ଗଳ୍ପ

ଭସା ସପନ

Bhasaa Sapana an odia story by Dr Sharat Chandra Parida

ଅତ୍ୟଧିକ ଇମୋସନାଲ ହୋଇ ସେମିନାର ପାଠାଗାରରେ ଦୀପାଳୀଙ୍କର ଗୋରା ଗାଲରେ ସରୁ ଚୁମ୍ୱନଟି ଆଙ୍କି ଦେଇଥିଲେ ରାଜେନ୍ଦ୍ର ଅନ୍ୟମାନଙ୍କ ଅଲକ୍ଷ୍ୟରେ । ମୁଖମଣ୍ଡଳର ଆକାଶରେ ଭଲ ପାଇବାର ଅରୁଣିମା ତଡ଼ିତ୍ ବେଗରେ ଖେଳି ଯାଇଥିଲା ।

ଭସା ସପନ

-: ପୂର୍ବରୁ :-

ଦୀପାଳୀ ରହୁଥିଲେ ଏକ ନୁଆଁଣିଆ ଚାଲଘରେ । ମାଟିର କାନ୍ଥ । ସମ୍ପୂର୍ଣ୍ଣ ଗାଉଁଲି ପରିବେଶ । ଭଡ଼ାଘର । ତଥାପି ଘରର ମୁରବି ଦୀପାଳୀର ମୁରବି । ଦୀପାଳୀର କୁଣିଆ ଘର ମୁରବିଙ୍କ କୁଣିଆ । ହେଲେ ସାଙ୍ଗ କେହି ଜଣେ ପୁରୁଷ ଲୋକକୁ ଅବିବାହିତ କନ୍ୟା ପାଛୋଟି ନେବାଟାକୁ ଆମ ଲୋକେ ନାସା କୁଞ୍ଚନ କରିବା ଏକ ସ୍ୱଭାବିକ କଥା । ଏଇଟା ବିଦେଶ ନୁହେଁ । ରକ୍ଷଣଶୀଳ ଭାରତ ବର୍ଷର ଗାଁ । ଏହାର ଚଳଣି ନିଆରା । ମାଠି ପଡ଼ିଲେ ନବଖଣ୍ଡ । ଦୀପାଳୀଙ୍କ ସାଙ୍ଗରେ ରହୁଥିଲେ କଲେଜ ପଢୁଆ ସାନଭଉଣୀ । ସମୁଚିତ ଆତିଥ୍ୟ ପାଇଥିଲେ ରାଜେନ୍ଦ୍ର । ଜଳଯୋଗ ଚା’ପାନ ପରେ ପାଖ କୋଠରିକୁ ରାଜେନ୍ଦ୍ରଙ୍କୁ ଡାକି ନେଇଥିଲେ ଦୀପାଳୀ ବିଶ୍ରାମ ପାଇଁ । ଅନେକ ଦିନର ଚାବିଦିଆ କଥା ଫରୁଆକୁ ଉଭୟେ ଖୋଲିଲେ । ଆଜି ଉଭୟଙ୍କ ଭିତରେ ଅଫୁରନ୍ତ ଖୁସିର ଫୁଆରା । ମନ ପାଇଚି ମନକୁ । ଖୋଜୁଥିବା ଭଲ ପାଇବା ଆଜି, ହାତ ପାହାନ୍ତାରେ । କାହାର କେତେ ଭାଇ ଭଉଣୀ, ସେମାନେ କ’ଣ ପଢ଼ାପଢ଼ି କରୁଛନ୍ତି, ରାଜେନ୍ଦ୍ରର ପିଲାପିଲି କେତେ ପଢ଼ିଲେଣି, ସ୍ତ୍ରୀ ଦେଖିବାକୁ କେମିତି, ତାଙ୍କର ମତିଗତି ତୁମର ମନଲାଖି ତ, କେଉଁ ସହପାଠୀ କେମିତି- ଏ ସବୁ ବିଷୟରେ ପରସ୍ତ ପରସ୍ତ ହୋଇ ଟୀକା ଟିପ୍ପନୀ ହସାହସି ଭିତରେ ଆଳାପ ଜମିବାକୁ ଲାଗିଲା । ହସ ଭିତରେ ରୋମାଞ୍ଚ ମଧ୍ୟ ଲୁଚି ଲୁଚି ରହି ରହି ଖେଳି ଯାଉଥିଲା ଉଭୟଙ୍କ ଭିତରେ । ମେଘ ଦେହରେ ବିଜୁଳୁ ପରି । କାଳେ ବାକିଆ ସପନଟା ସତ ହେଇ ଯିବ କି ! ମନର ଶିହରଣକୁ ହାତ ଉପରେ ହାତ ରଖି ହୃଦୟ ପାଖରେ ପହଞ୍ଚାଇ ଦେଉଥିଲେ ଉଭୟେ ।

ପାଠ ପଢ଼ିଲା ବେଳେ ରାଜେନ୍ଦ୍ରଙ୍କୁ କେବେ କେମିତି ଦୀପାଳୀ ତୁମେ କେଉଁ ଅଥରଙ୍କ ବହି ପଢୁଚ, କେମିତି ନୋଟ୍ କରୁଚ, ଏମିତି ପଚାରି ଦେଇଥାନ୍ତି । ସେମିନାର ପାଠାଗାରରେ ମଧ୍ୟ ଉଭୟଙ୍କ ନିୟମିତ ଦେଖାହୁଏ । ପାଠ ଆଲୋଚନା ମଧ୍ୟରେ ଦୀପାଳୀଙ୍କ ଅଙ୍ଗ ସୌଷ୍ଟବ ଦେଖି ତାଙ୍କର ସରଳ ଢଳଢଳ ମନଟି ପ୍ରତି ରାଜେନ୍ଦ୍ର ଢଳି ପଡ଼ିଥିଲେ । ସତେ ଯେମିତି ଚାରିଚକ୍ଷୁର ମିଳନ ପାଇଁ ଦୁଇଟି ମନ ଉଦ୍‌ବେଳିତ ହୋଇ ଉଠେ । ଦିନେ ଦୀପାଳୀଙ୍କର ନିଜ ପାଦ ଫୁଲି ଯାଇ ଯନ୍ତ୍ରଣା ହେଉଚି ବୋଲି ରାଜେନ୍ଦ୍ର ସହିତ ଭାବ ବାଣ୍ଟୁଥିଲେ । ରାଜେନ୍ଦ୍ର କେଉଁ ପାଦ ବୋଲି ପଚାରିବାରୁ ଦୀପାଳୀ ନିଜ ପାଦ ଉପରୁ ପିନ୍ଧା ଶାଢ଼ିର ଆବରଣକୁ ଉପରକୁ ଟେକି ଦେଇଥିଲେ । ତୋଫା ଗୋରା ପାଦକୁ ସ୍ପର୍ଶ କରିବା ମାତ୍ରେ ଶିହରିତ ହୋଇ ଉଠିଲେ ରାଜେନ୍ଦ୍ର ସେଦିନ । ଦୀପାଳୀଙ୍କ ପାଦର ଦରଜ ରାଜେନ୍ଦ୍ରଙ୍କର ପ୍ରେମ ଦରଜରେ ରୂପାନ୍ତରିତ ହୋଇ ଯାଇଥିଲା । ଅତ୍ୟଧିକ ଇମୋସନାଲ ହୋଇ ସେମିନାର ପାଠାଗାରରେ ଦୀପାଳୀଙ୍କର ଗୋରା ଗାଲରେ ସରୁ ଚୁମ୍ୱନଟି ଆଙ୍କି ଦେଇଥିଲେ ରାଜେନ୍ଦ୍ର ଅନ୍ୟମାନଙ୍କ ଅଲକ୍ଷ୍ୟରେ । ମୁଖମଣ୍ଡଳର ଆକାଶରେ ଭଲ ପାଇବାର ଅରୁଣିମା ତଡ଼ିତ୍ ବେଗରେ ଖେଳି ଯାଇଥିଲା । ଭଲ ପାଇବାର ଜୁଇରେ ଅନେକ ଦିନ ଜଳିବା ପରେ ଦିନେ ରାଜେନ୍ଦ୍ର ପ୍ରସ୍ତାବ ଦେଇଥିଲେ ଚିରଦିନ ଜୀବନ ସାଥୀ ହୋଇ ରହିବା ପାଇଁ । ନାଇଁ, ମୋର ଅନ୍ୟତ୍ର ବିବାହ ହେବ ବୋଲି ସୂଚେଇ ଦେଇଥିଲେ ଦୀପାଳୀ । ରଞ୍ଜାରେ ଛନଛନ ହୋଇ ମାଡୁଥିବା ଭଲ ପାଇବାର ଲତାଟି ହଠାତ୍ ଧରାଶାୟୀ ହୋଇଯାଇଥିଲା ରାଜେନ୍ଦ୍ରଙ୍କର । ହେଲେ ଦେଇଥିବା ମନଟିକୁ କ’ଣ ଏମିତି ଇଚ୍ଛା ଫେରେଇ ନେଇ ହୁଏ ? ଆତ୍ମୀୟତା ଭରା ବନ୍ଧୁତା ଅକ୍ଷୁର୍ଣ୍ଣ ଥିଲା ସଦ୍ୟ ପ୍ରସ୍ଫୁଟିକ ଗୋଲାପ ପରି । ଭଲ ପାଇବାର ମଧୁର ଅନୁଭୂତି ପ୍ରିୟାର ମୁଖରେ ଉଇଁଲେ ତାହା ଆହୁରି ମଧୁରତର ହୋଇ ଉଠେ । ଦୀପାଳୀ ହଠାତ୍ ମୁହଁ ଖୋଲିଲେ- ତମେ ସେଦିନ ମୋ ଗାଲରେ ସରୁଚୁମାଟି ଦେଇଥିଲ । ମୁଁ ଆଜି ଯାଏ ସାଇତି ରଖିଛି ମନେ ପଡ଼ିଲେ, ଶିହରି ଉଠୁଚି । ତମକୁ ଅନେକ ଖୋଜିଚି । ତୁମେ ମୋ ଭଲ ପାଇବାର ନୀଡ଼କୁ ଏମିତି ଆସି ହଠାତ୍ ଉଡ଼ିଯିବ ବୋଲି ମୁଁ କେବେ ଭାବି ନଥିଲି । ଏ ବିଗତ ସ୍ମୃତିର ମଧୁରିମାରେ କ’ଣ ଅନେକବାର ପୁଲକିତ ମୁଗ୍ଧ ହୋଇ ନାହାନ୍ତି ରାଜେନ୍ଦ୍ର । କିନ୍ତୁ ଆଜି ପ୍ରିୟାଠାରୁ ଶୁଣି ରୋମାଞ୍ଚିତ ହୋଇ ଉଠୁଛନ୍ତି । ଖନି ବାଜି ଯାଉଥିବା ପାଟିକୁ ଠିକ୍ ସଞ୍ଚାଳିତ କରି ରାଜେନ୍ଦ୍ର ବାଷ୍ପରୁଦ୍ଧ କଣ୍ଠରେ କହିଲେ- ତୁମେ ତ ଭଲ ପାଇବାର ଅଙ୍କୁରିତ ଭାବନାକୁ ନିଜେ ନିର୍ମୂଳ କରି ଦେଇଥିଲ ନିଜେ ନିଜେ, ତୁମ ଇଚ୍ଛାକୁ ସମ୍ମାନ ଜଣାଇ ମୁଁ ବହୁତ କଷ୍ଟରେ ନିଜକୁ ସମ୍ଭାଳି ନେଇଥିଲି । କିନ୍ତୁ କାହିଁ ତୁମ ସିନ୍ଦୂର । ତୁମେ ଯାହାଙ୍କୁ ଭଲ ପାଉଥିଲ, ବିବାହ କରିବ ବୋଲି କହୁଥିଲ, କ’ଣ ହେଲା ସେ କଥା ?

ହଁ, ରାଜେନ୍ଦ୍ର ସେ ଏକ ବିରାଟ ଧକ୍କା । କୌଣସି ମତେ ତଳେ ପଡ଼ି ଯାଇଥିବ ଆଶା ଲତାଟି ଆଉ ଗୋଟିଏ ରଞ୍ଜାରେ ମଡ଼ାବାକୁ ଚେଷ୍ଟା କଲି । ଭଲ ପାଇବାର ବାହାନା କରି ମୋତେ ଦ୍ୱିତୀୟ ଜଣକ ଶୋଷଣ କଲେ । ମୋ ଠାରୁ ସବୁ କିଛି ନେଇଗଲା ପରେ ଅପବାଦର ପୁରସ୍କାର ଦେଇ ଦୂରେଇ ଗଲେ । ତଥାପି ସଂସାର ଗଢ଼ିବାର ଦୁର୍ବାର ସ୍ୱପ୍ନରେ ମୁଁ ମସଗୁଲ ହେଉଥିଲି । ଅବୁଝା ମନର ଆଇନାରେ ମୋ ମୁହଁ ଦେଖୁ ଥିଲି । ପୁଣି ଆଶ୍ରୟ ଖୋଜି ଚାଲିଲା ମନ । ଜଣେ ବ୍ୟକ୍ତି ଭଦ୍ରବ୍ୟକ୍ତିର ମୁଖାପିନ୍ଧି ସମ୍ପର୍କ ଯୋଡ଼ିଲେ । ଭାବିଲି ଯାହା ହେଉ ଜୀବନ ଜଳଧିକୁ ପାରିହେବା ପାଇଁ ନୌକାଟିଏ ମିଳିଗଲା । ତମେ ତ ଜାଣିଚ ମୁଁ ଲୋକମାନଙ୍କୁ ଅବିଶ୍ୱାସ କରିପାରେ ନାଇଁ । କଠୋର ହୋଇ ପାରେ ନାଇଁ । ସେ ମୋତେ ବହୁତ କଷଣ ଦେଲେ । ସେ ମୋତେ ଶୋଷଣ କଲେ । ଶେଷରେ ମୋର ସବୁ ଭରସା ଧୂଳିସାତ୍ ହେଲା । ଭଅଁର ଆସି ଫୁଲରୁ ମଧୁ ଶୋଷି ପଳାଇଗଲା ପରେ ଫୁଲ ପରେ ଫୁଲ କ’ଣ ତା’ ପଛରେ ଅନୁଧାବନ କରି ପାରେ କି ? ମୁଁ ତ ସେ ପଦ୍ମ ନୁହେଁ ଭଅଁରକୁ ରାତିସାରା ବନ୍ଦୀ କରି ତା’ର ମୃତ୍ୟୁର କାରଣ ହେବି । ମୁଁ ଭଲପାଇବାର ବସା ବାନ୍ଧିବା ପାଇଁ କାଠିକୁଟା ସଂଗ୍ରହ କଲା ବେଳକୁ କାଉ ଆସି ତାକୁ ବାରବାର ଭାଙ୍ଗି ଦେଇଚି । ମୁଁ ଥରକୁ ଥର ଅପଦସ୍ତ ହୋଇଚି । ଯୌବନ ସହିତ ଧନ ବି ଶୋଷି ହୋଇ ଯାଇଚି ମୋର ।

ଘର ଲୋକେ ଏ ଦିଗରେ ସଫଳତା ଆଣିବା ପାଇଁ ଦିନେ ହେଲେ ଚିନ୍ତା କଲେ ନାଇଁ । ଚେଷ୍ଟା କୁଆଡୁ ଆସିବ । ବୟସ କ’ଣ କାହାକୁ ଅପେକ୍ଷା କରେ । ଯୌବନର ନଈ ସାଗରର ସ୍ପର୍ଶ ନ ପାଇଲେ ଶୁଖି ଶୁଖି ସରିଯାଏ ଅଧାବାଟରେ । ଘରର ସବୁ ସଦସ୍ୟଙ୍କ ଦୃଷ୍ଟି ମୋ ବିବାହ ଉପରେ ନୁହେଁ, ମୋ ରୋଜଗାର ଉପରେ । ଏ ମୋ ସାନ ଭଉଣୀ ଝିଲି । ଯୁକ୍ତ ଦୁଇ ବିଜ୍ଞାନ ପଢ଼ିଲା ପରେ ଆଉ ପଢ଼ାଇ ହେବ ନାଇଁ ବୋଲି ବାପା ସିଧାସଳଖ କହି ଦେଲେ । ମୋତେ କିନ୍ତୁ ତା’ ମନ ଅବଶୋଷ ଜଣାଇଲା- ଅପା, ମୁଁ ଇଞ୍ଜିନିୟରିଂ ପଢ଼ିବି । ତୁ ପଢ଼ାଇବୁ ନାଇଁ । ମୁଁ ମନା କରିପାରିଲି ନାଇଁ । ଏବେ ଭୁବନେଶ୍ୱରରେ ରହି ପଢୁଚି । ଘାତ ପ୍ରତିଘାତରେ ଜୀବନ ଯାତ୍ରାର ଅବତାରଣା କରୁ କରୁ କଣ୍ଠ ବାଷ୍ପରୁଦ୍ଧ ହୋଇ ଉଠିଚି । ମୁଁ ଯଦି ମୋ ଭବିଷ୍ୟତ ପାଇଁ ଛାଡ଼ି ଚାଲିଯାଏ ଏମାନଙ୍କୁ, ଏମାନଙ୍କ ଭବିଷ୍ୟତ କ’ଣ ହେବ । ଦୀପ ପରି ଜଳିବା ମୋ ସ୍ୱଭାବ ପାଲଟି ଯାଇଛି । ମୁଁ ନ ଜଳିଲେ ଘରଟା ସବୁଦିନ ପାଇଁ ଅନ୍ଧାରରେ ରହିଯିବ ଯେ । ଆଖିରେ ଗଢ଼ି ଉଠୁଥିଲା ଲୁହର ସହର । ଶୁଣି ଶୁଣି ତାଟକା ହୋଇଯାଇଥିଲେ ରାଜେନ୍ଦ୍ର । ନା ସେ ପଛକୁ ଫେରି ପାରୁଥିଲେ ନା ଆଗକୁ ଯାଇପାରୁ ଥିଲେ । ସେ ଖାଲି ପଢ଼ି ପାରୁଥିଲେ ଦୀପାଳୀର ସଫା ମନ ପରଦାରେ ଦାରୁଣ ଧକ୍କାର କାଳିମା ଓ ତ୍ୟାଗପୂତ ଜୀବନର ମର୍ମଭେଦୀ ଆଲେଖ୍ୟ । ଆତ୍ମସ୍ୱାର୍ଥୀ ଲୋଲୁପ ଭାବପ୍ରବଣତାରେ ସତ୍ୟର ନଗ୍ନରୂପ । ଜୀବନ ଜୀଇଁବାକୁ ସଂଘର୍ଷ କରୁଥିବା ଏକ ଯୁବତୀପ୍ରାଣର କରୁଣ ବିଳାପ । ରାତି ଧୀରେ ଶୋଇବାକୁ ଲାଗୁ ଥିଲା । ଇତି ମଧ୍ୟରେ ସମୁଦ୍ର କଙ୍କଡ଼ାରେ ହାତରନ୍ଧା ସୁଆଦିଆ ତରକାରି ଅନ୍ତରଙ୍ଗ ବନ୍ଧୁ ରାଜେନ୍ଦ୍ରଙ୍କୁ ଖୁଆଇ ଅଲଗା କୋଠରୀରେ ଭଉଣୀ ସହିତ ରାତି କଟାଇ ଥିଲେ ଦୀପାଳୀ । ଭଲ ପାଇବାର ଆବେଗକୁ ନୈରାଶ୍ୟ ଓ ଗ୍ଲାନିର ଚାଦରକରି ଘୋଡ଼ି ହୋଇ ପଡ଼ିଥିଲେ ରାଜେନ୍ଦ୍ର ।

ରାତିର ବୟସ ବଢ଼ି ଚାଲିବା ଭିତରେ ଦୀପାଳୀଙ୍କର ମନ ନଈରେ ଭାବନାର ବନ୍ୟା ଆସି ଯାଇଚି । ସେ ପୁଣି ନୂଆ ସପନର ଇସାରାରେ ବଞ୍ଚିବାକୁ ମନ ବଳାଇଚନ୍ତି । ସେ ଫେରି ଯାଇଚନ୍ତି ଛାତ୍ରୀ ଜୀବନକୁ । ମନେ ପକାଇଚନ୍ତି ଭିନ୍ନ ଏକ କୋଠରୀରେ ଶୋଇପାରୁ ନଥିବା ପ୍ରଥମ ନିଷ୍ପାପ କୋମଳ ଭଲପାଇବାକୁ । ସେହି ନିଷ୍କଳଙ୍କ ସଫେଦ ଭଲ ପାଇବା ପାଇଁ ବାହା ବେଦି ବନ୍ଧା ନ ହେଲେ ନାଇଁ, ଯୋଡ଼ିନାଗରା ମହୁରି ନ ବାଜିଲା ନାଇଁ, ବାଣ ଫୁଟି ରୋଷଣି ନ ହେଲେ ନାଇଁ ତାଙ୍କ ଚିବୁକ୍‌ରେ ଆଜି ବି ଶିହରିତ ହେଉଥିବା ସରୁ ଚୁମ୍ୱନଟିକୁ ସେ ଆପଣେଇ ନେବେ, ସ୍ୱୀକୃତି ଦେବେ । ତାଙ୍କ ଛାତି ତଳେ ଲିଭି ଆସୁଥିବା ନିଆଁଟା ଦିକ୍‌ଦିକ୍ ହୋଇ ଜଳିବାକୁ ଲାଗିଲା । ଘୁମନ୍ତ ରାତିଟା ତାଙ୍କ ପାଇଁ ସ୍ୱପ୍ନଭରା ହୋଇ ଉଠିଲା । ହଜିଲା ଦିନକୁ ସେ ଆଜି ପାଇଚନ୍ତି, ତାକୁ ହାତ ଛଡ଼ା କରିବେ ନାଇଁ ।

ପୂର୍ବ ଆକାଶରେ ସୂର୍ଯ୍ୟ ଦେଖା ଦେଇଚି । ପକ୍ଷୀମାନଙ୍କର କିଚିରି ମିଚିରି ଶବ୍ଦରେ ରାଜେନ୍ଦ୍ର ଶେଯରୁ ଉଠି ବସିଚି । ବାମ୍ଫ ବାହାରୁଥିବା ଚା’ ଦୁଇ କପ୍ ନେଇ ଦୀପାଳୀ ରାଜେନ୍ଦ୍ରଙ୍କ ବେଡ୍ ଉପରେ ବସି ପଡ଼ିଛନ୍ତି । ରାତିରେ ଭଲ ନିଦ ହେଲା ତ । କିଛି ଉତ୍ତର ପାଇବା ପୂର୍ବରୁ ଦୀପାଳୀ ଧୀର ଗମ୍ଭୀର ଭାବରେ ପଚାରିଛନ୍ତି । ତୁମେ କ’ଣ ଖାଲି ମୋ ମରୁଭୂମିର ଶୁଷ୍କ କାହାଣୀ ଶୁଣି ଶୁଖିଲା ମମତା ଦେଖାଇବ ନା ମରୁଭୂମିରେ ଏକ ଝରଣା ସ୍ରୋତ ହୋଇ ଉଜୁଡ଼ି ଯାଉଥିବା ଜୀବନରେ ସବୁଜିମା ଭରି ଦେବ । ରାଜେନ୍ଦ୍ରଙ୍କ ବିସ୍ମୟାକୁଳ ନେତ୍ରକୁ ଚାହିଁ ଦୀପାଳୀ ଆହୁରି ସହଜ ସରଳ ହୋଇ କହିଥିଲେ- “ମୋତେ ତୁମେ ତୁମ ଜୀବନରେ ଗ୍ରହଣ କରିପାରିବ ରାଜେନ୍ଦ୍ର ?” ୟେ କ’ଣ ? ଯେଉଁ ଦୀପାଳୀ ପାଇଁ ଦିନେ ରାଜେନ୍ଦ୍ର ସ୍ୱପ୍ନ ରାଇଜର ରାଜକୁମାର ପାଲଟି ଥିଲେ, ତାଙ୍କର ପ୍ରତିଟି ଚାଲି କଥା ଚାହାଁଣି ରାଜେନ୍ଦ୍ରଙ୍କର ତନୁମନରେ ରୋମାଞ୍ଚ ସୃଷ୍ଟି କରୁଥିଲା, ଅତି ଆପଣାର ଜୀବନ ସାଥୀ କରିବ ଭାବି ଆତ୍ମବିଭୋର ହୋଇ ଉଠୁଥିଲେ, ଠିକ୍ ଏଇ ପ୍ରଶ୍ନ ସେ ପଚାରୁଥିଲେ ସେଦିନ । ଆଜି କିନ୍ତୁ ସମୟର ଚକା ଭଉଁରିରେ ୟେ କି ଅକାଳ ଓଲଟା ପ୍ରଶ୍ନ ? ଅପଲକ ନୟନରେ ଚକିତ ହୋଇ ଚାହିଁ ରହିଲେ ରାଜେନ୍ଦ୍ର । ଭାବ ଭାବନା ଓ ବିଚାର ରାଜ୍ୟରେ ଏକ ବିରାଟ ଆଲୋଡ଼ନ ସୃଷ୍ଟି ହେଲା । ସତେ କି ଭସାଇ ନେବ ସେହି ସ୍ରୋତ ତାଙ୍କୁ ତାଙ୍କର ଜୀବନକୁ, ତାଙ୍କର ପରିବାରକୁ । ସ୍ୱପ୍ନ ସବୁ ସର୍ପ ହୋଇ ଫଣା ଟେକି ଉଠିଲେ । ସେ କ’ଣ କଠୋର ବାସ୍ତବତାକୁ ଏମିତି ଫାଙ୍କି ଦେଇ ପାରିବେ । ଭଲ ପାଇବାର ମୂଲ ଦେଇ ନିଜ ପରିବାରକୁ ଧ୍ୱଂସମୁଖକୁ ଠେଲି ଦେଇ ପାରିବେ । ସେ ଅନଳମୟ ହଁ ଭରି ଦୀପାଳୀ ଜୀବନରେ ପ୍ରତାରଣାର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବାକୁ ଚାହାଁନ୍ତି ନାଇଁ । ଜଣକୁ ସୁଖ ଦେବାକୁ ଯାଇ ଅନେକଙ୍କ ସୁଖକୁ କେମିତି ଛଡ଼େଇ ନେବେ ସେ । ହଁ, ମୁଁ ଜାଣେ ରାଜେନ୍ଦ୍ର, ତୁମେ ପାରିବ ନାଇଁ । ରାଜେନ୍ଦ୍ର ଅତି ସଙ୍କୋଚନରେ ଲଜ୍ଜିତ ହୋଇ କହିଚନ୍ତି ହଁ, ପାରିଥାନ୍ତି, ବହୁ ବିଳମ୍ୱ ହୋଇ ଯାଇଚି ।

ବନ୍ଧୁଙ୍କୁ ବିଦାୟ ଦେବାକୁ ଆସିଛନ୍ତି ଦୀପାଳୀ ବସଷ୍ଟାଣ୍ଡକୁ । ବଡ଼ ଭାବ ବିହ୍ୱଳ ହୋଇ ଚାହିଁ ରହିଥିଲେ ଦୀପାଳୀ ବସ୍‌ଟି ଆଖି ଆଢୁଆଳରେ ଲିଭି ଯିବା ପର୍ଯ୍ୟନ୍ତ । ଅଳ୍ପ ମାସ କେଇଟା ପରେ ଖବର କାଗଜରେ ପଢ଼ିଥିଲେ ରାଜେନ୍ଦ୍ର ମହାନଦୀ ପୋଲ ଉପରେ କନକ ଦୁର୍ଗା ବସ୍ ଦୁର୍ଘଟଣା ବିଷୟରେ । ଅତ୍ୟନ୍ତ ମର୍ମନ୍ତୁଦ ଥିଲା ପୋଲ ଉପରୁ ବାଡ଼ ଡେଇଁ ଭରା ନଈକୁ ଖସି ପଡ଼ିବା ହୃଦୟ ବିଦାରକ ଦୃଶ୍ୟ । ବାରଜଣ ଯାତ୍ରୀଙ୍କ ସଲିଳ ସମାଧି । ସେଥିରେ ଦୀପାଳୀର ନାଁ । ସବୁ ସ୍ୱପ୍ନ, ଭାବପ୍ରବଣତା, ସଂଘର୍ଷ ନିନ୍ଦା ଓ ପ୍ରତ୍ୟାଖ୍ୟାନକୁ ଗଣ୍ଠିଲି କରି ବିଚରା ମହାନଦୀର ମହାସ୍ରୋତରେ ଭାସି ଯାଇଥିଲେ ବହୁ ଦୂରକୁ. . . ।

 

ଲୋକପ୍ରିୟ ଲେଖା

To Top