ଗଳ୍ପ

ଖଟ

ମନ ଦୁଃଖରେ ତାଙ୍କ ଘରେ ସେଦିନ ଚୁଲି ଜଳିଲା ନାହିଁ । ମନସ୍ତାପରେ ଥିଲା ରଘୁ ହେଲେ ଆଉ କ’ଣ କରାଯିବ । ପାଟିରୁ ତ କଥା ବାହାରି ଯାଇଛି, ଆଉ କ’ଣ ଫେରି ଆସିବ ?

ଖଟ

-: ପୁର୍ବରୁ :-

ସାଆନ୍ତେ ଯେମିତି ରାଗରେ ରକ୍ତ ଚାଉଳ ଚୋବାଉଥାନ୍ତି । କ୍ରୋଧ ଜର୍ଜରିତ ହୋଇ କହିଲେ, “ନିମକାହାରାମ୍, ଯୋଉଠି ଦାନା ଖାଇବୁ, ସେଇଠି ଧୂଳି ଦେବୁ । ତତେ ମୁଁ କେତେ ବିଶ୍ୱାସ କରୁନଥିଲିରେ ! ଶେଷକୁ ତୁ ମୋ ବିଶ୍ୱାସରେ ବିଷ ମିଶେଇ ଦେଲୁ । ଜାଣିଚୁ ୟା’ର ପରିଣାମ, ଏଇଠି ଏଇ ସଭା ମଣ୍ଡପରେ ଶହେ ବେତମାଡ଼ ଆଉ ଦି’ ବର୍ଷ ଜେଲ୍‌ଦଣ୍ଡ । ତଥାପି ତୋ ଦୋଷ ପାଇଁ ଏତକ କମ୍ ପଡ଼ିବରେ ଚାଣ୍ଡାଳ ? କହ, ସାଆନ୍ତାଣୀଙ୍କ ହାର ଉପରେ କାହିଁକି ଲୋଭ ଦୃଷ୍ଟି ଦେଲୁ ?”

କାଠଗଡ଼ାର କବ୍ଜାରେ ରଘୁ । ଚାରିପଟୁ ତା’ ଉପରେ ଅଭିସମ୍ପାତ । ନିନ୍ଦା ଯେତିକି କୁତ୍ସା ବି ସେତିକି । ବଳି ବୋଦା ପରି ନିରୀହ ଦିଶୁଥାଏ ତା’ ମୁହଁ ।

‘ଗୀତା’ ଉପରେ ହାତ ଥୋଇ କହିଲା, “ଯାହା କହିବି, ସତ କହିବି, ସତ ଛଡ଼ା ଆଉ କିଛି କହିବି ନାହିଁ । ଆଜ୍ଞା, ଆମେ ଚାକର ବାକର ଲୋକ । ବାହାରେ ବାହାରେ ଆମେ କାମ କରୁ । ରୋଷଘର କି ଭଣ୍ଡାର ଘର କ’ଣ, ଆମେ ତାଙ୍କ ବୈଠକି ଘରକୁ ବି ଯାଉନା । ଏତେ ବରଷ କାମ କଲି, ସେ ଘରେ ଖାଇଲି, ପିଇଲି, ବଡ଼ ହେଲି । ସେ ଘରେ ସୁନା ଦରବ କୋଉଠି ରହେ, ମୁଁ ଦେଖିନି କି ଜାଣିନି । ଆଜ୍ଞା, ଆପଣଙ୍କ ବିଶ୍ୱାସରେ ମୁଁ ବିଷ ଦେଇନି । ହାର ଚୋରି କରିନି ଆଜ୍ଞା !”

“ଆବେ ତୁ ଅଣ୍ଟି ଛୁରୀଟା, ତଣ୍ଟି କାଟି ନ ଥିଲୁ ବୋଲି ମାନେ କ’ଣ ? ଏତେ ବୁଲେଇ ବଙ୍କେଇ କହୁଛୁ କ’ଣ ବେ ? ସିଧା ସିଧା ମାନି ଯା’ – ହାର କୋଉଠୁ ନେଲୁ, କେମିତି ନେଲୁ ?” ରଘୁ ସିଧା ଆକ୍ଷେପ କରି କହିଲେ ସାଆନ୍ତଙ୍କ ତେଲଜୁରି ମାଲିକ ।

“ହାର ନେଇଥିଲେ ସିନା ମାନିଥାନ୍ତି । ସତ କଥା ହେଉଛି. . . ।”

“କହୁନୁ, ଅଟକି ଗଲୁ କାହିଁକି ? ସତ କଥା କହିବା ପାଇଁ ତ ଏଠିକି ଆସିଚୁ”, ଜନତାଙ୍କ ଭିତରୁ କିଏ ଗୋଟେ କଟୁ ଦୃଷ୍ଟି ପକାଇ ରଘୁକୁ ଏକଥା କହିଲା ।

“ସତ କଥା କହିବାକୁ ଜିଭ ତ ଲେଉଟୁନି । ତଥାପି ‘ଗୀତା’ ଛୁଇଁଚି ଯେତେବେଳେ କହୁଚି । ସତ ହେଉଛି ଛୋଟ ସାଆନ୍ତାଣୀ ନିଜେ ମତେ ସେ ହାତଟା ଦେଇଥିଲେ, ଦୁଲାଳୀ ପାଇଁ । ଏଥିରେ ମୁଁ କି ମୋ ଭାର୍ଯ୍ୟାର କୌଣସି ଦୋଷ ନାହିଁ ।”

ଚଡ଼କ ପଡ଼ିଲା କି ଆଉ !

ସଭାରେ ଘୋର ନିରବତା । ସମସ୍ତଙ୍କ ଜିଭ ଅଠା ଅଠା । ନିଜେ ସାଆନ୍ତ ବି ରଘୁ ବୟାନ୍ ଶୁଣି ବିବାକ୍ ।

ଛୋଟ ସାଆନ୍ତାଣୀ ତାଙ୍କ ଶାଶୁ ଘରେ ଥିଲେ । ଘଟଣାର ସତ୍ୟାସତ୍ୟ ଜଣେଇବା ପାଇଁ ନ୍ୟାୟ ମୂର୍ତ୍ତି ଆସନରେ ବସିଥିବା ସାଆନ୍ତେ ଖୋଦ୍ ଘୋଷଣା କଲେ, “କଲ୍ୟାଣୀର ଶାଶୁଘରକୁ ଲୋକ ପଠାଯିବ, ସେ ନିଜେ ଆସି ନ୍ୟାୟ-ସଭାରେ ତା’ କଥା ରଖିବ । ତେଣୁ ଏ ସଭା କାଲି ପୁଣି ଏଇ ଜାଗାରେ ବସିବ ।”

ଘରେ ପହଞ୍ଚିବା ପରେ ଦୁଲାଳୀ ରଘୁକୁ କହିଲା, “ସଭାରେ ତମର ଏମିତି କହିବା ଠିକ୍ ହେଲା ନାହିଁ । ଛୋଟ ସାଆନ୍ତାଣୀଙ୍କ ନାଁ ନେଇ ତମେ କିଛି ଭଲ କଲ ନାହିଁ, ସେ ଆମର ଅନ୍ନଦାତା । ତମେ ପଛେ ସଜା ଭୋଗିଥାନ୍ତ ଚଳିଥାନ୍ତା, ହେଲେ ଛୋଟ ସାଆନ୍ତାଣୀଙ୍କୁ କାହିଁକି ନିଆଁକୁ ଠେଲି ଦେଲ ?”

ରଘୁର ଛୋଟ ମୁଣ୍ଡରେ ଜ୍ଞାନ ଉଦୟ ହେଲା ଭଳି ଲାଗିଲା, ସେ ଭାବିଲା ଦୁଲାଳୀ କିଛି ଭୁଲ୍ କହୁନାହିଁ । ତା’ର କଲ୍ୟାଣୀ ଅପାଙ୍କ ନାଁ ନେବା ଉଚିତ୍ ନଥିଲା । ଯିଏ ନିଜେ ତା’ ଖୁସି ପାଇଁ ଏତେ କଥା କଲେ, ତାଙ୍କୁ ଏମିତି ଦୁଃଖ ଦବାର ନଥିଲା ?

ମନ ଦୁଃଖରେ ତାଙ୍କ ଘରେ ସେଦିନ ଚୁଲି ଜଳିଲା ନାହିଁ । ମନସ୍ତାପରେ ଥିଲା ରଘୁ ହେଲେ ଆଉ କ’ଣ କରାଯିବ । ପାଟିରୁ ତ କଥା ବାହାରି ଯାଇଛି, ଆଉ କ’ଣ ଫେରି ଆସିବ ?

ହାର କଥା ଭାବୁ ଭାବୁ ରଘୁ ମନେ ପକାଇଲା – ଛୋଟ ସାଆନ୍ତାଣୀ ଯେତେବେଳେ ହାରଟା ଦେଇଥିଲେ ସେ ଖୁସିରେ ନେଇ ଆସିଥିଲା । ଦୁଲାଳୀକୁ ନିଜେ ପିନ୍ଧେଇ ଦେଇଥିଲା । ହେଲେ ହାରଟା ପଛରେ ଏତେ କେଁ ଅଛି ବୋଲି ସେ ଜାଣିନଥିଲା । ପୁଣି ଖଟ ଯେ ଦିନେ ଶୋଇବା ଜାଗାରୁ ଉଠି ଆସି ଆଇନ୍ କାନୁନ୍ କଥା ବୁଝିବ, ଏକଥା ଭାବି ସେ ବେଶି ତାଜୁବ୍ ହୋଇ ଯାଇଥିଲା ।

ଦୁଲାଳୀ ସେଦିନ ଖାଇପିଇ ଉପରଓଳି ଗଡ଼ପଡ଼ ହେଉଥିଲା । ରଘୁ ଉଚ୍ଚାଟ ମନରେ ଗୁଣୁଗୁଣୁ ଗୀତ ଗାଇ ଘରେ ପହଞ୍ଚିଲା । ରଘୁକୁ ଏମିତି ଖୁସିବାସିଆ ଦେଖି ଦୁଲାଳୀ ପଚାରିଲା, “ଆଜି ସୁରୁଯ କଉ ଦିଗରୁ ଉଇଁଠି କି ? ଭାବି ଖୁସି ଖୁସି ଲାଗୁଛ ତ ?”

“ଖୁସି ହେବିନି, ଆଜି ଏମିତି ଗୋଟେ ଜିନିଷ ଆଣିଛି ଖାଲି ମୁଁ କାହିଁକି, ତୁ ବି ଦେଖିଲେ ଖୁସି ହେଇଯିବୁ । ଆଉ ସେ ଜିନିଷଟା ଖାସ୍ ତୋ ପାଇଁ ଆଣିଛି ଲୋ ଦୁଲାଳୀ !”

“ଆଉ ବେଶି ଡେରି ନ କରି ଶୀଘ୍ର ସେ ଜିନିଷଟା ଦେଲ, ମୁଁ ଦେଖେ ।”

“ତତେ ଦେବି କ’ଣ, ତୁ ଆଖି ବନ୍ଦ କର । ଆଉ ଦେଖ୍ ମୁଁ କ’ଣ କରୁଛି ।”

ଅଭାବୀ ଭିତରେ ଖୁସିଟା ସବୁବେଳେ ଏମିତି ରହସ୍ୟର ପେଡ଼ି ଭଳି ।

ସେ ଆଖି ବନ୍ଦ କରି ବସିଲା । ରଘୁ ପକେଟ୍‌ରୁ ବାହାର କରି ନିଜେ ହାରଟା ଦୁଲାଳୀ ବେକରେ ପିନ୍ଧେଇ ତା’ ହାତରେ ଆଇନାଟେ ଧରେଇ ଦେଲା ।

ଆଇନା କାଚରେ ଦୁଲାଳୀ ଯେତେବେଳେ ନିଜ ବେକରେ ସୁନା ହାରଟା ପିନ୍ଧିଥିବାର ଦେଖିଲା, ଝଲସିଗଲା ସେ । ଚମକି ପଡ଼ିଲା ବି ।

ସାଙ୍ଗେ ସାଙ୍ଗେ ବେକରୁ ହାରଟା ଓହ୍ଲେଇବାକୁ ଯାଉଥିଲା ତ ରଘୁ ତା’ ହାତ ଧରି ପକେଇଲା ।

ଦୁଲାଳୀ ପଚାରିଲା, “ଏ ହାରଟା କୋଉଠୁ ପାଇଲ ?”

“ପାଇଲି କ’ଣ, ଛୋଟ ସାଆନ୍ତାଣୀ ନିଜେ ମତେ ଏ ହାରଟା ତୋ ପିନ୍ଧିବା ପାଇଁ ଦେଇଛନ୍ତି ।”

“ନା, ତମେ ମିଛ କହୁଛ, ସିଏ କାହିଁକି ମୋ ପାଇଁ ଏତେ ଦାମିକା ହାର ଦେବେ । ମୁଁ ତାଙ୍କର କିଏ କି ? ସତ କହିଲ, କୋଉଠୁ ଚୋରିଚାରି କରି ଆଣିନ ତ ?”

ଚୋରି କଥା ଶୁଣି ରଘୁ ଦୁଲାଳୀ ମୁଣ୍ଡ ଉପରେ ହାତ ରଖି କହିଲା, “ତୋ ମୁଣ୍ଡ ଛୁଉଁଚି ଲୋ ଦୁଲାଳୀ । ଏତେ ବର୍ଷ ସଂସାର ଭିତରେ ତୁ କ’ଣ ମତେ ଚିହ୍ନି ପାରିଲୁନି । ମା’ ମଙ୍ଗଳାଙ୍କ ରାଣ ଖାଇ କହୁଚି, ଛୋଟ ସାଆନ୍ତାଣୀ ନିଜେ ମତେ ଏ ହାରଟା ଦେଇଛନ୍ତି ।”

“ସିଏ ଇମିତି ମାଗଣାରେ କାହିଁକି ତମକୁ ଦେଲେ ? ଆଉ କା’କୁ ଦେଲେନି ?”

“ଆଲୋ ବୁଝୁନୁ ହୁଣ୍ଡୀଟା ! ଛୋଟ ସାଆନ୍ତାଣୀ ଯେତେବେଳେ ତାଙ୍କ ଶାଶୁଘରୁ ବୁଲିବାକୁ ଆଇଥିଲେ, ତୁ ତାଙ୍କୁ ଦେଖା କରିବାକୁ ଯାଇଥିଲୁ ନା ନାହିଁ । ତୋ ଫୁଙ୍ଗୁଳା ବେକ ଦେଖି ତାଙ୍କୁ ଭଲ ଲାଗିଲା ନାହିଁ । ପରେ ତୋ ପାଇଁ ସେ ମତେ ଏଇ ହାରଟା ଦେଲେ । ତା’ ଛଡ଼ା ସାଆନ୍ତଙ୍କର ତ ଅଚଳାଚଳ ସମ୍ପତ୍ତି । ଗୋଟିଏ ଦେଇ ଦେଲେ କ’ଣ ତାଙ୍କର ସରିଗଲା । ପୁଣି ବି କଲ୍ୟାଣୀ ଅପା କହୁଥିଲେ – ଏ ହାରଟା ପୁରୁଣା ହେଇଗଲାଣି । ତାଙ୍କୁ ଆଉ ମାନୁନି । ମୁଁ କ’ଣ ମାଗିକି ଆଣିଚି କି ? ମୁଁ ତ ନାହିଁ ନାହିଁ କରୁଥିଲି । ସେ ଜବରଦସ୍ତି ମୋ ପକେଟ୍‌ରେ ପୁରାଇ ଦେଲେ ଓ କହିଲେ- ଏକଥା ତୋର, ଦୁଲାଳୀ ଆଉ ମୋ ଭିତରେ ରହିଲା । ବାହାର ଲୋକ କେହି ଜାଣିବେନି ।”

ଦୁଲାଳୀ ରଘୁର କଥା ଶୁଣୁଥିଲା । ଖୁସି ହଉଥିଲା, ଆଶ୍ଚର୍ଯ୍ୟ ହେଇ ଯାଉଥିଲା ଆଉ ଛୋଟ ସାଆନ୍ତାଣୀଙ୍କ ପାଇଁ ମନଟା କୃତ୍ୟ କୃତ୍ୟ କରୁଥିଲା ।

ମନେ ମନେ ସୁମରଣା କଲା, ଠାକୁରେ ତାଙ୍କ କୋଳରେ ପିଲା ବକଟେ ଝଅଟି ଦିଅନ୍ତୁ ।

ଏତିକି ବେଳେ ଦୁଲାଳୀ ଗିଲାସେ ପାଣି ଆଣି ରଘୁକୁ କହିଲା, “ପାଣି ଗିଲାସେ ମାଗି କ’ଣ ଏତେ ଭାବି ହେଉଛ ? ଅପା ଯେତେବେଳେ ମତେ ଶରଧା କରି ଦେଇଛନ୍ତି, ମୁଁ ପିନ୍ଧି ପକେଇବି । ଆଉ ବେଶି ଭାବୁଛ କ’ଣ ?”

ସମ୍ୱିତ୍ ଫେରି ପାଇ ରଘୁ ଭାବିଲା, ଅପା ସିନା କହିଲେ ଏକଥା କେହି ବାହାର ଲୋକ ଜାଣିବେନି । ଆଜି କିନ୍ତୁ ଖଟ ସବୁ ଧରାପକେଇ ଦେଲା । ତେବେ ବିଚାର ଏବେ ଅପାଙ୍କ କହିବା ଉପରେ । ସେ ଆସିଲେ ଯାହା ହେବ ।

ପରଦିନ ନିର୍ଦ୍ଧାରିତ ସମୟରେ ସେଇ ଜାଗାରେ ନ୍ୟାୟ ସଭା ବସିଲା । ନ୍ୟାୟମୂର୍ତ୍ତି ଆସନରେ ନିଜେ ଖୋଦ୍ ସାଆନ୍ତ । ଲୋକଙ୍କ ଭିତରେ ଚାପା ଗୁଞ୍ଜରଣ । ଛୋଟ ସାଆନ୍ତାଣୀ କ’ଣ ସତରେ ସେ ହାର ରଘୁକୁ ଦେଇଥିଲେ ନା ରଘୁ ନିଜ ମୁଣ୍ଡରୁ ଦୋଷ ଛଡେ଼ଇବା ପାଇଁ ଏମିତି କହି ପକେଇଲା । ଯଦି ବା ଛୋଟ ସାଆନ୍ତାଣୀ ଦେଲେ, ତା’ହେଲେ କାହିଁକି ଦେଲେ ? ଛୋଟ ସାଆନ୍ତାଣୀ କ’ଣ ନିଜ ଦୋଷ ନିଜ ତୁଣ୍ଡରେ ସ୍ୱୀକାର କରିବେ ? ଆଉ ଯଦି ବି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ସାଆନ୍ତ କ’ଣ ତାଙ୍କ ପ୍ରତି ଦଣ୍ଡବିଧାନ କରିବେ ? କି ଦଣ୍ଡ ??

ଠିକ୍ ସମୟରେ କାଠଗଡ଼ାରେ ଠିଆ ହେଲେ ଛୋଟ ସାଆନ୍ତାଣୀ, ସମସ୍ତେ ତାଙ୍କୁ ଚାହିଁଥାନ୍ତି । ସାମ୍ନାରେ ବିବଶ ବାପ । କିନ୍ତୁ ମୁହଁରେ ସେମିତି ସ୍ୱାଭାବିକ୍ ଲକ୍ଷଣ, ଯେମିତି କିଛି ହିଁ ଘଟିନାହିଁ ।

କାଠଗଡ଼ାରେ ଛୋଟ ସାଆନ୍ତାଣୀଙ୍କୁ ଉଭା ହବାର ଦେଖି ଲୋକେ ପୁଣି କୁହାକୁହି ହେଲେ- “ଦଣ୍ଡିବା ଶକ୍ତି ଯା’ର ଥାଇ, ସେ ପୁଣି କ୍ଷମା ଆଚରଇ ।” ଆଉ କିଏ କହୁଥିବାର ଶୁଣାଗଲା- “ହଁ, ପଣ୍ଡିତଙ୍କ ପୁଅ, ମାଙ୍କଡ଼ ମାଇଲେ କି ଦୋଷ !” ପୁଣି ବି ଭିଡ଼ ଭିତରୁ ସେମିତି କିଛି କଟୁ କଥା- “ହଁ, ହଁ, ବଡ଼ ଘର. . . ବଡ଼ ଗୁମର . . . ଆମେ ଏ ଛୋଟ ମୁଣ୍ଡରେ ଏସବୁ ଭାବିବା କିଏ ନା ବିଚାରିବା କିଏ ?”

କିଛି କିଛି କଥା ସାଆନ୍ତଙ୍କ କାନରେ ପଡୁଥିଲା ତ ତାଙ୍କ ଆଖି ବୁଜି ହେଇ ଯାଉଥିଲା । ଲୋକଙ୍କ କଥା ଶୁଣି ସେ ଯେତିକି ଅତିଷ୍ଠ, ସେତିକି ମର୍ମାହତ । ପ୍ରାୟ ହତୋତ୍ସାହ ଅବସ୍ଥା ତାଙ୍କର । ଭାବିଲେ ଆପଣା ସୁନା ତ ଭେଣ୍ଡି. . . ଆଉ କହିବେ କାହାକୁ ?

ତଥାପି ଆଖିରେ ଅନ୍ଧପୁଟୁଳି ବାନ୍ଧି ଧୈର୍ଯ୍ୟ ଧରି ବସିଥିଲେ ସେ । ହିସାବ ନିକାଶର ତରାଜୁଟା ଯେ ତାଙ୍କ ହାତରେ !

“ଆଜ୍ଞା” ମିଳିଲା ଛୋଟ ସାଆନ୍ତାଣୀଙ୍କୁ । ସେ କହିବା ଆରମ୍ଭ କଲେ । କହିଲେ “ମତେ ରଘୁ ଭଲ ଲାଗେ । ମତେ ଦୁଲାଳୀ ଭଲ ଲାଗେ । ତା’ ଫୁଙ୍ଗୁଳା ବେକ ଦେଖି ମୁଁ ସହିପାରିଲି ନାହିଁ । ତେଣୁ ହାରଟା. . . ।”

ଆଉ କିଛି କହିପାରିଲେ ନାହିଁ । କାନ୍ଦି କାନ୍ଦି ଘରକୁ ଚାଲିଗଲେ ।

ଛୋଟ ସାଆନ୍ତାଣୀ କାନ୍ଦି କାନ୍ଦି ଘରକୁ ବାହୁଡ଼ି ଯିବା ପରେ ସଭା ଆପେ ଆପେ ଭାଙ୍ଗି ଯାଇଥିଲା । ଲୋକେ ବି ନିଜ ନିଜ ଘରକୁ ଚାଲି ଯାଉଥିଲେ । ଛୋଟ ସାଆନ୍ତାଣୀଙ୍କର ବିଚାର କ’ଣ ହବ, ତାଙ୍କୁ କି ଦଣ୍ଡ ମିଳିବ- ଏକଥା କେହି ଭାବିବାକୁ ବି ସାହସ କରୁନଥିଲେ ।

ତଥାପି କିଛି ଲୋକ ରଘୁକୁ, କିଛି ଲୋକ ଦୁଲାଳୀକୁ ତ ଆଉ କିଛି ଲୋକ ଛୋଟ ସାଆନ୍ତାଣୀଙ୍କୁ ଦୋଷ ଦେଉଥିଲେ ।

ତା’ପରେ

ଲୋକପ୍ରିୟ ଲେଖା

To Top