ଗଳ୍ପ

ପ୍ରେମର ସିଂହାସନ

Godabarisha Mohapatra's odia story Premara Singhasana

ବାଞ୍ଛା ନାହାକ ଘରେ ଧନ ଅଛି, ସେଇଥିପାଇଁ ତ ଏତେ କଥା, ମୁଁ କ’ଣ ସେଥିକି ପାରିବି ନାହିଁ । ମା’ କ’ଣ କହି ଯାଇଥିଲା ମନେ ପକାଇଲୁ । ସେତେବେଳେ କ’ଣ ମୁଁ ଧନୀ ହୋଇଥିଲି ?

ପ୍ରେମର ସିଂହାସନ

(୧)

ବାହାରର ସିଂହାସନ ଠାରୁ ହୃଦୟର ସିଂହାସନ ଯେ କେଡ଼େ ମହତ୍, ଏ କଥା ସୁନାଶଳାର ଗତି ନାହାକ ତା’ ଜୀବନର ବର୍ଷ ପଚିଶିଟା ମଧ୍ୟରେ ଜଗତକୁ ଦେଇ ସମସ୍ତଙ୍କୁ ଚମକାଇ ଦେଇଗଲା ।

ବୋଲଗଡ଼ର ନିରାଟ ନିଷ୍ଠୁର ବିଲ ପଡ଼ିଆରେ ମୁକୁଳା ମୁଣ୍ଡରେ ଖରା ବର୍ଷା ଶୀତରେ କାମ କରି ଗତି ଯାହା କିଛି ରୋଜଗାର କଲା, ତା’ର ହୃଦୟ-ସିଂହାସନ ଗଢ଼ିବା ପାଇଁ ତାହା ଯଥେଷ୍ଟ ହେଲା ନାହିଁ । ଦିନରେ ସେ କେତେ କଥା କଳ୍ପନା କଲା, ରାତିରେ କେତେ ବିଚିତ୍ର ବିରାଟ ସ୍ୱପ୍ନ ଦେଖିଲା, ମାତ୍ର ସେହି ସବୁ ତା’ର କଳ୍ପନା ଓ ସ୍ୱପ୍ନ ପରି ରହିଲା । ହୃଦୟ-ସିଂହାସନ ସେ ଗଢ଼ିପାରିଲା ନାହିଁ । ସେ କେବେ କେବେ ଏକୁଟିଆ ବସିଲାବେଳେ ଗୋଟିଏ ନିରାଭରଣା କୁଟୀରବାଳାର କମନୀୟ ଛବି ତା’ ଆଗେ ଆସି ନାଚିଗଲା, କାହା ତୁଣ୍ଡରୁ କଥା ଶୁଣିଲାବେଳେ ସେ ସେହି ଛବିର ଜୀବନ୍ତ ସତେଜ ସ୍ୱର ଟିକିଏ କଳ୍ପନା କଲା । କହିବାକୁ ଗଲେ ତା’ର ସେ ହେଲା ଦେବତା, ତା’ ପ୍ରାଣର ଆରାଧ୍ୟ, ତା’ ସ୍ୱପ୍ନର ପ୍ରତିଛାୟା, ତା’ ହୃଦୟର ମାନସୀ । ତାକୁ ପାଇବା ପାଇଁ ତା’ର ଏକ ପ୍ରେମ ସିଂହାସନ ଲୋଡ଼ା । । ତା’ ଯୋଗ୍ୟ ସିଂହାସନ ସେ ଗଢ଼ିବ କିପରି ?

ବୋଲଗଡ଼ର କଙ୍କରିଳ ଗିରିପ୍ରାନ୍ତର ଏପରି ସିଂହାସନଟିଏ ଗଢ଼ିବା ପାଇଁ ତାକୁ ଉପାଦାନ ଯୋଗାଇ ପାରିଲା ନାହିଁ । ଦାନୀ, ଜ୍ଞାନୀ, ମାନୀ ମହାଜନମାନଙ୍କ ପାଖକୁ ଯାଇ ସେ ଏଥିପାଇଁ କିଛି ଉପାଦାନ ମାଗିଲା ନାହିଁ । ନିଜ ବାହୁବଳରେ ଅଜ୍ର୍ଜନ କରି ଆଣିବା ପାଇଁ ଦିନେ ସେ ପୌଷମାସ ସନ୍ଧ୍ୟାବେଳେ ସୁନାଖଳା ଗାଁ ଛାଡ଼ି ଆସାମ ଚାଲିଲା । ଗଲାବେଳେ ଗାଁ ଶେଷ ମୁଣ୍ଡ କୁଡ଼ିଆ ଭିତରକୁ ପଶିଯାଇ ବିଦାୟ ନେଇ ଆସିଲା । ଦୁଆର ମୁହଁରେ କହିଲା-

ଯାଉଚି ପାଟ, ଚିଠିଦେବି ।

(୨)

କୁଡ଼ିଆ ଭିତରେ ପାଟର ସାରା ସଂସାର । ମା’ ନାହିଁ, ବାପ ନାହିଁ, ଗାଁରେ ତା’ର ସାହା ସାଥୀ ମଧ୍ୟ କେହି ନାହାନ୍ତି । କେବଳ ତା’ର ନିଜର ହୋଇ ଅଛି ହସହସ ମୁହଁ ଖଣ୍ଡିକ, ସହଜ ସରଳ ବ୍ୟବହାର ଟିକକ ।

ଓଡ଼ିଶାରେ ୨୬ ସାଲ ଦୁର୍ଭିକ୍ଷର ନିଷ୍ଠୁର ତାଡ଼ନାରେ ଗାଁ ଗଣ୍ଡା ଯେତେବେଳେ ଜନଶୂନ୍ୟ ହେଉଥିଲା, ଘଡ଼ି ଘଡ଼ିକ ମଧ୍ୟରେ ବାପମା’, ଭାଇଭଉଣୀଙ୍କ ମଧ୍ୟରେ ଚିରଦିନ ପାଇଁ ବିଦାୟ ଦିଆନିଆ ଚାଲିଥିଲା, ସେହି ସମୟରେ ଏକ ମୁଠି ଚାଉଳ ବଣ୍ଟା କେନ୍ଦ୍ରରେ ପାଟି ସହିତ ଗତିର ପରିଚୟା ଦୁହେଁ ଜାତିରେ ବାଉରୀ, ହିନ୍ଦୁ ଜାତିର ଅସ୍ପୃଶ୍ୟ । ଏହି ପିତୃହୀନ ଅସ୍ପୃଶ୍ୟ ବାଳକ ବାଳିକା ଦୁହିଁଙ୍କର ମା’ ଦୁହେଁ ଭାଗ୍ୟ ସ୍ରୋତରେ ଭାସି ଭାସି ଆସି କେତେ ଦିନ ପରେ ସୁନାଖଳା ଗାଁର ଶେଷ ମୁଣ୍ଡରେ ଦୁଇ ଚାରିଟା ବେଡ଼ା ବାଉଁଶରେ ତିଆରି ହେଇଥିବା ଦୁଇଖଣ୍ଡି କୁଡ଼ିଆ ଭିତରେ ଲାଗିଲେ । କିଛିଦିନ ପରେ ସେହି କୁଡ଼ିଆ ଭିତରେ ମୃତ୍ୟୁଲୀଳା ଆରମ୍ଭ ହେଲା । ମୃତ୍ୟୁ ଦେବତା ଧନୀ ଦରିଦ୍ର ନ ବିଚାରି ସୁନାଖଳା ପରି ଜଣାଶୁଣା ଗାଁରେ ମଧ୍ୟ ତା’ର ଲୀଳା ଖେଳା ଆରମ୍ଭ କରିଦେଲା । ସେହି କୁଡ଼ିଆ ଭିତରେ ଦୁଇଟି ଅନାଥ । ଦୁଇଟି ଅନାଥ ବାଳକ ବାଳିକାଙ୍କୁ ବୋଲଗଡ଼ ରାଜ୍ୟର ମରୁ ପଡ଼ିଆରେ ଛାଡ଼ି ଦେଇ ଆଖି ବୁଜିଦେଲେ । ଆଖି ବୁଜିବା ପୂର୍ବରୁ ଦୁହିଁଙ୍କ ଭିତରେ କଥା ହୋଇଥିଲା ଯେ, ଗତି ସହିତ ପାଟର ବିଭାଘର ହେବ- ଏ କଥା ଗତି ଜାଣେ, ପାଟ ମଧ୍ୟ ଜାଣେ ।

ଗତି ଯେତେବେଳେ ଅଠର ବର୍ଷ ବୟସ ଏବଂ ପାଟକୁ ତେର ବର୍ଷ ବୟସ ହେଲା, ଏହି ନିର୍ବନ୍ଧ କଥା ସେମାନଙ୍କର ମନେ ପଡ଼ିଲା । ମନେପକାଇ ପାଟର ଲଜ୍ଜାର ସୀମା ରହିଲା ନାହିଁ । ଗତିର ନୂତନ ଘରଦ୍ୱାର କରିବା ପାଇଁ ଯୋଗାଡ଼ରେ ବାକି ରହିଲା ନାହିଁ । ପର ଦ୍ୱାରରେ ଚାକିରୀ କରି ସେ କିଛି ପଇସା ରୋଜଗାର କଲା । ସେହି ପଇସାରେ ଘର ଖଣ୍ଡିଏ ଟେକି ପରଠାରୁ ଚାରିମାଣ ଚାଷ କଲା । ଦେଖୁ ଦେଖୁ ତା’ ଆର ବର୍ଷକୁ ସେହି ନୂଆ କୁଡ଼ିଆ ଭିତରେ ଦି’ଭରଣ ପୁରୁଣା ଧାନ ଜମା । ଲୋକେ କହିଲେ- “ଗତି ନାହାକ ନିଜ ବାହାଘର ପାଇଁ କେଡ଼େ ଲୋଭରେ ଧାଇଁଚି । ଗାଁ କରଣ ସାଆନ୍ତଙ୍କୁ ବଳିଯିବ ପରା ।”

କିନ୍ତୁ ଅଧା ପଥରେ ବାଧା ପଡ଼ିଲା । ଖଙ୍ଗୁରିଆ ଗାଁର ବାଞ୍ଛା ନାହାକର ପୁଅ ସହିତ ପାଟର ପ୍ରସଙ୍ଗ ଉଠିଲା । ଗତି କେଭେଁ ଏ କଥା କଳ୍ପନା କରି ନ ଥିଲା । ପାଟ ଯେ ତା’ର ଏବଂ ସେ ଯେ ପାଟର- ଏ କଥା ସେ ବୁଦ୍ଧି ହେଲା ଦିନୁ ବୁଝି ଆସିଥିଲା । ତା ଦେହର ପ୍ରତି ଲୋମକୂପରେ, ତା’ ଘରର ପ୍ରତି ବାଲିକଣାରେ ପାଟ ଲୁଚି ରହି ହସୁଥିବା ପରି ଏ ପର୍ଯ୍ୟନ୍ତ ସେ ଜାଣିଥିଲା । ଏକଥା ଶୁଣି ତା’ ମନରେ ହଠାତ୍ ଅସମ୍ଭବ ଭାବାନ୍ତର ଆସିବା କଥା ।

ଦିନେ ସୂର୍ଯ୍ୟ ନ ଉଠୁଣୁ ସେ ଯାଇ ପାଟ ସହିତ ଦେଖା କଲା । ପାଗଳ ପରି ପାଟର ହାତ ଦୁଇଟା ଭିଡ଼ି ଧରି କହିଲା- “ପାଟ, ସତ କହିଲୁ, କାହା ସଙ୍ଗେ ଗଣ୍ଠି ବନ୍ଧା ହେଉଛି ।”

ପାଟ ଲାଜରେ ମୁଣ୍ଡ ପୋତି ଧୀରେ ଧୀର ଉତ୍ତର ଦେଲା- “କିଛି ତ ହୋଇ ନାହିଁ, କଥା ହୋଇଛି ।”

ଗତି ସେଠି ଠିଆ ହୋଇ ନ ପାରି ଝାଉଁଳିଲା ପରି ତଳେ ବସି ପଡ଼ିଲା । ତା’ ପରେ ସତୃଷ୍ଣନୟନରେ ଏକ ଲୟରେ ପାଟର ମୁହଁକୁ ଚାହିଁ କହିଲା-

“ପାଟ, ପାଟ ଶୁଣିଚି, ମୁଁ ସବୁ ଶୁଣିଚି । ବାଞ୍ଛା ନାହାକ ଘରେ ଧନ ଅଛି, ସେଇଥିପାଇଁ ତ ଏତେ କଥା, ମୁଁ କ’ଣ ସେଥିକି ପାରିବି ନାହିଁ । ମା’ କ’ଣ କହି ଯାଇଥିଲା ମନେ ପକାଇଲୁ । ସେତେବେଳେ କ’ଣ ମୁଁ ଧନୀ ହୋଇଥିଲି ? ଦିହେଁ ପରା ବୁଲି ବୁଲି ଭିକ ମାଗି ଆଣୁଥିଲେ । ମୁଁ କ’ଣ ଧନ ଅର୍ଜି ପାରିବି ନାଇଁ. . . ? ଗତିର ଆଖି ଲୁହରେ ଛଳ ଛଳ ହୋଇଗଲା । ତା’ ଦେଖି, ଆଖିର ଲୁହ ଏଡ଼ାଇବା ପାଇଁ ପାଟ ନିଜ ମୁହଁ ବୁଲେଇ ଦେଲା । ତା’ପରେ ଦିହେଁ ନିରବରେ ଠିଆ ହୋଇ କେତେ କ’ଣ କଥା ହେଲେ, କାହିଁ କେଉଁ ସ୍ମୃତିରାଜ୍ୟରେ ଯାଇ ବୁଲିଲେ । ରାତି ପାହି ଆଲୁଅ ହେଲା । ସଂସାରରେ ଗହଳ ଚହଳ ଆରମ୍ଭ ହେଲା । ସେହି ସମୟରେ ସେହି ନିରବ ନିସ୍ତବ୍ଧ କୁଡ଼ିଆ ଭିତରେ ଦୁଇଟି କିଶୋର କିଶୋରୀ କିଛିଦିନ ପାଇଁ ପରସ୍ପର ବିଦାୟ ନେଲେ । କିଶୋର କହିଲା- “ଯାଉଚି ପାଟ, ଚିଠି ଦେବି ।”

ତାପରେ

ଲୋକପ୍ରିୟ ଲେଖା

To Top