ଆସ ଆସ ଆମେ ଚିଲିକା ଯିବା
ବରକୁଳଠାରେ ଭୋଜି କରିବା
ସେଇଠାରୁ ଆମେ ଟିକଟ କିଣି
ପାୱାର୍ ବୋଟ୍ରେ ବସିବା ପୁଣି
କାଳିଜାଈ ଦିଗେ ଚାଲିବ ନାଆ
ବହୁଥିବ ସୁଲୁସୁଲିଆ ବାଆ
ଦିଗନ୍ତ ବିସ୍ତାରି ନୀଳ ତରଙ୍ଗେ
ନାଚୁଥିବେ କେତେ ଜଳ ବିହଙ୍ଗ
ନୀଳ ଜଳ ନୁହେଁ ନୀଳ ଅମୃତ
ସୌନ୍ଦର୍ଯ୍ୟ ରସରେ ପରିପୁରିତ
ଚାରୁ ରୂପମୟୀ ଚିଲିକା ରାଣୀ
ଅନୁଭବି ସିନା ପାରିବ ଜାଣି
କେଉଁଦିଗୁ କେତେ ଯାତ୍ରୀଙ୍କି ଧରି
ଧାଇଁଥିବେ ଶତ ସହସ୍ର ତରୀ
ଦଳ ଦଳ ଜଳୁ ହୋଇ ବାହାର
ଶିଶୁମାର କରୁଥିବେ ବିହାର
ଯୋଗ ଥିଲେ ଆମେ ଦେଖି ପାରିବା
ଜାଈ ଦରଶନ ସାରି ଫେରିବା
ଶୀତ ଆଗମନେ ପ୍ରତି ବରଷ
ବିଦେଶୁ ଆସନ୍ତି ହୋଇ ହରଷ
ଲକ୍ଷ ଲକ୍ଷ ପକ୍ଷୀ ଖାଦ୍ୟ ଲକ୍ଷ୍ୟରେ
ଓହ୍ଲାନ୍ତି ଚିଲିକା ନୀଳ ବକ୍ଷରେ
ପକ୍ଷୀ ନୁହଁ କିବା ଅଟନ୍ତି ପରୀ
ଆସିଛନ୍ତି ଜଳ ବିହାର କରି
ନଳବଣ ପୁରେ କୋଳାହଳରେ
ଚିଲିକା ସୌନ୍ଦର୍ଯ୍ୟ କେ ବର୍ଣ୍ଣିପାରେ ।
ଶୀତ ଅତିକ୍ରାନ୍ତେ ବଢ଼ନ୍ତେ ଖରା
ଫେରନ୍ତି ନିଜର ଘରକୁ ପରା
ମାମୁଁ, ଘଣ୍ଟଶିଳା, ସୋଲରୀ ଦରୀ
ଜଗିଛନ୍ତି ତାକୁ ପ୍ରହରୀ ପରି
କେତେ କବି କେତେ ଭାବୁକ ଆସି
ସୌନ୍ଦର୍ଯ୍ୟ ରସରେ ଯାଆନ୍ତି ରସି
ନାରାୟଣୀ, ଭଗବତୀ ଦର୍ଶନ
ନ ହେଲେ କି ଶାନ୍ତ ହୋଇବ ମନ !
ଚିଲିକାର ସ୍ମୃତି ହୃଦୟେ ହେରି
ନିଜ ନିଜ ସ୍ଥାନେ ଆସିବା ଫେରି ।।
