ଅଣୁଗଳ୍ପ

ନଷ୍ଟ ଲବଙ୍ଗ

Priyadarshini Panda's odia short story Nashta Labanga

ମାଂସ ଦେଖି ଲବଙ୍ଗ ପାଟିରୁ ଲାଳ ବାହାରୁଥିଲା । ସେ ଖୁସିରେ ମାଂସ ଖଣ୍ଡିଏ ଉଠାଇ ଖାଇବାକୁ ଆରମ୍ଭ କରିଛି କି ନାହିଁ, ସାନବାବୁଙ୍କ ଦୁଇ ବନ୍ଧୁ ତାକୁ ଛିନ୍ନ ଭିନ୍ନ କରି ଖାଇବାରେ ଲାଗିଲେ ।

ପୂର୍ବରୁ

ଶୂନ୍ୟ କୁଡ଼ିଆଟିରେ ଲବଙ୍ଗ ଏକା ହୋଇ ଯାଇଥିଲା । ଦିନଟା ସାରା, କାମଦାମ କରି, ସାଙ୍ଗସାଥୀଙ୍କ ମେଳରେ ଗପସପ କରି କଟାଇଦିଏ, ହେଲେ ରାତିଟା କଟେନା | ଏବେ ସୁଖ ସ୍ଵପ୍ନଗୁଡ଼ାକୁ ଯେମିତି ଧରା ଦେବାକୁ ନାରାଜ । ଯେତେ ହାତ ଲମ୍ବାଇଲେ ମଧ୍ୟ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଏ । ରାତିରେ ଟିକେ ନିଦ ହୋଇଗଲେ ଜେଜିର କୁନ୍ଥା ଶୁଣାଯାଏ । ତା’ର ଡାକ କାନରେ ବାଜିଯାଏ । “ଏ ଲବଙ୍ଗ… ଲବଙ୍ଗ ଲୋ…” ଚାଉଁ କରି ତା ନିଦଟା ଭାଙ୍ଗିଯାଏ ଆଉ ସେ ଧଡ଼୍‌କରି ଉଠିପଡ଼େ । ସାରା ଦେହ ତା’ର ଝାଳରେ ବୁଡ଼ିଯାଏ । ସେ ଆଉ ଶୋଇପାରେନା । ବିଛଣାରେ ପଡ଼ି ଛଟପଟ ହୁଏ । ଅଲଣୀ, ପଟି ଆଉ ଜେମା, ସମସ୍ତେ ବାହା ହୋଇଗଲେଣି । କିଏ ଅଛି ଯେ ତା ସାଥୀରେ ଶୋଇବ । ସକାଳେ ଡରି ଡରି ବାମନା ଆଗରେ ସବୁ କହିଲା, ବାମନା ତା’ର ବତିଶିଟା ଅପରିଛନିଆ ଦାନ୍ତ ଦେଖାଇ କହିଲା, “ ଜଲ୍‌ଦି ବାହା ହୋଇପଡ଼ ।”

“ଯାରେ ହନୁମନ୍ତ ମୁହାଁ”, କହି ଲବଙ୍ଗ ମୁହଁ ମୋଡି ଚାଲିଗଲା | ହେଲେ ମନରେ ଲବଙ୍ଗ କ’ଣ ଏକଥା ଭାବିନି ? କିନ୍ତୁ ସାନବାବୁଙ୍କୁ ତ ଏ ପର୍ଯ୍ୟନ୍ତ କଣ୍ଟ୍ରାକ୍ଟ୍ରି କାମ ମିଳିନି, ବାହାଘର କଥା ଉଠୁଛି କେଉଁଠୁ ?

ଦଶଟା ଭିତରେ ବାବୁଙ୍କ ଘରର କାମ ସାରିବାକୁ ପଡ଼େ ଲବଙ୍ଗକୁ କାରଣ ତା’ପରେ `ମା’ କଲେଜକୁ ଚାଲିଯାନ୍ତି । ଘରେ ତାଲା ପଡ଼ିଯାଏ । ବାସନଗୁଡ଼ାକ ଧୋଇ ରଖୁଛି, ସାନବାବୁ ଉପରୁ ଡାକ ଛାଡ଼ିଲେ । “ ଚା” ଟିକେ ଆଣିଲୁ ଲବଙ୍ଗ । ” ଲବଙ୍ଗ ହଁ କରିବା ପୂର୍ବରୁ ମା କହିଲେ, “ଖାଇବା ବଢ଼ା ହେଲାଣି ଏତେବେଳେ ଚା’ କ’ଣ ?” ସାନବାବୁ କହିଲେ, “ ମୁଁ ଆଜି ଘରେ ରହୁଛି, ମୋ ଖାଇବା ଘୋଡ଼ାଇ ରଖିଦିଅ |” ମା ନୀରବ ରହିଲେ । ଲବଙ୍ଗ ଚା ଧରି ଉପରକୁ ଗଲା । ସାନବାବୁ ଘରଟା ସାରା, ଏପଟ ସେପଟ ହେଉଥିଲେ । ଲବଙ୍ଗ ହାତରୁ ଚା’ଟାନେଇ ଚୁପଚାପ୍ ‌ କହିଲେ “ ମୋ ପାଇଁ ଗୋଟେ କାମ କରିବୁ ଲବଙ୍ଗ ରାଣୀ ।” ଲବଙ୍ଗ ସାନ ବାବୁଙ୍କୁ ଚାହିଁଲା । କେମିତି ଗୋଟେ ମୁଗ୍ଧ ଦୃଷ୍ଟିରେ ଚାହିଁଛନ୍ତି ସେ । ଲବଙ୍ଗ ମୁଣ୍ଡ ଟୁଙ୍ଗାରି ହଁ କଲା । ସାନବାବୁ ତା ପାଖକୁ ଲାଗି ଆସି କହିଲେ, “ଆଜି ଖରାବେଳେ ମାନେ ଠିକ୍‌ ଦୁଇଟା ବେଳକୁ ଟିକେ ଆସିବୁ ?” ସାନବାବୁଙ୍କୁ ଏତେ ପାଖରେ ପାଇ ଲବଙ୍ଗ ସେତେବେଳକୁ ଘିଅ ପରି ତରଳିବାକୁ ଆରମ୍ଭ କଲାଣି । ପୁଣି ମୁଣ୍ଡ ଟୁଙ୍ଗାରି ହଁ କଲା ଓ ଦଉଡ଼ି ଦଉଡ଼ି ବାହାରକୁ ଚାଲିଗଲା । ତାର ସର୍ବାଙ୍ଗ ଶିହରି ଯାଉଥିଲା, ଥରୁଥିଲା ଓ ଅଳ୍ପ ଅଳ୍ପ କମ୍ପୁଥିଲା ମଧ୍ୟ । ମନକୁ ମନ କହିଲା, “ଯାହା ପାଇଁ ଏତେ ସପନ, ସେ ତା’ହେଲେ ସବୁକଥା ଜାଣେ | ମୁଁ ମଧ୍ୟ ଜାଣେ ଗୋ ଜାଣେ, ତୁମେ କାହିଁକି ଡାକୁଛ ଜାଣେ । ମନର କଥା ନିରୋଳାରେ କହିବ ବୋଲି ତ ? ମୁଁ କ’ଣ ଏ ପର୍ଯ୍ୟନ୍ତ ସେ କଥା ବୁଝିନି ଯେ, ମୋତେ କହିବ ।” ଲବଙ୍ଗକୁ ଲାଗିଲା ଏ ଖରା ଦିନଟାରେ ଯେମିତି, ଚାରିଆଡ଼େ ମୃଦୁ ମଳୟ ପବନ ବୋହୁଛି । ଆମ୍ବ ଗଛରୁ ଯେମିତି କୋଇଲି କୁହୁତାନରେ ଗୀତ ଗାଉଛି, ଆଉ ସବୁ ଗଛ ଖାଲି ସୁନ୍ଦର, ସୁନ୍ଦର ଫୁଲରେ ଭରିଯାଉଛି । ଚାରିଆଡ ମଧୁମୟ । ସୁବାସିତ ଆଉ କୁସୁମିତ ।

ସେଦିନ ଘରକୁ ଆସି ଲବଙ୍ଗ କଳମୂଳରେ ବସି ଘଣ୍ଟାଏ କାଳ ଗାଧୋଇଲା । ମା ଦେଇଥିବା ରଜ ବେଳର ନାଲି ଶାଢ଼ୀ ଖଣ୍ଡ ପିନ୍ଧିଲା । ପାଦରେ ଅଳତା ନାଇଲା । ଆଖିରେ କଳା ଦେଲା ଆଉ କପାଳରେ ସବୁଠାରୁ ସୁନ୍ଦର ଟିକିଲିଟିଏ ଲଗାଇଲା । କେଉଁଦିନରୁ କାନର ଦୁଇଟି ଝରା ପାଞ୍ଚଟଙ୍କା ଦେଇ କିଣିଥିଲା । ତାକୁ ଭଙ୍ଗାବାକ୍ସରୁ କାଢ଼ି ପିନ୍ଧିଲା ଆଉ ଦର୍ପଣ ଆଗରେ ବସି ମୁହଁ ଦେଖିଲା । ନିଜ ରୂପରେ ନିଜେ ମୁଗ୍ଧ ହୋଇଗଲା । ଆଉ ପାଞ୍ଚଟା କାମବାଲୀଙ୍କ ପରି ତା ଚେହେରା ରୁକ୍ଷ, ଦାନ୍ତୁଡ଼ି, ଚେପେଟା ନାକୀ, କି କାଳି କୋତରି ନୁହଁ । ତା ମା ବଂଗାଳୀ ଥିଲା । ତେଣୁ ତା’ ଚେହେରାରେ ବଙ୍ଗାଳୀ ଛଟା ରହିଛି । ନାକଟି ଖଣ୍ଡାଧାର, ଆଖି ଦିଓଟି ଢଳ ଢଳ ଓଠଟି ନାଲି, ନାଲି, ହେଲେ ଦେହର ବର୍ଣ୍ଣଟା ତା ବାପ ପରି ଟିକେ କାଳିଆ ସିନା… | ନିଜକୁ ନିଜେ ଖୁଣ୍ଟିନାଣ୍ଟ ଦେଖି, ନିଜେ ତୃପ୍ତ ହେଲା । ସବୁ କାମ ସାରି ଏପଟେ ସେପଟ ହେଲା । ଆଜି ଦୁଇଟା କାହିଁକି ବାଜୁନି ଯେ । ସମୟର ଗତି ଆଜି ଯେମିତି ମନ୍ଥର ହୋଇ ଯାଇଛି…

ଦୁଆର ମୁହଁରେ ପହଞ୍ଚୁ ପହଞ୍ଚୁ ସାନବାବୁ କବାଟ ଖୋଲି ଦେଲେ । ଅପେକ୍ଷା କରିଥିଲେ କି କ’ଣ ! କହିଲେ, “ମୋ ଶୋଇବା ଘରକୁ ଆ । ଲବଙ୍ଗ ସାନବାବୁଙ୍କ ପଛେ, ପଛେ ତାଙ୍କ ଶୋଇବା ଘରକୁ ଗଲା । ଟିକେ ବି ଡରିଲା ନାହିଁ । ମନକୁ ମନ କହିଲା, ନିଜ ପ୍ରେମିକକୁ କ’ଣ କିଏ ଡରେ ? ଯଦି କିଛି ଅନ୍ୟଥା କଥା କହିବେ, ସେ ବୁଝାଇ ଦେବନି, ଏଗୁଡ଼ା ସବୁ ପାପ, ଯାହା ଦରକାର ବାହାଘର ପରେ | ମୁଁ ତ ତୁମର, ଆଉ କ’ଣ କୁଆଡ଼େ ପଳାଉଛି କି ? ସାନବାବୁ କହିଲେ, “ ଖୋଲିଲୁ, ଖୋଲିଲୁ, ସେ ଲୁଗାଟା ଖୋଲିଲୁ । କାବା ହୋଇ ଚାହିଁଲା ଲବଙ୍ଗ । ସାନ ବାବୁ କହିଲେ, ଆଲୋ ବୋକାଙ୍କ ପରି ଚାହିଁଛୁ କ’ଣ ? ନେ ଏ ପାଟଟା ପିନ୍ଧି ଗହଣାଗୁଡ଼ାକ ଜଲଦି ପିନ୍ଧ୍ । ମୋର କେତେଜଣ ସାଙ୍ଗଙ୍କୁ ମୁଁ ଆଜି ଗୋଟେ ପାର୍ଟି ଦେଉଛି । ତୁ ସେଠାକୁ ମୋ ଗାର୍ଲଫ୍ରେଣ୍ଡ ହୋଇଯିବୁ । କ’ଣ କହୁଛୁ ଯିବୁନି ? ‘ଯିବି’ । ଲବଙ୍ଗ ମୁଣ୍ଡ ଟୁଙ୍ଗାରି . କହିଲା ପୁଣି ମନକୁ ମନ ଭାବିଲା, ‘ ଯିବିନି କାହିଁକି ଯେ ? ମୁଁ ତ କେତେ ସିନେମାରେ ଦେଖିଛି ପ୍ରେମିକ ସହିତ ତା ପ୍ରେମିକା ପାର୍ଟିକୁ ଯାଏ ଗୀତ ଗାଏ, ନାଚ କରେ ।” ସାନବାବୁ ଘଣ୍ଟାକୁ ଦେଖି କହିଲେ, “ ବେଳ ହୋଇଗଲା, ଟିକେ ଜଲ୍‌ଦି ବାହାରେ, ଏହା କହି ବାହାରକୁ ଚାଲିଗଲେ । ଲବଙ୍ଗ ବୁଝି ପାରୁନଥିଲା, ସେ ସ୍ଵପ୍ନ ଦେଖୁଛି ନା ସତ । ନିଜ ହାତକୁ ପୁଳାଏ ଚୁମୁଟିଲା । ଆଃ ଭାରି କାଟୁଛି, ଏତ ସପନ ନୁହଁ ସତ । ପାଟଟାକୁ ପିନ୍ଧି ଗହଣାଗୁଡ଼ାକ ନାଇ ସାନବାବୁଙ୍କ ଡ୍ରେସିଂ ଟେବୁଲ ସାମ୍ନାରେ ମୁଗ୍ଧ ହୋଇ ଠିଆ ହେଲା । ମନେ ମନେ କହିଲା, “ ଦେଖିବ ଆସଲୋ ପଟି, ଜେମା, ଅଲଣୀ । ମୋତେ ପରା କହୁଥିଲ ସପନ ନ ଦେଖିବାକୁ, ଦେଖ ମୋ ସପନ ସତ ହେଲା କି ନାହିଁ । ଏତିକି ବେଳେ ସାନ ବାବୁ ଆସି ତାକୁ କହିଲେ, ତୁ ବାଡ଼ି ଦୁଆର ପଟେ ବାହାରକୁ ଯା, ମୁଁ ଦାଣ୍ଡ ପଟେ ଚାବିଦେଇ ଯାଉଛି । ବାଡ଼ିପଟେ ଗୋଟେ କାର୍‌ ଥୁଆ ହୋଇଥିଲା । ସେଥିରେ ଲବଙ୍ଗକୁ ବସାଇ ସାନବାବୁ ପାଖରେ ବସିଲେ । କାର ଦୃତଗତିରେ ଗଡ଼ି ଚାଲିଲା । ଲବଙ୍ଗ ତନ୍ମୟ ହୋଇ ବସି ରହିଥିଲା । ତା’ର ତନ୍ମୟତାକୁ ଭାଙ୍ଗି ସାନବାବୁ କହିଲେ, “ ଲବଙ୍ଗ ରାଣୀ, ଆମେ ଯେଉଁ ପାର୍ଟିକୁ ଯାଉଛେ, ସେଠାରେ ମୋର ଦୁଇଜଣ ସାଙ୍ଗ ଅଛନ୍ତି, ତାଙ୍କୁ ଟିକେ ଖୁସି କରିଦେଲେ ମୋତେ କଣ୍ଟ୍ରାକ୍ଟ୍ରିଟା ମିଳିଯିବ ।” ଲବଙ୍ଗ ନିଜ ବିଭୋରତା ମଧ୍ୟରେ ମୁଣ୍ଡ ହଲାଇ କହିଲା, “ ଠିକ୍‌ ଅଛି | ପୁଣି ଭାବିଲା, ସିନେମାରେ ସେ ଦେଖିଛି, ପାର୍ଟିରେ ଯାହା ପାଖରେ କାମ ଥାଏ ତାଙ୍କୁ କେମିତି ଖୁସି କରାଯାଏ । ତାଙ୍କ ଗ୍ଲାସ୍‌ରେ ମଦ ଢାଳି ଦେଇ ଗୀତ ଗାଇ ଗାଇ ତା ସହିତ ନାଚି ନାଚି । ତାକୁ ଅବଶ୍ୟ ଦୁଇ କି ତିନୋଟି ଗୀତ ଆସିଛି, ଏଇ ଯେମିତି “ ଚୋଲି କେ ପିଛେ କ୍ୟା ହେ… କି, ତୁ ଚିଜ୍‌ ବଡ଼ି ହେ ମସ୍ତ ମସ୍ତ.. । ହେଲେ ନାଚ ତ ସେ ଜାଣିନି । ତା ଚିନ୍ତାକ୍ଲିଷ୍ଟ ମୁହଁକୁ ଚାହିଁ ସାନବାବୁ ପଚାରିଲେ କଣ ପାରିବୁନି ? ହଁ… ହଁ… ପାରିବି | କହିଲା ଲବଙ୍ଗ | ପୁଣି ଭାବିଲା ତୁମ ଲାଗି ମୋର ନ ପାରିବାର କ’ଣ ଅଛି ସାନବାବୁ ।

ଦିଲ୍‌ କ୍ୟା ଚିଜ୍‌ ହେ ଜାନମ୍‌, ତେରେ ଲିଏ ଜାନ୍‌ ଭି ଦେଦୁଁ । ସିନେମାରୁ ଶିଖିଥିବା ଗୀତଟି ମନେ ମନେ ଗାଇଲା ।

ଗୋଟେ ବଡ଼ ହୋଟେଲ ଆଗରେ କାର୍‌ ରହିଲା । ସାନବାବୁ ତାକୁ, ତାଙ୍କ ପଛେ ପଛେ ଯିବା ପାଇଁ କହିଲେ । ହୋଟେଲ୍‌କୁ ଚାହିଁ ଦେଇ କାବା ହୋଇ ଯାଉଥିଲା ଲବଙ୍ଗ । ବାପ୍‌ରେ ବାପ୍‌ ଏତେ ବଡ଼ ହୋଟେଲ ଭିତରକୁ ତା ଜୀବନରେ କେବେ ବି ସେ ଆସି ନ ଥିଲା । ସାନବାବୁ ଗୋଟେ ଛୋଟ ବଖରାକୁ ତାକୁ ନେଲେ । ସେଠାରେ ଜଣେ ଲୋକ ଥିଲା । ସେ ଗ୍ରିଲ୍‌ ବନ୍ଦ କରିଦେଲା । ଆଉ ସେ କିଛି ଜାଣିପାରିଲା ନାହିଁ । କେତେବେଳେ ପାଞ୍ଚ ମହଲା ଉପରେ ପହଞ୍ଚିଗଲା । ସାନବାବୁ ତାକୁ ଗୋଟିଏ ବଡ଼ ବଖରାକୁ ନେଲେ । ବଖରାଟି ଖୁବ୍‌ ସୁନ୍ଦର । ଖୁବ୍‌ ପରିଷ୍କାର, ପରିଚ୍ଛନ୍ନ । ସେଠାରେ ସାନବାବୁଙ୍କର ସାଙ୍ଗ ଦୁଇଜଣ ଅପେକ୍ଷା କରିଥଲେ । ଟେବୁଲ ଉପରେ ମଦ ବୋତଲ ଓ ସୋଢ଼ା ଥୁଆ ହୋଇଥିଲା । ଆଉ ତାଙ୍କ ହାତରେ ମଦଗ୍ଲାସ୍‌ ଥିଲା । ଦୁଇଟା ପ୍ଲେଟ୍‌ରେ କୁକୁଡ଼ା ମାଂସ ମଧ୍ୟ ଥୁଆ ହୋଇଥିଲା । ସାନବାବୁ ଲବଙ୍ଗକୁ ଭିତରକୁ ନେଇ କବାଟ ବନ୍ଦ କରିଦେଲେ ଓ ଇଂରାଜୀରେ ସେମାନଙ୍କୁ ଫିଟ୍‌ ଫିଟ୍‌ କରି କ’ଣ କହିଲେ | ଲବଙ୍ଗ ତାଙ୍କ କଥାରୁ ଗାର୍ଲଫ୍ରେଣ୍ଡ ଛଡ଼ା ଆଉ କିଛି ବୁଝିପାରିଲା ନାହିଁ । ଏଥର ସେ ସାଙ୍ଗ ଦୁଇଜଣ ଲବଙ୍ଗକୁ ହାଲୋ ହାଲୋ କହିଲେ । ଲବଙ୍ଗ ମୁଣ୍ଡ ଟେକି ସେମାନଙ୍କୁ ଚାହିଁଲା । ଏ… ମା… ଏମାନେ ସାନବାବୁଙ୍କର ସାଙ୍ଗ କେମିତି ହେବେ ମ ? ଏମାନେ ତ ଦରବୁଢ଼ା ଗୁଡ଼ାକ । ବୟସରେ ବଡ଼ବାବୁଙ୍କ ବୟସର ଲାଗୁଛନ୍ତି । ସେମାନେ ଲବଙ୍ଗ ହାତଧରି ହ୍ୟାଣ୍ଡ୍‌ ସେକ୍‌ କଲେ, ଗୋଟେ ଗ୍ଲାସ୍‌ରେ ମଦ ଢାଳି ତା ଆଡ଼କୁ ବଢ଼ାଇ ଦେଲେ । ଲବଙ୍ଗ ମୁଣ୍ଡ ହଲାଇ ମନା କଲା । ଏ ଭିତରେ ସାନବାବୁ ଟେବୁଲ ଉପରେ ଥିବା ରେଡ଼ିଓ ପରି ଗୋଟେ ଯନ୍ତ୍ରକୁ ଟିପିଦେଲେ । ଖୁବ୍‌ ଜୋର୍‌ରେ ଇଂରାଜୀ ବାଜା ବାଜିଉଠିଲା । ସାନ ବାବୁ ମଧ୍ୟ ଗୋଟେ ଗ୍ଲାସ୍‌ରେ ମଦ ଢାଳିଲେ ଆଇ ପିଇ, ପିଇ ସେ ବାବୁ ଦୁଇଜଣଙ୍କ ସହିତ ନାଚିଲେ । ଲବଙ୍ଗ କାବା ହୋଇ ଚାହିଁଥାଏ । ଜଣେ ବାବୁ ମାଂସ ପ୍ଲେଟ୍‌ ଟେ ଟେକି ତା ଆଡ଼କୁ ଦେଖାଇଲେ । ସାନବାବୁ ମଦ ପିଉ, ପିଉ ତାକୁ ଇସାରରେ ମାଂସ ଖାଇବା ପାଇଁ କହିଲେ । ମାଂସ ଦେଖି ଲବଙ୍ଗ ପାଟିରୁ ଲାଳ ବାହାରୁଥିଲା । ସେ ଖୁସିରେ ମାଂସ ଖଣ୍ଡିଏ ଉଠାଇ ଖାଇବାକୁ ଆରମ୍ଭ କରିଛି କି ନାହିଁ, ସାନବାବୁଙ୍କ ଦୁଇ ବନ୍ଧୁ ତାକୁ ଛିନ୍ନ ଭିନ୍ନ କରି ଖାଇବାରେ ଲାଗିଲେ । ଲବଙ୍ଗ ତା ଲୁଗାପାଟା ଟାଣି ରଖିବାକୁ ଚେଷ୍ଟା କଲା । ଚିତ୍କାର କଲା, ସାନବାବୁଙ୍କୁ ବିକଳରେ ଡାକିଲା । ଯେତେ ଅଭାଷା ଶିଖିଥଲା ସବୁ କହି ଗାଳିଦେଲା । ହେଲେ ଇଂରାଜୀ ବାଜାର ଶବ୍ଦରେ ରୁଦ୍ଧ ଦ୍ଵାର ମଧ୍ୟରେ ସବୁ ମିଳାଇ ଗଲା । ସେମାନେ ରାବଣ ଓ ଦୁଃଶାସନଠାରୁ ମଧ୍ୟ ବଳିଗଲେ । ରାବଣ ତ କେବଳ ସୀତାଙ୍କୁ ଚୋରି କରି ନେଇଥିଲା । ଦୁଃଶାସନ ତ ଦ୍ରୌପଦୀଙ୍କ ବସନ ଖାଲି ଟାଣୁଥିଲା ସଭା ମଧ୍ୟରେ ତାଙ୍କୁ ନଗ୍ନ କରି ଦେବା ପାଇଁ । କିନ୍ତୁ ଏମାନେ ତାକୁ ନଗ୍ନ କରିଦେଲେ, ନଷ୍ଟ କରିଦେଲେ, ତା’ର ସବୁକିଛି ଲୁଟି ନେଲେ ଆଉ ସାନବାବୁ ମଦ ପିଇ ପିଇ କେବଳ ହସୁଥିଲେ ଓ ଏ ବିଭତ୍ସ ଦୃଶ୍ୟକୁ ଉପଭୋଗ କରି ମଝିରେ ମଝିରେ ଚିୟରସ୍‌, ଚିୟରସ୍‌ କହୁଥିଲେ । ଲବଙ୍ଗକୁ ଲାଗୁଥିଲା, ସେ ଆଉ ସହ୍ୟ କରିପାରିବ ନାହିଁ । ଚେତା ବୁଡ଼ିଯିବ । ହେଲେ ନା, ଶେଷ ପର୍ଯ୍ୟନ୍ତ ଲବଙ୍ଗ ଚେତା ଥିଲା ଓ ନିସ୍ତେଜ ହୋଇ, ମଲା ପରି ପଡ଼ି ରହିଥିଲା ।

ସାନବାବୁ ପାଖକୁ ଆସି କହିଲେ, ଲୁଗାପଟା ପିନ୍ଧିପକା, ଘରକୁ ଯିବା । ସାଢ଼େ ଚାରିଟା ପୂର୍ବରୁ ଘରେ ପହଞ୍ଚିବାକୁ ପଡ଼ିବ ନ ହେଲେ ମମି ଆସି ଯିବେ ।

ଲବଙ୍ଗ ଯାଇ ଗାଡ଼ିରେ ବସିଲା । ସାନବାବୁ ତା ପାଖରେ ବସିଲେ । ମାତ୍ର ଦୁଇଘଣ୍ଟା ମଧ୍ୟରେ ସବୁ କିଛି ଓଲଟ ପାଲଟ ହୋଇଗଲା । ଛଳଛଳ ଆନନ୍ଦରେ ଭରାଥିବା ପୂର୍ଣ୍ଣପାତ୍ରଟି ନିସ୍ଵ ହୋଇଗଲା । ଲବଙ୍ଗର ଆଖିରୁ ଠପ୍‌ ଠପ୍‌ ଲୁହ ଝରି ପଡୁଥିଲା । ସାନବାବୁ ତା ଗାଲରେ ଟିପ ଛୁଆଁଇ କହିଲେ, କାହିଁକି କାନ୍ଦୁଛୁ ଲବଙ୍ଗରାଣୀ । ମୁଁ ଅଛି କିଛି ଅସୁବିଧା ହେବନାହିଁ । ଏଇ ଯେ ସାନବାବୁ ଟିପ ଛୁଅଁଇଲେ, ଏତେ କଷ୍ଟରେ ମଧ୍ୟ ତାଙ୍କ ସ୍ପର୍ଶ ଲବଙ୍ଗର ସାରା ଦେହକୁ ଶିହରିତ କରିଦେଲା । ଏମିତି ଟିକେ ସ୍ପର୍ଶ ପାଇଁ ତ ସେ କେଉଁ ଯୁଗରୁ ଚାତକ ପରି ଅନାଇ ରହିଥିଲା । ତା ପାଟିରୁ କଥା ବାହାରିଲା ନାହିଁ । ସେ କଇଁ କଇଁ ହୋଇ କାନ୍ଦି ଉଠିଲା । ସାନବାବୁ କହିଲେ ବ୍ୟସ୍ତ ହ’ନା | ସବୁ ଠିକ୍‌ ହୋଇଯିବ । ମମିଙ୍କ ଆଗରେ କିଛି କହିବୁ ନାହିଁ ।

ମା’ଙ୍କ ଆଗରେ କ’ଣ, କାହା ଆଗରେ ଏକଥା କହି ପାରି ନ ଥିଲା ଲବଙ୍ଗ | ଘରେ ପହଞ୍ଚି ‌ ସାନବାବୁ କହିଲେ, ବାଡ଼ିପଟେ ଚାଲିଯା | ଗଲାବେଳକୁ ସେ ପାଟ ଶାଢ଼ୀ ଖଣ୍ଡ ଓ ରୋଲ୍‌ଗୋଲ୍ଡ ଗହଣାତକୁ ତାକୁ ଦେଲେ । ଲବଙ୍ଗ ଲୁହ ଚାପି ଚାପି ଚାଲିଗଲା । ଘରେ ପହଞ୍ଚି ଟିଣ କବାଟଟି ବନ୍ଦ କରିଦେଲା ଓ ମନଭରି କାନ୍ଦିଲା । ନିଃଶବ୍ଦରେ କାନ୍ଦିଲା । କାନ୍ଦୁଥାଏ ଆଉ ଭାବୁଥାଏ, “ ସାନବାବୁ ଏ କ’ଣ କଲ ? ତୁମରି ପାଇଁ ସାଇତି ରଖିଥିବା ସମ୍ପଦକୁ ତମେ ଏ ବୁଢ଼ାଗୁଡ଼ାଙ୍କୁ ଦେଲ ? ତୁମକୁ ତ ମୁଁ ଭଲ ପାଉଥିଲି, ତୁମ ପାଇଁ ଦରକାର ହୋଇଥିଲେ ଜୀବନ ଦେଇଥାନ୍ତି, କିନ୍ତୁ ନିଜ ଇଜ୍ଜତ… । କ’ଣ ତଫାତ୍‌ ବର୍ତ୍ତମାନ ମୋ ଭିତରେ ଆଉ ଦିନା ମଦୁଆ ମାଇପ ଭିତରେ ? ଦିନା ମଦୁଆ ତା ମାଇପର ଦେହକୁ ବେପାର କରେ ପଇସା ପାଇଁ, ମଦ ପାଇଁ | ସେଥିପାଇଁ ପଡ଼ାରେ ସମେସ୍ତ ତାକୁ ଡାକନ୍ତି, ବେଧେଇ, ଦାରୀ । ଆଉ ଆଜି ତୁମେ ଲବଙ୍ଗକୁ ଦାରୀ କରିଦେଲ ! ଜେମା ଠିକ୍‌ କହୁଥିଲା ବଡ଼ଲୋକମାନେ କୁଆଡ଼େ ତାଙ୍କ ଝିଅ ବୋହୂଙ୍କର ବେପାର କରନ୍ତି ! ସେତେବେଳେ ସେ କଥା ଶୁଣି ବିଶ୍ଵାସ କରୁ ନ ଥିଲା ଲବଙ୍ଗ । ମନେ ମନେ ଭାବୁଥିଲା, ବଡ଼ଲୋକଙ୍କର କ’ଣ ଅଭାବ ଅଛି ଯେ ? ହେଲେ ମା’ ଓ ବଡ଼ବାବୁ ତ ଏମିତି ନୁହନ୍ତି, ତାଙ୍କ ପୁଅ ହୋଇ ତୁମେ ଏତେ ତଳକୁ ଖସିଲ କେମିତି ?

କିଏ ଗୋଟେ ଧଡ଼ ଧଡ଼ କରି କବାଟ ବାଡ଼ାଉଛି । ଆଖିରୁ ଲୁହ ପୋଛିଲା ଲବଙ୍ଗ । ସେ ଶାଢ଼ୀ ଓ ଗହଣାକୁ ଲୁଚାଇ ପକାଇଲା । କାହାକୁ ବା ସେ ଦେଖାଇବ, ତା କଳଙ୍କିତ ଜୀବନର ମୂକ ସାକ୍ଷୀକୁ ? ଏଥର କବାଟ ଖୋଲିଲା । ବାହାରେ ଅନ୍ଧାର ଢାଙ୍କି ହୋଇଗଲାଣି । ଆଗରେ ଠିଆ ହୋଇଛି ବାମନା । ଆଜି ରୁଟି ଦେବୁନି କି ? ଘରେ କାହିଁକି ଡିବି ଜାଳିନୁ ? ପଚାରିଲା ବାମନା । ଆଜି ଦେହଟା ଭଲ ଲାଗୁନି । ରୁଟି କରିନି । ତୁ କିଣିଆଣି ଖାଇଦେ, ଲବଙ୍ଗ କହିଲା- “କ’ଣ ହୋଇଛି ଜର କି ? ଔଷଧ ଆଣି ଦେବି ?” ନାଇଁ ମୋର କିଛି ଦରକାର ନାହିଁ କହି ଲବଙ୍ଗ ପୁଣି କବାଟ କିଳିଦେଲା । ଆଉ ଟିକେ ହୋଇଥିଲେ ବାମନା ଆଗରେ କାନ୍ଦି ପକାଇଥାନ୍ତା । କିଏ ବା ନିଜର ଅଛି, ଯା ଆଗରେ ଦୁଃଖ କହିବ ? ଖାଲି କାନ୍ଦୁଥିଲା ଲବଙ୍ଗ । ଏବେଠାରୁ ଯେମିତି ଲୁହ ହିଁ ତା’ର ସାଥୀ ହୋଇଯାଇଛି । ପୁଣି କିଏ କବାଟ ବାଡ଼ାଉଛି । ଉଠିବାକୁ ଇଚ୍ଛା ହେଉନି । କି କବାଟ ଖୋଲିବାକୁ ଇଚ୍ଛା ହେଉନି । ସେଇ ଯେ ଗାଉଥିଲା “ଚମ୍ପା ଫୁଲଟିଏ ପାଇଲି ବନ ହଳଦୀ ପ୍ରାୟେ, ସେଇ ଫୁଲଟିକୁ ରଖିବି କାନ୍ତ ଆସିବା ଯାଏଁ ।”

ଅଥଚ ଯେ କାନ୍ତ ହେବ, ସେ ନିଜେ ସେ ଫୁଲକୁ ଅନ୍ୟ ହାତକୁ ଟେକିଦେଲେ । ନିଜେ ହସି ହସି ଦେଖିଲେ ସେ ଫୁଲକୁ ଦଳିମକଚି ଫୋପାଡ଼ି ଦେବାର ଦୃଶ୍ୟ । ନା, ଆଉ ସମ୍ଭାଳି ହେବନି । କିଏ ଅନବରତ ବାଡ଼େଇ ଚାଲିଛି କବାଟ ଅଗତ୍ୟା ଲବଙ୍ଗ ଉଠି ଖୋଲିଲା । ପୁଣି ବାମନା ଆସିଛି । ତାକୁ ଦେଖି ହସିଦେଇ କହିଲା, ଆଜି ତ ରୁଟି କରିନୁ, ଖାଇବୁ କ’ଣ ? ତୋ ପାଇଁ ରୁଟି ତରକାରୀ ଆଣିଛି, ନେ ଖାଇଦେ । ଓପାସରେ ଶୋଇବାଟା ଠିକ୍‌ ହେବନି । ଲବଙ୍ଗ ସବୁଦିନେ ବାମନାର ନେଭେଡ଼ା ହସ ଦେଖିଲେ ଚିଡ଼େ । ହେଲେ ଆଜି ତାକୁ ଚିଡ଼ା ଲାଗିଲା ନାହିଁ । ଏତେ ବଡ଼ ଦୁନିଆଁରେ କେହିତ ହେଲେ ଜଣେ ଅଛି ଯେ ଲବଙ୍ଗ ନ ଖାଇଲେ ଚିନ୍ତା କରୁଛି ।

ଲବଙ୍ଗ ଦୁଇଦିନ ପର୍ଯ୍ୟନ୍ତ କାମକୁ ଗଲାନାହିଁ କି ତା ବଦଳେ କାହାକୁ ପଠାଇଲା ନାହିଁ । କାଲି ସଞ୍ଜବେଳେ ମା’ ଘନିଆ ମା’ ହାତରେ ଖବର ପଠାଇଛନ୍ତି । ତାକୁ ମଧ୍ୟ ଏ ପେଟର ଜ୍ୱାଳା ଭାରି ହନ୍ତସନ୍ତ କଲାଣି । ଯେତେଦିନ ବଞ୍ଚିଥିବ କାମ ତ କରିବାକୁ ହେବ । କାମବାଲୀମାନେ ବିନା କାମରେ କ’ଣ ବଞ୍ଚିଲେଣି ? ଲବଙ୍ଗ ନିଜକୁ ନିଜେ ବୁଝାଇଲା । ଯାହା ରଖିଥିଲା ସବୁ ତ ସାନ ବାବୁଙ୍କ ପାଇଁ, ସେ ଯଦି ତାକୁ ଅନ୍ୟକୁ ବାଣ୍ଟିଦେଲେ, ମୁଁ କ’ଣ କରିବି ଯେ ? ହେଲେ ବାହାଘର ପରେ ଏମିତି ଆଉ ହେବାକୁ ଦେବିନି । ତାକୁ ଏ ଦାରୀଗିରୀ ଭଲ ଲାଗେନା । ସେ ସଫା ସଫା କହିଦେବ, ଯେଉଁ ବଡ଼ଲୋକ ଘର ଝିଅ ବୋହୂ ଏ କାମ କରୁଛନ୍ତି କରନ୍ତୁ । ସେ ଏଗୁଡ଼ା ଭଲ ପାଏନି । ହାତ ଦୁଇଟା ଥବା ପର୍ଯ୍ୟନ୍ତ ତା ପେଟ ଅପୋଷା ରହିବ ନାହିଁ । ଏମିତି ବିଚାରି ସକାଳୁ ସକାଳୁ ବାବୁଙ୍କ ଘରକୁ ଗଲା ।

ବଡ଼ବାବୁ ଦେଖୁ ଦେଖୁ କହିଲେ, “ହେଇ ତୁମ ଲବଙ୍ଗ ଆସିଲାଣି ।” ମା’ ରୋଷେଇ ଘରୁ ବାହାରି ଆସୁ ଆସୁ କହିଲେ “ କୁଆଡ଼େ ଥିଲୁ କିଲୋ ଦୁଇ ଦିନ ହେଲା ? ମୁଁ କେତେ ହଇରାଣ ହେଲିଣି । ” ଲବଙ୍ଗ ସାଙ୍ଗେ ସାଙ୍ଗେ ଚା ତିଆରି କଲା । ବଡ଼ବାବୁ ଆଉ ମା’ଙ୍କୁ ଦେଇ, କପ୍‌ଟେ ନେଇ ଉପର ଘରକୁ ଗଲା । ସାନବାବୁ ଦାଢ଼ି ବନାଉଥିଲେ । ଲବଙ୍ଗ ହାତରୁ ଚା କପ୍‌ଟା ନେଇ କହିଲେ, “ କ’ଣ ଲବଙ୍ଗରାଣୀ, ଦୁଇଦିନ ହେଲା କାହିଁକି ଆସୁନଥିଲୁ ?” ଲବଙ୍ଗ କିଛି ନ କହି ଚାଲି ଆସିଲା । ମନକୁ ମନ କହିଲା, ଆହା କିଛି ଜାଣିଥିବ କି ?

ଏଥର ଲବଙ୍ଗ ଆସ୍ତେ ଆସ୍ତେ ନିଜକୁ ସହଜ କରିନେବାକୁ ଚେଷ୍ଟା କଲା । ସାନବାବୁ ତ ଏମିତି କଥା କହୁଥିଲେ, ଯେମିତି ସେ ଦୁଃଖଦ ଘଟଣାଟା ଜମାରୁ ଘଟି ନ ଥିଲା । ସେ ଥରକୁ ଥର ଲବଙ୍ଗ, ଏ ଲବଙ୍ଗରାଣୀ ବୋଲି ଡାକ ଛାଡ଼ୁଥିଲେ ଓ ଏବେ ବହୁତ ଖୁସି ଖୁସି ଜଣା ପଡୁଥିଲେ । ଏଇ ସେଦିନ ମିଠା ପ୍ୟାକେଟ୍‌ ଗୋଟେ ଆଣି, ଆଗ ପରସ୍ତେ ମା’ ଙ୍କୁ ଘୂରାଇ ପକାଇଲେ । ମା’ ପାଟି କଲେ, “ ଆରେ, ଛାଡ଼ ଛାଡ଼, କ’ଣ ହୋଇଛି ଆଗ କହୁନୁ ? ମା’ଙ୍କ ପାଟିରେ ଗୋଟେ ମିଠା ପୂରାଇ ଦେଇ ସାନବାବୁ କହିଲେ, “ ମା, ମୁଁ ଚାରିକୋଟି ଟଙ୍କାର କଣ୍ଟ୍ରାକ୍ଟି ପାଇଯାଇଛି । ଏଥର ତମ ପୁଅର କରାମତି ଦେଖିବ । ସେଇଠେ ପାଖରେ ବସି ଲବଙ୍ଗ ପରିବା କାଟୁଥିଲା ଆଉ ମା, ପୁଅଙ୍କର ଏ ଖୁସି ଦେଖି ହସୁଥିଲା । ହଠାତ୍‌ ସାନବାବୁ ତା ପାଟି ମେଲା କରି ଗୋଟେ ମିଠା ଖୋଇଦେଲେ ଆଉ କହିଲେ, “ ତୁ ବି ଗୋଟେ ମିଠା ଖା, ଲବଙ୍ଗରାଣୀ | ଲବଙ୍ଗ ଲାଜରେ ମରିଗଲା । ମନେ ମନେ କହିଲା, “ ମା’ଙ୍କ ଆଗରେ ଏତେ ବେହୀୟାମି ଗୋଟେ କ’ଣ ମ ! ପରେ ଲବଙ୍ଗ ଯେତେବେଳେ ସାନବାବୁଙ୍କ ବଖରାରେ ତାଙ୍କୁ ଚା ନେଇ ଦେଲା, ସାନବାବୁ ତା ଦୁଇ ହାତକୁ ଧରି ପକାଇଲେ ଓ କହିଲେ, “ ଥ୍ୟାଙ୍କସ ଲବଙ୍ଗରାଣୀ, ତୋରି ସାହାଯ୍ୟ ଯୋଗୁଁ ଏ ସବୁ ସମ୍ଭବ ହେଲା । ଲବଙ୍ଗ ପୁଣି ଖୁସିରେ ଉଚ୍ଛୁଳି ପଡ଼ିଲା । ମନେ ମନେ କହିଲା, ଲବଙ୍ଗ ତ ତୁମର ସାନବାବୁ, ତୁମର ଯେଉଁଥିରେ ଖୁସି, ଲବଙ୍ଗ ସେଥିରେ ଖୁସି ।

– ପରେ –

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top