ଗଳ୍ପ

ଚିହ୍ନା ଅଚିହ୍ନା ବେଳ

Laxmidhara Nayak's odia story Chihnaa Achihnaa Bela

ଆରେ ପାଗଳା ! ମତେ ଯମ ଡାକିଲାଣି । ତୁ ବାହା ହଉନୁ । କ’ଣ ବୁଢ଼ା ହେଲେ ବାହାହବୁ ? ମୁଁ ନାତି ନାତୁଣୀ ଦେଖିବି କେବେ ? କ’ଣ ମଲା ପରେ ?

ଚିହ୍ନା ଅଚିହ୍ନା ବେଳ

ପର୍ଟିକୋ ପାଖ ଫାଙ୍କା ଜାଗାଟିରେ ଅମିୟ ସାର୍‌ଙ୍କ ଉପରମହଲାର ଝର୍କା କବାଟ ପାଇଁ କାଠ କାମ କରୁଛନ୍ତି- ଦୁଇଜଣ ମିସ୍ତ୍ରୀ- ସୁବ୍ରତ ଓ ସୁମନ୍ତ ସୂତାର । ଦୁଇ ଭାଇ ।

ପଟା ଚିକ୍କଣ କରୁଥିବା ଏମାନଙ୍କ ଇଲେକ୍ଟ୍ରିକ୍ ରନ୍ଦା ଏତେ କର୍କଶ ଶବ୍ଦ କରୁଛି ଯେ. . . ଭିତର ଘରେ ଶୋଇଥିବା ଅମିୟ ସାର୍‌ଙ୍କ ଶହେ ବର୍ଷ ବୟସର ବୁଢ଼ୀ ବୋଉ ଚିତ୍କାର କରି କହୁଛନ୍ତି- “ଯମ ରଥ ଆସିଗଲା । ଏବେ ଘଟ ପଡ଼ିରହିବ । ଲୋ ରାଉତ ଝୁଅ । ହୁଳହୁଳି ପକା । ଯମରଜା ପାଇଁ ପାଣି ନୋଟା ଆଣ୍ । ଯମରେ ! ଟିକେ ରହ ! ବୋହୂ ପରା ତା’ ପୁଅକୁ ହଳଦୀ ତେଲ ଲଗେଇ ଦେଉଚି. . . ।”

ପାଖ ପଡ଼ିଶା ଘରେ ତିନି ମାସର ଟିକି ଝିଅଟା ଶୋଇ ନ ପାରି, କାନ୍ଦୁଛି- ରାଆ ଛାଡ଼ି । ତା’ ଭୁଆସୁଣୀ ବୋଉ. . . ଝର୍କା କବାଟ ଫାଙ୍କରୁ ନିରୀହ ଦୃଷ୍ଟିରେ ଚାହିଁ ଦେଉଛି କେବଳ. . . ମିସ୍ତ୍ରୀ ଦୁଇଟାଙ୍କ ଆଡ଼େ । କିଛି ତ କହିପାରୁନି, କିନ୍ତୁ ଭାବୁଥିବ- କି ମଣିଷ ଏମାନେ କେଜାଣି ! ନିଜ ସ୍ୱାର୍ଥପାଇଁ ଅନ୍ୟକୁ କଷ୍ଟ ଦେଉଛନ୍ତି । ପିଲାଟା କାନ୍ଦୁଛି. . . ବୁଝୁ ନାହାନ୍ତି କିପରି ? ଗାଁଟା ଭିତରେ କାମ କରୁଛନ୍ତି. . . ପଡ଼ିଶାର ଅସୁବିଧାକୁ ଧ୍ୟାନ ଦିଅନ୍ତେ ନାହିଁ ।

ଭିତରୁ ମିନତିଦେବୀ ଆସି କହିଲେ- “ପୁଅରେ ! କାମ ବରଂ ଲେଟ୍ ହେଉ, ତୁମେ ଆଉ ଇଲେକ୍ଟ୍ରିକ୍ ରନ୍ଦା ଚଳାଅନା । ଶାଶୂ ବୁଢ଼ୀ, କି ପଡ଼ିଶା ବୋହୂର ଝିଅ ଶୋଇ ପାରୁନାହାନ୍ତି ।”

ଅମିୟସାର୍ ପର୍ଟିକୋରେ ବସି କାମ ଦେଖୁଥିଲେ ।

କହିଲେ- “ତମ ଗୁରୁମା ପରିବେଶ ପ୍ରଦୂଷଣ କଥା ଉଠେଇଛନ୍ତି । ଠିକ୍ ଅଛି- ଆଣିଛୁ ତ ସୁବ୍ରତ. . . ହାତରନ୍ଦା ?”

. . . ନାଇଁ ସାର୍ । ଆଜିଟା ଚଳିଯାଉ. . . କାଲିକୁ ଆଣିବୁ ।

ଏତିକିବେଳେ କମ୍ପାଉଣ୍ଡ୍-ୱାଲ୍‌ଗେଟ୍ ସେପାଖରୁ ଶୁଭିଲା- “ଅମିୟ ! ଘରେ ଅଛୁ କିରେ ?”

ସେଠି ଧଳା ଧୋତିଟିଏ ପିନ୍ଧି, କାନ୍ଧରେ ନାଲି ଗାମୁଛା ପକାଇ, ଗେଟ୍ ଗ୍ରୀଲ୍‌କୁ ଧରି, ଠିଆ ହେଇଛନ୍ତି ହରିମାଷ୍ଟ୍ରେ । ଅମିୟ ସାର୍‌ଙ୍କ ବାଲ୍ୟଗୁରୁ । ଏଇ ଗାଁରେ ଘର । ନବେ ବର୍ଷ ବୟସ । ଗାଁର ସବୁ ବୟସ୍କ ପୁରୁଷ. . . ତାଙ୍କରି ଚାଟଶାଳୀରୁ ଠ ମଡ଼ାଣ କରି, ଉପରକୁ ଉଠିଛନ୍ତି ।

ସୁନୀତି ବାନ୍, ସଂସ୍କାରଶୀଳ, ଶ୍ରେଷ୍ଠ ପଞ୍ଚାୟତବିଦ୍ ତଥା ଜ୍ୟୋତିଷଶାସ୍ତ୍ରୀ ରୂପେ ଏହି ବିଦ୍ୱାନ ହରିମାଷ୍ଟ୍ରେଙ୍କର ଯଥେଷ୍ଟ ଖ୍ୟାତି ଥିଲା ଏ ଅଞ୍ଚଳରେ । ଏବେ ପରିଣତ ବୟସର ଦୁଷ୍ପ୍ରଭାବ ଯୋଗୁଁ, ତାଙ୍କୁ ଡିମେନ୍‌ସିଆ ରୋଗ ଗ୍ରାସ କରିଛି । ତାଙ୍କର ଦୂର ଅତୀତ ମନେଥିଲାବେଳେ, ନିକଟ ଅତୀତ ବା ବର୍ତ୍ତମାନର ଘଟଣା ଆଦୌ ମନେ ରହୁନାହିଁ । ଏହା ତାଙ୍କ ପାଇଁ ବଡ଼ ସମସ୍ୟା ।

ଅମିୟସାର୍ ତାଙ୍କର ଏହି ବାଲ୍ୟଗୁରୁଙ୍କୁ ଗେଟ୍ ଖୋଲି ପ୍ରଣାମ କଲେ । ହାତ ଧରିଆଣି ଚେୟାର୍‌ରେ ବସାଇଲେ । ମିନତିଦେବୀଙ୍କ ଉଦ୍ଦେଶ୍ୟରେ ଡାକ ଛାଡ଼ିଲେ- “ମାଷ୍ଟ୍ରେଙ୍କ ପାଇଁ ଚାହା ଆଣିବ. . . ।”

ହରିମାଷ୍ଟ୍ରେ ଚେୟାର୍ ଧରୁ ଧରୁ ଆରମ୍ଭ କଲେ- “ମୁଁ ଭାବିଥିଲି- ତୋ ବାପା ଅନନ୍ତ ଭାଇ ତ. . . ବିର୍ଲା କମ୍ପାନୀର ବଡ଼ ଅଫିସର୍ ଥିଲେ. . . ରିଟାୟାର୍ଡ କରି, ବୋଧହୁଏ ଆମ ଗାଁରେ କଳ ବସାଉଛନ୍ତି । ସେହି ପାଇଁ ଏଡ଼େ ଜୋରି ଘର୍‌ଘର୍ ଶବ୍ଦ ହେଉଛି । ଏଠି ତ କ’ଣ କାଠ କାମ ଚାଲିଛି ! !”

. . . ଆଚ୍ଛା ଅମିୟ ! ଅନ୍ତଭାଇ ତ. . . ପିଆଶାଳ କାଠର ବଢ଼ିଆ ନକ୍ସିକରା ଆଲ୍‌ମାରୀ ଗଢ଼ାଇଥିଲେ । ଗଢ଼ିଥିଲା- ଖରିଅଣ୍ଟା ଗାଁର. . . ଉପ ସୂତାର । ଏଡ଼େ ସୁନ୍ଦର ଆଲ୍‌ମାରୀ ଥାଉ ଥାଉ, ପୁଣି କାହିଁକି ଗଢ଼ାଉଛୁ ? ଏମାନେ କ’ଣ ତା’ଠୁ ଆହୁରି ସୁନ୍ଦର ଗଢ଼ିପାରିବେ ?

ଅମିୟ ସାର୍ କହିଲେ- “ନାଇଁ ମାଷ୍ଟ୍ରେ ! ଏମାନେ ଉପରଘର ପାଇଁ ଝର୍କାକାମ କରୁଛନ୍ତି । କବାଟ ହେଉଛି ।”

ହରିମାଷ୍ଟ୍ରେ ପଚାରିଲେ- “ଉପର ଘର କ’ଣ ? ତୋର ପରା ଚାଳ ଘର । ଚାଳ ଘର ଉପରେ. . . ଘର କରୁଛୁ । କର୍. . . ଥାକ ଦିଶିବ- ବାରମାଣିଆ ଯଜ୍ଞଘର ପରି । ଭଲ ଲାଗିବ. . . । କର୍. . . କର୍. . . ।”

ଅମିୟସାର୍‌ଙ୍କର ଏବେ ମନେପଡ଼ିଲା- ମାଷ୍ଟ୍ରେଙ୍କୁ ଡିମେନ୍‌ସିଆ ରୋଗ । ଏହି ପାଇଁ. . . ସେ ବସିଛନ୍ତି ପକ୍କାଘର ପର୍ଟିକୋରେ, ଅଥଚ ଭାବୁଛନ୍ତି- ତାଙ୍କ ଅତୀତର. . . ଏଇଟା ଚାଳଘର ।

ସେ କହିଲେ- “ଆପଣଙ୍କର ବି ପକ୍କାଘର ମାଷ୍ଟ୍ରେ !”

– ନାଇଁ ନାଇଁ । ଆମର କାହିଁକି ପକ୍କା ଘର ହେବ । ଆମର ତ ବାପାଙ୍କ ଅମଳରୁ ସେହି ନୁଆଁଣିଆ ମାଟିଘର । ଆରେ ଅମିୟ ! ଗୁରୁଙ୍କୁ ଥଟ୍ଟା କରୁଛୁ ।

ଓଃ ! କେତେ ଯେ ଦୁରବସ୍ଥା । ଦିନ ଥିଲା- ହରିମାଷ୍ଟ୍ରେଙ୍କ ବୌଦ୍ଧିକ ସାହାଯ୍ୟ ବିନା. . . ଏ ଅଞ୍ଚଳରେ ନ୍ୟାୟ ନିଶାପ ଛିଡୁ ନଥିଲା । ଆଜି ତାଙ୍କୁ ଏହି ଅତି ବିସ୍ମରଣରୋଗ ଏପରି କବଳିତ କରିଛି ଯେ- ନିଜର ବର୍ତ୍ତମାନ ଠାରୁ ସେ ଘୁଞ୍ଚି ଯାଇଛନ୍ତି ବୋଲି, ଜାଣିପାରୁ ନାହାନ୍ତି ।

ଅମିୟସାର୍‌ଙ୍କ ମୁହଁ ମଳିନ ପଡ଼ିଗଲା ।

କହିଲେ- “ମାଷ୍ଟ୍ରେ ! ଆପଣଙ୍କର ବିରାଟ ଦୋ’ମହଲା ପକ୍କାଘର । ଚାରିବର୍ଷ ହେଲାଣି. . . ଆପଣଙ୍କ ଦୁଇ ପୁଅ ରାମ ଓ ଶ୍ୟାମ, ସେହି ଘର ତୋଳାଇଛନ୍ତି ।”

ମାଷ୍ଟ୍ରେ କହିଲେ- “ହଇରେ ଅମିୟ ! ମୁଁ ପରା ତତେ ପଢ଼େଇଛି । ମତେ ମିଛ କହୁଛୁ । କିରେ ! ଘର କଣ ସୁନା ନା ରୂପା । ବାକ୍ସ ସିନ୍ଦୁକରେ ରହିବ । ମୋର ଘର ହେଇଛି, ମୁଁ ଜାଣିନି କିପରି ? ପୁଣି. . . ମୋର ତ ଗୋଟିଏ ପୁଅ. . . ରାମ, ଶ୍ୟାମ କିଏ ? ଛି ଛି ! ଗୁରୁଙ୍କୁ ମିଛ ! ତୁ ପରା ନିଜେ ଗୁରୁ ଥିଲୁ ।”

ଅମିୟ ସାର୍‌ଙ୍କ ମୁହଁ ବିବର୍ଣ୍ଣ ହୋଇଗଲା ଏଥର. . . । ଗମ୍ଭୀର ହୋଇ କହିଲେ- “ଆପଣଙ୍କର ଦୁଇପୁଅ ମାଷ୍ଟ୍ରେ । ସାନପୁଅ ଶ୍ୟାମକୁ ଆପଣ ଭୁଲିଯାଇଛନ୍ତି ! !”

ହଠାତ୍ ରାଗରେ ଚିତ୍କାର କଲେ ହରିମାଷ୍ଟ୍ରେ- “ମୁଁ ଭୁଲିଯାଇଛି । ମୁଁ ଭୁଲା । ମୋତେ ତୁ ଭୁଲା କହୁଛୁ ଅମିୟ । ଏବେ ଯଦି ତୋ କାନଧରି ପଚାରେ. . . କହ- ଓଡ଼ାଙ୍କ କ’ଣ ? ଫେଡ଼ାଙ୍କ କ’ଣ ? ମେଲାଙ୍କ କ’ଣ ? ଶୋଧି କ’ଣ, ବର୍ଣ୍ଣ କ’ଣ, ଧ୍ୱନି କ’ଣ, ଶବ୍ଦ କ’ଣ, ପଦ କ’ଣ. . . କହିପାରିବୁ । ତୁ ଭୁଲା ନା, ମୁଁ ଭୁଲା ? କିଏ ଭୁଲା ??”

କାମ ଛାଡ଼ି ହରିମାଷ୍ଟ୍ରେଙ୍କ ଉଗ୍ର ମୂର୍ତ୍ତିକୁ ଚାହିଁ ରହିଲେ – ସୁବ୍ରତ, ସୁମନ୍ତ ! ସେ କହିଚାଲିଥିଲେ- ମୋ ଦୁଇଟା ପୁଅ. . . ମୁଁ ଜାଣିନି, ତୁ ଜାଣିଛୁ । ବାପ ମୁଁ, ନା ତୁ ? ଚାଲ୍ ଆମ ରାମ ବୋଉ ପାଖକୁ । କହୁ. . . ତା’ର ଆଉ ଗୋଟାଏ ପୁଅ କିଏ ?

ଏତିକିବେଳେ ମିନତିଦେବୀ ଚା’ ଆଣି, ଶିଷ୍ୟ-ବଧୂର ଭୂମିଷ୍ଠ ପ୍ରଣାମ ଜଣାଇଲେ ମାଷ୍ଟ୍ରେଙ୍କୁ । ତାଙ୍କ ହାତରେ ଚା’ କପ୍ ଧରାଇଲେ ।

ଶାନ୍ତ ହେଇଯାଇ ପଚାରିଲେ ମାଷ୍ଟ୍ରେ- “ଇଏ ମା’ କିଏ କିରେ ଅମିୟ ?”

“ଆପଣଙ୍କ ବୋହୂ. . . ମାଷ୍ଟ୍ରେ !”

ନିଜ ସ୍ତ୍ରୀକୁ ଗୁରୁଙ୍କ ବୋହୂ ରୂପେ ପରିଚିତ କରାଇ, ଖୁସି ହେଉଥିଲେ ଅମିୟ ସାର୍ । ଏଠି ବି ବାହାରିଲା ମାଷ୍ଟ୍ରେଙ୍କ ଡିମେନ୍‌ସିଆ ରୋଗର ଦୁଷ୍ପ୍ରଭାବ. . . ।

ସେ କହିଲେ- “ମୋ ବୋହୂ ତୋ ଘରେ କାହିଁକି ? ଘରର ବୋହୂ କୁଳର ଲକ୍ଷ୍ମୀ । ନିଜ ଦ୍ୱାରବନ୍ଧ ଡେଇଁବା ଆଗରୁ, ଘରର ମୁରବିକୁ ପଚାରିବା କଥା । ଆଜିକାଲି ସମୟ ଏମିତି ହେଲାଣି ଯେ. . . ବୋହୂ ବି ଶ୍ୱଶୁରକୁ ପଚାରୁ ନାହାନ୍ତି । ହେଉ. . ଆସିଲେ, ଆସିଲେ, ତାଙ୍କୁ ଅବହେଳା କରିବୁନାହିଁ । ଖୁବ୍ ଧନୀ ଘରର ଝିଅ । କାନ୍ଦିବେ ତ. . . ତାଙ୍କ ଲୁହ ମୋ ଉପରେ ପଡ଼ିବ. . . । ମୁଁ ଘରର ମୁରବି ପରା . . . ।”

ଏତେବେଳକୁ କାଠମିସ୍ତ୍ରୀ କାମ ଆରମ୍ଭ କରିଦେଲେଣି ।

ମିନତିଦେବୀ ଭିତର ଘରକୁ ଚାଲିଗଲେଣି. . . ସକାଳ ଜଳଖିଆ ପ୍ରସ୍ତୁତ କରିବାକୁ । ଘରେ ନାତୁଣୀଟାକୁ ଛାଡ଼ି ଦେଇ, ପୁଅବୋହୂ ବାହାରେ । ଶହେ ବର୍ଷର କତରାଲଗା ବୁଢ଼ୀଶାଶୂଙ୍କ ଦାୟିତ୍ୱ ତାଙ୍କରି ମୁଣ୍ଡରେ । ନିଜେ ବି ବୁଢ଼ୀ ହେଲେଣି ଯେ- ଅଣ୍ଟା ଆଣ୍ଠୁ ଧରୁଛି । ଏ ତ. . . ରିଟାୟାର୍ଡ ହେବା ପରଠୁ, ସବୁବେଳେ ଲେଖାପଢ଼ାରେ ବ୍ୟସ୍ତ । ବୁଡ଼ିଯାଉଛନ୍ତି ଯେ ଲେଖାରେ. . . ଖାଇବା ପିଇବା ଭୁଲିଯାଉଛନ୍ତି ।

ଅମିୟସାର୍ ଭାବୁଛନ୍ତି- କେମିତି କେମିତି ହରିମାଷ୍ଟ୍ରେଙ୍କୁ ବିଦାୟ ଦେବାକୁ ହେବ । ନଚେତ୍. . . ଏଣୁ ତେଣୁ ପଚାରି ପଚାରି. . . ମିସ୍ତ୍ରୀ ଦୁହିଁଙ୍କ କାମ କମେଇ ଚାଲିବେ ।

ମାଷ୍ଟ୍ରେ ଚାହା ଖାଇସାରି, ଚାହିଁଥିଲେ ସୁବ୍ରତ ଓ ସୁମନ୍ତଙ୍କୁ । ତାଙ୍କ ଇଲେକ୍ଟ୍ରିକ୍ ରନ୍ଦା କିପରି କାଠକୁ ସ୍ପ୍ରିଙ୍ଗ ପରି ମୋଡ଼ିମୋଡ଼ି, କାଗଜ ପରି ପତଳା କରି, ବାଁ ପାଖକୁ ଫୋପାଡ଼ି ଦେଉଛି, ତାକୁ ଲକ୍ଷ୍ୟ କରି କରି କହିଲେ- “ପିଲା ଦୁଇଟା ବଢ଼ିଆ କାମ କରୁଛନ୍ତି । ସିଧା କାଠକୁ ମୋଡ଼ା ମୋଡ଼ା କରି, ଫୁଲ କରି ଦେଉଛନ୍ତି । ୟା’ଙ୍କ ନାଁ କ’ଣ ? ବାପା କିଏ ? କୋଉ ଗାଁରେ ୟା’ଙ୍କ ଘର ?”

ଅମିୟ ସାର୍ କହିଲେ- “ଏ ଦୁହେଁ ମୋର ଛାତ୍ର ମାଷ୍ଟ୍ରେ । ସୁବ୍ରତ ଓ ସୁମନ୍ତ ଦୁଇଭାଇ । ଏମାନଙ୍କ ଘର- କରିଲୋପାଟଣା ପାଖ ଡିହବଳରାମପୁର । ବାପାଙ୍କ ନାଁ କଣ୍ଡୁରୀ ସୂତାର. . . ।”

ମାଷ୍ଟ୍ରେ କହିଲେ- “ଓ ହୋ’ ହୋ’ ହୋ’. . . ! ଡିହବଳରାମପୁର କଣ୍ଡୁରୀ ସୂତାର । କାଳିଆ ହେଇ, ଡେଙ୍ଗା ଲୋକ । ଆଇଲା ଗଲାବେଳେ, କାନ୍ଧରୁ କାଠ କଟା ବାର୍ସିଟାଏ ଛାତି ଉପରକୁ ଝୁଲୁଥିବ । ବଢ଼ିଆ ଲଙ୍ଗଳ କାଟେ କଣ୍ଡୁରୀ ସୁତାର । ଲଙ୍ଗଳ କାଟୁଥିବ. . . ପାନ କଳେ କଳେ ଖାଉଥିବ. . . କଣ୍ଟିରେ ଫୁଲ ପକାଉଥିବ. . . କହୁଥିବ- ରଜାଘର ଚଉଷଠୀ କର କଥା । ବାରି ମଜାଳିଆ ଲୋକ । ରଜା ଘର ନୂଆ କୋଠି ପାର୍ଶ୍ୱ-ରାଣୀମାନଙ୍କୁ ଜଗିବାପାଇଁ, କିପରି ବଳୁଆ ପହିଲ୍‌ମାନ୍ ମାନଙ୍କ ପୁରୁଷାଙ୍ଗ କାଟିଦେଇ, ତାଙ୍କୁ ପ୍ରହରୀ କରାଯାଏ. . . କିପରି ଗାମୁଛାରେ ପଇଡ଼ ବାନ୍ଧି, ଖଜଣା ଦେଇନପାରିଥିବା ଗରିବ ପ୍ରଜାକୁ ରଜାଘର ପିଅନ ପିଟି ପିଟି ଦରମରା କରନ୍ତି. . . କଣ୍ଡୁରୀବୁଢ଼ା କହୁ କହୁ, କାନ୍ଦିପକାଏ ।”

ସୁବ୍ରତ ସୁମନ୍ତ ଦୁହେଁ ଖୁସି ହେଉଥିଲେ ଯେ. . . ତାଙ୍କ ବାପାଙ୍କ ସମ୍ପର୍କରେ ଏତେ କଥା ମନେ ରଖିଛନ୍ତି- ଏ ବୁଢ଼ା ମାଷ୍ଟ୍ରେ ! ସୁବ୍ରତ କହିଲା- “ବାପା କୋଡ଼ିଏ ବର୍ଷ ତଳୁ ଚାଲିଗଲେଣି ଆଜ୍ଞା. . . ।”

ମାଷ୍ଟ୍ରେ କହିଲେ- “ଚାଲିଗଲେଣି ! ହଁ, ହଁ, ସେ ତ ସବୁବେଳେ ତୁମ ଗାଁରୁ ଚାଲି ଚାଲି ଆସୁଥିଲେ । ଚାଲିବାରେ ତାଙ୍କର ଅଭ୍ୟାସ ଅଛି । କୋଉଠିକୁ ଚାଲି ଯାଇଛନ୍ତି. . . ଯାଇଥାନ୍ତୁ, କାମ ଶେଷକରି ଆସିବେ ନାହିଁକି ?”

ସୁମନ୍ତ କହିଲା- “ମଉସା ! ଆମ ବାପା ମରିଗଲେଣି ।”

– ଆଁ ଏଁ ! ମରିଗଲେଣି ! ହଁ, ହଁ. . . ଆଦୌ ଶବ୍ଦ ନ କରି, କିଛି ବି ଈଶାରା ନ ଦେଇ, ଜୀବନ ନଈର ଲହରୀ ମାଡ଼ି ମାଡ଼ି ଚାଲିଛି ପରା. . . ମରଣ ନାମକ ସମୁଦ୍ରରେ ମିଶିବାକୁ । ସେଇଠୁ ଆସିଛି, ସେଇଠିକୁ ଯାଉଛି । ଏ କଥା ଭକ୍ତକବି ମଧୁସୂଦନ କହିଥିଲେ । ଆମେ ବ୍ରହ୍ମକୁ ଭୁଲି ଯାଉଛନ୍ତି ବୋଲି, ଖରାପ ହେଉଛନ୍ତି । ରୋଗରେ ପଡ଼ି ସଢୁଛନ୍ତି । ମୋହ ମାୟାରେ ପଡୁଛନ୍ତି ।

ହରିମାଷ୍ଟ୍ରେଙ୍କ ଅଦ୍ଭୁତ ସ୍ମରଣ ଶକ୍ତି ଚମତ୍କୃତ କରୁଥାଏ- ସୁବ୍ରତ ଓ ସୁମନ୍ତଙ୍କୁ । ସେ ଆଦୌ ଅସ୍ୱାଭାବିକ୍ ଲାଗୁନଥାନ୍ତି ଏବେ ।

ଏବେ ତାଙ୍କୁ ନବେ ବର୍ଷ ବୟସ । ସୁବ୍ରତ ସୁମନ୍ତଙ୍କୁ ଲାଗିଲା- ଏହିପରି ଶିକ୍ଷକଙ୍କୁ ପାଇ, ତାଙ୍କ ସାର୍- ଅମିୟ ସାର୍. . . ଭଲ ଶିକ୍ଷକ ହେଇପାରିଥିଲେ ।

ଏତିକିବେଳେ ମିନତିଦେବୀ ମିସ୍ତ୍ରୀଙ୍କ ପାଇଁ ସକାଳ ଜଳଖିଆ ଆଣିଲେ. . . ।

ମାଷ୍ଟ୍ରେ କହିଲେ- “ଅମିୟରେ ! ଆଜି ଆମ ରାମବୋଉ ମୋତେ ଚାହା ଖାଇବାକୁ ଦେଲେ ନାହିଁ । ମାରି କି ପିଠି ଫୁଲେଇ ଦେଲେ । ତୁ ମୋ ଛାତ୍ର । ଏ ଯାଏ ବସେଇଛୁ । ଚାହା କପେ ବି ଗୁରୁକୁ ଦେବାକୁ ଭୁଲିଗଲୁ । ତୋ ପଇସା ସରିଯିବ । ମୁଁ କ’ଣ ମାଗନ୍ତି ? ଗୁରୁ ମାଗିକି ଖାଇବ ଶିଷ୍ୟଠାରୁ ! ଶିଷ୍ୟମାନେ ମାଗିକି ଆଣି, ଗୁରୁଙ୍କୁ ଦିଅନ୍ତି । ଓଲଟା. . . ମୁଁ ମାଗନ୍ତି ! ତୁ ମୋ ଚାହାଳିରେ ବଡ଼ଚାଟ ଥିଲୁ । ଏୟା ଶିଖିଛୁ ଯେ. . . ଗୁରୁଙ୍କୁ ଚାହା ଟୋପେ ଦେବୁ ନାହିଁ ।”

ଅମିୟ ସାର୍ ମିନତି ଦେବୀଙ୍କୁ କହିଲେ- “ମାଷ୍ଟ୍ରେ ପ୍ରଥମ ଚାହାକପ୍ କଥା ଭୁଲିସାରିଲେଣି ୟା’ ଭିତରେ । ଆଉ କପେ କରିଆଣ. . . ।”

ମିନତିଦେବୀ ଭିତରକୁ ଗଲେ । ସୁବ୍ରତ ଓ ସୁମନ୍ତ ହାତଧୋଇ, ବସିଗଲେ ଖାଇବାକୁ । ମାଷ୍ଟ୍ରେ ତାଙ୍କ ଆଡ଼େ ବିସ୍ମୟରେ କିଛି ସମୟ ଚାହିଁ ରହିଲେ । ଯେମିତି ନୂଆ ଦେଖୁଛନ୍ତି । ଆଗରୁ ଦେଖିନଥିଲେ ।

ପଚାରିଲେ- “ଏ ପିଲା ଦୁହେଁ କିଏ ? ୟା’ଙ୍କ ନାଁ କ’ଣ ? ବାପାଙ୍କ ନାଁ କ’ଣ ? ଘର କୋଉ ଗାଁରେ ?'”

ସୁବ୍ରତ ସୁମନ୍ତ ଖାଉ ଖାଉ ତଳକୁ ମୁହଁ କରି ହସୁଥାନ୍ତି ନିରବରେ । ଖରାପ ଲାଗିଲା ଅମିୟସାର୍‌ଙ୍କୁ । କହିଲେ –

. . . ହସ ନାହିଁ ପିଲାଏ । ମାଷ୍ଟ୍ରେଙ୍କର ଏଇଟା ଡିମେନ୍‌ସିଆ ରୋଗ । ପଚାଶରୁ ଅଶୀବର୍ଷ ବୟସରେ, ଏହି ରୋଗରେ କିଛି ଲୋକ ଆକ୍ରାନ୍ତ ହୁଅନ୍ତି । ଡିମେନ୍‌ସିଆର ଅର୍ଥ-ଦୀର୍ଘସ୍ଥାୟୀ ମାନସିକ ବିକୃତି, କିନ୍ତୁ ଏହା ପାଗଳାମି ନୁହେଁ । ଏ ରୋଗରେ ପୀଡ଼ିତ କାହାରି କାହାରି ବର୍ତ୍ତମାନ କଥା ଆଦୌ ମନେ ରହେନାହିଁ. . . ଦୂର ଅତୀତ ନିର୍ଭୁଲ୍ ଭାବରେ ମନେରଖିଥାନ୍ତି, କହି ଯାଆନ୍ତି । ଯେମିତି ମାଷ୍ଟ୍ରେ. . . ତୁମ ବାପଙ୍କ ସମ୍ୱନ୍ଧରେ କହିଲେ । କେହି କେହି ଅତୀତକୁ ଭୁଲିଯାଇ, ନିକଟକୁ ମନେ ରଖିଥାନ୍ତି । ମାଷ୍ଟ୍ରେ ପ୍ରଥମ ଶ୍ରେଣୀର ରୋଗୀ । ତାଙ୍କ ଦୁଇପୁଅ ଓ ନାତିମାନେ ଡାକ୍ତରୀ ଚିକିତ୍ସା ଲଗାଇ ରଖିଛନ୍ତି । ନଚେତ୍. . . ସେ ପାଗଳ ହେଇ ସାରନ୍ତେଣି, କ୍ରମାଗତ ଡିମେନ୍‌ସିଆରେ ଆକ୍ରାନ୍ତ ହେଇ. . . ।

. . . ଡିମେନ୍‌ସିଆର ଆଉ ଗୋଟେ ନାଁ ମଧ୍ୟ ଅଛି । ତାହା- ଆଲ୍‌ଜାଇମର୍ସ୍ । ନୋବେଲ୍ ପୁରସ୍କାର ଲାଭ କରିଥିବା ସ୍ନାୟୁ ବିଜ୍ଞାନୀ ଆଲ୍‌ଜାଇମର୍ ଏହି ରୋଗ ପ୍ରଥମେ ଚିହ୍ନଟ କରିଥିଲେ । ଭେଜଷ ବିଜ୍ଞାନୀ. . . ତାଙ୍କରି ନାମାନୁସାରେ, ଏ ରୋଗର ନାମକରଣ କରିଛନ୍ତି- ଆଲ୍‌ଜାଇମରସ୍ (Alzheimer’s) । ଏହା ଅକାଳ ବାର୍ଦ୍ଧକ୍ୟ ଟାଣି ଆଣେ । ପୀଡ଼ିତ ବ୍ୟକ୍ତି ଜାଣିପାରେନି- ତା’ ଉପରେ ରୋଗର କି ପ୍ରଭାବ ପଡ଼ିଛି. . . କି, ସେ ଅସ୍ୱଭାବିକ୍ ବ୍ୟବହାର କରୁଛି ।

ଏଣୁ, ତୁମେ ସବୁ କେବଳ ମାଷ୍ଟ୍ରେଙ୍କୁ ନୁହେଁ. . . କୌଣସି ବିସ୍ମରଣଗ୍ରସ୍ତ ରୋଗୀକୁ ହସିବ ନାହିଁ । ବାର୍ଦ୍ଧକ୍ୟ ସମସ୍ତଙ୍କ ପାଇଁ ଅଛି ନା ।

ମିନତିଦେବୀ ଫ୍ଲାସ୍କରେ ଚାହା ଭର୍ତ୍ତିକରି, ଚାରିଟା ଖାଲି କପ୍ ଟ୍ରେ’ରେ ରଖି ପହଞ୍ଚିଲା କ୍ଷଣି କହିଲେ- “କ’ଣ ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଦେଲଣି । ଶୁଣ- ତେଣେ ବୋଉ ମୋତେ ବହୁତ ହଇରାଣ କରୁଛନ୍ତି । ଏବେ ଏବେ ଖାଇବାକୁ ଦେଇ, ବିଛଣାରେ ଶୁଆଇଲି । ଶୋଇ ଶୋଇ ପାଟି କରୁଛନ୍ତି- ଡାକିକି ଗଲୁ, ଖାଇବାକୁ ଦେଉନାହୁଁ କାହିଁକି ? ବସି ବସି, ପିଠି କମର ବିନ୍ଧିଲାଣି । ଶୀଘ୍ର ଖାଇବାକୁ ଦେ’. . . ନ ଦେବୁ ତ. . . ପଳେଇଯିବି ।”

ଅମିୟସାର୍ ତଟସ୍ଥ ହେଇଗଲେ ।

ବୋଉକୁ ବାହୁ ମୂଳରୁ ନ ଧରିଲେ ଉଠିପାରୁ ନାହିଁ । ଖାଇସାରି, ଖାଇବା ଭୁଲି ଯାଉଛି. . . ଶୋଇଥିଲେ ବି. . . ଖାଇବା ଜାଗାରୁ ଉଠି ପଳେଇବ ବୋଲି କହୁଛି । ବୋଉକୁ ବି କ’ଣ ଡିମେନ୍‌ସିଆ ହେଇଗଲା ? . . . ବୟସକୁ ବିଶ୍ୱାସ କ’ଣ. . . କେତେବେଳେ କି ରଙ୍ଗ ଦେଖାଇବା ।

ସେ ସଙ୍ଗେ ସଙ୍ଗେ ଭିତରକୁ ଯାଇ, ବୋଉ ଖଟର ବିଛଣା ଧାରରେ ବସିଲେ । ଆଉଁଶି ଦେଲେ. . . ପିଠି, ଛାତି, ଗୋଡ଼କୁ ।

ବୋଉ ପଚାରିଲେ- “ତୁ କିଏ ଆରେ ?”

– ଅମି ପରା । ତୋ ପାଗଳା । ଚିହ୍ନି ପାରୁନୁ ।

– ଆରେ ପାଗଳା ! ମତେ ଯମ ଡାକିଲାଣି । ତୁ ବାହା ହଉନୁ । କ’ଣ ବୁଢ଼ା ହେଲେ ବାହାହବୁ ? ମୁଁ ନାତି ନାତୁଣୀ ଦେଖିବି କେବେ ? କ’ଣ ମଲା ପରେ ?

ସ୍କୁଲ୍‌କୁ ବାହାରିଥିଲା- ଅଣନାତୁଣୀ ପ୍ରଜ୍ଞା । ସପ୍ତମ ଶ୍ରେଣୀରେ ପଢ଼େ । କହିଲା- ମା’ ! ମୁଁ ପରା ତମ ନାତିଙ୍କ ଝିଅ. . . ତମର ଅଣନାତୁଣୀ ।

ତାକୁ କିଛି ସମୟ ଯାଏ ଚାହିଁଲା ପରେ, ବୁଢ଼ୀ ପଚାରିଲେ- “ଆରେ ପାଗଳା ! ଇଏ କିଏ ?”

ଅମିୟସାର୍‌ଙ୍କ ଆଖି ଭିଜିଆସିଲା ।

– ତା ପରେ –

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top