ଗଳ୍ପ

ଖଟ

ସାଆନ୍ତ ନିଜେ ଆଘାତ ପାଇଥିଲେ । ତଥାପି ଧୈର୍ଯ୍ୟ ଧରି ସାଆନ୍ତାଣୀଙ୍କୁ ବୁଝାଇଲେ- ମାମଲାଟା ଏବେ ବାହାରର ଆଉ ହୋଇ ରହିନାହିଁ । ବିଚାର ହବ- ଏଇଠି, ଏଇ ଘରେ ।

ଖଟ

-: ପୁର୍ବରୁ :-

ଅବଶ୍ୟ କଥାଟା ହେଉଛି ଛୋଟ ସାଆନ୍ତାଣୀ ରଘୁକୁ ଯଦି ଖୁସିରେ କିଛି ଦେବାକୁ ଚାହିଁଲେ ନିଜ ହାରଟା ଦେଇଥିଲେ ଚଳିଥାନ୍ତା । କିନ୍ତୁ ମାଆଙ୍କ ହାର ଦେଇ ଦେବାରୁ ମାମଲାଟା ଏତେ ବାଟ ଆସିଲା ସିନା ।

ସମସ୍ତେ ଚାଲିଯିବା ପରେ ଆପଣା ଗାଲରେ ଚୂନ କାଳି ବୋଳି ହେଇଯିବା ପରି ଲାଗିଲା ସାଆନ୍ତଙ୍କୁ । ସଭାସ୍ଥଳ ପୁରା ଜନଶୂନ୍ୟ । ମୌନବତ୍ ବସିଥିବା ସାଆନ୍ତ ଏଥର ଉଠିଲେ ନୀରବରେ ।

ସାଆନ୍ତାଣୀ କବାଟ କିଳି କଇଁ କଇଁ କାନ୍ଦୁଥିଲେ । ଛୋଟ ସାଆନ୍ତାଣୀଙ୍କ ଦେଖା ଦର୍ଶନ ନ ଥିଲା । ରଘୁ ଥିଲା ତା’ ଘରେ, ଦୁଲାଳୀ ପାଖରେ ।

ସାଆନ୍ତାଣୀ କୋହ ଉଠେଇ ଲୁହ ଛଳଛଳ ଆଖିରେ ଅନେଇ ରହିଥିଲେ ସାଆନ୍ତଙ୍କୁ । ସମ୍ଭବତଃ ସେଇ ଚାହିଁବାରେ ସେ ତାଙ୍କୁ ପଚାରୁଥିଲେ- ଯୋଉ କଥା ଏ କୁଳ ବଂଶ ମାନ ମର୍ଯ୍ୟାଦା ପରମ୍ପରାରେ କେବେ ଘଟି ନଥିଲା, ଆଜି ତାକୁ ନେଇ ଦାଣ୍ଡରେ ସଭାଟାଏ ବସିଗଲା । ପୁଣି ଦୋଷୀର ଜାଗାରେ ନିଜ ରକ୍ତର ସନ୍ତକ । ଏମିତି କାହିଁକି ହେଲା ସ୍ୱାମୀ ?

ସାଆନ୍ତ ନିଜେ ଆଘାତ ପାଇଥିଲେ । ତଥାପି ଧୈର୍ଯ୍ୟ ଧରି ସାଆନ୍ତାଣୀଙ୍କୁ ବୁଝାଇଲେ- ମାମଲାଟା ଏବେ ବାହାରର ଆଉ ହୋଇ ରହିନାହିଁ । ବିଚାର ହବ- ଏଇଠି, ଏଇ ଘରେ ।

ଝୁଲଣାରେ ଝୁଲୁଥିଲେ ସାଆନ୍ତେ । ତାଙ୍କ ଝୁଲିବା ସହ ତାଳ ଦେଇ ଝୁଲୁଥିଲା ଆଉ ଦୋହଲୁଥିଲା ଅନେକ ପ୍ରଶ୍ନ, ଅନେକ ସନ୍ଦେହ ଆଉ ଅନେକ କିଛି ସଂଶୟ ।

ଲୋକେ ସିନା ତାଙ୍କ ସାମ୍ନାରେ କିଛି କହିଗଲେ ନାହିଁ । ହେଲେ ମନରେ ତାଙ୍କ ପ୍ରତି ସନ୍ଦେହର ବାଣ ମାରିଦେଇ ଚାଲିଗଲେ- ଇମିତି ଖୁସିରେ କିଏ ଛୋଟ ମୋଟ ଜିନିଷ ଦେଇ ଦେଉଛି । ଖୁସି ହେଲେ ବୋଲି ଚାକରବାକର ଲୋକଙ୍କୁ ସୁନାହାର ? ତାଙ୍କ ଭିତରେ କ’ଣ କିଛି ଗୁପ୍ତ ସମ୍ପର୍କ ଥିବ ନା ?

ଆଖି ଆଗକୁ ଆସୁଥିବା ସବୁ ପ୍ରଶ୍ନର ଉତ୍ତର ସାଆନ୍ତେ ଖୋଜୁଥିଲେ । ହେଲେ ମଝି ନଈରେ ପହଁରା ଜାଣି ନଥିବା ଲୋକଟି ପରି ତାଙ୍କୁ କିଛି ଉତ୍ତର ମିଳୁନଥିଲା । ଭାରି ଅଶ୍ୱସ୍ତି ଅନୁଭବ କରୁଥିଲେ ସେ ।

ଆଉ ଝିଅ କଲ୍ୟାଣୀ ବି ସମପରିମାଣରେ ଅପମାନିତ । ଅନୁତପ୍ତ । ସେଥିପାଇଁ ସେ ତ ମୋଟେ ଆଗକୁ ଇ ଆସୁନାହିଁ ।

ତେବେ ହୁକୁମ୍ ଅକାଟ୍ୟ ।

ରାତିର ନିଭୃତ ପ୍ରହରରେ ସାଆନ୍ତଙ୍କ ଶୟନ କକ୍ଷରେ ଆୟୋଜିତ ହେଲା ନ୍ୟାୟ ସଭା ।

ମାଆ କଲ୍ୟାଣୀକୁ ଦୋଷୀଟିଏ ପରି ଟାଣି ଟାଣି ଆଣିଲେ ବାପାଙ୍କ ଆଗକୁ । ଥରେ ମାତ୍ର ବାପାଙ୍କ ଆଖିରେ କ୍ରୋଧ ଦେଖି କଲ୍ୟାଣୀ ସହି ପାରିଲା ନାହିଁ । ଲୁହରେ ବତୁରଉ ଥିଲା ନିଜେ ଠିଆ ହୋଇଥିବା ମାଟିକୁ ।

ବାପା ପଚାରିଲେ, “ଚୁପ୍ ରହିଲୁ କାହିଁକି ? ଏ ଘଟଣା ପାଇଁ ଲୋକଙ୍କ ପାଖରେ ତୁ ଯେତିକି ନିନ୍ଦା ପାଇଛୁ, ମୁଁ ବେଶି ପାଇଛି । ଯୋଉ ଲୋକ ମୁଣ୍ଡ ଉଠେଇ ମତେ ଚାହିଁବାକୁ ସାହସ କରୁନଥିଲେ, ସେମାନେ ଆଜି ମୋ କ୍ଷମତା, ପ୍ରତିପତ୍ତି, ମୁରବିପଣିଆକୁ ଉପହାସ କରି ଚାଲିଗଲେ । କହ, ରଘୁକୁ ତୁ କାହିଁକି ହାରଟା ଦେଇଥିଲୁ ?”

ସେ ବହୁତ ବିବଶ ହେଇ ପଡ଼ିଥିଲା । ଲାଜ, ଅପମାନ ଆଉ ଲାଞ୍ଛନାରେ ଖୁବ୍ ଭାଙ୍ଗି ପଡ଼ିଥିଲା । କଥାଟା କୋଉଠୁ ଆରମ୍ଭ କରିବ, କେମିତି ଆରମ୍ଭ କରିବ ଭାବି ଭାବି କିଛି କହିପାରୁନଥିଲା । ଯଦିଓ ଏତେ ସବୁ ଘଟଣା ପାଇଁ ସେ ନିଜେ ଦାୟୀ, କେମିତି ସେ ଦୋଷ ସ୍ୱୀକାର କରିବ, ଜାଣିପାରୁନଥିଲା ।

ଉତ୍ତର ଅପେକ୍ଷାରେ ଥିଲା ସମୟ । ସମୟ ଅପେକ୍ଷାରେ ସାଆନ୍ତ ।

କେତେ ସମୟ ଗଲା ଉତ୍ତାରୁ ମାଆ ତାଗିଦ୍ କରି କହିଲେ, “ଖୁଣ୍ଟଟା ଭଳିଆ ଠିଆ ହେଇଛୁ କାହିଁକି ? ଯାହା କହିବା କଥା ସଫା ସଫା କହ । ଏଠି କିଏ ତତେ ମାରି ପକଉଛି ?”

ଆଖି କୋଣରେ ଜକେଇ ଆସିଥିବା ଲୁହକୁ ବୋହିଯିବା ପୂର୍ବରୁ କଲ୍ୟାଣୀ ପୋଛି ନେଲା । ନିଜ ଭିତରେ ଦୃଢ଼ ହେଲା, ମନକୁ ସ୍ଥିର କଲା । ନିଜକୁ ନିଜେ ସାହସ ଦେଇ ଆରମ୍ଭ କଲା ସେଇ କଥା ଯୋଉ କଥାରେ ଝିମିଟି ଖେଳରୁ ଏତେ ସବୁ ମହାଭାରତ ଘଟି ଯାଇଥିଲା ।

ଥରଥର କଣ୍ଠରେ କହିଲା, “ପିଲାବେଳେ ମତେ ତମେ ଅନେକ କଣ୍ଢେଇ ଖେଳିବାକୁ ଦେଇଛ ବାପା । କେତେବେଳେ ମୁଁ ସେଇ କଣ୍ଢେଇମାନଙ୍କର ସାଙ୍ଗ ହେଇଛି ତ କେତେବେଳେ ତାଙ୍କର ମାଆ ହେଇ ତାଙ୍କୁ ଖୁବ୍ ଗେଲ କରିଛି, ଆଦର କିଛି । କିନ୍ତୁ ବାହାଘରର ଛଅଟା ବର୍ଷ ପରେ ଯୋଉ କଣ୍ଢେଇ ପାଇଁ ମୁଁ ବ୍ୟସ୍ତ ହେଉଥିଲି, ଠାକୁରଙ୍କୁ ଡାକୁଥିଲି, ମାନସିକ କରୁଥିଲି, କାନ୍ଦି କାନ୍ଦି ରାତି ପୁହାଇ ଦେଉଥିଲି ଆଉ ମୋ କୋଳରେ ଯୋଉ କଣ୍ଢେଇଟେ ଦେଖି ତମେ ଖୁସି ହେଇଥାନ୍ତ ବୋଲି କହୁଥିଲ, ତାହା ଏଇ ଛଅଟା ବର୍ଷ ଭିତରେ ସମ୍ଭବ ହେଇ ପାରିଲା ନାହିଁ । ସମସ୍ୟା ମୋ ପାଖରେ ନଥିଲା ବୋଉ ! ହେଲେ ଜଣେ ନିବୀର୍ଯ୍ୟ, ନିଷ୍ଫଳ ସ୍ୱାମୀଙ୍କ ଠାରୁ ବେଶି କ’ଣ ଆଶା କରିଥାନ୍ତି ? ତମ ଜ୍ୱାଇଁଙ୍କ ପାଖରେ ବାପା ହେବାର କ୍ଷମତା ନାହିଁ ।”

ଝିଅର କଥା ଶୁଣି ସାଆନ୍ତ ଆଉ ସାଆନ୍ତାଣୀ ପୁରା ହତବାକ୍ ।

କଲ୍ୟାଣୀ ଆଖିରେ ଅବାରିତ ଲୁହ । ମାଆ ଆଉ ପାରିଲେନି । ଝିଅକୁ ନିଜ ଛାତିକୁ ଆଉଜେଇ ନେଲେ । ବାପା ମୁହଁ ତଳକୁ କରି ବସିଥିଲେ, ପଥରଟାଏ ଭଳି ।

କଲ୍ୟାଣୀ କାନ୍ଦୁଥିଲା ତ କହୁଥିଲା, ପୁଣି କିଛି କହୁଥିଲା ତ ଆହୁରି କାନ୍ଦୁଥିଲା । ସେମିତି କାନ୍ଦି କାନ୍ଦି ବର୍ଷ ବର୍ଷର ଜମାଟ ବାନ୍ଧିଥିବା ଦୁଃଖ ସବୁ ଲୁହରେ ବୁହେଇ ଦେବାକୁ ଚାହୁଁଥିଲା ।

ସେମିତି ବୋଉ ଛାତିରେ ମୁଣ୍ଡ ଗୁଞ୍ଜି କହିଲା, “ମୋର ଖାଇବା ପିଇବା ନାଇବାରେ କିଛି ଅସୁବିଧା ନଥିଲା, ଯାହା ଏଇ ଗୋଟିଏ ଦୁଃଖ ଥିଲା । ଆଉ ଯେତେଥର ମୁଁ ତମ ଜ୍ୱାଇଁଙ୍କୁ ଏକଥା ପଚାରିଛି, ସେ ଖାଲି ମୋ ଦୋଷ ଦେଇଛନ୍ତି । ଶାଶୁଘର ଲୋକ କେହି ବି ମୋ କଥା ଶୁଣିନାହାନ୍ତି । ସମସ୍ତେ ମୋ ଦୋଷ ଖୋଜିଛନ୍ତି । ବାଞ୍ଝ ବୋଲି ତିରସ୍କାର କରିଛନ୍ତି । ବହୁତ ଅପନିନ୍ଦା ସହିଛି । ଅପବାଦ ପାଇଛି, କଷ୍ଟ ସହି ସହି ଆଉ ପାରିନି ବୋଉ ।”

“ହେଲେ ତୁ ତ ଖବର ଦେଇଥିଲୁ, ମାସେ ହେଲାଣି ତୋର ପିଲା ରହିଲାଣି. . . ।”

“ହଁ ବୋଉ, ମୁଁ ଏଇ ରଘୁ ପାଇଁ ମାଆ ହେଇ ପାରିଛି ।”

ପାହାଡ଼ ଧସିଗଲା କି ଆଉ । କଲ୍ୟାଣୀ ଏମିତିକା କଥାଟା କହି ପକେଇବ, ମାଆ କେବେ ଆଶା କରିନଥିଲେ । କଥା ଶୁଣି ସାଆନ୍ତ ମୁଣ୍ଡ ଉଠେଇଲେ ଯେ, ଆଖି ପୂରେଇ ଝିଅକୁ ଚାହିଁ ପାରିଲେନି ।

ଘୃଣା ଓ ଲାଜରେ ଜଡ଼ସଡ଼ ବାପା ବୋଉ ।

ମାଆ ତାଗିଦ୍ କରି ପଚାରିଲେ, “ତୁ ଜମିଦାରୀ ଘରର ପିଲା ହେଇ ଚାକର ବାକର ସହ. . . ।”

କଲ୍ୟାଣୀ ମାଆଙ୍କ ପ୍ରଶ୍ନ ପାଇଁ ଆଗରୁ ଉତ୍ତର ସଜେଇ ରଖିଥିଲା । ତୁରନ୍ତ ବୁଝେଇଲା, “କ’ଣ ଆଉ କରିଥାନ୍ତି ବୋଉ ! ବାହା ହେଲା ପରେ ଜଣେ ସ୍ତ୍ରୀ ଲୋକର ମାଆ ହେବାର ସୌଭାଗ୍ୟର କଥା । ଆଉ ତା’ ହେଇ ନ ପାରିଲେ କୁଳ ନିନ୍ଦା, ବଂଶ ନିନ୍ଦା, ଚରିତ୍ର ନିନ୍ଦା, ସମାଜ ନିନ୍ଦା ଆଉ ଅଶୁଭ ନିନ୍ଦା । ଏମିତି ନିନ୍ଦା ଅପବାଦ ସହି ନ ପାରି ବହୁତ ଥର ଆତ୍ମହତ୍ୟା କରିଦେବା କଥା ଭାବିଛି, କିନ୍ତୁ ମନକୁ ପୁଣି ଟାଣ କରିଛି । ଆତ୍ମହତ୍ୟା ପାପ ବୋଲି ବିଚାରିଛି । ସିଏ ସିନା ମିଛ ପୁରୁଷ ପଣିଆ ଆଉ ଅହମିକା ଦେଖେଇ ନିଜକୁ ପରୀକ୍ଷା କଲେ ନାହିଁ, ମୁଁ କାହିଁକି ମାଆ ହବାର ସୌଭାଗ୍ୟକୁ ହାତଛଡ଼ା କରିଥାନ୍ତି ।”

ମାଆ କଲ୍ୟାଣୀର କଥା ଯେତେ ଯେତେ ଶୁଣୁଥିଲେ, କାଠ ପାଲଟି ଯାଉଥିଲେ । ଝିଅର ମୁହଁ ତୋଳି ଧରି କହିଲେ, “ତା’ ତ ଠିକ୍‌ରେ ମା’ । ଆମକୁ ଏକଥା ତୁ ତ କେବେ ଜଣେଇନୁ । ତା’ ଛଡ଼ା ରଘୁ ସହ ଏମିତି କାମ କରିବାଟା ମୁଁ ଭଲରେ ନେଇପାରୁନି ।”

ମଶାଣିରେ ଯେତେବେଳେ ଘର କରିଛି, ଡାଆଣୀକୁ ଆଉ କୋଉ ଡର ?

କଲ୍ୟାଣୀର ସ୍ୱର ଆହୁରି ମଜବୁତ୍ ହେଉଥିଲା । ସେ ସର୍ବବିଧ ନିଜ ପାଇଁ ଶେଷ ବିକଳ୍ପ ଆଉ ଠିକ୍ କାମ କରିଛି ବୋଲି ଭାବୁଥିଲା । ବାପା ବୋଉଙ୍କ ଉଦ୍ଦେଶ୍ୟର ସେ ଜଣାଇଲା, “ଏଥିରେ ରଘୁର କାଣିଚୋ ହେଲେ ଭୁଲ୍ ନାହିଁ । ଏମିତି ଥରେ ସ୍ୱପ୍ନଟାଏ ଦେଖିଲି, ମୋ ଆତ୍ମା ପୁରୁଷ କହୁଛି- ଭାଙ୍ଗିପଡ଼ନା କଲ୍ୟାଣୀ । ସଳଖି ଠିଆ ହବା ଶିଖ । ମରିଗଲେ ତୁ ହାରିଯିବୁ, ତୋ ସ୍ୱାମୀ ଜିତିଯିବେ । ତୋ ପାଖରେ ମାଆ ହବାର ସବୁ କ୍ଷମତା ଅଛି, ତମ ଘରେ ଯୋଉ ରଘୁ କାମ କରୁଛି, ତା’ ଠାରୁ ପିଲାଟାଏ ଆଣ ଆଉ ତୋ ମାନ ଇଜ୍ଜତ ରଖ ।”

“ସ୍ୱପ୍ନଟା ଦେଖି ସାରିଛି ତ ଚାଇଁକିନା ମୋ ନିଦ ଭାଙ୍ଗିଗଲା । ଦେହରେ ଗମ୍‌ଗମ୍ ଝାଳ । ଭାବିଲି, ସ୍ୱପ୍ନରେ କିଛି ଭୁଲ୍ ଦେଖି ନାହିଁ । ତୁ ଜାଣିଛୁ ବୋଉ, ରଘୁ ଆମ ଘରେ କାମଦାମ କଲେ ବି ମୋ ବୟସର, ସାଙ୍ଗ ଭଳି । ପହିଲେ ତ ସେ ନାଇଁ ନାଇଁ କରୁଥିଲା । ପାପ ବୋଲି କହୁଥିଲା । ମୁଁ ତାକୁ ବୁଝେଇ ସୁଝେଇ ରାଣ ଖୁଏଇ ଏଇ ପିଲାଟାକୁ ପାଇଛି । ପିଲା ରହିବା ଖୁସିରେ ମୁଁ ଟ୍ରେଜରିରୁ ତୋ ହାରଟା ରଘୁକୁ ଦୁଲାଳୀ ପାଇଁ ନେଇ ଦେଇଥିଲି । ଏବେ ମୁଁ ସବୁକଥା ତମ ଆଗରେ କହିଦେଇଛି ବାପା । ମାଆ ହବାର ପାଗଳାମିରେ ଏ ଯୋଉ କାମ କରିଛି, ସେଥିପାଇଁ ଭୁଲ୍ ମାଗୁଛି । କ୍ଷମା କର କି ଦଣ୍ଡ ଦିଅ- ବିଚାର ତମ ହାତରେ ।”

କଲ୍ୟାଣୀର ଏଇ ସ୍ପଷ୍ଟୋକ୍ତି ପରେ ସାଆନ୍ତେ ନିଜର ସ୍ଥିତାବସ୍ଥା ଜାହିର କରିପାରୁନଥିଲେ । ବିନ୍ଦୁଟିଏ ହେଇ କୋଉଠି ବି ଲୀନ ହେଇଯିବାକୁ ଚାହୁଁଥିଲେ । ସେ କଲ୍ୟାଣୀକୁ ପାଖକୁ ଡାକିଲେ । ତା’ ମୁଣ୍ଡ ଉପରେ ହାତ ଥୋଇ କହିଲେ, “ମୁଁ ତତେ ଆଉ ତୋ’ ପିଲାକୁ ଆଶୀର୍ବାଦ କରୁଛିରେ ମା’ । ବାକି ଜୀବନ ଭଲରେ ରହ ।”

ରାତି ବିଚାର ସେଇଠି ନିଷ୍କ୍ରାନ୍ତ ହେଲା ।

କଲ୍ୟାଣୀ ଶାଶୁଘରୁ ଯୋଉ ଭାର ଥୋର ନେବା ନାଁରେ ଆସିଥିଲା, ବାପଘରୁ ସେମିତି ଭାରଥୋର ନେଇ ବିଦା ହେଲା ।

ସାଆନ୍ତେ ରଘୁ ଆଉ ଦୁଲାଳୀକୁ ଯଥେଷ୍ଟ ଟଙ୍କା ସୁନା ଦେଇ ସହରରେ ରଖେଇବାର ପ୍ରତିଶ୍ରୁତି ସହ ବାହାରକୁ ପଠେଇ ଦେଲେ ।

ଆଉ ଏସବୁ ଘଟଣା ପରେ ସାଆନ୍ତେ ସର୍ବସମ୍ମୁଖରେ ସଭା ଡାକି ଘୋଷଣା କଲେ- “ଭାଇମାନେ, ବିଜ୍ଞାନ ଆଉ ଲୋକଙ୍କ ଶିକ୍ଷା ଦୀକ୍ଷା ଯାଇ କୁଆଡେ଼ ପହଞ୍ଚିଲାଣି । ଆମେ କ’ଣ ସେଇ ପୁରୁଣା କାଳିଆ ପରମ୍ପରାକୁ ଜାବୁଡ଼ି ଧରିଥିବା ? ଏଣିକି ଆମ ଗାଁରେ ଆଉ ଚୋର ଧରିବାକୁ ଖଟ ବୁଲିବନି, ଏଇଟା ପୁରା ଅନ୍ଧବିଶ୍ୱାସ ।”

ଆଉ ୟା ପରେ-

ପିଢ଼ି ପିଢ଼ି ଧରି ଜୀବନ ପାଇ ଯୋଉ ଖଟ ଚୋର ଧରୁଥିଲା, ସେଇ ଖଟ ପରଦିନ ଗାଁ ମଶାଣିରେ ପୋଡ଼ି ପାଉଁଶ ହେଉଥିବାର ଲୋକେ ଦେଖୁଥିଲେ ।

ସେବେଠୁ ଗୋଟେ ଖଟ – ଯୁଗର ଅନ୍ତ ଘଟିଲା ।

ଲୋକପ୍ରିୟ ଲେଖା

To Top