମୟନ୍ତୀ । ଚମକିତ ହୋଇ ଗବାକ୍ଷ ପାଖକୁ ଧାଇଁ ଆସିଲେ । ନଳରାଜା ସ୍ୱୟଂ ଅଶ୍ୱରଶ୍ମି ଧରି ରଥ ଚଳାଇଲେ ଯେପରି ନିର୍ଘୋଷ ହୁଏ ତାହା ସେହିପରି ଥିଲା ।

ବାଷ୍ଣେୟଙ୍କ ଦ୍ୱାରା ରଥଯୁକ୍ତ ହୋଇ ତିନିବର୍ଷ ତଳେ ଆସିଥିବା ନିଷଧରାଜାଙ୍କର ଚତୁଷ୍ଟୟ ଅଶ୍ୱ ମଧ୍ୟ ଅଶ୍ୱଶାଳାରେ ଉତ୍କର୍ଣ୍ଣ ହୋଇ ଉଠିଲେ । ନିଜର ପ୍ରିୟ ମୁନିବଙ୍କର ନିକଟ ଉପସ୍ଥିତି ସେମାନେ ବାରିପାରି ହ୍ରେଷାରବ କରିବାକୁ ଲାଗିଲେ ।

ଅଯୋଧ୍ୟାପତିଙ୍କର ଅଚାନକ ଆଗମନର କାରଣ ରାଜା ଭୀମସେନ ଅନୁମାନ କରିପାରୁନଥିଲେ । ତାଙ୍କ ପକ୍ଷରୁ କୌଣସି ନିମନ୍ତ୍ରଣ ନ ଥାଇ ବା ପୂର୍ବରୁ କୌଣସି ସମ୍ୱାଦ ନ ଦେଇ ମହାରାଜ ଋତୁପର୍ଣ୍ଣ ଏକାକୀ ରଥରେ ଆସି ପହଞ୍ଚିବାର ଉଦ୍ଦେଶ୍ୟ କ’ଣ ହୋଇପାରେ । କିନ୍ତୁ ସେ ଆସି ସାରିଥିବାରୁ ତାଙ୍କୁ ରାଜକୀୟ ସମ୍ୱର୍ଦ୍ଧନା ତ ଦେବାକୁ ହେବ । ରାଜା ଭୀମସେନଙ୍କ ନିର୍ଦ୍ଦେଶରେ ପାତ୍ର ମନ୍ତ୍ରୀ ଓ ଅନୁଚରବର୍ଗ ଯଥାଶୀଘ୍ର ଅଯୋଧ୍ୟାପତିଙ୍କୁ ସ୍ୱାଗତ କରିବାର ବ୍ୟବସ୍ଥାରେ ଲାଗି ପଡ଼ିଲେ ।

ନଗରରେ ପ୍ରବେଶ କରି ଋତୁପର୍ଣ୍ଣ ଖୁବ୍‌ଶୀଘ୍ର ପ୍ରାସାଦ ନିକଟରେ ପହଞ୍ଚିଗଲେ । ସେ ଚତୁପାର୍ଶ୍ୱକୁ ନିରୀକ୍ଷଣ କରି ଆଶ୍ଚର୍ଯ୍ୟ ହେଲେ ଯେ ରାଜକନ୍ୟାଙ୍କ ସ୍ୱୟଂବର ବ୍ୟବସ୍ଥାର କୌଣସି ସୂଚନା ଜଣାପଡୁନାହିଁ । ନାଁ କୌଣସି ସାଜସଜ୍ଜା ଅଛି ନା ଆଡ଼ମ୍ୱର । ଅନ୍ୟ କୌଣସି ରାଜା ବା ରାଜପୁତ୍ରଙ୍କର ଆଗମନ ଘଟିଥିବାର ମଧ୍ୟ ଜଣାପଡୁନି । ବରଂ ପରିବେଶରେ ନିରବତା ଅଧିକ ପରିମାଣରେ ରାଜତ୍ୱ କରୁଛି । ତେଣୁ ସେ କିଛି ନ ଜାଣି ସ୍ୱୟଂବର କଥା କହି ଉପହସିତ ହେବେନି ତ ।

ପ୍ରାସାଦ ସମ୍ମୁଖରେ ରଥ ରହିଲା । ମହାରାଜ ଋତୁପର୍ଣ୍ଣ ରଥରୁ ଅବତରଣ କଲେ । ବିଦର୍ଭ ନରେଶ ଭୀମସେନ ତାଙ୍କୁ ସ୍ୱାଗତ ଜଣାଇ ପ୍ରାସାଦ ମଧ୍ୟକୁ ନିମନ୍ତ୍ରଣ କରିନେଲେ । ଋତୁପର୍ଣ୍ଣ ଆସନ ଗ୍ରହଣ କରିବାପରେ ଭୀମସେନ ଜାଣିବାକୁ ଚାହିଁଲେ ତାଙ୍କ ଆଗମନର କାରଣ । କିନ୍ତୁ ଋତୁପର୍ଣ୍ଣ ସହଜ ହୋଇ କହିଲେ “ସେ ବିଦର୍ଭ ପଥ ଦେଇ ଅନ୍ୟକାମରେ ଯାଉଥିବାବେଳେ ରାଜା ଭୀମଙ୍କର କୁଶଳ ଜିଜ୍ଞାସା କରିବାକୁ ଚାଲିଆସିଛନ୍ତି ।”

ତାଙ୍କର ଉତ୍ତର ଭୀମଙ୍କୁ ସନ୍ତୁଷ୍ଟ କଲାନାହିଁ । କିନ୍ତୁ ସେ ଉପରେ ହସି ହସି ଋତୁପର୍ଣ୍ଣଙ୍କର ଏ ସହୃଦୟତା ନିମନ୍ତେ ଧନ୍ୟବାଦ ଜଣାଇଲେ ।

ଏଣେ ପ୍ରାସାଦର ଉପରିଭାଗରେ ଛିଡ଼ା ହୋଇ ଦମୟନ୍ତୀ ଋତୁପର୍ଣ୍ଣଙ୍କର ରଥକୁ ନିରୀକ୍ଷଣ କରୁଥାନ୍ତି । ବାଷ୍ଣେୟଙ୍କୁ ତ ସେ ଜାଣନ୍ତି । ଅନ୍ୟ ସାରଥି ଉପରେ ତାଙ୍କର ଦୃଷ୍ଟି ନିବଦ୍ଧ ଥିଲା । ଏପରି କୁରୂପ ବ୍ୟକ୍ତି ଭିତରେ ସୌମ୍ୟଦର୍ଶନ ରାଜା ନଳଙ୍କୁ କିପରି ଖୋଜା ଯାଇପାରିବ । କିନ୍ତୁ ଏହି ବ୍ୟକ୍ତି ବ୍ରାହ୍ମଣ ପର୍ଣ୍ଣାଦଙ୍କ ନିକଟରୁ ଦମୟନ୍ତୀଙ୍କ କଥାର ବିବରଣୀ ଶୁଣି ଏପରି ପ୍ରତିକ୍ରିୟା ପ୍ରକାଶ କଲେ କିପରି ? ପକ୍ଷୀଦ୍ୱାରା ଅପହୃତ ବସ୍ତ୍ର ପରି ଗୋପନୀୟ ଘଟଣା ଏ ବ୍ୟକ୍ତି ବା କିପରି ଜାଣିଲେ ?

ଦମୟନ୍ତୀ କୌଣସି ପ୍ରକାରେ ସନ୍ଦେହମୁକ୍ତ ହୋଇପାରୁନଥିଲେ । ତାଙ୍କର ହୃଦୟ କହୁଥିଲା ଋତୁପର୍ଣ୍ଣଙ୍କର ଅଶ୍ୱବିଦ୍ୟା ନିପୁଣ ସାରଥି ବାହୁକ ନିଶ୍ଚୟ ନଳ, କିନ୍ତୁ ଆଖି ତାକୁ ଅସ୍ୱୀକାର କରୁଥିଲା । ମନ ଯୁକ୍ତି କରୁଥିଲା ରୂପରେ ଏପ୍ରକାର ପରିବର୍ତ୍ତନ କାହାରି କ୍ଷେତ୍ରରେ ସମ୍ଭବ ନୁହେଁ । ତେଣୁ ଏ ବ୍ୟକ୍ତି କେବେ ବି ନଳ ନୁହଁନ୍ତି ।

କିନ୍ତୁ ଦମୟନ୍ତୀଙ୍କର ହୃଦୟ ଏ ସମସ୍ତ ଅକାଟ୍ୟ ଯୁକ୍ତିକୁ ଖଣ୍ଡନ କରିଦେଇଥିଲା ।

ତା’ପରେ

ଲୋକପ୍ରିୟ ଲେଖା

To Top