ମହାଭାରତ

କଚ-ଦେବଯାନୀ

Odia Scientfic Reviews on Mahabharat

ମୁଁ ଯାହା ଅଧ୍ୟୟନ କରିଛି, ତାହାସିନା ନିଷ୍ଫଳ ହେବ, କିନ୍ତୁ ମୋର ଶିଷ୍ୟଗଣଙ୍କୁ ଏହି ବିଦ୍ୟା ପଢ଼ାଇଲେ ତାହା ସେମାନଙ୍କଠାରେ ଫଳବତୀ ହେବ ।

କଚ-ଦେବଯାନୀ

-: ପୂର୍ବରୁ :-

ପୃଥିବୀର ଉତ୍ପତ୍ତି କାଳରେ ଦେବାସୁରମାନଙ୍କ ମଧ୍ୟରେ ସଦା ସର୍ବଦା ସଂଗ୍ରାମ ଲାଗି ରହିଲା । ସେମାନେ ପରସ୍ପରର ହିତ କାମନା କରି ଦେବତାମାନେ ବୃହସ୍ପତି ଓ ଅସୁରମାନେ ଶୁକ୍ରଙ୍କୁ ନିଜ ନିଜର ଗୁରୁ ବା ପୁରୋହିତ ରୂପରେ ମାନିନେଲେ । ଦେବତାମାନେ ଯୁଦ୍ଧରେ ଯେତେବେଳେ ଦୈତ୍ୟ ବଧ କଲେ ସେ ସକଳଙ୍କୁ ଶୁକ୍ର ନିଜର ମନ୍ତ୍ର ବଳରେ ବଞ୍ଚାଇ ଦେଉଥିଲେ । ପୁରୋହିତ ଶୁକ୍ରଙ୍କୁ ସଞ୍ଜୀବନୀ ମନ୍ତ୍ର ଜଣାଥିବାରୁ ଦୈତ୍ୟ କୂଳର ବିନାଶ ହେଲା ନାହିଁ । କିନ୍ତୁ ଯୁଦ୍ଧରେ ଯେତେ ଦେବଗଣ ମଲେ ସେମାନଙ୍କୁ ଅଙ୍ଗିରା ନନ୍ଦନ ବୃହସ୍ପତି ବଞ୍ଚାଇ ପାରିଲେ ନାହିଁ । ଶୁକ୍ରଙ୍କର ଏପରି ପ୍ରତାପରେ ଦେବଗଣ ଆଶ୍ଚର୍ଯ୍ୟ ହୋଇ ତାଙ୍କଠାରୁ ମୃତ ସଞ୍ଜୀବନୀ ମନ୍ତ୍ର ଶିକ୍ଷାକରି ଆସିବା ପାଇଁ ବୃହସ୍ପତିଙ୍କର ପୁତ୍ର କଚଙ୍କୁ ପଠାଇଲେ । କଚ ଶିଷ୍ୟ ରୂପରେ ଶୁକ୍ରଙ୍କର ଆଶ୍ରମରେ ରହି ବିଦ୍ୟା ଅଧ୍ୟୟନ କଲେ । ଇନ୍ଦ୍ରଙ୍କର ଆଦେଶରେ କଚ ଗୁରୁ ଶୁକ୍ରଙ୍କର ଅତ୍ୟନ୍ତ ସେବା କରନ୍ତି । ପୁନଶ୍ଚ ତାଙ୍କ କନ୍ୟା ଦେବଯାନୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯାହା ଯାହା ଆବଶ୍ୟକ ତାହା କରନ୍ତି । ଏପରିକି ଦେବଯାନୀ ଯେତେବେଳେ ଯାହା ମାଗନ୍ତି, ସେ ଅବିଳମ୍ୱେ ତାହା ଆଣି ଦିଅନ୍ତି । କଚ ନାନା ନୃତ୍ୟବାଦ୍ୟରେ ତାଙ୍କର ମନ ତୋଷ କରନ୍ତି ଏବଂ ତାଙ୍କର ଆଜ୍ଞାନୁବର୍ତ୍ତୀ ହୋଇ ସଦା ସର୍ବଦା ରହିଥାନ୍ତି ।

ଏହିପରି କିଛିଦିନ ଅତିକ୍ରାନ୍ତ ହୋଇଗଲା । ଦିନେ ଶୁକ୍ର ଗୋଧନ ରଖିବା ପାଇଁ କଚଙ୍କୁ ନିୟୋଜନ କଲେ । ଦୈତ୍ୟମାନେ କଚଙ୍କୁ ଦେଖି ଜାଣିପାରିଲେ ଯେ ବୃହସ୍ପତିଙ୍କ ପୁତ୍ର କଚ ଆମ୍ଭମାନଙ୍କର ଗୁରୁଙ୍କଠାରୁ ସଞ୍ଜୀବନୀ ମନ୍ତ୍ର ଶିକ୍ଷା କରିବା ଉଦ୍ଦେଶ୍ୟରେ ମାୟାକରି ଆସିଅଛି । ତେଣୁ ସେମାନେ ତାଙ୍କୁ ଧରି ଖଣ୍ଡାରେ ଖଣ୍ଡ ଖଣ୍ଡ କରି ପକାଇଲେ । ସନ୍ଧ୍ୟାବେଳକୁ ଗାଈମାନେ ଆଶ୍ରମକୁ ଫେରିଲେ, କିନ୍ତୁ କଚର ଦେଖା ନାହିଁ । କଚଙ୍କ ଅନୁପସ୍ଥିତିରେ ଦେବଯାନୀ ଅଥୟ ହୋଇପଡ଼ିଲେ । ପିତା ଶୁକ୍ରାଚାର୍ଯ୍ୟଙ୍କୁ ଏ ବିଷୟ ଜଣାଇଲେ ଏବଂ କାନ୍ଦି କାନ୍ଦି କଚଙ୍କ ବିଚ୍ଛେଦରେ ପ୍ରାଣତ୍ୟାଗ କରିବେ ବୋଲି କହିଲେ । ଏହା କହି ଅତି ଉଚ୍ଚସ୍ୱରରେ ଦେବଯାନୀ କ୍ରନ୍ଦନ କରିବାକୁ ଲାଗିଲେ । ଶୁକ୍ର କନ୍ୟାଙ୍କୁ ଆଶ୍ୱାସନା ଦେଇ କଚଙ୍କୁ ମନ୍ତ୍ରବଳରେ ପୁନର୍ବାର ଜୀବିତ କରାଇଦେଲେ । କଚଙ୍କୁ ଦେଖି ଦେବଯାନୀ ବିଶେଷ ଖୁସି ହେଲେ ଏବଂ ତାଙ୍କଠାରୁ ସମସ୍ତ ଘଟଣା ଶୁଣି ଆଉ ତାଙ୍କୁ ଗୋଧନ ରକ୍ଷା କାର୍ଯ୍ୟରେ ନିଯୁକ୍ତ ନ କରିବାକୁ ପିତାଙ୍କୁ ଅନୁରୋଧ କଲେ ।

ଦିନେ ଦେବଯାନୀଙ୍କର ଅନୁରୋଧ ରକ୍ଷାକରି କଚ ପୁଷ୍ପଚୟନ କରିବାକୁ ଯାଇଥିଲେ । ସେଠାରେ ଅସୁରମାନେ ତାଙ୍କୁ ଦେଖି ଖଣ୍ଡ ଖଣ୍ଡ କରି କାଟି ତେଲରେ ଭାଜି ଶୁକ୍ରଙ୍କୁ ସୁରା ସହିତ ଭକ୍ଷଣ କରାଇଦେଲେ । କଚଙ୍କ ଅନୁପସ୍ଥିତିରେ ଦେବଯାନୀ ପୁଣି କାନ୍ଦି କାନ୍ଦି ପିତା ଶୁକ୍ରଙ୍କୁ କହିଲେ – କଚଙ୍କ ଅଦର୍ଶନରେ ମୁଁ ନିଶ୍ଚୟ ପ୍ରାଣତ୍ୟାଗ କରିବି । କନ୍ୟାକୁ ପ୍ରବୋଧନା ଦେଇ ଧ୍ୟାନ ବଳରେ ଶୁକ୍ରାଚାର୍ଯ୍ୟ ଜାଣିପାରିଲେ ଯେ – କଚ ତାଙ୍କ ଗର୍ଭରେ ଅଛି । ସେ ଏହା ଜାଣିପାରି କଚଙ୍କୁ ପଚାରିଲେ -“ହେ କଚ, ତୁମେ ମୋ’ ପେଟ ଭିତରକୁ କିପରି ଆସିଲ ?”

କଚ ଶୁକ୍ରଙ୍କର ପେଟ ଭିତରେ ଥାଇ ସମସ୍ତ ଘଟନା କହିଲେ । ଶୁକ୍ର ବଡ଼ ଚିନ୍ତାରେ ପଡ଼ିଲେ । ସେ ଭାବିଲେ ଯଦି ମୁଁ କଚଙ୍କୁ ମୋର ପେଟ ଭିତରୁ ବାହାର କରୁଛି, ତେବେ ମୋର ମୃତ୍ୟୁ ସୁନିଶ୍ଚିତ । ପୁନଶ୍ଚ କଚଙ୍କୁ ବାହାର ନ କଲେ ବ୍ରାହ୍ମଣ ହତ୍ୟା ଦୋଷରେ ଭାଗୀ ହେବି । ଏହି ବ୍ରହ୍ମହତ୍ୟା ପାପରୁ ଜଗତରେ କାହାର ନିସ୍ତାର ନାହିଁ । ଏହା ଚିନ୍ତାକରି ଶୁକ୍ର ପ୍ରିୟ ଶିଷ୍ୟ କଚକୁ କହିଲେ -“ରେ ପୁତ୍ର ! ତୋତେ ମୁଁ ସଞ୍ଜୀବନୀ ମନ୍ତ୍ର ଶିଖାଇ ଦେଉଅଛି । ମୋର ପେଟରୁ ତୁମେ ବାହାର ହୋଇ ମୋତେ ପୁନର୍ବାର ମନ୍ତ୍ରବଳରେ ଜୀବନ୍ତ କରାଇବ ।”

କଚ ପେଟ ଭିତରେ ଥାଇ ମନ୍ତ୍ର ଉଚ୍ଚାରଣ କଲେ । ଶୁକ୍ର ଖଡ୍‌ଗ ଆଣି ତାଙ୍କ ପେଟ ଚିରି କଚଙ୍କୁ ବାହାର କଲେ ।

ତାପରେ କଚ ନିର୍ଭୟରେ ସେଠାରେ କିଛିଦିନ ଅବସ୍ଥାନ କରି ନିଜ ଗୃହକୁ ଯିବା ପାଇଁ ବାହାରିଲେ । ଶୁକ୍ରଙ୍କ ଠାରୁ ବିଦାୟ ନେଇ ଦେବଯାନୀଙ୍କ ପାଖକୁ ଗଲେ ଏବଂ ତାଙ୍କର ଯିବା କଥା ଜଣାଇଲେ । କଚଙ୍କର ବାକ୍ୟ ଶୁଣି ଦେବଯାନୀ ମର୍ମାହତ ହୋଇପଡ଼ିଲେ । ଶେଷରେ ତାଙ୍କୁ ବିବାହ କରିବାକୁ କଚଙ୍କୁ ବିନୀତ ନିବେଦନ କଲେ । କଚ କିନ୍ତୁ ଏ ପ୍ରସ୍ତାବରେ ରାଜି ହେଲେ ନାହିଁ । ସେ କହିଲେ – “ତୁମେ ମୋର ଗୁରୁଙ୍କର କନ୍ୟା; ତେଣୁ ମୋର ଭଗ୍ନୀ ସଦୃଶ । ଭ୍ରାତା ଓ ଭଗ୍ନୀ ମଧ୍ୟରେ ବିବାହ କଦାପି ସମ୍ଭବ ନୁହେଁ ।”

କଚଙ୍କର ନିଷ୍ଠୁର ବାକ୍ୟରେ ଦେବଯାନୀ ଅତ୍ୟନ୍ତ କୁପିତ ହୋଇ ତାଙ୍କୁ ଅଭିଶାପ ଦେଲେ -“ମୁଁ ସ୍ତ୍ରୀ ହୋଇ ତୁମ୍ଭଙ୍କୁ ବାରମ୍ୱାର ଅନୁରୋଧ କଲି କିନ୍ତୁ ତୁମ୍ଭେ ତାହା ରକ୍ଷା କଲ ନାହିଁ । ମୁଁ ତୁମ୍ଭଙ୍କୁ ଏହି ଅଭିଶାପ ଦେଉଛି ଯେ – ମୋର ପିତା ତୁମ୍ଭଙ୍କୁ ଯେତେ ଯେତେ ବିଦ୍ୟା ଶିକ୍ଷା ଦେଲେ, ସେ ସମସ୍ତ ନିଷ୍ଫଳ ହେବ ।”

ଦେବଯାନୀଙ୍କର ଅଭିଶାପ ଶୁଣି କଚ କହିଲେ -“ଦେବଯାନୀ, ତୁମେ ବିନା ଦୋଷରେ ମୋତେ ଏ ଦଣ୍ଡ ଦେଲ । ତୁମେ କାମୁକୀ ହୋଇ ଏ ଅନୁଚିତ କାର୍ଯ୍ୟ କଲ । ତୁମର ପିତା ହେଉଛନ୍ତି ବ୍ରାହ୍ମଣ ଶ୍ରେଷ୍ଠ ଶୁକ୍ର, ପୁଣି ତୁମେ ତାଙ୍କର କନ୍ୟା । ମୁଁ ତୁମକୁ ଅଭିଶାପ ଦେଉଛି – ତୁମର କ୍ଷତ୍ରୀୟ ସ୍ୱାମୀ ହେବ । ପୁନଶ୍ଚ ମୁଁ ଯାହା ଅଧ୍ୟୟନ କରିଛି, ତାହାସିନା ନିଷ୍ଫଳ ହେବ, କିନ୍ତୁ ମୋର ଶିଷ୍ୟଗଣଙ୍କୁ ଏହି ବିଦ୍ୟା ପଢ଼ାଇଲେ ତାହା ସେମାନଙ୍କଠାରେ ଫଳବତୀ ହେବ ।

ଏହାକହି କଚ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କଲେ । ଇନ୍ଦ୍ର ଆଦି ଦେବଗଣ ତାଙ୍କୁ ଦେଖି ସନ୍ତୁଷ୍ଟ ହେଲେ । ସେହି କାଳ ଠାରୁ ଦେବତା ଓ ଅସୁରମାନଙ୍କ ମଧ୍ୟରେ ଘୋରତର ସଂଘର୍ଷ ଉପୁଜିଲା ।

ଉକ୍ତ ପୌରାଣିକ ଉପାଖ୍ୟାନଟିର ବର୍ତ୍ତମାନ ତାତ୍ତ୍ୱିକ ଆଲୋଚନା କରିବା । ଶୁକ୍ରାଚାର୍ଯ୍ୟ କହିଲେ ଶୁକ୍ର ଗ୍ରହଙ୍କୁ ବୁଝାଇବ । ସେ ବ୍ରହ୍ମାଙ୍କ ଅଂଶରେ ଜାତ ହୋଇଥିବାରୁ ବ୍ରାହ୍ମଣ । ଶୁକ୍ର ଏକ ନିର୍ଜ୍ଜଳ ଗ୍ରହ ହୋଇଥିବାରୁ ତାଙ୍କର ଏପରି ଜାତି ନିର୍ଣ୍ଣୟ କରାଯାଇଛି । ଶୁକ୍ରଗ୍ରହଙ୍କ ସମ୍ପର୍କରେ ମୋର ପ୍ରଣୀତ । – “ପୁରାଣ କଥାରେ ବୈଜ୍ଞାନିକ ଦୃଷ୍ଟିକୋଣ ରାମାୟଣ”ରେ “ରାମ ଓ ପରଶୁରାମ” ବିଷୟରେ ବହୁଳ ଆଲୋଚନା କରାଯାଇଅଛି । ଏହି ଗ୍ରହର କିରଣ ପୃଥିବୀକୁ ଜଳଶୂନ୍ୟ କରିଥିବାରୁ ଦୈତ୍ୟ ମାନଙ୍କର ଉପଦ୍ରବ ବଢ଼ିଥିଲା । ଏହାର ତାତ୍ପର୍ଯ୍ୟ ଏହିକି – ଚନ୍ଦ୍ରଙ୍କର ସୃଷ୍ଟି ପୂର୍ବରୁ ଶୁକ୍ରଗ୍ରହ ପୃଥିବୀକୁ ଜଳଶୂନ୍ୟ କରିଥିଲେ । ତେଣୁ ଭୂପୃଷ୍ଠ ସଦାସର୍ବଦା ବିଷାକ୍ତ ବାଷ୍ପ ପରିପୂର୍ଣ୍ଣ ହୋଇ ରହିଥିଲା । ଏହି ବିଷାକ୍ତ ବାଷ୍ପ ମଧ୍ୟରେ ଥିବା ସୃଷ୍ଟିର ବିରୋଧୀ ଦୁଷ୍କ୍ରିୟା ସମୂହକୁ ଅସୁର ରୂପରେ କଳ୍ପନା କରାଯାଇଅଛି । ପୃଥିବୀ ପୃଷ୍ଠରେ ଏଗୁଡ଼ିକ ସଙ୍ଘଟିତ ହେଉଥିଲା ଶୁକ୍ରଙ୍କ ଯୋଗୁଁ । ସେଥିପାଇଁ ଶୁକ୍ରଙ୍କୁ ଦୈତ୍ୟମାନଙ୍କ ପୁରୋହିତ ବା ଗୁରୁ କୁହା ଯାଇଅଛି । ସେ ମୃତ ସଞ୍ଜୀବନୀ ମନ୍ତ୍ର ଜାଣିଥିବାରୁ ଦୈତ୍ୟବଂଶ ବିନାଶ ହେଉ ନ ଥିଲେ । ଏହାର ଅର୍ଥ ଏହିକି – ସଞ୍ଜୀବନୀ ଅର୍ଥ ଜୀବଦାନ କରିବା ବା ସମ୍ୟକ୍ ପ୍ରକାରେ ପ୍ରାଣ ଧାରଣ କରିବା । ଜୀବ ଓ ଉଦ୍ଭିଦ ଜଗତର ପ୍ରାଣ ଧାରଣ କରଛନ୍ତି ଯେ – ସେ ହେଉଛନ୍ତି ଜୀବନରୂପୀ ଜଳ । ମୃତ ସଞ୍ଜୀବନୀ କହିଲେ ଜଳର ମୃତ ଅବସ୍ଥା ବା ଜଳ ବିନାଶ ଅର୍ଥରେ ଗ୍ରହଣ କରାଯାଇପାରେ । ଶୁକ୍ର ଏହି ଜଳ ବିନାଶର ହେତୁ ହୋଇଥିବାରୁ ତାଙ୍କୁ ମୃତ ସଞ୍ଜୀବନୀ ମନ୍ତ୍ର ଜାଣନ୍ତି ବୋଲି କୁହାଯାଇଅଛି । ପୃଥିବୀର ଜଳ ବିନାଶ ପାଇଥିବାରୁ ତାହା ଶୀତଳ ହେବା ପରିବର୍ତ୍ତେ ଅଧିକ ଉତ୍ତପ୍ତ ରହୁଥିଲା । ଫଳତଃ ଆଗ୍ନେୟଗିରି ଓ ବିଷାକ୍ତ ବାଷ୍ପ ଗୁଡ଼ିକର ପ୍ରାଦୁର୍ଭାବ ବଢୁଥିଲା ।

ଦେବଯାନୀ ଶବ୍ଦର ବ୍ୟୁତ୍ପତ୍ତି ହେଉଛି – ଦେବ + ଯାନ + ଈ । ଏହାର ଅର୍ଥ ହେଲା ଅର୍ଚ୍ଚିରାଦି ମାର୍ଗ ରୂପପଥ । ଅର୍ଚ୍ଚି ଶବ୍ଦର ଅର୍ଥ ହେଲା ସୌରରଶ୍ମିର ପ୍ରଭା ବା ତେଜଃ । ତେଣୁ ଦେବଯାନୀ ଶବ୍ଦର ଭାବାର୍ଥ ହେଲା ସୌରରଶ୍ମିରେ ପରିପୂର୍ଣ୍ଣ ପଥ । ଶୁକ୍ର ଗ୍ରହ ସୂର୍ଯ୍ୟଙ୍କର ନିକଟବର୍ତ୍ତୀ ହୋଇଥିବାରୁ ସେ ଅଧିକ କିରଣ ପୂର୍ଣ୍ଣପଥରେ ପରିଭ୍ରମଣ କରୁଛନ୍ତି; ତେଣୁ ପ୍ରଚଣ୍ଡ ସୌରରଶ୍ମି ପୂର୍ଣ୍ଣ ମଣ୍ଡଳରେ ତାଙ୍କର ଅବସ୍ଥାନ ହେତୁ ଶୁକ୍ରଙ୍କର କନ୍ୟା ଦେବଯାନୀ ରୂପରେ ଚିତ୍ରଣ କରାଯାଇଅଛି ।

ସୌରଜଗତର ପଞ୍ଚମ ଗ୍ରହ ହେଉଛନ୍ତି ବୃହସ୍ପତି । ସେ ଦେବଗୁରୁ ହେଲେ କିପରି ? ପୃଥିବୀର ସମସ୍ତ ମଙ୍ଗଳ ପ୍ରକ୍ରିୟା ଏହାଙ୍କର ପ୍ରଭାବରେ ସଙ୍ଘଟିତ ହୋଇଥିବାରୁ, ତାଙ୍କୁ ଦେବଗୁରୁ ଆଖ୍ୟା ଦିଆଯାଇଛି । ବୃହସ୍ପତି କିମ୍ୱା ଅନ୍ୟ ଗ୍ରହମାନେ ମୃତ ସଞ୍ଜୀବନୀ ମନ୍ତ୍ର ଅର୍ଥାତ୍ ଜଳ ବିନାଶ କାରକ ହୋଇ ନ ଥିବାରୁ ସେମାନଙ୍କୁ ଏ ମନ୍ତ୍ର ଜଣାନଥିଲା ବୋଲି ପୁରାଣରେ ଉଲ୍ଲେଖ ଅଛି । ତାଙ୍କର ପୁତ୍ର ହେଉଛନ୍ତି କଚ । କଚ + ଅର = କଚ ଶବ୍ଦର ଅର୍ଥ ହେଉଛି – କେଶ ବା ଶିରୋରୁହ । କଚ୍ ଧାତୁ ସାଧାରଣତଃ ବନ୍ଧନ କରିବା ଅର୍ଥରେ ବ୍ୟବହୃତ ହୋଇଥାଏ । ବୃହସ୍ପତିଙ୍କର ମସ୍ତକରେ କେଶ ରୂପରେ ବାନ୍ଧିହୋଇ ରହିଥିବା ମେଘ ମଣ୍ଡଳକୁ ତାଙ୍କର ପୁତ୍ର କଚ ରୂପରେ କଳ୍ପନା କରାଯାଇଅଛି । କଚ ଶବ୍ଦର ଗୋଟିଏ ଅର୍ଥ ହେଉଛି ମେଘ ।

ବୃହସ୍ପତି ଗ୍ରହରେ ପ୍ରଥମେ ମେଘ ଥିଲା । କିନ୍ତୁ କଚ ଅର୍ଥାତ୍ ସେହି ମେଘମଣ୍ଡଳ, ଯେତେବେଳେ ଶୁକ୍ରଗ୍ରହଙ୍କ ପ୍ରଭାବରେ ଆସି ଅର୍ଥାତ୍ ଶୁକ୍ରଗ୍ରହଙ୍କ ଠାରୁ ମୃତ ସଞ୍ଜୀବନୀ ମନ୍ତ୍ର ଅର୍ଥ ନିର୍ଜଳ ହେବାର ଦୀକ୍ଷା ଗ୍ରହଣ କଲା, ସେତେବେଳେ ଶୁକ୍ରଙ୍କ କନ୍ୟା ଦେବଯାନୀ ଅର୍ଥାତ୍ ପ୍ରଚଣ୍ଡ ସୌରରଶ୍ମି ପୂର୍ଣ୍ଣ ମଣ୍ଡଳର ସାନିଧ୍ୟ ଲାଭ କଲା । ବୃହସ୍ପତିରେ ଥିବା ମେଘମଣ୍ଡଳ ଏହି ସୌରରଶ୍ମିର ଆଜ୍ଞାନୁବର୍ତ୍ତୀ ହୋଇଥିବା କଥା ଉଲ୍ଲେଖ କରାଯାଇଛି । ଫଳରେ ସେହି ମେଘମଣ୍ଡଳ ଗୁଡ଼ିକ ନୃତ୍ୟ କରିବାକୁ ଲାଗିଲେ । ଶୁକ୍ର ଥରେ କଚଙ୍କୁ ଗୋଧନର ସୁରକ୍ଷାପାଇଁ ପଠାଇଥିବାରୁ ସେ ଅସୁରମାନଙ୍କ ଅର୍ଥାତ୍ ବିଷାକ୍ତ ବାଷ୍ପ କବଳରେ ପଡ଼ି ମୃତ୍ୟୁବରଣ କରିଥିଲେ । ଗୋ – ଅର୍ଥ ରଶ୍ମି ବା କିରଣ । ଶୁକ୍ରଙ୍କ ପ୍ରଭାବରେ ଯେତେବେଳେ ବୃହସ୍ପତି ଗ୍ରହରେ ଥିବା ମେଘ ମଣ୍ଡଳ ସୌରକିରଣକୁ ସୁରକ୍ଷା କରିବାକୁ ଗଲା, ତାର ଜଳୀୟଅଂଶ ଗୁଡ଼ିକ ଜଳରେ ପରିଣତ ହେବାରୁ ମେଘ ଅଦୃଶ୍ୟ ହେଲା ଖଣ୍ଡ ବିଖଣ୍ଡିତ ହୋଇ । ପୁନର୍ବାର ଦେବଯାନୀ ଅର୍ଥାତ୍ ପ୍ରଚଣ୍ଡ ସୌରରଶ୍ମି ପ୍ରଭାବରେ ସେ ମୃତ ସଞ୍ଜୀବନୀ ପ୍ରକ୍ରିୟାରେ ମେଘରୂପରେ ଦେଖାଦେଲା ।

ଆଉ ଦିନେ କଚ ପୁଷ୍ପଚୟନ କରିବାକୁ ଯାଇଥିଲେ ଅର୍ଥାତ୍ ବୃହସ୍ପତି ନିଜ କକ୍ଷ ପଥରେ ସୂର୍ଯ୍ୟ ପରିକ୍ରମା କରୁଥିବା ବେଳେ ଶୁକ୍ରଙ୍କ ନିକଟବର୍ତ୍ତୀ ହେବାରୁ ଅସୁରମାନେ ଅର୍ଥାତ୍ ତାଙ୍କର ବିଷାକ୍ତ ବାଷ୍ପ ପୂର୍ଣ୍ଣ ଦୁଃଷ୍ଟ ଆକର୍ଷଣୀ ଶକ୍ତି ପ୍ରଭାବରେ ବୃହସ୍ପତିଙ୍କ ଠାରୁ ମେଘମଣ୍ଡଳ ଦୂରେଇ ଯାଇଁ ଶୁକ୍ରଙ୍କ ଗର୍ଭରେ ରହିଗଲା । ସେଠାରେ କଚ ଅର୍ଥାତ୍ ସେହି ମେଘମଣ୍ଡଳ ଜଳଶୂନ୍ୟ ହୋଇ ମୃତ ସଞ୍ଜୀବନୀ ମନ୍ତ୍ର ଉଚ୍ଚାରଣ କଲେ । ସେହିଦିନ ଠାରୁ ବୃହସ୍ପତି ଏକ ନିର୍ଜଳ ଗ୍ରହ ରୂପରେ ଦେଖାଦେଲେ । ଏଣିକି କଚ ଅର୍ଥାତ୍ ମେଘମଣ୍ଡଳ ଦେବଯାନୀଙ୍କୁ ପରିତ୍ୟାଗ କରିବାକୁ ବସିଲେ । କିନ୍ତୁ ସେ ତାଙ୍କୁ ପରିଣୟ ସୁତ୍ରରେ ଚିରଦିନ ବାନ୍ଧି ରଖିବାକୁ ଚାହିଁଲେ । କଚ ଆଉ ବାନ୍ଧିହୋଇ ରହିପାରିଲେ ନାହିଁ । କାରଣ ତାଙ୍କ ଠାରୁ ଜଳୀୟକଣା ମୃତ ସଞ୍ଜୀବନୀ ମନ୍ତ୍ର ଶିକ୍ଷା କରିବାପରେ ଉଭେଇ ଯାଇଥିଲା । ଘନୀଭୂତ ମେଘମଣ୍ଡଳ କ୍ରମଶଃ ଖଣ୍ଡ ଖଣ୍ଡ ପତଳା ମେଘରେ ପରିଣତ ହେବାକୁ ଲାଗିଲେ । ସୌରରଶ୍ମି ପ୍ରଚଣ୍ଡ ରୂପରେ ବୃହସ୍ପତି ଗ୍ରହରେ ଥିବା ମେଘମଣ୍ଡଳକୁ ଜଳଶୂନ୍ୟ କରିଦେଲା ତାଙ୍କର ଅଭିଶାପ ବଳରେ । ମେଘମଣ୍ଡଳ ଅର୍ଥାତ୍ କଚ ସିନା ମୃତ ସଞ୍ଜୀବନୀ ମନ୍ତ୍ର ଶିକ୍ଷା କଲେ, କିନ୍ତୁ ତାର ପ୍ରୟୋଗ ତାଙ୍କ ଦ୍ୱାରା ହୋଇପାରିଲା ନାହିଁ । ଏହାର ଅର୍ଥ ଏହିକି ମେଘମଣ୍ଡଳ ଆପେ ଆପେ ଜଳଶୂନ୍ୟ ହେଲା; କିନ୍ତୁ ଅନ୍ୟକୁ ଜଳଶୂନ୍ୟ କରିବାର ଶକ୍ତି ତାର ରହିଲା ନାହିଁ । ତେଣୁ ବୃହସ୍ପତିରେ ଥିବା ମେଘମଣ୍ଡଳର ଏପରି ଅବସ୍ଥା ଘଟିବାରୁ ସେ ଦେବଯାନୀ ଅର୍ଥାତ୍ ପ୍ରଚଣ୍ଡ ସୌରରଶ୍ମିକୁ ଅଭିଶାପ ଦେଲେ – ଫଳରେ ତାଙ୍କର ଭର୍ତ୍ତାହେଲେ ଜଣେ କ୍ଷତ୍ରୀ । କ୍ଷତ୍ରୀ ଶବ୍ଦର ଅର୍ଥ ହେଲା – ଜଳ । ଜଳର ପ୍ରଭୁ ଯେ’ ମେଘ, ଶେଷରେ ତାଙ୍କର କର୍ତ୍ତୃତ୍ୱ ଜାହିର କଲେ ସେହି ପ୍ରଚଣ୍ଡ ସୌରରଶ୍ମି ଉପରେ । ଦେବଯାନୀ ଏଣିକି ଜଳୀୟକଣା ଯୁକ୍ତ ମେଘମଣ୍ଡଳର ଅଧୀନା ହୋଇ ରହିଲେ । ମର୍ତ୍ତ୍ୟପୁରର ରାଜା ଯଯାତିଙ୍କୁ ସେ ବିବାହ କଲେ । ମର୍ତ୍ତ୍ୟପୁର ଅର୍ଥାତ୍ ପୃଥିବୀର ପାଳନକର୍ତ୍ତା ଯଯାତି ଅର୍ଥାତ୍ ଜଳୀୟକଣା ପୂର୍ଣ୍ଣ ମେଘମଣ୍ଡଳର ପ୍ରଭାବରେ ସୌରରଶ୍ମିର ପ୍ରଖରତା ଆଉ ଅନୁଭୂତ ହେଲାନାହିଁ । ବାୟୁମଣ୍ଡଳରେ ଥିବା ମେଘ ପଟଳରେ ସୌରରଶ୍ମି ବାଧାପ୍ରାପ୍ତ ହୋଇ ତହିଁ ଉପରେ କ୍ରୀଡ଼ାରତ ଅବସ୍ଥାରେ ରହିଲା ଏବଂ ତଦ୍ୱାରା ପୃଥିବୀ ଶୀତଳ ହେଲା । ଏହି ଘଟନାକୁ ଲକ୍ଷ୍ୟକରି ଯଯାତିଙ୍କ ସହିତ ଦେବଯାନୀଙ୍କର ପରିଣୟ ହେଲା ବୋଲି ପୁରାଣକାର ମୁନିଋଷିମାନେ ଚିତ୍ରଣ କରିଯାଇଛନ୍ତି ।

ସାଙ୍କେତିକ ଚିହ୍ନ

କ – କର୍ତ୍ତୃବାଚ୍ୟ
ର୍ମ – କର୍ମବାଚ୍ୟ
ଭା – ଭାବବାଚ୍ୟ

ବିଭିନ୍ନ ଶବ୍ଦର ବ୍ୟୁତ୍ପତ୍ତି ଉଲ୍ଲେଖକାଳରେ ଆବଶ୍ୟକ ସ୍ଥଳେ ଉପଯୁକ୍ତ ସାଙ୍କେତିକ ଚିହ୍ନ ମାନ ବ୍ୟବହୃତ ହୋଇଅଛି ।

– ତା ପରେ –

ଲୋକପ୍ରିୟ ଲେଖା

To Top