ଅଣୁଗଳ୍ପ

ଗାର୍ଗୀ ଗଗନ

Priyadarshini Panda's odia short story Gaargi Gagana

ଗାର୍ଗୀ, ଏବେ ମୁଁ ଭାବୁଛି, ଆମେ ଏମିତି ପଳାଇ ଆସି ଠିକ୍‌ କଲେନାହିଁ । ସେଇଠେ ହିଁ ରହି ଆମେ ସେମାନଙ୍କ ହୃଦୟକୁ ବଦଳାଇବାକୁ ଚେଷ୍ଟା କରିଥାନ୍ତେ… । ଛାଡ଼. .. ଯା’ ହବାର ତ ହୋଇଗଲା । ଏବେ ସାଥିହୋଇ ବଞ୍ଚିନପାରିଲେ ନାହିଁ ସାଥିହୋଇ ମରି ତ ପାରିବା ।

ସେମାନେ ପାନୀୟ ଗ୍ଲାସ୍‌ ଦୁଇଟିକୁ ହାତରେ ଦୃଢ଼ ଭାବରେ ଚାପି ଧରିଥିଲେ । ଲୋଭନୀୟ, ବିକଳ ଦୃଷ୍ଟି ତାଙ୍କର ଘୁରି ଆସିଲା ଗ୍ଲାସ୍‌ରେ ଥିବା ତରଳ ପାନୀୟ ଉପରେ । ଏଥର ପାନୀୟ ଉପରକୁ ଦୃଷ୍ଟି ଫେରାଇ ଦୁହେଁ ଦୁହିଁଙ୍କୁ ଚାହିଁଲେ । ଦୁହିଁଙ୍କ ଚକ୍ଷୁରେ ଗଭୀର ପ୍ରେମ ଆଉ ଲୋତକ ଟଳମଳ ହେଉଥଲା ।

ପ୍ରଥମେ ପାଟି ଖୋଲିଲା ଗାର୍ଗୀ, “ମନେ ଅଛି ଗଗନ, ଆମର ଯେଉଁଦିନ ପ୍ରଥମେ ଦେଖା ହୋଇଥିଲା… ”, ଗାର୍ଗୀ ଏମିତି ଗୁଣୁଗୁଣେଇ କରି କହୁଥିଲା ଯେ ସେ ଗଗନଙ୍କୁ ପଚାରୁଥିଲା ନା ନିଜକୁ ନିଜେ ସ୍ଵଗତୋକ୍ତି କରୁଥିଲା, ତାହା ବୁଝି ହେଉନଥିଲା । “ମନେ ଅଛିରେ ମନେଅଛି, ଆମର ସେତେବେଳେ ଅଷ୍ଟମ ଶ୍ରେଣୀ । ନୂଆନୂଆ କିଶୋର ବେଳର ମାଦକତା ଦେହ, ମନକୁ ପୁଲକିତ କରିଦେଉଥିଲା । ପାଠ ପଢ଼ିବାର ଝୁଙ୍କ ମଧ୍ୟ ମନ ଭିତରେ ଦାନା ବାନ୍ଧୁଥିଲା । ତୁ ସେଦିନ ଜାପାନୀ କଣ୍ଢେଇଟିଏ ପରି ଆମ ଶ୍ରେଣୀରେ ପ୍ରବେଶ କଲୁ । ଦେଖିବାକୁ ଏକଦମ୍‌ ଗୋରା, ପୁଚୁକା ପୁଚୁକା ଗାଲ ଆଉ ମୁଣ୍ଡରେ ସାଧନା କଟ୍‌ର ବାଳ । ସମସ୍ତେ ମୁଗ୍ଧ ହୋଇ ଚାହିଁ ରହିଲେ । ଏମିତିଗୋଟେ ସୁନ୍ଦର ଓ ସ୍ମାର୍ଟ ଝିଅ ଆମ ଶ୍ରେଣୀରେ କ’ଣ ଆମ ସ୍କୁଲରେ ବି ନଥିଲେ । ତୁ ହାତଯୋଡ଼ି ସାର୍‌ଙ୍କୁ ପ୍ରଣାମ କଲୁ । ସାର୍‌ ପଚାରିଲେ, ‘ ତୁମ ନାଁ କ’ଣ ? ତୁମେ କେଉଁ ସ୍କୁଲରୁ ଆସିଛ ? ତୁ ମଧୁର ହସଟିଏ ହସିଦେଲୁ । ଗାଲରେ ତୋର ଖେଳିଗଲା ଭଉଁରୀ । କହିଲୁ, ‘ ଗାର୍ଗୀ ହୋତା, କଟକ କଲେଜିଏଟ୍‌ ସ୍କୁଲରୁ ଆସିଛି । ‘ ସାର୍‌ ତୋ ପାଇଁ ପ୍ରଥମ ଧାଡ଼ିରେ ଝିଅମାନଙ୍କ ପାଖରେ ସିଟ୍‌ଟିଏ କରାଇ ଦେଲେ । ତୁ’ ତ ନୀରବରେ ବସିଗଲୁ, ହେଲେ ସେତେବେଳକୁ ସମସ୍ତଙ୍କ ହୃଦୟରେ ଆସନ ପାତି ଦେଇଥିଲୁ ।

ରିସେସ୍‌ରେ ସମସ୍ତଙ୍କ ଭିତରେ ଲାଗିଗଲା ପ୍ରତିଯୋଗିତା ତୋ ସହିତ ବନ୍ଧୁତ୍ୱ କରିବା ପାଇଁ । ମୁଁ କେବଳ ଦୂରରୁ ତୋତେ ଦେଖୁଥାଏ । ମୁଁ ଗଗନ ସ୍ଵାଇଁ, ଶ୍ୟାମଳ, ପତଳା, ଡେଙ୍ଗା ଓ ନିମ୍ନ ମଧ୍ୟବିତ୍ତ ପରିବାରର ପିଲାଟିଏ । ଅବଶ୍ୟ ମୁଁ ଭଲ ପଢ଼ୁଥିବାରୁ ଶ୍ରେଣୀରେ ପ୍ରଥମ ହେଉଥିବାରୁ ମୋ ମନରେ ଟିକେ ଗର୍ବଥାଏ । ମୁଁ ଏମିତି କୌଣସି ଝିଅମାନଙ୍କ ସହିତ କଥାବାର୍ତ୍ତା କରେନାହଁ । ତୋ ସହିତ ପଦଟିଏ କଥାହେବା ପାଇଁ ପିଲାମାନଙ୍କ ମଧ୍ୟରେ ଲାଗିଥବା ପ୍ରତିଯୋଗିତା ଦେଖି ମୁଁ କେବଳ ଆମୋଦିତ ହେଉଥାଏ ।

ଏମିତି ଦୁଇ ଚାରିଦିନ କଟିଗଲା ପରେ ଦିନେ ରିସେସ୍‌ରେ ତୁ ମୋ ପାଖକୁ ଆସି ପଚାରିଲୁ, “ତୁମେ ଗଗନ ତ ?” ମୁଁ ପାଖରେ ତୋତେ ଦେଖି ବିଭୋର ହୋଇଗଲି । ତୁ ଦୂରରୁ ଯେତେ ସୁନ୍ଦର ଲାଗୁଥିଲୁ ପାଖରୁ ତା’ଠାରୁ ଅଧିକ କମନୀୟ ମନେହେଲୁ । ତୁ ଯେ ମୋତେ କଣ ପଚାରୁଥିଲୁ ମୁଁ ସେ କଥା ଭୁଲିଗଲି । ତୁ ଆଉଥରେ ତୋ ପ୍ରଶ୍ନ ଦୋହରାଇଲୁ, “ ତୁମେ ଶ୍ରେଣୀରେ ପ୍ରଥମ ହେଉଥବା ଗଗନ ସ୍ୱାଇଁ ତ ?” ମୁଁ ମୁଣ୍ଡ ଟୁଙ୍ଗାରିଲି । ‘ଦେଖ ମୋର ଜ୍ୟାମିତି ଜମାରୁ ଭଲ ହୁଏନି । ତୁମ ଖାତାଟି ଯଦି ଦିଅନ୍ତ.. !’ ମୁଁ ସାଙ୍ଗେସାଙ୍ଗେ ବ୍ୟାଗ୍‌ରୁ ମୋ ଜ୍ୟାମିତି ଖାତାଟା ଆଣି ବଢ଼ାଇଦେଲି । ତା’ ପରଠାରୁ ମୋ ଖାତା, ମୋ ନୋଟ୍‌ ନେଇ ପଢ଼ିବା ତୋର ଅଭ୍ୟାସରେ ପଡ଼ିଗଲା । ଆଉ ଆମେ ଦୁହେଁ ହୋଇଗଲୁ ଉତ୍ତମ ବନ୍ଧୁ ।

ସେ ବନ୍ଧୁତ୍ୱ ବୟସ ବଢ଼ିବା ସାଙ୍ଗେସାଙ୍ଗେ ରୂପାନ୍ତରିତ ହୋଇଗଲା ଭଲପାଇବାରେ । ସେ ଭଲପାଇବା ଦିନକୁ ଦିନ ଗାଢ଼ ହେଲା । ଆମେ କେହି କାହାକୁ ଦିନଟିଏ ନ ଦେଖିଲେ ରହିପାରୁ ନ ଥିଲୁ । ଯେତିକି ସମୟ କଲେଜରେ ସାଙ୍ଗହୋଇ ରହୁଥିଲେ ଭଲ, ତା’ପରେ ମୋବାଇଲ୍‌ରେ ଏସ୍‌.ଏମ୍‌.ଏସ୍‌, ଇ’ମେଲ ନ ହେଲେ ଇଣ୍ଟରନେଟ୍‌ରେ ଚାଟିଂ କରୁଥିଲେ । ବାଣୀବିହାରରେ ଯେଉଁ ଦୁଇବର୍ଷ ଏମ୍‌.ଏସ୍‌ସି. ପଢ଼ିଲେ, ସେ ବେଳାଟା ଆମ ଭଲ ପାଇବାର ସୁବର୍ଣ୍ଣଯୁଗ ଥିଲା । ତୋର ସବୁମନେ ଅଛି ନା ଗାର୍ଗୀ..?” `

ଗାର୍ଗୀ ତା’ ଦୁଇ ଆଖିରୁ ଝରିଯାଉଥିବା ଲୋତକକୁ ପୋଛିଦେଇ କହିଲା, “ମନେ କଣ ରହିବ… ସବୁ ତ ଚଳଚ୍ଚିତ୍ରର ପର୍ଦାରେ ଫୁଟି ଉଠିଲାପରି ମୋ ଆଖିଆଗରେ ଦେଖାଯାଉଛି । ଦୁଇଜଣ କେମେଷ୍ଟ୍ରିରେ ଏମ୍‌.ଏସ୍‌ସି. କରିବା ପାଇଁ ବାଣୀବିହାରରେ ଆଡ୍‌ମିସନ୍‌ ନେଲେ । ତୁମ ମୋବାଇଲ୍‌ରୁ କଲ୍‌ ଆସିଲେ ମୋ ସକାଳର ମଧୁର ନିଦଟା ଭାଙ୍ଗୁଥିଲା । ତୁମେ ମଧ୍ୟ ରେଜେଇ ଭିତରେ ଶୋଇଶୋଇ ଫୋନ୍‌ କରୁଥିଲ । କହୁଥିଲ,ସକାଳୁ ମୋ ମିଠା ମିଠା କଣ୍ଠସ୍ଵରଟା ନ ଶୁଣିଲେ ତୁମର ସାରାଟା ଦିନ ପିତା ହୋଇଯିବ । ତୁମକୁ ଦୁଷ୍ଟ, ଅଭଦ୍ର ଏମିତି ଗାଳି ଦେଉଦେଉ ମୁଁ ମଧ୍ୟ ରେଜେଇରୁ ବାହାରୁଥିଲି । ତରବର ହୋଇ ନିତ୍ୟକର୍ମ ସାରୁସାରୁ ପୁଣି ମାଉସୀ ଡାକ ଛାଡୁଥିଲା, ଗାର୍ଗୀ ହୋତା, ତୁମ ଗେଷ୍ଟ । ମୁଁ ଜାଣେ ଗେଟ୍ ପାଖରେ ଠିଆହୋଇ ତୁମେ ହିଁ ମୃଦୁମୃଦୁ ହସୁଥାଅ । ମୋତେ ଦେଖୁଦେଖୁ କୁହ, “ହେ ମୋର ପ୍ରିୟ ଗାର୍ଗୀ କଣ୍ଠସ୍ଵରରେ ମନ ଭରିଲା ନାହିଁ, ମୋ ସକାଳର ଜହ୍ନକୁ ଦେଖିବାକୁ ଚାଲିଆସିଲି । ‘ ତା’ପରେ କ୍ଲାସ୍‌କୁ ଯିବା, ପାଠ ପଢ଼ିବା, ଲାଇବ୍ରେରୀ, ସେମିନାର ଅଥବା ଲାବୋରେଟାରୀ ସବୁଠାରେ ସାଥେସାଥେ । ଗାର୍ଗୀ ସହିତ ଗଗନ ସନ୍ଧ୍ୟାବେଳେ ହାତ ଧରାଧରି ହୋଇ କଉ ପୋଲ ଉପରେ ବସନ୍ତି ନ ହେଲେ କେବେ ବିଗ୍‌ବଜାର, ମାର୍କେଟ୍‌ କମ୍ପ୍ଲେକ୍ସ, ଏକାମ୍ରହାଟ ତ କେବେ କେଦାରଗୌରୀ ମନ୍ଦିର । କେଦାରଗୌରୀ ମନ୍ଦିର ଆମକୁ ଖୁବ୍‌ ଭଲ ଲାଗୁଥିଲା । ସେଠାରେ ଆମେ ଖୁବ୍‌ ଶାନ୍ତି ପାଉଥିଲୁ । କାହିଁକି ଗଗନ, କାହିଁକି ? ଆମପରି ଦୁଇଜଣ ବିଭୋର ପ୍ରେମିକ, ପ୍ରେମିକାଙ୍କ ସ୍କାରକୀ ବୋଲି କି ? କାନ୍ଦି ପକାଇଲା ଗାର୍ଗୀ ଝରଝର ହୋଇ ।

ଗାର୍ଗୀକୁ କୋଳେଇ ନେଇ ଗଗନ ତା’ଲୁହ ପୋଛିଦେଲେ ଆଉ ପୁଣି ଅତୀତରେ ଲୀନ ହୋଇଗଲେ, “ଛାତ୍ର ଜୀବନର ମଧୁର ବେଳାର ମହକ ଦିନେ ସରିଗଲା । ଏଥର ଆମକୁ ବାସ୍ତବତା ସହିତ ମୁହାଁମୁହିଁ ହେବାକୁ ପଡିଲା । ତୁ ଥିଲୁ ସୁନ୍ଦରୀ, ଶିକ୍ଷିତା ଓ ଧନୀର ଦୁଲାଳୀ । ତୋ ପାଇଁ ଅନେକ ବାହାଘର ପ୍ରସ୍ତାବ ଆସିବାକୁ ଲାଗିଲା । ତୋ ଘରଲୋକ ମଧ୍ୟ ବାହାଘର କରିଦେବା ପାଇଁ ଲାଗିପଡ଼ିଲେ । ତୁ କେତେଦିନ ଆଉ ପ୍ରତିରୋଧର ବାଲିବନ୍ଧକୁ ଧରି ରଖି ପାରିଥାନ୍ତୁ । ଅଗତ୍ୟା ତୋ ମମିଙ୍କ ଆଗରେ ଆମ ଭଲପାଇବା କଥା କହିଲୁ । ତୋ ଘରେ ସତେ ଯେମିତି ନିଆଁ ଲାଗିଗଲା । ମୋ ପରି ଗରୀବ, ବେକାର ପୁଣି ଅନ୍ୟ ଜାତିର ପିଲାକୁ ଜୋଇଁ କରିବା ପାଇଁ ସେମାନେ ଘୋର ଆପତ୍ତି କଲେ । ଗୋଟିଏ ସହରରେ ଆମେ ରହିଥିବାରୁ ଏ ଖବର ଆମ ଘରେ ପହଞ୍ଚିବାକୁ ବେଶିଦିନ ଲାଗିଲା ନାହିଁ । ଆମ ଘରେ ମଧ୍ୟ ଏ ବିବାହର ତୀବ୍ର ପ୍ରତିବାଦ କଲେ । ବଡ଼ଲୋକ ଘରର ଏବଂ ଉଚ୍ଚଜାତିର ଝିଅକୁ କସ୍ମିନ୍ ‌ କାଳେ ସେମାନେ ବୋହୂ କରିବେ ନାହିଁ ବୋଲି ସଫାସଫା ଶୁଣାଇଦେଲେ । ତା’ ଛଡ଼ା ମୋର ଚାକିରି ବାକିରି ହୋଇନି । ବାହାଘର ପ୍ରଶ୍ନ ହିଁ ଉଠୁନି । ଦୁଇ ପରିବାର ତରଫରୁ ଆମ ଉପରେ ଅଙ୍କୁଶ ଲାଗିଗଲା । ଆମେ ଆଉ ଦିନକୁ ଥରଟିଏ ମଧ୍ୟ ପରସ୍ପରକୁ ଭେଟି ପାରିଲେ ନାହିଁ । ଫୋନ୍‌ରେ କଥାହେବା ଅଥବା ଇଣ୍ଟରନେଟ୍‌ରେ ଚାଟ୍‌ କରିବା ମଧ୍ୟ ସମ୍ଭବପର ହେଲାନାହିଁ । ତୋତେ ଘର ଭିତରେ ନଜର ବନ୍ଦୀ କରି ରଖାଗଲା । ଏ ପରିସ୍ଥିତି ଆମ ପାଇଁ ଖୁବ୍‌ କଷ୍ଟକର ଥଲା । ଆଉ ଠିକ୍‌ ଏମିତି ବେଳାରେ ତୋ’ ବାହାଘର ଜଣେ ଡାକ୍ତର ସହିତ ଖୁବ୍‌ ତରବରରେ ଠିକ୍‌ କରି ଦିଆଗଲା । ସେମାନେ ତୋତେ ମୁଦି ପିନ୍ଧାଇଦେଇ ଗଲେ ଆଉ ବାହାଘର ଦିନ ମଧ୍ୟ ଠିକ୍‌ ହୋଇଗଲା । ”

ଏତିକି କଥାରେ ଗାର୍ଗୀର ମ୍ଳାନ, ନିଷ୍ପ୍ରଭ ଆଖି ଦୁଇଟା ଉଜ୍ଵଳ ହୋଇଉଠିଲା । ତା’ କ୍ଷୀଣ କଣ୍ଠସ୍ଵରରେ ଦୃଢ଼ତା ଆସିଗଲା । ସେ ଗଗନ କାନ୍ଧରୁ ମୁଣ୍ଡ ଉଠାଇ ସିଧା ବସିଲା ଆଉ କହିଲା, “ଓଃ, ଗଗନ, ସେ ଦିନସବୁ ମୋ ପାଇଁ ଖୁବ୍‌ କଷ୍ଟକର ଓ ଚ୍ୟାଲେଞ୍ଜିଙ୍ଗ୍‌ ଥିଲା । ମୁଁ କୌଣସି ପ୍ରକାରେ ତୁମ ସହିତ ଯୋଗାଯୋଗ କରିପାରୁନଥିଲି । ଶେଷରେ ଆମ ଘରର ପୂଝାରୀକୁ କିଛି ଟଙ୍କା ଦେଇ ହାତ କଲି ଓ ତା’ ହାତରେ ତୁମ ପାଖକୁ ଚିଠିଟିଏ ଦେଲି । ତୁମେ ମଧ୍ୟ ତା’ହାତରେ ଉତ୍ତର ଲେଖି ପଠାଇଲ । ଘରଛାଡି ପଳାଇବା ଛଡ଼ା ଆଉ ଅନ୍ୟରାସ୍ତା ନ ଥିଲା । ତୁମେ ସବୁ ବ୍ୟବସ୍ଥା କରିଦେଇଥିଲ ଓ ସେଇ ରାତିରେ ଆମେ ଘରଛାଡ଼ି ବମ୍ବେ ପଳାଇ ଆସିଥିଲେ । ଆମେ ଦୁଇଜଣଯାକ ସାବାଳକ ହୋଇ ଯାଇଥିବାରୁ ରେଜେଷ୍ଟ୍ରି ମ୍ୟାରେଜ୍‌ କରିବାରେ କୌଣସି ଅସୁବିଧା ନ ଥିଲା । ଘରୁ କିଛି ଟଙ୍କା ଆମେ ଆଣିଥିଲେ । ସେଇ ସମ୍ବଳରେ ଏଇ ବସ୍ତିରେ ବଖରାଏ ଘରନେଇ ଆମେ ସଂସାର ଆରମ୍ଭ କଲେ । ”

ଗାର୍ଗୀ, ମନେଅଛି ନା ପ୍ରଥମେ ପ୍ରଥମେ ଆମେ କେତେ ଖୁସି ଥିଲେ । ସକାଳର ଚା’ ପିଇଦେଇ ସାଙ୍ଗହୋଇ ଚାକିରି ଖୋଜିବାକୁ ଯାଉଥିଲେ । ଏ କମ୍ପାନୀ, ସେ ଇଣ୍ଡଷ୍ଟ୍ରି ବୁଲୁବୁଲୁ ମଧ୍ୟାହ୍ନ ହୋଇ ଯାଉଥିଲା । କଉ ଗୋଟେ ଛୋଟ ହୋଟେଲ୍‌ରେ ରୁଟି, ତରକାରୀ ଖାଇଦେଇ ପୁଣି ଚାକିରିର ଅନ୍ୱେଷଣରେ ଘୂରିବୁଲୁଥିଲେ । ସନ୍ଧ୍ୟାହେଲେ ଯୁହୁ ବିଚ୍‌କୁ ଯାଉଥିଲେ । ସେଠାରେ ଭେଲପୁରୀ ଖାଉଥିଲେ । କେବେ କେମିତି ତୁ ପାଓଭାଜି ଖାଇବା ପାଇଁ ଜିଦ୍‌କଲେ ମୁଁ ବଡ଼ କଷ୍ଟରେ ତୋତେ ବୁଝାଇ ଦେଉଥିଲି, ଏବେ ପାଓଭାଜି ଖାଇଲେ ବେଶୀ ଟଙ୍କା ଖର୍ଚ୍ଚ ହୋଇଯିବ । ଥରେ ଚାକିରିଟା ହୋଇଯାଉ, ତୋତେ ପ୍ରତିଦିନ ସନ୍ଧ୍ୟାରେ ପାଓଭାଜି ଖୁଆଇବି ଆଉ ରାତିରେ ଏଇ ଦୂରରେ ଦିଶୁଥିବା ଫାଇଭ୍‌ଷ୍ଟାର୍‌ ହୋଟେଲରେ ଖୁଆଇ ଘରକୁ ଫେରିବି । ”

ଚାକିରି ଆମ ପାଇଁ ଆକାଶ କୁସୁମ ସଦୃଶ ହୋଇପଡ଼ିଲା । ସମସ୍ତେ ଗୋଟେ କଥା କହୁଥିଲେ, ଛୋଟ ଚାକିରି ପାଇଁ କହୁଥିଲେ, “ ବାପ୍‌ରେ ଏମ୍‌ଏସ୍‌ସି, କ୍ୟାରିୟର ଫାଷ୍ଟକ୍ଲାସ୍‌, ଆଉ ପିଅନ ରହିବ ? ତୁମ ଅଫିସରଙ୍କ ଏଜୁକେଶନ ତ ତୁମଠାରୁ କମ୍‌ । ତଦ୍ଵାରା ତୁମର ଆଉ ତାଙ୍କୁ ଖାତିର ରହିବ ନାହିଁ । କ୍ଷମା କରିବେ… । ଆଉ କିଛି ଭଲ ପୋଷ୍ଟ ପାଇଁ, ନୋ ଭ୍ୟାକେନ୍ସି… । ଶେଷରେ ଦିନେ ଆମପାଖରେ ଥିବା ସବୁଟଙ୍କା ସରିଗଲା । ହଁ, ଶେଷବେଳକୁ ଆମେ ଦିନକୁ ଥରେ ମାତ୍ର ଖାଉଥିଲେ । ତା’ ପୁଣି ଚା ଓ ରୁଟି । ଭୋକପେଟରେ ପାଣି ପି’ ଦେଇ ରହିବାକୁ ହେଉଛି । ଦୁଇ ମାସର ଘରଭଡ଼ା, କ୍ଷୀରବାଲା ଟଙ୍କା ଏପର୍ଯ୍ୟନ୍ତ ଦିଆହୋଇନି । ‘ ମନେ ଅଛି ଗଗନ, ଆମ ପଡିଶା ଘର ଜାନକୀ ଅମ୍ମା ଯେଉଁଦିନ ମୋତେ କାମ କରାଇ ଦେବାପାଇଁ ଡାକିନେଇ ଜଣେ ବ୍ୟାଙ୍କ ଅଫିସରଙ୍କ ଘରେ ବାସନ ମାଜିବା ପାଇଁ କହିଲା, ସେଦିନ ଦୁଃଖ ଓ ଲଜ୍ଜାରେ ମୋ ମୁହଁ ପୋଡ଼ିଗଲା ପରି ଲାଗିଲା । ଘରେ ଆସି ସେଦିନ ଅନେକ ବେଳଯାଏ କାନ୍ଦିଥିଲି ।

ଆଉ ମୋ କଥା ମନେଅଛି ନା ଗାର୍ଗୀ । ଯେଉଁଦିନ ମୁଁ ଗୋଟେ ଛୋଟ କମ୍ପାନୀରେ ଗେଟ୍‌କିପର ରହିବା ପାଇଁ ଯାଇଥିଲି, ତା’ ମ୍ୟାନେଜର୍‌ ମୋତେ ଓ ମୋ କ୍ଵାଲିଫିକେସନ୍‌ ଦେଖି କହିଲା, “ତୁମେ ବାବୁ ଭଲ ଘରର ପାଠପଢ଼ୁଆ ପିଲା, ରାତି ଅନିଦ୍ରା ହୋଇ ଏକାମ କରିପାରିବ ନାହିଁ । ” ପ୍ରତିଦିନ ଆମେ ଚାଲି ଚାଲି ଅନେକ କମ୍ପାନୀ ଓ ଅଫିସମାନଙ୍କରେ ବାୟୋଡ଼ାଟା ଦେଇ ଆସିଛେ କେତେ ଅଫିସ୍‌ରେ ଆପ୍ଲିକେଶନ ମଧ୍ୟ ଦେଇଛେ । କୌଣସି ଗୋଟେ ଜାଗାରୁ ଏପର୍ଯ୍ୟନ୍ତ ଚାକିରି ପାଇଁ କଲ୍‌ ଆସିଲା ନାହିଁ । ଜାନକୀ ଅମ୍ନା ବୁଝିଦେଇଥିବା ଦୁଇଟି ପିଲାକୁ ଟିଉସନ୍‌ କରି ପାଞ୍ଚଶହ ଟଙ୍କା ପାଉଛେ । ସେଥିରେ ଘରଭଡ଼ା ଦେବା ନା ଖାଇବା ? ଏ ଭିତରେ ଦୁଇମାସ କାଳ ଧୈର୍ଯ୍ୟର ସହିତ ଅପେକ୍ଷା ତ କଲେ । ତୋ ଓ ମୋ ହାତଘଣ୍ଟା, ମୋବାଇଲ୍‌, ତୋ ସୁନାଚୁଡ଼ି, କାନଫୁଲ ଓ ଚେନ୍‌ ତ ବିକି ସାରିଲେଣି । କେମିତି ଆଉ ଚଳିବା ?

“ଗଗନ, ମୁଁ ଭାବୁଛି ସବୁ ଦୋଷ ଆମ ବାପା, ମା’ଙ୍କର । ସେମାନେ ଯଦି ଆମ ଭଲପାଇବାକୁ ଗ୍ରହଣ କରିନେଇଥାନ୍ତେ ଆଉ ମୋ ବାହାଘର ଅନ୍ୟଆଡ଼େ ଠିକ୍‌ କରିନଥାନ୍ତେ, ତେବେ ଆମେ ଏମିତି ଘରଛାଡ଼ି ପଳାଇ ଆସିନଥାଆନ୍ତେ । ତାଙ୍କ ପାଖରେ ରହି ପ୍ରଥମେ ନିଜ ଗୋଡ଼ରେ ଠିଆ ହୋଇଥାନ୍ତେ । ହୁଏତ ବିଭିନ୍ନ କୋଚିଂସ୍‌ ନେଇ, ପ୍ରିପାରେସନ୍‌ କରି ଦୁଇଜଣଯାକ ଆଇ.ଏ.ଏସ୍‌ କି ଓ.ଏ.ଏସ୍‌ ହୋଇପାରିଥାଆନ୍ତେ । କେବଳ ସେମାନଙ୍କ ସହଯୋଗ ହିଁ ଆମର ଲୋଡ଼ାଥିଲା ।

“ଏବେ ସେମାନେ ବିକଳ ହୋଇ ପେପର୍‌ରେ ବାହାର କରୁଛନ୍ତି କି ଟିଭିରେ ନିଖୋଜ୍‌ମାନଙ୍କ ପାଇଁରେ ଆନାଉନ୍ସ୍‌ କରୁଛନ୍ତି, ଫେରିଆସ… ଫେରିଆସ… । ଆଉ କ’ଣ ଆମେ ଫେରିପାରିବୁ ? ନଷ୍ଟ ହୋଇଗଲା ଆମ ଭବିଷ୍ୟତ, ଆମ ସୁଖ, ଶାନ୍ତି ଏମିତିକି ଆମ ଜୀବନ । ”

“ଗାର୍ଗୀ, ଏବେ ମୁଁ ଭାବୁଛି, ଆମେ ଏମିତି ପଳାଇ ଆସି ଠିକ୍‌ କଲେନାହିଁ । ସେଇଠେ ହିଁ ରହି ଆମେ ସେମାନଙ୍କ ହୃଦୟକୁ ବଦଳାଇବାକୁ ଚେଷ୍ଟା କରିଥାନ୍ତେ… । ଛାଡ଼. .. ଯା’ ହବାର ତ ହୋଇଗଲା । ଏବେ ସାଥିହୋଇ ବଞ୍ଚିନପାରିଲେ ନାହିଁ ସାଥିହୋଇ ମରି ତ ପାରିବା । ”

ଏତିକିବେଳକୁ କିଏ କବାଟରେ ଖଡ଼୍‌ଖଡ଼୍‌ କଲା । ଗଗନ ପାନୀୟ ଗ୍ଲାସ୍‌ଟି ଥୋଇଦେଇ କବାଟ ଖୋଲିଲା । କ୍ଷୀର ଦେଉଥିବା ପିଲାଟି କ୍ଷୀର ବୋତଲଟି ବଢ଼ାଇଦେଇ କହିଲା, “ ବାବୁ, ଦୁଇମାସର କ୍ଷୀର ପଇସା ଦେଇନାହାନ୍ତି । ହିସାବ କରି ଦେଇଦେବାକୁ ମାଲିକ କହିଛନ୍ତି । ” ଗଗନ କ୍ଷୀର ବୋତଲଟି ଫେରାଇଦେଇ କହିଲା, “ ଆଜିଠାରୁ ଆଉ କ୍ଷୀର ଦରକାର ନାହିଁ । କାଲି ତୋ ମାଲିକକୁ କହିବୁ ଟଙ୍କା ନେଇଯିବେ । ” କ୍ଷୀରବାଲା ଚାଲିଗଲା ପରେ ଦୁହେଁ ବିକଳରେ ଅଳ୍ପ ହସିଲେ ଆଉ ଗ୍ଲାସ୍‌ରେ ଧରିଥିବା ଉତ୍କଟ ବିଷକୁ ଏକା ସମୟରେ, ପି’ ଦେଲେ । ଗ୍ଲାସ୍‌ ଦୁଇଟିକୁ ଥୋଇଦେଇ ଗଗନ, ଗାର୍ଗୀର ହାତକୁ ଚାପିଧରିଲା ‘ବିଦାୟ ମୋ ପ୍ରିୟ ଗାର୍ଗୀ… ବିଦାୟ… । ‘ ଗାର୍ଗୀ ଗଗନର କୋଳରେ ଢଳିପଡ଼ି କହିଲା, ‘ଉଃ…. ଖୁବ୍‌ କଷ୍ଟ ହେଉଛି ଗଗନ । ‘ ଛାତିିଟା ପୋଡ଼ିଗଲା ପରି ଲାଗୁଛି । ଗଗନ ନିଜ ଛାତି ଆଉଁସୁ, ଆଉଁସୁ କହିଲା, ‘ଏଇ ଶେଷ କଷ୍ଟ ଆମ ପ୍ରେମପାଇଁ ସହିନିଅ ଗାର୍ଗୀ । ‘ ଏତିକି ବେଳକୁ କିଏ ପୁଣି କବାଟ ବାଡେଇଲା । ଦୁଇଜଣଯାକ ଡରିଗଲେ । ଗାର୍ଗୀ କହିଲା, ‘ ଯିଏ ଡାକୁଛି ଡାକୁଥାଉ ଆମର ଆଉ କାହାଠାରେ କ’ଣ ବା ପ୍ରୟୋଜନ ଯେ… । ‘ ଆଗନ୍ତୁକ ଜଣକ ବାରମ୍ବାର କରାଘାତ କରୁଥିଲା । ଗଗନ ଗାର୍ଗୀକୁ କୋଳରୁ ଉଠାଇଦେଇ ଠିଆ ହେଲା ଆଉ କହିଲା, “ ଆମେ ଯଦି କବାଟ ନ ଖୋଲିବା, ଦୁଇ ଚାରିଟା ଧକ୍କାରେ ଏ ଭଙ୍ଗା କବାଟ୍‌ଟା ଖୋଲିଯିବ ।

ତା’ପରେ ଆମେ ଧରାପଡ଼ିଯିବା । ତା’ ଅପେକ୍ଷା ମୁଁ ଦେଖେ କିଏ ଡାକୁଛି । ”

କବାଟ ଖୋଲିବାରୁ ପୋଷ୍ଟମ୍ୟାନ୍‌ ରେଜେଷ୍ଟ୍ରି ଲେଟରଟିଏ ଧରାଇ ଦେଇ, ଦସ୍ତଖତ ନେଇ ଚାଲିଗଲା । ଗଗନ ଚିଠିଟିକୁ ଫିଙ୍ଗିଦେଇ ଛାତିକୁ ଚାପିଧରି ଚିତ୍କାର କଲା…ଆଃ… ଆଃ… । ଗାର୍ଗୀ ବଡ଼ କଷ୍ଟରେ ଉଠି ପ୍ରଥମେ କବାଟ ବନ୍ଦକଲା । ତା’ପରେ ଚିଠିଟିକୁ ତଳୁ ଉଠାଇ କହିଲା, “ ଥରେ ଦେଖିନେବା ଆମ ଜୀବନର ଶେଷ ଚିଠି… । ”

“ଗଗନ…ଗ..ଗ..ନ,…. ଦେଖିଲଣି… ତୁମର ଚାକିରି ହୋଇଯାଇଛି । ଇନ୍‌କାଷ୍ଟ ମେଟାଲ୍‌ରେ କେମିଷ୍ଟ ଚାକିରି । ଦରମା ପାଞ୍ଚହଜାର ଟଙ୍କା… ! ” ଅର୍ଦ୍ଧନିମଳିତ ଚକ୍ଷୁରେ ଗଗନ ଧଡ଼୍‌କରି ଉଠିବସିଲା । ଚିଠିଟା ଗାର୍ଗୀ ହାତରୁ ଟାଣିଆଣି ପଢ଼ିଲା । ଆନନ୍ଦରେ ଚିତ୍କାର କଲା, ‘ଓ୍ବାଃ… ଶେଷରେ ମୋର ଚାକିରି ହୋଇଗଲା । ମୁଁ ବଞ୍ଚିବାକୁ ଚାହେଁ ଗାର୍ଗୀ… । ମୁଁ ଏ ଚାକିରି କରିବାକୁ ଚାହେଁ । ତୁମେ ମଧ୍ୟ ମୋ ପାଇଁ ବଞ୍ଚିବ ଗାର୍ଗୀ । ଆମେ ବଞ୍ଚିବା’, ଏତିକି କହୁକହୁ ଗାର୍ଗୀକୁ ତଳୁ ଉଠାଇ, କବାଟ ଖୋଲି ବାହାରକୁ ଆସିଲା ଓ ଚିତ୍କାର କଲା, ‘ଆମକୁ ବଞ୍ଚାଅ… ଆମେ ବଞ୍ଚିବାକୁ ଚାହୁଁ । ‘ ରାସ୍ତାରେ ଯାଉଥିବା କିଛିଲୋକ ତାଙ୍କୁ ବୁଲି ଚାହିଁଲେ । ସେତେବେଳକୁ ଗାର୍ଗୀ ଗଗନ ପଡିଉଠି ଧାଇଁବାରେ ଲାଗିଲେଣି- “ ଆମେ ବିଷ ଖାଇଛୁ,.. ଆମକୁ ବଞ୍ଚାଅ… ଡାକ୍ତରଖାନାକୁ ନିଅ । ” ଏମିତି ଚିତ୍କାର କରୁଥାନ୍ତି ଓ ଧାଉଁଥାନ୍ତି । ତାଙ୍କର ଏ ଅବସ୍ଥା ଦେଖି କେହି କେହି ତାଙ୍କୁ ପାଗେଳୀ, ପାଗଳ ବୋଲି ଭାବୁଥା’ନ୍ତି । ଅଟୋବାଲାଟିଏ ତାଙ୍କର ଏ ଦୁର୍ଦ୍ଦଶା ଦେଖି ବ୍ରେକ୍‌ ଦେଲା । ଦୁଇଜଣଯାକ ଅଟୋରେ ଚଢ଼ିଯାଇ ଚିତ୍କାର କଲେ- ‘ଆମକୁ ଡ଼ାକ୍ତରଖାନାକୁ ନିଅ । ଆମେ ବିଷ ଖାଇଦେଇଛୁ । ଜଲଦି ନି… ଜଲଦି.. ‘

ଅଟୋବାଲାଟି ନିକଟସ୍ଥ ଡାକ୍ତରଖାନା ଆଗରେ ଅଟୋ ରଖି, ‘ଆଜ୍ଞା ଓହ୍ଲାନ୍ତୁ’ କହି ପଛକୁ ଚାହିଁଲାବେଳକୁ ଦୁଇଜଣଯାକ ଢଳିପଡିଲେ । ଅଟୋବାଲାର ଚିତ୍କାରରେ କିଛିଲୋକ ଘେରିଗଲେ । ଡାକ୍ତରଖାନାର ବେହେରାମାନେ ଆସି ତାଙ୍କୁ ଷ୍ଟ୍ରେଚରରେ ବୋହିନେଲେ । ସୁବିଧା ଦେଖି ଅଟୋବାଲାଟି ଖସିଗଲା । ବୋଧହୁଏ ସେମାନ ମରିଯାଇଛନ୍ତି ! କିଏ ଝାମେଲାରେ ପଡ଼ିବରେ ବାବା… । ପୋଲିସ୍‌ ତ କେଶ୍‌ ନିଶ୍ଚୟ କରିବ ।

ଚିକିତ୍ସା କରିବାକୁ ଆସିଥିବା ଡାକ୍ତର ଗାର୍ଗୀର ମୁହଁ ଦେଖି ଚମକି ପଡ଼ିଲେ । ଏ’ତ ତାଙ୍କ ସାଙ୍ଗ ବିନୟ ହୋତାର ଝିଅ । କିଛିଦିନ ହେଲା ଘରୁ କୁଆଡ଼େ ପଳାଇଯାଇଥିଲା । ଆଜି ଏ ଅବସ୍ଥାରେ… । ସେ ଆଗ୍ରହର ସହିତ ଚିକିତ୍ସାର ସବୁ ଦାୟିତ୍ୱ ବହନ କଲେ । ପ୍ରଥମେ ପୋଲିସ୍‌କୁ ଫୋନ୍‌କଲେ । ଏପଟେ ଚିକିତ୍ସା ଆରମ୍ଭ କରିଦେଲେ । ଦୁହିଁଙ୍କ ରକ୍ତରେ ବିଷ ଚରିଯାଇଥିଲା । ସଙ୍ଗେ ସଙ୍ଗେ ଡାୟୋଲିସସ୍‌ କରି ସମସ୍ତ ବିଷାକ୍ତ ରକ୍ତକୁ ପରିଷ୍କାର କରିଦେଲେ । ଯଦି ବ୍ରେନ୍‌କୁ ବିଷ ଯାଇନଥିବ ହୁଏତ ଦୁହେଁ ବଞ୍ଚିଯାଇପାରନ୍ତି । ଯାହା ପ୍ରୟୋଜନ, ସମସ୍ତ ଚିକିତ୍ସା କରିଥିଲେ ଡା. ପ୍ରତାପ ରଥ । ଏ ଭିତରେ ଭୁବନେଶ୍ଵରକୁ ଫୋନ୍‌କରି ଗାର୍ଗୀ ଘରର ଫୋନ୍‌ ନମ୍ବର ଯୋଗାଡ଼ କରିଥିଲେ ଓ ସାଙ୍ଗ ବିନୟ ହୋତାଙ୍କୁ ସବୁ ଖବର ଜଣାଇ ଦେଇଥିଲେ । ତହିଁ ଆରଦିନ ଫ୍ଲାଇଟ୍‌ରେ ଆସି ପହଞ୍ଚି ଯାଇଥିଲେ ଗାର୍ଗୀର ବାପା, ମା’ । ହେଲେ ଆସିଲାବେଳେ ଗଗନର ବାପା ଓ ମା’ଙ୍କୁ ଖବର ଟିକେ ଦେଇ ନ ଥଲେ ।

ଏପଟେ ବିଧିର ବିଧାନ କିନ୍ତୁ ବିପରୀତ ଥିଲା । ଡା. ପ୍ରତାପ ରଥଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ଗଗନର ଚେତା ଫେରି ଆସିଥିଲା । ମାତ୍ର ଗାର୍ଗୀର ବ୍ରେନ୍‌କୁ ବିଷ ଚାଲିଯାଇଥିବାରୁ ସେ କୋମାକୁ ଚାଲିଥିଲା । ….

ଆଠଦିନ ପରେ ଯେତେବେଳେ ଗଗନ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲା, ଡିସ୍‌ଚାର୍ଜ ହେବା ପୂର୍ବରୁ ଡା. ରଥ ତା ଆଗରେ ସବୁ ସତକଥା କହିଦେଇଥିଲେ । ଏପର୍ଯ୍ୟନ୍ତ ଯେ ତାକୁ ଗାର୍ଗୀ ଭଲ ଅଛି, ଅନ୍ୟ ଏକ ରୁମ୍‌ରେ ଚିକିତ୍ସତ ହେଉଛି ବୋଲି କହୁଥିଲେ, ତାହା ସମ୍ପୂର୍ଣ୍ଣ ମିଥ୍ୟା ଥିଲା । ସେମାନେ ହସ୍ପିଟାଲରେ ଆଡ଼୍‌ମିଟ ହେବା ପରଦିନ ଗାର୍ଗୀ ଇହଲୀଳା ସମ୍ବରଣ କରିଥଲା । ତା’ ଲାସ୍‌କୁ ତା’ ବାପା ଓ ମା” ଫ୍ଲାଇଟ୍‌ରେ ଭୁବନେଶ୍ବର ନେଇଯାଇଥିଲେ ।

ଗଗନକୁ ଚଉଦିଗ ଅନ୍ଧକାର ଦେଖାଯାଉଥିଲା ! ଆଖିରୁ ଝରି ପଢୁଥିଲା ଲୁହର ବରକୋଳିଆ ଠୋପା । ସେ ବାରମ୍ବାର ନିଜ ଭାଗ୍ୟକୁ ନିନ୍ଦୁଥିଲା । ନା ସାଥି ହୋଇ ରହିପାରିଲୁ ନା ସାଥି ହୋଇ ମରିପାରିଲୁ । ଭାଗ୍ୟରେ ଯେମିତି ସାଥି ହେବାଟା ଲେଖା ହିଁ ନଥିଲା । ଆଃ… ଗାର୍ଗୀ ତୁମ ବିନା ମୁଁ ବଞ୍ଚିବି କେମିତି ?

ଏ ଭିତରେ ଖବରକାଗଜରୁ ପଢି ଗଗନର ବାପା ଓ ମା’ ମଧ୍ୟ ବମ୍ବେରେ ପହଞ୍ଚିଯାଇଥିଲେ ସେମାନେ ପୁଅ ପାଖରେ ଦିନ,ରାତି ଜଗି ରହୁଥିଲେ ଓ ଚିକିତ୍ସା ଖର୍ଚ୍ଚ ମଧ୍ୟ ତୁଲାଉଥିଲେ । ଭଲ ହେବାପରେ ଗଗନ ସେମାନଙ୍କୁ ତା’ର ସେ ଛୋଟ ଘରଟିକୁ ନେଇଯାଇଥିଲା । ଏ ପର୍ଯ୍ୟନ୍ତ ମଧ୍ୟ ତା’ ଆପଏଣ୍ଟ୍‌ମେଣ୍ଟ୍, ଲେଟରଟିକୁ ସାଇତି ରଖିଥିଲା ଜାନକୀ ଆମ୍ମା । ସେ ଚିଠିଟିକୁ ଧରି ଭୋ… ଭୋ… ହୋଇ କାନ୍ଦି ପକାଇଲା ଗଗନ । ଆଃ, ଏମିତି ଖଣ୍ଡେ ଚାକିରିକୁ କେତେ ବିକଳରେ ସେମାନେ ଖୋଜୁଥିଲେ, କେତେ ଆଗ୍ରହରେ ଅପେକ୍ଷା କରୁଥିଲେ । ହେଲେ ଚାକିରି ମିଳିଲାବେଳକୁ ଗାର୍ଗୀ ଆଉ ନାହିଁ । ଗଗନ ତା’ ବାପ ଓ ମାଆଙ୍କୁ ଅନୁରୋଧ କରିଥିଲା, “ ଆପଣମାନେ ଓଡ଼ିଶା ଫେରିଯାଆନ୍ତୁ, ମୁଁ ଏଇ ଚାକିରି କରି ଗାର୍ଗୀର ସ୍ମୃତିରେ ବଞ୍ଚିବାକୁ ଚାହେଁ । ”

ଗଗନର ବାପା ରାଜିହୋଇ ନଥିଲେ । ସେ କହିଲେ, “ ବହୁତ ହୋଇଗଲା । ” ଚାରିମାସ ହେଲା ତୁ ଚାଲିଆସିଲୁଣି । ଆମେ ଲୁହ ନୁହେଁ ଲହୁ ହିଁ କାନ୍ଦୁଛୁ । ତୋତେ ଖୋଜାଖୋଜି କରିବାରେ ଆମେ ଅନେକ ଅର୍ଥ ମଧ୍ୟ ଶ୍ରାଦ୍ଧ କରିସାରିଲୁଣି । ଏମିତି ଗୋଟେ ଦିନ ଯାଇନି, ଯେଉଁ ଦିନ ତୋ ମା’ ନ କାନ୍ଦି ଶୋଇଛି । ଏବେ ଆଉ ଆମେ ତୋତେ ଛାଡ଼ି ଯିବୁନି । ତୁ ଆମ ସହିତ ଚାଲ । ଏ ଚାକିରିକୁ ଲୋଭ କରିବାର କିଛି ନାହିଁ । ତୁ ଭଲ ଷୁଡ଼େଣ୍ଟ । ବର୍ଷେ କି ଛ’ମାସ ପ୍ରିପେୟାର କଲେ କୌଣସି ନା କୌଣସି କମ୍ପିଟେଟିଭ୍‌ ପରୀକ୍ଷାରେ ସଫଳ ହୋଇପାରିବୁ । ଆଉ ତା’ ହିଁ ହେବ ତୋର ଗାର୍ଗୀର ଆତ୍ମାପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି । ”

ଗଗନ ତା’ର ଜିନିଷପତ୍ର ସହିତ ଖୁବ୍‌ ଯତ୍ନରେ ନେଇ ଆସିଥିଲା ଗାର୍ଗୀର ପୋଷାକପତ୍ର ଓ ଫଟୋସବୁ । ନିଜ କବ୍‌ବୋର୍ଡ଼ରେ ଖୁବ୍‌ ଗୋପନରେ ସାଇତି ରଖିଥିଲା ସେସବୁ । ପ୍ରତି ରାତି ଶୋଇବାକୁ ଯିବା ପୂର୍ବରୁ ସେ ସବୁକୁ ଦେଖେ, ହାତରେ ଆଉଁସି ଦିଏ ଆଉ ନୀରବରେ କାନ୍ଦେ, “ଓଃ, ମୋ ପ୍ରିୟ ଗାର୍ଗୀ, କେମିତି ମୋତେ ଏକା ଛାଡ଼ି ଚାଲିଗଲ… ? ?”

ଆଜି ଗଗନ ଘରେ ସମସ୍ତେ ଖୁବ୍‌ ଖୁସି । ଷ୍ଟେଟ୍‌ବ୍ୟାଙ୍କର ପ୍ରବେଶନାରୀ ଅଫିସର ଭାବରେ ସେ ସିଲେକ୍ଟ୍‌ ହୋଇଛି । ହେଲେ ଗଗନ ଚୁପ୍‌ଚାପ୍‌ କବାଟ କିଳି ତା’ ରୁମ୍‌ରେ ବସିଛି ଓ ସ୍ଵଗତୋକ୍ତି କରୁଛି, “ଗାର୍ଗୀ ଆଜି ତୁମେ ଥିଲେ କେତେ ଆନନ୍ଦିତ ହୋଇଥା’ନ୍ତ । ଦେଖ ଆମ ଭବିଷ୍ୟତ ଏବେ ସୁରକ୍ଷିତ ହୋଇଗଲା । ଆଉ ଟଙ୍କେ, ଦୁଇଟଙ୍କା ପାଇଁ ବିକଳ ହେବାନାହିଁ । ଆସନା ସାଥିହୋଇ ପୁଣି ଜୀବନ ବିତାଇବା… ”, ଝରି ଚାଲିଛି ତା’ ଆଖିରୁ ଧାର ଧାର ଲୁହ ।

ଗଗନର ଦିଲ୍ଲୀରେ ପୋଷ୍ଟିଂ ହୋଇଛି, ତାକୁ ଜୋଇଁ କରିବାକୁ ଏବେ କନ୍ୟାପିତାଙ୍କର ଧାଡି ଲାଗିଯାଉଛି । ବାପା, ମା’ ବି ଭାବୁଛନ୍ତି ବାହାଘର କରିଦେଲେ ହୁଏତ ପୁଅର ମନ ବଦଳି ଯିବ । ଗଗନ କିନ୍ତୁ ରାଜି ନାହିଁ । ତା’ର ଗୋଟିଏ ଭତ୍ତର, “ ମୁଁ ତ ବିବାହିତ, ଆଉଥରେ ବାହାହେବାର ପ୍ରଶ୍ନ ଉଠୁନି । ” ଏମିତି ଗଡ଼ିଗଲାଣି ଚାରିବର୍ଷ । ଗାର୍ଗୀ ବିନା ଗଗନର ଦୁନିଆଁରେ ବସନ୍ତ ଆସେନା, ଫୁଲ ଫୁଟେନା, ମହକ ଛୁଟେନା କି ଶ୍ରାବଣ ରିମ୍‌ଝିମ୍‌ ଗୀତ ଗାଏନା । ସବୁବେଳେ ଜୀବନଟା ଶୁଷ୍କ ଓ ନୀରସ ।

ସେଦିନ ଫେବୃଆରୀ ସାତ ତାରିଖ । ଗଗନର ପଞ୍ଚମ ବିବାହବାର୍ଷିକୀ । ଗାର୍ଗୀ ଲାଲ୍‌ ଗୋଲାପକୁ ଖୁବ୍‌ ଭଲପାଏ । ଗଗନ ସକାଳୁସକାଳୁ ଫ୍ଲୋରିଷ୍ଟ୍‌ ଦୋକାନକୁ ଗଲା । ଲାଲ ଗୋଲାପର ଗୁଛଟିଏ କିଣି ଚାପିଧରିଲା । ଝରିପଡ଼ିଲା ଫୁଲ ଉପରେ ଦୁଇବୁନ୍ଦା ଲୁହ ଆଃ, ଗାର୍ଗୀ ମୋ ପ୍ରିୟା ଗାର୍ଗୀ… ଏମିତି ଗୁଣୁଗୁଣୁ ହୋଇ କହୁକହୁ ବୁଲିପଡ଼ିଲା ଘରକୁ ଫେରିବା ପାଇଁ । କିଏ… କିଏ… କାର୍ ରୁ ଓହ୍ଲାଇ ଫ୍ଲୋରିଷ୍ଟ ଦୋକାନକୁ ମାଡ଼ିଆସୁଛି ଗଗନ ଆଖି ମଳିଲା । ସେ ଠିକ୍‌ ଦେଖୁଛି ତ… । ଗା… ର୍ଗୀ… ମାଡ଼ିଗଲା ସେ ଆଗକୁ । ପାଟିରୁ ଅସ୍ପଷ୍ଟ ଶବ୍ଦ ବାହାରୁଛି… ଗା…ର୍ଗୀ… ମୋ ପ୍ରିୟ ଗାର୍ଗୀ… ।

ଗାର୍ଗୀକୁ କୁହାଯାଇଥିଲା ଯେ, ବିଷ ପ୍ରକ୍ରିୟାରେ ଗଗନର ମୃତ୍ୟୁ ହୋଇଯାଇଛି । ସେ ନିଜର ଚେତା ଫେରିପାଇଲା ବେଳକୁ ନିଜକୁ ଦିଲ୍ଲୀରେ ମାଉସୀ ଘରେ ପାଇଥିଲା । ଗଗନର ମୃତ୍ୟୁ ଖବରରେ ସେ ଖୁବ୍‌ ଭାଙ୍ଗି ପଡ଼ିଥିଲା । ଆଉ ଗଗନ ବିହୀନ ଓଡ଼ିଶାକୁ ଫେରିବାକୁ ଆଗ୍ରହ କରିନଥିଲା । ଏପଟେ ତା ଘର ଲୋକେ ତାକୁ କୌଣସି ନା କୌଣସି ଆଳରେ ଓଡ଼ିଶା ଆସିବାକୁ ଦେଉନଥିଲେ । ସେ ସେଇଠି ଗୋଟେ ପବ୍ଲିକ୍ ‌ସ୍କୁଲରେ ଟିଚର୍‌ସିପ୍‌ କରୁଥିଲା, ଆଉ ମାଉସୀ ଘରେ ରହିଯାଇଥିଲା । ତା” ନିମନ୍ତେ ଆସୁଥିବା ସମସ୍ତ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରୁଥିଲା ଓ ଗଗନର ବିଧବା ଭାବରେ ବଞ୍ଚିରହିଥିଲା । ସେଦିନ ସେ ମଧ୍ୟ ବିବାହର ପଞ୍ଚବାର୍ଷିକୀ ନିମନ୍ତେ ଗଗନ ଭଲପାଉଥିବା ରଜନୀଗନ୍ଧାର ସ୍ତବକ ନେବାପାଇଁ ଆସିଥିଲା । ଗଗନକୁ ସାମ୍ନାରେ ଦେଖି ତା’ ନେତ୍ର ବିସ୍ଫାରିତ ହୋଇଯାଇଥିଲା, ତୁଣ୍ଡରୁ ଶବ୍ଦ ସ୍ଫୁରୁ ନ ଥିଲା ଆଉ ସେ ନିଜେ ସ୍ତବ୍ଧ ଓ ସ୍ଥାଣୁ ପାଲଟି ଯାଇଥିଲା ।

ଏତିକି ବେଳକୁ ବିସ୍ମୟ, ବିମୂଢ଼ ଗାର୍ଗୀକୁ ବକ୍ଷଲଗ୍ନାକରି ଗଗନ କହୁଥିଲା, ‘ ଗାର୍ଗୀ… ମୋ ପ୍ରିୟ ଗାର୍ଗୀ…” ଆଉ ସୁନ୍ଦର ତାଜା ଲାଲ୍‌ ଗୋଲାପର ତୋଡ଼ାଟି ଗାର୍ଗୀର ପାଦତଳେ ଲୋଟୁଥିଲା… ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top