ମହାଭାରତ

ଗ୍ରନ୍ଥ ପ୍ରବେଶ

Odia Scientfic Reviews on Mahabharat

ଧର୍ମ ନାମରେ ଏହାକୁ ମାନି ନେବା ବ୍ୟତୀତ ଆଉ ଗତ୍ୟନ୍ତର ନାହିଁ- ଏହା ଭାବି ସେ ଗୁଡ଼ିକକୁ କେବଳ କାଳ୍ପନିକ ଓ ଅଲୌକିକ କଥାବସ୍ତୁ ବୋଲି ମନେ କରି ତହିଁରେ ଥିବା ନୀତିଶିକ୍ଷାକୁ ଆଜିର ପାଠକମାନେ ଗ୍ରହଣ କରୁଅଛନ୍ତି

ଗ୍ରନ୍ଥ ପ୍ରବେଶ

ବ୍ୟାକରଣକୁ ଆଶ୍ରାକରି ମୋର ଏହି ଗ୍ରନ୍ଥର ସୃଷ୍ଟି । ପ୍ରକୃତି ସମ୍ପର୍କରେ ଆର୍ଯ୍ୟମାନେ ଗ୍ରହଣ କରିଥିବା ବିଭିନ୍ନ ରୂପକକୁ ଶବ୍ଦତତ୍ତ୍ୱ ମାଧ୍ୟମରେ ମୁଁ ହୃଦୟଙ୍ଗମ କରିବା ପାଇଁ ଆପ୍ରାଣ ଚେଷ୍ଟା କରିଅଛି । ପାଠକମାନେ ଉକ୍ତ ଗ୍ରନ୍ଥ ପାଠକଲା ବେଳେ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । କାରଣ ପ୍ରତ୍ୟେକ ପୁରାଣରେ ପରସ୍ପର ସମ୍ପର୍କ ରକ୍ଷା କରି ବିଭିନ୍ନ କଥାବସ୍ତୁର ଅବତାରଣା କରାଯାଇଅଛି । ବିଶେଷତଃ ମହାଭାରତ ରଚନା ପୂର୍ବରୁ ରାମାୟଣର ସୃଷ୍ଟି ହୋଇ ଯାଇଥିଲା । ରାମାୟଣର କେତେକ ରୂପକ ଏଥିରେ ସ୍ଥାନ ପାଇବା ସ୍ୱାଭାବିକ୍ । ମୋର ପ୍ରଣୀତ “ପୁରାଣ କଥାରେ ବୈଜ୍ଞାନିକ ଦୃଷ୍ଟିକୋଣ- ରାମାୟଣ’ ଓ “ହରିବଂଶ”ରେ ଏହି ପ୍ରାକୃତିକ ରୂପକ ଗୁଡ଼ିକ ସମ୍ପର୍କରେ ଶବ୍ଦ ବ୍ୟୁତ୍ପତ୍ତି ସହିତ ବିସ୍ତୃତ ଆଲୋଚନା କରାଯାଇଥିବାରୁ ଏଠାରେ ସେ ଗୁଡ଼ିକକୁ ବାଦ ଦିଆଯାଇଅଛି । ବିଶେଷତଃ “ଶିବ ଓ ପାର୍ବତୀ” ଶୀର୍ଷକ ବିଷୟ ଏବଂ “ଶ୍ରୀକୃଷ୍ଣ ଚନ୍ଦ୍ର”ଙ୍କ ଜୀବନ ରଚିତ ସମ୍ପର୍କରେ ବହୁଳ ଆଲୋଚନା କରାଯାଇ ନଥିବାରୁ କେତେକ ଅସୁବିଧା ସୃଷ୍ଟି ହୋଇପାରେ; ତଥାପି ତାହାର ସାଧାରଣ ଅର୍ଥ ଏଠାରେ ସନ୍ନିବେଶିତ ହୋଇଥିବାରୁ ପାଠକଙ୍କୁ ବିଶେଷ ଅସୁବିଧାରେ ପକାଇବ ନାହିଁ ବୋଲି ମୋର ବିଶ୍ୱାସ ।

ଆଜି ଶିକ୍ଷିତ ସମାଜରେ ପୁରାଣର ଆଦର କମି ଯାଇଛି । ଏହାର ମୁଖ୍ୟ କାରଣ ହେଉଛି- ପୁରାଣରେ ଥିବା ବିଭିନ୍ନ ଅସ୍ୱାଭାବିକ ଓ ଅଲୌକିକ ଘଟଣାବଳୀ । ପବନର ପୁତ୍ର ଭୀମ ଓ ହନୁମାନ, ଇନ୍ଦ୍ରଙ୍କର ପୁତ୍ର ଅର୍ଜୁନ, ପୁଣି କର୍ଣ୍ଣ ପଥ ଦେଇ କର୍ଣ୍ଣଙ୍କର ଜନ୍ମ ଇତ୍ୟାଦି ଘଟନାରେ ଆମ୍ଭମାନଙ୍କ ହୃଦୟରେ ଏକ ଅବିଶ୍ୱାସର ଛାୟା ଖେଳି ଯାଉଛି । ଧର୍ମ ନାମରେ ଏହାକୁ ମାନି ନେବା ବ୍ୟତୀତ ଆଉ ଗତ୍ୟନ୍ତର ନାହିଁ- ଏହା ଭାବି ସେ ଗୁଡ଼ିକକୁ କେବଳ କାଳ୍ପନିକ ଓ ଅଲୌକିକ କଥାବସ୍ତୁ ବୋଲି ମନେ କରି ତହିଁରେ ଥିବା ନୀତିଶିକ୍ଷାକୁ ଆଜିର ପାଠକମାନେ ଗ୍ରହଣ କରୁଅଛନ୍ତି । ରାମାୟଣ ଓ ମହାଭାରତ ସମ୍ପର୍କରେ ବହୁ ଆଲୋଚନା ଓ ସମାଲୋଚନା ହୋଇ ଆସୁଥିଲେ ସୁଦ୍ଧା ପ୍ରକୃତ ରହସ୍ୟ ଏ ପର୍ଯ୍ୟନ୍ତ ଉଦ୍ଘାଟିତ ହୋଇ ପାରିନାହିଁ ।

ଆର୍ଯ୍ୟ ମନିଷୀମାନେ ସର୍ବପ୍ରଥମେ ଧ୍ୱନିରୁ ଶବ୍ଦ ସୃଷ୍ଟି କରି ବେଦ ରଚନା ଆରମ୍ଭ କରିଥିଲେ । ତା’ପରେ ସେମାନେ ବହୁ ଗବେଷଣା କରି ପ୍ରକୃତିର ନାନା ରହସ୍ୟ ଅବଗତ ହେଲେ ଏବଂ ନୂତନତ୍ୱର ସନ୍ଧାନ ପାଇଲେ ଆବିଷ୍କୃତ ଗ୍ରହ, ନକ୍ଷତ୍ର, ପଞ୍ଚଭୂତ, ନଦନଦୀ, ପାହାଡ଼ ପର୍ବତ, ବିଭିନ୍ନ ସ୍ଥାନ, ବସ୍ତୁ, ଶକ୍ତି ଓ ଜୀବଜଗତ ଆଦି ପୃଥିବୀର ଯାବତୀୟ ଘଟନାକୁ ଅନୁଧ୍ୟାନ କରି ସେମାନଙ୍କର ଅବସ୍ଥିତି, ଆକୃତି, ପ୍ରକୃତି, କ୍ରିୟାକଳାପ, ଧ୍ୱନି, ସାଧାରଣ ଧର୍ମ, ଉପକାର, ଅପକାର ଇତ୍ୟାଦି ନାନା ବିଷୟ ଚିନ୍ତାକରି ସେମାନଙ୍କର ନାମକରଣ କରିଥିଲେ । ରାମାୟଣରେ ଗୋଟିଏ ବସ୍ତୁ ବା ଶକ୍ତିର ବିଭିନ୍ନ ଅଭସ୍ଥା, ସାଧାରଣ ଧର୍ମ, ଆକୃତି ପ୍ରକୃତିକୁ ଗୋଟିଏ ଗୋଟିଏ ରପୂକ ହିସାବରେ ଗ୍ରହଣ କରାଯାଇଛି । କିନ୍ତୁ ମହା-ଭାରତରେ ପ୍ରତ୍ୟେକ ପ୍ରାକୃତିକ ଶକ୍ତି ଓ ବସ୍ତୁ ପାଇଁ ସ୍ୱତନ୍ତ୍ର ରୂପକ ଗ୍ରହଣ କରାଯାଇଅଛି । ଏହା ମୁଁ ଗ୍ରନ୍ଥ ଦୁଇଟି ଆଳୋଚନା କଲାବେଳେ ଉପଲବ୍ଧି କରିଅଛି ।

ଉକ୍ତ ଗ୍ରନ୍ଥରେ ବିଭିନ୍ନ ନାମର ବ୍ୟାକରଣ ଗତ ବ୍ୟୁତ୍ପତ୍ତି ଓ ଅର୍ଥକୁ ଅନୁସରଣ କରି ପୁରାଣରେ ବିଷୟ ବସ୍ତୁ ଅବଲମ୍ୱନରେ ତାତ୍ତ୍ୱିକ ଆଲୋଚନା କରାଯାଇଅଛି । ପୁସ୍ତକର କଳେବର ବୃଦ୍ଧି ଆଶଙ୍କାରେ ପୌରାଣିକ କଥା ବସ୍ତୁକୁ ସଂକ୍ଷେପ କରାଯାଇ, ଆଲୋଚନାକୁ ମୁଖ୍ୟସ୍ଥାନ ଦିଆଯାଇଅଛି । ବର୍ତ୍ତମାନ ପ୍ରାଚୀନ ଆର୍ଯ୍ୟଯୁଗର ମୌଳିକ ବୈଜ୍ଞାନିକ ତଥ୍ୟଗୁଡ଼ିକ ଅତି କଳ୍ପନା ପ୍ରଭାବରେ ସମ୍ପୂର୍ଣ୍ଣ ଅବଲୁପ୍ତ ହୋଇ ଯାଇଥିବ । ବେଳେ ସେହି ପ୍ରାଚୀନ ମନିଷୀମାନଙ୍କର ବୈଜ୍ଞାନିକ ତଥ୍ୟ ଗୁଡ଼ିକକୁ ପୁନର୍ବାର ଲୋକ ଲୋଚନକୁ ଆଣି ସମାଜରେ ଆଦରଣୀୟ କରିବା ସହଜ ସାଧ୍ୟ ବିଷୟ ନୁହେଁ । ତଥାପି ମୁଁ ଏ ଦିଗରେ ପ୍ରଥମ ଲେଖନୀ ଧାରଣ କରିବାକୁ ସାହସ କରିଛି । ବଂଶ ଶତାବ୍ଦୀର ବୌଦ୍ଧିକ ମାନବ ସମାଜ ମୋ’ କଥାର ତାତ୍ପର୍ଯ୍ୟ ହୃଦୟଙ୍ଗମ କରି ପାରିବେ ବୋଲି ହୃଢ଼ ଭରସା ରଖି ମୋର ବହୁ ଶ୍ରମ-କ୍ଳେଶ ମୁଁ ଭୁଲି ଯାଇଅଛି । କିମଧିକମିତି ।

ବିନୀତ
ଶ୍ରୀବତ୍ସ ପ୍ରସାଦ ନାଥ

ସହାୟକ ପୁସ୍ତକ

ଏହି ଗ୍ରନ୍ଥ ସଙ୍କଳନରେ ନିମ୍ନଲିଖିତ ଶବ୍ଦକୋଷ ଗୁଡ଼ିକର ସାହାଯ୍ୟ ନିଆଯାଇଅଛି ।

୧ – ପ୍ରମୋଦ ଅଭିଧାନ (୧୯୪୨) – ପଟ୍ଟାୟତ ପ୍ରମୋଦ ଚନ୍ଦ୍ର ଦେବବର୍ମା ।
୨ – ଉତ୍କଳ ଅଭିଧାନ (୧୯୧୫) – ଜଗନ୍ନାଥ ରାଓ ।
୩ – ଶବ୍ଦ ତତ୍ତ୍ୱବୋଧ ଅଭିଧାନ (୧୯୧୫) – ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମା ।
୪ – ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ – ରାୟ ବାହାଦୂର ଗୋପାଳ ଚନ୍ଦ୍ର ପ୍ରହରାଜ ।
୫ – ଅମର କୋଷ ଅଭିଧାନ (ଅମର କୋଷଃ) ୧୯୧୮ – ପଣ୍ଡିତ ଶ୍ରୀ ମହେଶ୍ୱର ନନ୍ଦ ଶର୍ମାଙ୍କ ଦ୍ୱାରା ସଂଶୋଧିତ ।

ସାଙ୍କେତିକ ଚିହ୍ନ

କ – କର୍ତ୍ତୃବାଚ୍ୟ
ର୍ମ – କର୍ମବାଚ୍ୟ
ଭା – ଭାବବାଚ୍ୟ

ବିଭିନ୍ନ ଶବ୍ଦର ବ୍ୟୁତ୍ପତ୍ତି ଉଲ୍ଲେଖକାଳରେ ଆବଶ୍ୟକ ସ୍ଥଳେ ଉପଯୁକ୍ତ ସାଙ୍କେତିକ ଚିହ୍ନ ମାନ ବ୍ୟବହୃତ ହୋଇଅଛି ।

ତା ପରେ

ଲୋକପ୍ରିୟ ଲେଖା

To Top