ମହାଭାରତ

ଚନ୍ଦ୍ରବଂଶ

Odia Scientfic Reviews on Mahabharat

ପୂର୍ବରୁ ପୃଥିବୀରେ ଅତିବୃଷ୍ଟି ସଙ୍ଘଟିତ ହେଉନଥିଲେ ସୁଦ୍ଧା ଜଳୀୟକଣା ତୁଷାର ରୂପରେ ଗିରିଶୃଙ୍ଗରେ ପଡ଼ି, ପୁନର୍ବାର ଜଳରେ ପରିଣତ ହୋଇ ସାଗର ସୃଷ୍ଟି କରିଥିଲା ।

ଚନ୍ଦ୍ରବଂଶ

-: ପୂର୍ବରୁ :-

ଶବ୍ଦକୋଷରେ ବ୍ରହ୍ମା ଶବ୍ଦର ଅର୍ଥ ହେଉଛି – କୌଣସି ବିଷୟରେ ସର୍ବୋଚ୍ଚ କର୍ତ୍ତା । ଏଠାରେ ସାଧାରଣତଃ ସୃଷ୍ଟିକ୍ରିୟାର ଯେ, ସର୍ବୋଚ୍ଚ ଶକ୍ତି ତାକୁ ବ୍ରହ୍ମା ରୂପରେ କଳ୍ପନା କରାଯାଇଅଛି । ନିହାରୀକା ମଣ୍ଡଳରେ ଥିବା ବାଷ୍ପୀୟ ଆଗ୍ନେୟ ବସ୍ତୁରୁ ଯେଉଁ ମହାଶକ୍ତି ପ୍ରଭାବରେ ସମସ୍ତ ଜଗତର ସୃଷ୍ଟି । ସେହି ଆଦିଶକ୍ତିର ବିଭିନ୍ନ ସ୍ୱରୁପ ପୃଥିବୀରେ ଦେଖା ଦେଇ ତାକୁ ସରସ ସୁନ୍ଦର କରିଅଛି । ତେଣୁ ବ୍ରହ୍ମାଙ୍କର ଅନ୍ୟନାମ ସ୍ରଷ୍ଟା ଓ ବିଧାତା ହୋଇଛି । ବ୍ରହ୍ମାଙ୍କର ମାନସ ପୁତ୍ର ରୂପରେ ପ୍ରଥମେ ଦେଖାଦେଲେ ମରୀଚି ଅର୍ଥାତ୍ ସୂର୍ଯ୍ୟଙ୍କର ବାଷ୍ପୀୟ ପିଣ୍ଡ । ସୂର୍ଯ୍ୟଙ୍କୁ ସେଥିପାଇଁ ମରୀଚିମାଳି କୁହାଯାଏ ସେହି ବାଷ୍ପୀୟ ଆଗ୍ନେୟ ବସ୍ତୁ ବିଚ୍ଛୁରିତ ହୋଇ ପୃଥିବୀର ଉତ୍ପତ୍ତି ହେଲା । ପୃଥିବୀର ଏହି ଆଗ୍ନେୟ ଅବସ୍ଥା କ୍ରମଶଃ ଶୀତଳ ହୋଇ ତରଳ ଧାତୁରେ ପୂର୍ଣ୍ଣ ହେଲା ପୃଥିବୀ ସୁବର୍ଣ୍ଣମୟ ତରଳଧାତୁରେ ବିମଣ୍ଡିତ ହୋଇଥିବାରୁ ମରୀଚିଙ୍କର ପୁତ୍ର କଶ୍ୟପ ବୋଲି କୁହାଯାଇଅଛି । କଶ୍ୟପ ଶବ୍ଦର ଅର୍ଥ ହିରଣ୍ୟ କଶିପୁ । ପୁନଶ୍ଚ ହିରଣ୍ୟକଶିପୁ ଅର୍ଥ ହିରଣ୍ମୟ ବା ସୁବର୍ଣ୍ଣ ପୋଷକ । ଶବ୍ଦ-କୋଷରେ କଶିପୁ ଅର୍ଥ ପୋଷାକ ଅର୍ଥରେ ପ୍ରକାଶ କରାଯାଇଅଛି ।

ତାଙ୍କର ପୁତ୍ର ହେଲେ ସୂର୍ଯ୍ୟ । ସୂର୍ଯ୍ୟ ଶବ୍ଦର ବ୍ୟୁତ୍ପତ୍ତି ହେଉଛି (ସୃ + କ:ଯ) । ସେହି ସୁବର୍ଣ୍ଣମୟ ସୌରଶକ୍ତିରେ ସୃଜନୀଶକ୍ତି ଥିବାରୁ କଶ୍ୟପଙ୍କ ପୁତ୍ରକୁ ସୂର୍ଯ୍ୟ ରୂପରେ ଚିତ୍ରଣ କରାଯାଇଛି । ତା ପରେ ସୂର୍ଯ୍ୟ ଅର୍ଥାତ୍ ଏହି ସୃଜନ ଶକ୍ତିରୁ ଜାତ ହେଲେ – ବୈବସ୍ୱତ । ସୁନେଲୀ ସୂର୍ଯ୍ୟ କିରଣରେ ଥିବା ପ୍ରଭା ବା ଆଲୋକକୁ ବୈବସ୍ୱତ କୁହାଯାଇଅଛି । ମେରୁଅଞ୍ଚଳର ଦିଗ୍‌ବଳୟରେ ଦେଖା ଦେଇଥିବା ନୈସର୍ଗିକ ଆଲୋକ ରାଶିକୁ ବୈବସ୍ୱତୀପ୍ରଭା ବୋଲି କୁହାଯାଏ । ଯାହାକୁ କି ବୈଜ୍ଞାନିକମାନେ ମେରୁପ୍ରଭା ନାମ ଦେଇଛନ୍ତି । ଏହି ବୈବସ୍ୱତୀଶକ୍ତି ପ୍ରଭାବରେ ଭୂପୃଷ୍ଠ ଆଲୋକିତ ହୋଇଥାଏ ଏବଂ ଏହି କାଳକୁ ଆମ୍ଭେମାନେ ଦିବସ କହିଥାଉ ।

ଏହାପରେ ଚନ୍ଦ୍ରଙ୍କର ଉତ୍ପତ୍ତି ହେଲା । ପୂର୍ବରୁ ପୃଥିବୀରେ ଅତିବୃଷ୍ଟି ସଙ୍ଘଟିତ ହେଉନଥିଲେ ସୁଦ୍ଧା ଜଳୀୟକଣା ତୁଷାର ରୂପରେ ଗିରିଶୃଙ୍ଗରେ ପଡ଼ି, ପୁନର୍ବାର ଜଳରେ ପରିଣତ ହୋଇ ସାଗର ସୃଷ୍ଟି କରିଥିଲା । କ୍ରମଶଃ ପର୍ବତ ମାନଙ୍କରେ ଅଧିକ ତୁଷାରପାତ ହେବାରୁ ଶିଳାଗୁଡ଼ିକ କ୍ଷୟିଭୂତ ହୋଇ ଗଡ଼ି ଗଡ଼ି ନଦୀର ପାର୍ବତ୍ୟମୟ ଅତଟ ପ୍ରଦେଶରୁ ପ୍ରଖର ସ୍ରୋତରେ ଭାସି ଆସୁଥିବାରୁ ବୁଧଙ୍କ ଔରସରୁ ଇଳାଙ୍କ ଗର୍ଭରେ ଜନ୍ମଗ୍ରହଣ କଲେ ପୁରୁରବା । ଚନ୍ଦ୍ରଙ୍କ ସୃଷ୍ଟି ପରେ ପୃଥିବୀରେ ପ୍ରବଳ ବୃଷ୍ଟିପାତ ଦେଖାଦେଲା । ନଦୀମାନଙ୍କର ପ୍ରଖର ସ୍ରୋତରେ ପର୍ବତ ଉପରିଭାଗରୁ କ୍ଷୟିଷ୍ଣୁ ଶିଳା ଗଡ଼ି ଗଡ଼ି ଆସି କ୍ରମେ ଗୋଡ଼ି, ବାଲି, ମାଟିରେ ପରିଣତ ହୋଇ ସ୍ଥଳଭାଗର ଉତ୍ପତ୍ତି ହେଲା । ରାମାୟଣରେ “ଇଳା ରାଜାର ଉପାଖ୍ୟାନ” ବିଷୟରେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଅଛି । ରାଜା ପୁରୁରବା ଅର୍ଥାତ୍ ପୃଥିବୀର ପାର୍ବତ୍ୟ, ବନ୍ଧୁର ସ୍ଥଳଭାଗ ଚନ୍ଦ୍ରଙ୍କର ପୁତ୍ର ବୁଧଙ୍କ ଠାରୁ ଜାତ ହୋଇ ସୂର୍ଯ୍ୟ ପୁତ୍ର ବୈବସ୍ୱତ ଅର୍ଥାତ୍ ସୌରରଶ୍ମି ପ୍ରଭାବରେ ପ୍ରଭାନ୍ୱିତ ହେଲେ ।

ସୃଷ୍ଟିର ଆଦିମ କାଳରେ ପୃଥିବୀର ଦିଗନ୍ତ ବିସ୍ତୃତ ଜଳଭାଗ ଉପରେ ପାର୍ବତ୍ୟମୟ ଉପତ୍ୟକାଗୁଡ଼ିକ ଝର ଶିରାଳ ହୋଇ ଧବଳବର୍ଣ୍ଣ ଦେଖାଯାଉଥିଲେ । ସ୍ଥଳଭାଗ ଗୁଡ଼ିକର ଏହି ଶୁଭ୍ର ସୌରଭକୁ ଉର୍ବଶୀ ରୂପରେ ଚିତ୍ରଣ କରାଯାଇଛି । ଭାଷା କୋଶରେ ଉର୍ବଶୀ ଶବ୍ଦର ବ୍ୟୁତ୍ପତ୍ତି ହେଉଛି – (ଉରୁ + ବଶ + ଅ + ଈ) । ଉର୍ବଶୀ ଶବ୍ଦର ଅର୍ଥ ନାରାୟଣଙ୍କର ଉରୁ ସମ୍ଭବା ବୋଲି ଉଲ୍ଲେଖ ଅଛି । ନାରାୟଣ (ନାରା + ଅୟନ) ; ନାରା ଅର୍ଥ ଜଳ । ଜଳ ଯେଉଁ ପଥ ଦେଇ ଗମନ କରେ ତାହା ହେଉଛି ନଦୀ, ଝରଣାର ପାର୍ବତ୍ୟମୟ ବନ୍ଧୁର ଶଯ୍ୟା । ଏଥିରେ ଜଳ ପ୍ରବାହିତ ହେଲାବେଳେ ତାର ଉରୁ ଅର୍ଥାତ୍ ଉପରିଭାଗରୁ ଯେଉଁ ରଜତ ସୌରଭ ବିଛୁରିତ ହୁଏ, ତାହା ହିଁ ହେଉଛନ୍ତି ଆମର ପୁରାଣ ବର୍ଣ୍ଣିତ ଉର୍ବଶୀ ଅପ୍ସରା । ଏହି ଜ୍ୟୋତିଃ ଅପସାରିତ ହୁଏ ବୋଲି ତାଙ୍କୁ ଅପ୍ସରା ବୋଲି କୁହାଯାଇଛି । ପୁରୁ ଅର୍ଥ ଶରୀର; ରବା ଅର୍ଥ ବୀଣା ଝଙ୍କାର । ତେଣୁ ପୁରୁରବାର ଭାବାର୍ଥ ହେଲା ବୀଣାର ଝଙ୍କାର ଅର୍ଥାତ୍ ନଦ, ନଦୀ, ଝରଣାର କୁଳୁ କୁଳୁ ନାଦରେ ଯା’ର ଶରୀର ପୂର୍ଣ୍ଣ । ତାହା ହେଉଛି -ନଦୀ ମାତୃକା, ପର୍ବତ ମାନଙ୍କର ପାଦଦେଶସ୍ଥ ବନ୍ଧୁର ଭୂ ଭାଗ । ଏହା ନିର୍ଝରର ଜଳଧାରାରେ ଶୁଭୁ ସୌରଭ ମଣ୍ଡିତ ହୋଇଥିବାରୁ ପୁରୁରବା, ଉର୍ବଶୀଙ୍କ ସହିତ ଚିରଦିନ କ୍ରୀଡ଼ାରତ ଥିବା କଥା ପୁରାଣରେ ଉଲ୍ଲେଖ ଅଛି । ରାଜା ପୁରୁରବା ଅଷ୍ଟାଦଶ ଦ୍ୱୀପର ଅଧିପତି ଥିଲେ ବୋଲି କୁହାଯାଇଛି । ବୋଧହୁଏ ସେ ସମୟରେ ଉତ୍ତର ଭାରତରେ ହିମାଳୟ ପର୍ବତ ଶ୍ରେଣୀକୁ ଲାଗି ଅଠର ଗୋଟି ପାର୍ବତ୍ୟ ଉପତ୍ୟକା ସୃଷ୍ଟି ହୋଇଥିଲା । ତା ପରେ ତାଙ୍କର ପୁତ୍ର ଆୟୁ ରାଜା ହେଲେ । ଆୟୁ (ଇ + ଉ) ଶବ୍ଦର ଅର୍ଥ ହେଉଛି ଅନୁହ୍ରାଦ ପୁତ୍ର । ହ୍ରାଦ ଧାତୁ ସ୍ୱନ କରିବା ଓ ମେଘ ଗର୍ଜ୍ଜନ ଅର୍ଥରେ ବ୍ୟବହୃତ ହୋଇଥାଏ । ପାର୍ବତ୍ୟମୟ ସ୍ଥଳଭାଗରେ ନଦୀ, ଝରଣାର ଜଳ ଗତି କଲାବେଳେ ପ୍ରପାତ ସୃଷ୍ଟି ହୋଇ ଯେଉଁ ଭୟଙ୍କର ମେଘ ଗର୍ଜ୍ଜନ ସଦୃଶ ଶବ୍ଦ ଜାତ ହୁଏ, ତାକୁ ପୁରୁରବା ଓ ଉର୍ବଶୀଙ୍କ ପୁତ୍ର ଆୟୁ ରୂପରେ କଳ୍ପନା କରାଯାଇଛି । ଆୟୁ ରାଜାଙ୍କର ପୁତ୍ର ହେଲେ ନହୁଷ ନରପତି । ନହୁଷ (ନହ + କ.ଉଷ୍ ) ଶବ୍ଦର ଅର୍ଥ ସର୍ପ ବିଶେଷ ରୂପରେ ଉଲ୍ଲେଖ ଅଛି । ସୃପ୍ ଧାତୁ ଧୀରେ ଧୀରେ ଗତି କରିବା ଅର୍ଥ ପ୍ରକାଶ କରେ । ତେଣୁ ନହୁଷ ଶବ୍ଦର ପ୍ରକୃତ ଭାବାର୍ଥ ହେଲା ଉଚ୍ଚ ପ୍ରପାତ ଗୁଡ଼ିକରୁ ପାର୍ବତ୍ୟମୟ ବନ୍ଧୁର ଶଯ୍ୟା ଅତିକ୍ରମ କରି ଜଳ ଗତି କଲାବେଳେ ଜଳୀୟକଣାଗୁଡ଼ିକ ବାଷ୍ପାକାରରେ ଧୀରେ ଧୀରେ ଉର୍ଦ୍ଧ୍ୱକୁ ଗତି କରୁଥିଲେ । ନହୁଷ ଅର୍ଥାତ୍ ଧୀରେ ଧୀରେ ଗତି କରୁଥିବା ଜଳୀୟବାଷ୍ପ ନିଜର ଗୁଣରେ ସ୍ୱର୍ଗରେ ଇନ୍ଦ୍ର ହୋଇଥିଲେ ବୋଲି ପୁରାଣରେ ବର୍ଣ୍ଣିତ ଅଛି । ବ୍ରାହ୍ମଣ ବଚନରେ ଅର୍ଥାତ୍ ସୃଷ୍ଟି କାର୍ଯ୍ୟରେ ସୁରକ୍ଷା ପାଇଁ ବ୍ରହ୍ମତେଜଃ ବା ସୌରରଶ୍ମି ପ୍ରଭାବରେ ନହୁଷ ରାଜା ସର୍ପ ଯୋନି ପ୍ରାପ୍ତ ହୋଇଛନ୍ତି ଜଳର ସର୍ପିଳ ଗତିରୁ ତାଙ୍କର ଉଦ୍ଭବ ହୋଇଛି ବୋଲି ଏପରି କୁହାଯାଇଛି । ତାଙ୍କର ପୁତ୍ର ହେଲେ ଯଯାତି ମହାରାଜା । ଯଃ ଯାତି ସଃ-ଯଯାତି, ଅର୍ଥ ଯେ’ ପୁନଃ ପୁନଃ ଗମନ କରେ । ତେଣୁ ଯଯାତି ଶବ୍ଦର ଭାବାର୍ଥ ହେଲା – ଆକାଶ ମଣ୍ଡଳରେ ପୁନଃ ପୁନଃ ଗତି କରୁଥିବା ମେଘଖଣ୍ଡ । ନହୁଷ ଅର୍ଥାତ୍ ଜଳୀୟବାଷ୍ପରୁ ଯଯାତି ଅର୍ଥାତ୍ ମେଘର ସୃଷ୍ଟି ହେଲା । ଯଯାତି ଶୁକ୍ରଙ୍କର ଶାପରେ କିପରି ଜରାଗ୍ରସ୍ତ ହେଲେ, ତାହା ପରବର୍ତ୍ତୀ ପ୍ରବନ୍ଧରେ ଆଲୋଚନା କରାଯିବ ।

ସାଙ୍କେତିକ ଚିହ୍ନ

କ – କର୍ତ୍ତୃବାଚ୍ୟ
ର୍ମ – କର୍ମବାଚ୍ୟ
ଭା – ଭାବବାଚ୍ୟ

ବିଭିନ୍ନ ଶବ୍ଦର ବ୍ୟୁତ୍ପତ୍ତି ଉଲ୍ଲେଖକାଳରେ ଆବଶ୍ୟକ ସ୍ଥଳେ ଉପଯୁକ୍ତ ସାଙ୍କେତିକ ଚିହ୍ନ ମାନ ବ୍ୟବହୃତ ହୋଇଅଛି ।

ତା ପରେ

ଲୋକପ୍ରିୟ ଲେଖା

To Top