ଅଣୁଗଳ୍ପ

ଋତୁ ବଦଳେ

Binay Mohapatra's odia short story Rootu Badale

ମୋର ପ୍ରଥମ ପ୍ରେମିକା ହଠାତ୍ ଏମିତି ବାଟ ଭାଙ୍ଗି ଚାଲି ଗଲା । କାରଣ ମୁଁ ତାର ସ୍ୱପ୍ନର ରାଜକୁମାର ନଥିଲି । ତାର ରାଜକୁମାର ଆଉ କିଏ ଥିଲା ।

ଘଟଣାଟି ବହୁତ ପୁରୁଣା ନୁହେଁ, ଏଇ ଅଳ୍ପ ଦିନ ତଳର କଥା । ମୁଁ କୌଣସି ଏକ କାମରେ ଆଠଗଡ ଯାଇ ଥାଏ । କାମ ସରୁ ସରୁ ଟିକିଏ ଡେରି ହୋଇ ଗଲା, ଡେରି କଣ, ଜମାରୁ ରାତି ପ୍ରାୟ ସାଢେ ଆଠଟା ବାଜିଥାଏ ସେତେ ବେଳକୁ । ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ମୋର ଭୂବନେଶ୍ୱର ଫେରିବା କଥା, କିନ୍ତୁ ବନ୍ଧୁମାନେ କହିଲେ ଏବେ ତ ରାତି ହୋଇ ଗଲାଣି । ଆଜି ରାତିଟା ଏଇଠି ରହି ଯାଆନ୍ତୁ, କାଲି ସକାଳୁ ସକାଳୁ ବାହାରି ଯିବେ । କିନ୍ତୁ ମୁଁ ମନେ ମନେ ଭାବିଲି, ଏବେ ରାସ୍ତା ସବୁ ଏତେ ବଢିଆ ପିଚୁ ସଡକ ହୋଇ ଯାଇଛି । ଘଣ୍ଟେ ଦେଢ ଘଣ୍ଟାର ଡ୍ରାଇଭ କଲେ, ନିଜ ଘରେ ପହଞ୍ଚି ଶାନ୍ତିରେ ଟିକିଏ ଶୋଇ ପାରିବି, ନିଜ ଘର, ନିଜ ଶେଜରେ ଯେପରି ନିଦ ହୁଏ ବାହାରେ କୋଉଠି କଣ ସେତେ ଭଲ ନିଦ ହୁଏ ? କହନ୍ତି, ନିଦ କୁଆଡେ ନୁଆ ଜାଗା ବାରେ । ଭୂବନେଶ୍ୱର ବା କେତେ ଦୂର ? ଏମିତି କିଛି ବେଶି ଦୂର ତ ନୁହେଁ । ମୁଣ୍ଡଳି ବ୍ରିଜ୍ ପାର କଲେ, ପହଞ୍ଚି ଗଲି ବାରଙ୍ଗ, ତାପରେ ନନ୍ଦନ କାନନ, ଆଉ ତା ପରେ ପରେ ଆମର ଆପାର୍ଟମେଣ୍ଟ ଗୁଡିକ ଆରମ୍ଭ ହୋଇଯାଏ, ବାସ୍ ଗୋଟାଏ, ଦେଢ଼ ଘଣ୍ଟାରେ ପହଞ୍ଚି ଗଲି ଘରେ ଜାଣ ।

କିନ୍ତୁ ସେମାନେ କହୁଥିଲେ ନରାଜ ପୂର୍ବରୁ ମେଘା ଘାଟିର ଉଠାଣୀରେ ଯେଉଁ ଜଙ୍ଗଲିଆ ଜାଗା ଖଣ୍ଡେ ଅଛି, ସଂଧ୍ୟା ପରେ ସେଇ ରାସ୍ତାରେ ହାତୀପଲ ପାଣି ପିଇବାକୁ ମହାନଦୀ ଯାଆନ୍ତି, ରାସ୍ତା ସାରା ପ୍ରତି ଦୁଇ କିଲୋ ମିଟରରେ ‘ହାତୀ ଚଲାପଥ’ ବୋଲି ସତର୍କ ବୋର୍ଡ ସବୁ ଲାଗିଛି । ଗଲା ସପ୍ତାହରେ ହାତୀପଲ ଜଣେ ବାଇକବାଲା ଉପରେ ଆକ୍ରମଣ କରି ଥିଲେ, ତାର ବାଇକଟାକୁ ପୁରା ଭାଙ୍ଗି ଚୁରମାର୍ କରି ଦେଇଥିଲେ । ସକାଳୁ ସକାଳୁ କିଏ ଜଣେ ଟାକ୍ସିବାଲା ତାକୁ ରାସ୍ତା କଡରେ ଅଚେତ ଅବସ୍ଥାରେ ଦେଖି, ଆଠଗଡ ହସ୍ପିଟାଲ୍‌କୁ ନେଇ ଆସିଥିଲା ବୋଲି ବିଚରା ବଞ୍ଚିଗଲା । ଡାକ୍ତର କହୁଥିଲେ ଆଉ ଟିକେ ଡେରି ହୋଇ ଥିଲେ ନିଶ୍ଚୟ ମରି ଯାଇଥାନ୍ତା । ସେମାନଙ୍କ କଥା ଶୁଣି ମୁଁ କହିଲି, ଆରେ ଭାଇ, ମୋତେ ଆଉ ବେଶି ଡ଼ରାଅନି, ମୁଁ କଣ ବାଇକ୍ ରେ ଯାଉଛି ? ମୁଁ ପରା କାରରେ ଯିବି, ହାତୀ ପଲଙ୍କୁ ଦୂରରୁ ଦେଖି ପାରିବି, ଆଉ ଯଦି ନଜରକୁ ଆସିଲେ, ତେବେ ସେଇ ଦୂରରୁ ଦେଖି ଅଟକି ଯିବି । ତୁମେ ଜମା ବ୍ୟସ୍ତ ହୁଅନି, ମୁଁ ସକୁଶଳ ଭୂବନେଶ୍ୱର ପହଞ୍ଚି ଯିବି । ଘରେ ପହଞ୍ଚି ଫୋନ୍‌ କରି ଆପଣଙ୍କୁ ଜଣାଇ ଦେବି କହି ମୁଁ କାର ଷ୍ଟାର୍ଟ କରି ଦେଲି ।

ନିକାଞ୍ଚନ ରାସ୍ତା, କଳା ମଚ୍ ମଚ୍ ସାପ ପରି ଅଙ୍କା ବଙ୍କା ଉଠାଣି ଗଡାଣି ହୋଇ ଚାଲି ଥାଏ ମୋର ମାରୂତି କାର୍ । ଷ୍ଟେରିଓରେ ଲତା ମଙ୍ଗେସ୍କର ମୋହମ୍ମଦ ରଫିଙ୍କର ପୁରୁଣା ଗୀତର ସ୍ୱର ସାଙ୍ଗରେ ଗୁଣୁ ଗୁଣୁ କରି ମୁଁ ଡ୍ରାଇଭିଂର ମଜା ନେଉ ଥାଏ, ହେଲେ ମନ ଭିତରେ ହାତୀ ଡରଟା ଯେତେ ବେଳେ ଆସି ଯାଏ, ସେତେ ବେଳେ ମୋର ଗୀତର ଭଲ୍ୟୁମ ଆପେ ଆପେ ବଢି ଯାଉ ଥିଲା । ଗୁଣୁ ଗୁଣୁରୁ ମଧ୍ୟମ ଆଉ ତାପରେ ଲାଉଡ ହୋଇ ଯାଉ ଥିଲା ତା ସହିତ ଗାଡ଼ିର ସ୍ପିଡ୍ ବି ବଢ଼ି ଯାଉଥିଲା । ଅଧଘଣ୍ଟା ଡ୍ରାଇଭିଂ ପରେ ହାତୀ ଅଞ୍ଚଳର ବୋର୍ଡଟା ଦିଶିଲା, ସେଇଠି କାରର ସ୍ପିଡ୍ ସ୍ଳୋ କରି ଆଗକୁ ଦେଖିଲି, କାରର ଲାଇଟ୍ ଯେତେ ଦୂର ପର୍ଯ୍ୟନ୍ତ ଯାଉ ଥିଲା ତା ପରିଧୀ ଭିତରେ ଏପରି କିଛି ସନ୍ଦିଗ୍ଧ ବସ୍ତୁ ଦୃଷ୍ଟିକୁ ଆସୁ ନଥିଲା । ମନକୁ ଟିକେ ଦୃଢ କରି ପୁରା ବୀରତ୍ୱର ସହିତ କାର ଚଲାଇବା ଆରମ୍ଭ କରି ଦେଲି, ସ୍ପିଡ ଅଶି-ନବେ କିଲୋମିଟର ହେବ । ଦିଟା ଟର୍ନିଂ ପରେ ହାତୀଶଂକୁଳ ପଥ ସମାପ୍ତ ହେଇ ଗଲା ପରେ ଟକିଏ ଆସ୍ୱସ୍ତ ଲାଗିଲା । ପୁଣି ମୁଁ ମୋ ନର୍ମାଲ ସ୍ପିଡ ପଚାଶ, ଷାଠିଏକୁ ଫେରି ଆସିଲି ।

ନରାଜ ବ୍ରୀଜ୍ ଟା ଗୋଟେ ଟର୍ନିଂ ପରେ ଆସି ଗଲା । ବ୍ରୀଜ୍ ଉପରେ ଚଢିବା ବେଳକୁ ଦୂରରୁ କାରର ଲାଇଟ୍ ରେ ମୋତେ କିଛି ଦେଖା ଗଲା, ଯେପରି କିଏ ଜଣେ ଏପଟ ସେପଟ ହେଉଛି । ମୁଁ ଯେତେ ବେଳେ କିଛି ପାଖା ପାଖି ହୋଇଗଲି, ସେ ଲୋକଟି ହଠାତ୍ ବ୍ରିଜ୍ ର ପାରାପିଟ୍ ଉପରକୁ ଚଢି ଗଲା ଏବଂ ବ୍ରୀଜ୍ ତଳେ ପାଣିକୁ ଡେଇବାକୁ ଉଦ୍ୟମ କରୁ ଥିଲା । ମୋର କାର ସେତେ ବେଳେ ଲୋକଟିର ପ୍ରାୟ ପାଖରେ ପହଞ୍ଚି ଯାଇଥିଲା । ଅଚାନକ ଏପରି ଏକ ଦୃଶ୍ୟ ମୋ ଆଖି ସାମ୍ନାରେ ଘଟିବାକୁ ଯାଉ ଥିଲା । ମୁଁ କାଳବିଳମ୍ବ ନକରି କାରର ବ୍ରେକ୍‌ ଲଗାଇ, ଦଉଡି ଯାଇ ଲୋକଟି ପାଣିକୁ ଡେଇବା ପୂର୍ବରୁ ତାର ହାତ ଧରି ତଳକୁ ଟାଣି ଆଣିଲି ।

ଦେଖିଲି, ୨୩-୨୪ ବର୍ଷର ଯୁବକଟିଏ । ବଡ ଦୁଃଖି ଏବଂ କ୍ଳାନ୍ତ ଦିଶୁ ଥିଲା, କେତେ ଦିନ ହେଲା ଯେପରି ଦାଢୀ ବି କାଟିନି, ହେଲେ ତାର ପୋଷାକରୁ ଜଣା ପଡୁଥିଲା ଭଲ ଘରର ପିଲାଟିଏ । କେଉଁ କଲେଜରେ ପଢୁଛି ବୋଧ ହୁଏ । ପିଲାଟି ମୋ ହାତରୁ ତାର ହାତ ଛଡାଇବାକୁ ଚେଷ୍ଟା କରୁ କରୁ କହୁ ଥାଏ, “ମୋତେ ଛାଡନ୍ତୁ, ମୋତେ ମରି ଯିବାକୁ ଦିଅନ୍ତୁ । ମୁଁ କାହା ପାଇଁ ବଞ୍ଚିବି ? ମୋର ଆଉ ବଞ୍ଚିବାର ଇଚ୍ଛା ନାହିଁ, ମୋ ହାତ ଛାଡନ୍ତୁ ପ୍ଲିଜ୍ କହି ସେ ତାହାତ ମୋ ହାତରୁ ଛଡ଼େଇବାର ବ୍ୟର୍ଥ ପ୍ରୟାସ କରୁ ଥାଏ । ମୁଁ କିନ୍ତୁ ମୋର ପୁରା ଯୋର ଲଗାଇ ତା ହାତକୁ ଜାବୁଡ଼ି ଧରିଥାଏ ।

ପିଲାଟି ଯେପରି ନିଜର ହୋସ୍‌ରେ ନଥିଲା । ଦେଖିଲି, ତାର ବୟସ ମୋ ପୁଅ ବୟସ ଠାରୁ ବି ଅନେକ କମ୍ ହେବ । ଏ ବୟସରେ ଏପରି ଆତ୍ମହତ୍ୟାର କାରଣ କଣ ହୋଇ ପାରେ ? ପରୀକ୍ଷାରେ ଫେଲ୍‌ ? ପ୍ରେମରେ ବିଫଳତା ?? ନା ମାଆ ବାପା ରାଗରେ କଣ କହି ଦେଲେ ବୋଲି ଆତ୍ମହତ୍ୟା କରିବାକୁ ଚାଲି ଆସିଛି ? ପିଲାଟି ପ୍ରତି କିଛି ଦୟା, କିଛି କ୍ରୋଦ୍ଧ, କିଛି ଘୃଣା ଏବଂ କିଛି ସମବେଦନାର ମିଶା ମିଶି ଭାବନା ମନରେ ଆସୁ ଥାଏ । ଏପରି ଟଣା ଓଟରା ଭିତରେ କେମିତି କେଜାଣି ମୁଁ ତାକୁ ଶକ୍ତ ଚାପୁଡାଟାଏ ମାରି ଦେଲି । ପିଲାଟି ହଠାତ ଚୁପ୍ ହୋଇ ଗଲା ଏବଂ ତଳେ ବସି ପଡିଲା । ମୁଁ ତାର ହାତ ଛାଡି ଦେଇ ତା ପାଖରେ ବସି ପଡିଲି । ସେ ତାର ଦୁଇ ହାତରେ ନିଜ ମୁହଁ ଲୁଚାଇ କାନ୍ଦିବାକୁ ଲାଗିଲା । ତା କାନ୍ଦ ଦେଖି ପିଲାଟି ପ୍ରତି ମନରେ ମୋର ଦୟା ଆସି ଗଲା । କିନ୍ତୁ ତାକୁ ଚାପୁଡା ମାରି ଦେଲି ବୋଲି ନୁହେଁ, ବରଂ ତାକୁ ହୋସରେ ଫେରାଇ ଆଣିବା ପାଇଁ ଏପରି ଚାପୁଡା ମାରିବା ସେତେ ବେଳେ ନିହାତି ଆବଶ୍ୟକ ଥିଲା ।

ମୁଁ ସ୍ନେହାବଶ ହୋଇ ପିଲାଟିର ପିଠିରେ ହାତ ବୁଲାଇ ଆଣି ତାକୁ ମୋ ପାଖକୁ ଆଉଜାଇ ଆଣିଲି, ସିଏ ବି ଦେହ ଉପରେ ଆଉଜି ପଡ଼ିଲା, ଏବଂ ଆହୁରି ଯୋରରେ କାନ୍ଦିବାକୁ ଲାଗିଲା । ମୁଁ ତାର ପିଠି ଆଉଁସୁ ଆଉଁସୁ ପଚାରିଲି, ଆରେ ବାବୁ, ଏମିତି କଣ ହୋଇଗଲା, ଏପରି ଆତ୍ମହତ୍ୟା କରିବାକୁ କାହିଁକି ବାହାରିଛ ? ଜାଣିଛ, ମଣିଷ ଜୀବନ କେତେ ଦୂର୍ଲଭ ? କେତେ ଜନ୍ମର ପୂଣ୍ୟ ଫଳରେ ମଣିଷ ଜୀବନ ପାଇଛ, ଭଗବାନ ଦେଇଥିବା ଏଇ ଦୁର୍ଲ୍ଲଭ ମଣିଷ ଜୀବନକୁ ନଷ୍ଟ କରିବାର ଅଧିକାର ତୁମକୁ କିଏ ଦେଲା ? ଏପରି ନିଷ୍ପତି ନେବା ଆଗରୁ ତୁମେ ତୁମ ମାଆ ବାପା ଭାଇ ଭଉଣୀଙ୍କ କଥା ଥରେବି ଭାବିଲନି ? କଣ ଏମିତି ଅଘଟଣ ଘଟିଗଲା ତୁମ ଜୀବନରେ । ମୋ କଥା ଶୁଣି ପିଲାଟି ଆହୁରି ଯୋରରେ କାନ୍ଦିବାକୁ ଲାଗିଲା ।

ଦେଖିଲି ପିଲାଟି ଯେପରି ଏବେ ନିଜ ଭୂଲ ବୁଝି ପାରୁଛି ଏବଂ ଏବେ, ସେ ପୁଣି ଆଉ ଥରେ ଆତ୍ମହତ୍ୟା କରିବାକୁ ପାଣିକୁ ଡେଇବନି, ବୋଧ ହୁଏ । ମୁଁ ଟିକେ ଆସ୍ୱସ୍ଥ ଅନୁଭବ କଲି । ଏବଂ ତାକୁ ଏକୁଟିଆ ଛାଡି ପାଖରେ ଠିଆ ହୋଇଥିବା ମୋ କାରର ଡୋର ଖୋଲି ପାଣି ବୋତଲ ବାହାର କଲି, କିନ୍ତୁ ଏଇ ସମୟ ଭିତରେ ତା ଉପରୁ ମୋର ଦୃଷ୍ଟି ମୋଟେ ହଟାଇ ପାରୁ ନଥାଏ । ମନ ଭିତରେ ତଥାପି ଡର ଥାଏ, ପୁଣି ଯଦି ସିଏ ପାଣିକୁ ଡେଇବାକୁ ଚାଲିଯିବ ! ହେଲେ ସେମିତି କିଛି ସେ କଲାନି, ତାକୁ ଶାନ୍ତ ବସିଥିବାର ଦେଖି ମୁଁ ବି ଧୀରେ ଧୀରେ ଆସ୍ୱସ୍ଥ ହେଉଥିଲି ।

ପାଣି ବୋତଲଟି ତା ଆଡକୁ ବଢାଇ ଦେଇ କହିଲି, ନିଅ ପାଣି ଢୋକେ ପିଇ ନିଅ । ପିଲାଟି ମୁହଁ ତା ଉପରକୁ ଉଠାଇ ଥରେ ମୋତେ ଦେଖିନେଲା, ଏବଂ ହାତ ବଢ଼ାଇ ମୋ ହାତରୁ ପାଣି ବୋତଲଟି ନେଇ ପ୍ରଥମେ କିଛି ପାଣିରେ ମୁହଁ ଧୋଇ ନେଲା, ଦି’ଢୋକ ପାଣି ପିଇ ବାକି ପାଣି ନିଜ ମୁଣ୍ଡ ଉପରେ ଢାଳି ଦେଲା । ମୁଁ ତା ପାଖରେ ତା ଦେହକୁ ଲାଗି ବସି ପଡିଲି । କହିଲି, କିଛି ନଭାବି ମୋତେ କୁହ, ତୁମ ଜୀବନରେ ଏମିତି କଣ ଘଟି ଗଲା ଯେ ତୁମେ ତୁମର ଜୀବନ ହାରି ଦେବା ପରି ନିଷ୍ଠୁର ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇ ଗଲ ?

ବୋତଲରେ ଥିବା ଶେଷ ବୁନ୍ଦାକ ପାଣି ପାଟିରେ ଢାଳି ଦେଇ ପିଲାଟି ନୀରିହ ଆଖିରେ ମୋ ମୁହଁକୁ ଚାହିଁଲା, ସେତେବେଳେ ତା ମୁହଁରେ ବଡ କରୁଣତାର ଭାବ ସ୍ପଷ୍ଟ ବାରି ହୋଇ ଯାଉ ଥିଲା । ପିଲାଟି ଏବେ ମୁହଁ ଖୋଲିଲା, କହିଲା, ଆପଣ କାହିଁକି ପଚାରୁଛନ୍ତି ? ମୋତେ କିଛି ପଚାରନ୍ତୁ ନାହିଁ । ବଡ ଦୁଃଖ ଭରା କାହାଣୀ ମୋର, ଏ ଦୁନିଆରେ କାହାକୁ ଅତି ବିଶ୍ୱାସ କରିବାଟା ମୋର ଭୂଲ ଥିଲା ! ଆପଣ ବା ମୋ କଥା ଶୁଣି କଣ ଲାଭ ପାଇବେ? ମୁଁ କହିଲି, ଲାଭ କ୍ଷତି କଥା ତ ମୁଁ ଜାଣିନି, କିମ୍ବା ଭାବୁନି, କିନ୍ତୁ ଯଦି ସମ୍ଭବ ହୁଏ, ହୁଏତ ମୁଁ ତୁମକୁ କିଛି ସାହାଯ୍ୟ କରି ପାରିବି ! କଣ ସାହାଯ୍ୟ କରି ପାରିବେ ଆପଣ ? ବଡ ବିରକ୍ତ ଭାବରେ ପିଲାଟି ମୋତେ ରୋକ୍ ଠୋକ୍ ଦିପଦ ଶୁଣେଇ ଦେଇ ମୋ ମୁହକୁ ଚାହିଁଲା, ମୁଁ କିନ୍ତୁ ସ୍ଥିତପ୍ରଜ୍ଞ ପରି ନିଶ୍ଚଳ ଥିଲି । ମୋ ଭାବରେ କିଛି ପରିବର୍ତ୍ତନ ନଦେଖି ସେ ତାର ସ୍ୱରରେ ନିକିଏ ନରମତା ଆଣି ମତେ କହିଲା, ତାକୁ ବୁଝେଇ ପାରିବେ ? ଆପଣ କଣ ବୁଝେଇବେ ଯେ ତାକୁ, ଯିଏ ମୋତେ ବୁଝି ପାରିଲାନି, ଯିଏ, ମୋ ପ୍ରେମକୁ ବୁଝି ପାରିଲାନି, ସେ ଆପଣଙ୍କ କଥା କଣ ବୁଝିବ ?

ତାର ନାଆଁ ସୁଭଦ୍ରା ଥିଲା, ମୋରି ସାଙ୍ଗରେ ପାଠ ପଢୁ ଥିଲା ଗୋଟିଏ ସ୍କୁଲରେ, ଗୋଟିଏ ଶ୍ରେଣୀରେ । ଗ୍ରାଜୁଏସନ ପାଇଁ ଗୋଟିଏ କଲେଜରେ ସିଟ୍ ମିଳିଲାନି, ତେଣୁ ଆମର କଲେଜ ଅଲଗା ହୋଇ ଗଲା । ହାଇସ୍କୁଲ ପଢିବା ବେଳରୁ ଆମେ ପରସ୍ପରକୁ ଭଲ ପାଉ ଥିଲୁ । ହେଲେ, କଲେଜ ବଦଳିବା ସଙ୍ଗେ ସଙ୍ଗେ ସିଏ ବି ବଦଳି ଗଲା, ତାର ପ୍ରେମ ବଦଳି ଗଲା, ପ୍ରେମିକ ବି ବଦଳି ଗଲା । ମୁଁ ତାକୁ କେତେ ଭଲପାଉ ନଥିଲି ସତେ, ତାକୁ ମୋ ଜୀବନ ଠାରୁ ବି ଅଧିକ ଭଲ ପାଉ ଥିଲି, ତା ପାଇଁ ମୁଁ ସବୁ କିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଥିଲି । ମୁଁ ତାକୁ ସତ ସତିକା ପ୍ରେମ କରୁ ଥିଲି, ହେଲେ ସେ ମୋ ସାଥିରେ ପ୍ରେମର ଖେଳ ଖେଳୁ ଥିଲା । ଦୁଇ ଦିନ ଖେଳିଲା, ପୁରୁଣା ଖେଳନାରୁ ମନ ଭରି ଗଲା, ନୂଆ ଖେଳନା ପାଇଗଲା ପରେ, ପୁରୁଣା ଖେଳଣାକୁ ଫୋପାଡି ଦେଲା । ଏମିତି ଧୋକେବାଜ୍ ଝିଅଙ୍କୁ ଆପଣ କଣ ବୁଝେଇ ପାରିବେ ?

ଲାଟିର କଥା ଶୁଣି ମୁଁ ହୋ ହୋ ହୋଇ ହସି ଉଠିଲି, ମୁଁ ଜାଣି ଗଲି, ଏଇଟା ପ୍ରେମରେ ଧୋକା ଖାଇଥିବା ଏକ ବିଫଳ ପ୍ରେମିକର କାହାଣୀ । ଯାହାର ଅନ୍ତ ଏମିତି ଆତ୍ମହତ୍ୟା ଦୃଶ୍ୟ ପରେ ସମାପ୍ତ ହୋଇ ଯାଇ ଥାଆନ୍ତା । ପିଲାଟି ମୋ ଆଡକୁ ଚାହିଁ ବଡ ନିରାଶ ଭାବରେ କହିଲା, ସାର୍ ଲୋକେ ଲୈଲା ମଜୁନୁ, କେଦାର ଗୌରୀର ପ୍ରେମ କାହାଣୀ ଶୁଣି କାନ୍ଦି ପକାନ୍ତି, ଆଉ ଆପଣ ମୋ କଥା ଶୁଣି ଟିକିଏ ବି ଦୁଃଖ ଅନୁଭବ କରୁ ନାହାନ୍ତି, ବରଂ ଏପରି ନିଷ୍ଠୁର ଭାବେ ହସୁଛନ୍ତି ! ମୁଁ ହସ ବନ୍ଦ କରି, ତା ମୁହଁକୁ ଟିକେ ଚାହିଁଲି ପୁଣି କହିଲି, ପ୍ରଥମ କଥା, ତୁମେ ମୋତେ ସାର୍ ନୁହଁ ଅଙ୍କଲ ଡାକି ପାରିବ, ଦ୍ୱିତୀୟରେ ତୁମର ନାଆଟି ମୋତେ କହିବ ? ପିଲାଟି କହିଲା, ଆଜ୍ଞା ଅଙ୍କଲ, ମୋ ନାଆଁଟା ଶ୍ରୀକାନ୍ତ ।

ଶ୍ରୀକାନ୍ତ, ବାଃ ଖୁବ୍ ଭଲ ନାଆଁଟିଏ ତୁମର । ଆଚ୍ଛା ଶ୍ରୀକାନ୍ତ, ତୁମେ ଲୈଲା ମଜୁନୁ କି କେଦାର ଗୌରୀର କାହାଣୀ ଭଲ ଭାବରେ ଜାଣିଛ ? ବୋଧ ହୁଏ ନା, ତୁମେ ଠିକ୍ ଭାବେ ଜାଣିନ, ଜାଣିଥିଲେ ହୁଏତ ତୁମେ, ତୁମ ପ୍ରେମକୁ ସେମାନଙ୍କର ମହାନ ପ୍ରେମ ସହିତ ତୁଳନା କରି ନଥାନ୍ତ । ସେମାନଙ୍କ ପ୍ରେମ ଆଜି ଏଇଥି ପାଇଁ ଅମର, କାରଣ ସେମାନଙ୍କ ପ୍ରେମରେ ପାଇ ଯିବାର ମୋହ ନଥିଲା, ସେମାନଙ୍କ ପ୍ରେମରେ ବନ୍ଧନ ନଥିଲା । ସେମାନେ ସାଥି ହୋଇ ପରିବାର, ସମାଜର ସବୁ ପ୍ରତିବନ୍ଧକୁ ସାମ୍ନା କରିଥିଲେ, ଧ୍ୟାନ ଦେଇ ଶୁଣ ମୁଁ ସେମାନେ ବୋଲି କହୁଛି, ଯାହାର ଅର୍ଥ ସେ ଦୁଇ ଜଣ, ଦୁଇ ଅଲଗା ମଣିଷ ଥାଇ ବି ଏକ ହୋଇ ଯାଇଥିଲେ, ଜଣେ ଆଉ ଜଣଙ୍କ ପାଇଁ ଜୀବନ ହରେଇ ଦେଇ ଥିଲେ । କିନ୍ତୁ, ଆଜି ମୁଁ ଏଇଠି ଏ କଣ ଦେଖୁଛି ତୁମ ପ୍ରେମରେ ? ଆଜି ତୁମେ ଏକା ଏଇଠି ଆତ୍ମହତ୍ୟା କରିବାକୁ ଏକୁଟିଆ ଆସିଛ, ଆଉ ତୁମ ପ୍ରେମିକା ତାର ନୂଆ ପ୍ରେମିକ ସାଥିରେ କେଉଁ ପାର୍କରେ ବୁଲୁଥିବ କି କେଉଁ ହୋଟେଲରେ ଡିନରର ମଜା ନେଉ ଥିବ, ନୁହେଁ ? ଇଏ ହେଲା ତୁମର ପ୍ରେମ କାହାଣୀ । ତୁମ ପ୍ରେମ କାହାଣୀ ଏକ ତରଫା ଥିଲା । ଯଦି ସେ ତୁମକୁ ପ୍ରକୃତରେ ଭଲ ପାଉଥାନ୍ତା, ତାହେଲେ ଆଜି ଏଇଠି ତୁମେ ଏକା ନୁହଁ ବରଂ ସେ ବି ଥାଆନ୍ତା ତୁମ ସାଥିରେ । ତୁମେ କାହିକି ମନ ଦୁଃଖ କରୁଛ ? ବରଂ ତା ପ୍ରତି ଦୟା ଦେଖାଅ, ସେ ଝିଅଟି ସତରେ କେତ ହତଭାଗିନୀ ? ତୁମ ପରି ଜଣେ ସଚ୍ଚା ଜୀବନ ସାଥୀକୁ ସେ ହରେଇ ଦେଲା, ଯିଏ ତା ପାଇଁ ନିଜ ଜୀବନ ବି ଦେଇ ପାରିଥାନ୍ତା । କିନ୍ତୁ ତୁମେ କଣ ହରାଇଲ ? ତୁମେ ଯାହାକୁ ହରାଇଲ ସେ ଧୋକେବାଜ୍ ଥିଲା, ତୁମ ପ୍ରେମ ପାଇଁ ସେ କଦାପି ଯୋଗ୍ୟ ନଥିଲା ।

ଦେଖ ତୁମ ବୟସରେ ପ୍ରାୟ ସମସ୍ତେ ପ୍ରେମ କରି ଥାଆନ୍ତି, ମୁଁ ବି ପ୍ରେମ କରି ଥିଲି । କିନ୍ତୁ ଅବଶୋଷ ସବୁ ପ୍ରେମ କାହାଣୀ ସଫଳ ହୁଏନା । ମୋର ପ୍ରଥମ ପ୍ରେମ ବି ଏକ ବିଫଳ ପ୍ରେମ କାହାଣୀ ଥିଲା, ହେଲେ ମୁଁ ହତାଶ ପ୍ରେମିକ ନଥିଲି, କି ଆତ୍ମହତ୍ୟା କରିନି, ଶୁଣିବ ମୋ କାହାଣୀ ? କହୁଛି ଶୁଣ, ହୁଏତ ଏ କାହାଣୀରୁ ଜୀବନକୁ ପୁଣି ଥରେ ନୁଆ ଭାବେ ଜୀଇଁବା ପାଇଁ ତୁମକୁ କିଛି ପ୍ରେରଣା ମିଳି ଯିବ ।

ମୋର ପ୍ରଥମ ପ୍ରେମିକାର ନାଆଁ ଥିଲା ସୁନନ୍ଦା, ବହୁତ ସୁନ୍ଦର ଝିଅଟିଏ ଥିଲା ସିଏ । ମୋର କ୍ଲାସ୍‌ମେଟ୍‌ ଥିଲା । ଆମେ ଗୋଟିଏ ସବଜେକ୍ଟରେ ପିଜି କରୁଥିଲୁ । ଦିନ ଥିଲା, ଆମେ କେହି କାହାକୁ ଜାଣି ନଥଲୁ, ନା’ ସେ ମୋତେ ଜାଣି ଥିଲା, ନା’ ମୁଁ ତାକୁ । ଦୁଇଟି ଅଜଣା ମଣିଷ । ହେଲେ, କେଜାଣି କେମିତି ଚୁମ୍ବକ ପରି ସଂଯୋଗ ଆମକୁ ଏକାଠି କରିଦେଲା । କେବେ କେମିତି କ୍ଲାସର ବାରଣ୍ଡାରେ, ୟୁନିଭରସିଟିର ଏଇ ବ୍ଲକରୁ ସେ ବ୍ଲକ ଯିବା ରାସ୍ତାରେ, କେବେ ମାର୍କେଟର ଭିଡ ଭାଡ ଭିତରେ, ଅବା କେଉଁ ମେଳାରେ କି ଜାତରେ ଏଇମିତି ଦେଖା ଚାହାଁ ହୋଇ ଯାଏ ଆମର । ଆଖିରେ ଆଖି ମିଶି ଯାଏ । ତାକୁ ଦେଖିଲେ ମୋତେ ଖୁବ୍ ଭଲ ଲାଗୁଥିଲା, ମନ ଅନନ୍ଦରେ ନାଚି ଉଠୁ ଥିଲା । ସେ ମୋତେ ମୋର କେହି ଜଣେ ବହୁତ ପୁରୁଣା ବନ୍ଧୁ ପରି ଚିହ୍ନା ଚିହ୍ନା ଲାଗୁ ଥିଲା । ଆଖିରେ ଆଖି ମିଶି ଳଗଲେ ଦେହରେ ଯେମିତି ଏକ ଅଜବ ଶିହରଣ ଖେଳି ଯାଉଥିଲା । ଅଜଣାରେ, ନଚାହିଁ ବି, କାହିଁକି କେଜାଣି ଓଠରୁ ସ୍ମିତ ହସଟିଏ ଝରି ଆସୁ ଥିଲା । ଏମିତି ଲାଗୁ ଥିଲା, ସତେ ତାର ସେ ଚାହାଣୀ ‘ସେ ମୋତେ ଭଲପାଏ’ ବୋଲି କହି ଯାଉଥିଲା ।

ଏଇମିତି ଦେଖା ଚାଁହା, ତାପରେ ହାଲୋ, ହାଏ, କେବେ କେବେ ସେ ମୋ ଠାରୁ ନୋଟ ମାଗି ନିଏ, କେବେ କିଛି ପ୍ରୋବ୍ଲେମ ସଲ୍ଭ କରିବାକୁ ୟୁନିଭରସିଟି କ୍ୟାଣ୍ଟିନ୍ ରେ ଆମେ ଘଣ୍ଟା ଘଣ୍ଟା ବସି ଡିସକସନ କରୁ । ଏମିତି ଧୀରେ ଧୀରେ ଆମେ ପରସ୍ପରକୁ ଭଲପାଇ ବସିଲୁ । ଆମର ସମ୍ପର୍କ ଆପଣରୁ ତୁମେ ଏବଂ ଶେଷରେ ତୁ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ଆମର ଏଇ ନୁଆ ସମ୍ପର୍କର ନାମ ଥିଲା ‘ପ୍ରେମ’ । ପ୍ରେମର ସେଇ ପ୍ରଥମ ଅନୁଭୁତି ମୋତେ ଖୁବ୍ ଭଲ ଲାଗୁ ଥିଲା । ମନ କହୁ ଥିଲା ସେ ପାଖରେ ଥିଲେ, ନା’ ଦିନ ସରନ୍ତା, ନା’ ରାତି, ନା ମାସ ସରନ୍ତା, ନା’ ବର୍ଷ । ସମୟ ଅଟକି ଯାଆନ୍ତା କି, ଘଡିର କଣ୍ଟା ଗୋଟିଏ ଜାଗାରେ ସେମିତି ଲଟକି ଯାଆନ୍ତା । ହେଲେ, ସମୟ ତ ଆମର ବନ୍ଧୁ ନଥିଲା । ସେ ବା, ଆମର କଥା କାହିଁକି ମାନନ୍ତା ? ସମୟ ବିତି ଚାଲିଲା, ପାଠ ପଢା ସରିଲା, ଆମେ ଆମର ଅଲଗା ଅଲଗା ବାଟରେ ଚାଲି ଗଲୁ । ସେତେବେଳ ସମୟରେ ଆମ ପାଖରେ ମୋବାଇଲ ଫୋନ୍‌ ନଥିଲା, ଘରେ କେବଳ ଲ୍ୟାଣ୍ଡଲାଇନ୍‌ ଫୋନ୍‌ ହିଁ ଥିଲା । ଫୋନ୍‌ରେ କେବେ କେମିତି କଥା ହୋଇ ଯାଉ କିନ୍ତୁ ଚିଠି ପତ୍ର ବିନିମୟ ନିୟମିତ ଭାବେ ଚାଲୁ ଥିଲା ।

ହଠାତ୍ ଦିନେ ତାର ଫୋନ୍‌ ଆସିଲା, ସେ କହିଲା ତାର ବାହାଘର ତା ବାପା ଆଉ କେଉଁଠି ଠିକ୍ କରି ଦେଇଛନ୍ତି । ସିଏ ତାର ଭାବି ପତି ସହିତ ଦେଖା ଚାହାଁ କଥାବାର୍ତ୍ତା ବି ହୋଇ ସାରିଛି । ଖୁବ୍ ଭଲ କ୍ୟାଣ୍ଡିଡେଟ୍ ଟିଏ ବୋଲି କହିଲା । କେଉଁ ସବଡିଭିଜନରେ ଏସ.ଡି.ଏମ ଅଛନ୍ତି । ସୁନନ୍ଦା କହୁଥିଲା ତାର ଫିଓନ୍ସି ତାକୁ ବହୁତ ଖୁସିରେ ରଖିବେ । ସିଏ ନିଜେ ବି ବହୁତ ଖୁସି ଏପରି ଜଣେ ବ୍ୟକ୍ତି ସହିତ ତାର ବିବାହ ହେଉଛି ବୋଲି । ଜାଣିଛ ସେ ମୋତେ ଆଉ କଣ କହିଲା ? କହିଲା ତାକୁ ଭୂଲି ଯିବାକୁ । ପ୍ରଥମ ପ୍ରେମକୁ ଭୂଲି ଯିବା ଯେପରି ବହୁତ ସହଜ ? ମୁଁ କୁଆଡେ ଗୋଟେ ଭଲ ମଣିଷ, ମୋତେ ଗୋଟେ ଭଲ ଝିଅ ନିଶ୍ଚୟ ମିଳିଯିବ ବୋଲି କହି ସେ ଫୋନ୍‌ କାଟି ଦେଲା ।

ମୋର ପ୍ରଥମ ପ୍ରେମିକା ହଠାତ୍ ଏମିତି ବାଟ ଭାଙ୍ଗି ଚାଲି ଗଲା । କାରଣ ମୁଁ ତାର ସ୍ୱପ୍ନର ରାଜକୁମାର ନଥିଲି । ତାର ରାଜକୁମାର ଆଉ କିଏ ଥିଲା । ଯେତେ ବେଳେ ତା ରାଜକୁମାର ତା ଜୀବନରେ ଆସି ଗଲା ସେ ମୋତେ ସରିଯାଇ ଥିବା କୋକାକୋଲା ବୋତଲ ପରି ଡଷ୍ଟବିନରେ ଫୋପାଡି ଦେଇ ଚାଲି ଗଲା । କାହାଣୀଟିକୁ ଏଇଠି ଟିକେ ବିରାମ ଦେଇ, ମୁଁ ତାକୁ କହିଲି, ବୁଝିଲ ଶ୍ରୀକାନ୍ତ, ତୁମର ପ୍ରେମ କାହାଣୀ ବି ଠିକ୍ ଏଇ ପର୍ଯ୍ୟନ୍ତ ଆସି ଥିଲା । ଆଉ ତୁମେ ଏଇ ଠାରୁ ହତାଶ ପ୍ରେମକ ହୋଇ ଗଲ, ଏବଂ ଆଜି ଆତ୍ମହତ୍ୟା କରିବାକୁ ଏଇ ନରାଜ ବ୍ରୀଜ ଉପରେ ଠିଆ ହୋଇଛ । ସେଇଥି ପାଇଁ ମୋତେ ହସ ଲାଗିଲା । ଭାବିଲି, ତୁମ ଆଉ ମୋ ଭାବନା ମଧ୍ୟରେ ସତରେ କେତେ ଫରକ୍, ଆମ ଦୁଇ ଜଣଙ୍କର ଦୃଷ୍ଟିକୋଣ ସତରେ କେତେ ଭିନ୍ନ ! ଆମର ଜୀବନକୁ ଦେଖିବାର ନଜରିଆ, କେତେ ଅଲଗା ସତେ । ଜୀବନର ଠିକ୍ ଏଇ ଜାଗାରେ ତୁମେ ଜୀବନକୁ ଶୂନ୍ୟ କରି ଦେବାକୁ ଭାବୁଛ, କିନ୍ତୁ ଠିକ୍ ଏଇ ଯାଗାରେ ଠିଆ ହୋଇ, ଦିନେ ମୁଁ ମୋ ଜୀବନକୁ ପୂର୍ଣ୍ଣ କରିବାର ଉପାୟ ଖୋଜୁ ଥିଲି ।

: ମୁଁ ସୁନନ୍ଦା ପାଇଁ ମନେ ମନେ କଣ ଭାବିଲି ଛାଣିଛ ?

ମୁଁ ତାକୁ ଧନ୍ୟବାଦ ଜଣେଇଲି, କହିଲି ସୁନନ୍ଦା, ତୁମେ ମୋତେ ପ୍ରେମ କରି ମୋ ଜୀବନରେ ପ୍ରଥମ ବସନ୍ତର ଅନୁଭୂତି ଦେଇଥିଲ । ଏଇ ପ୍ରେମ ଦାନ ପାଇଁ, ତୁମକୁ ଅଶେଷ ଧନ୍ୟବାଦ, ପରିବର୍ତ୍ତନ ତ ସଂସାର ନିୟମ, ସମୟ ସହିତ ଅନେକ କିଛି ବଦଳି ଯାଏ, ମଣିଷ ବଦଳି ଯାଆନ୍ତି, ଦିନ ବଦଳେ, ମାସ ବର୍ଷ ରୁତୁ ସବୁ କିଛି ବଦଳେ । ସେମିତି ତୁମେ ବଦଳି ଗଲ, ଏଇଟା କିଛି ନୂଆ କଥା ନୁହେଁ । ଦୁଃଖ ନାହିଁ, ତୁମ ପ୍ରେମକୁ ମୁଁ ପ୍ରତାରଣା ବୋଲି କହିବିନି । ତୁମେ ତୁମ ଖୁସି ପାଇଁ, ତୁମର ଉଜ୍ୱଳ ଭବିଷ୍ୟତ ପାଇଁ ନିଜର ରାସ୍ତା ବଦଳାଇ ଚାଲି ଗଲ । ଠିକ୍‌ ଏଇ ସମୟରେ କବି ବିନୟ ମହାପାତ୍ରଙ୍କର ଗୋଟିଏ କବିତା ମୋର ମନେ ପଡିଗଲା । କେବେ ପଢିଛ ତାଙ୍କ କବିତା ? କେବେ ସମୟ ମିଳିଲେ ନିଶ୍ଚୟ ପଢିବ ତାଙ୍କ କବିତା ସଙ୍କଳନ ‘ଜୀବନ ସପନ ପ୍ରେମ’ ର କବିତା ଗୁଡ଼ିକୁ, ତୁମର ଜୀବନକୁ ଦେଖିବାର ନଜରିଆ ବଦଳି ଯିବ ନିଶ୍ଚୟ । ହଁ, ସେ ବହିର ଗୋଟିଏ କବିତାର କିଛି ଲାଇନ୍ ଶୁଣଉଚି ଶୁଣ ;

“ପ୍ରେମ ଖାଲି ଏତିକି କହିଲା,
ବିସନ୍ନ କାହିଁକି ବନ୍ଧୁ !
ଗୋଟିଏ ଫଗୁଣରେ,
ଜୀବନ ତ ଯାଏ ନାହିଁ ସରି,
ଗୋଟିଏ ବସନ୍ତରେ,
ଫୁଲ ଫୁଟି ଯାଏନା ମଉଳି ।
ଏଇ ରୁତୁ ମାନଙ୍କର କଣ ଅଛି,
ପୁଣି ଆସିବେ ସେମାନେ,
ସବୁ କିଛି ଫେରିବ ତ ଦିନେ
ଆଜି ଟିକେ ହିସି ଦିଅ,
ସବୁ ଦିନ ସମାନ ରହେନା” ।
(କବିତା-ଗୋଟିଏ ଫଗୁଣରେ ଜୀବନ ସରେନା)

ତା ସହିତ ବ୍ରେକପ୍ ପରେ ପରେ, ସତେ ଯପରି ମୋ ଜୀବନରେ ବସନ୍ତ ପରେ ହଠାତ୍ ବୈଶାଖ ଆସି ଯାଇ ଥିଲା । ବୈଶାଖକୁ ତ ଆସିବାକୁ ଥିଲା, ରୁତୁ ଚକ୍ରକୁ ବଦଳେଇ ପାରିବାର ସାହସ କାହା ପାଖରେ ଅଛି ? ନା ମୁଁ ମୋ ପ୍ରେମିକାକୁ ରହିଯିବା ପାଇଁ କହି ପାରିଥାନ୍ତି ? ସ୍ମୃତିକୁ ଜାବୁଡି ଧରି ବାହୁନି ହେବାକୁ, କାନ୍ଦିବାକୁ ଆଖିରେ ମୋର ଲୁହ ନଥିଲା, ସମୟ ବି ନଥିଲା । କିନ୍ତୁ କେବେ କେବେ ମୁଁ ମୋ ନିଜକୁ ପଚାରେ, ଏମିତିକା ପ୍ରେମର ପରିଭାଷା କ’ଣ ? ଏମିତି ଭଲ ପାଇବା, ପୁଣି ସବୁ କିଛି ଭୁଲି ଯିବା, କଣ ସତରେ ପ୍ରେମ ? ପ୍ରେମରେ ସ୍ୱାର୍ଥ ନଥାଏ, ପ୍ରେମରେ ସବୁ କିଛି ପାଇ ଯିବାର ଲୋଭ ନଥାଏ । ପ୍ରେମ କେବଳ ସମର୍ପଣର ଅନ୍ୟ ନାମ । ସାରା ଜୀବନ କାହାକୁ ନିଜର କରି ନେବା, କାହାର ନିଜର ହୋଇ ଯିବା ହିଁ ପ୍ରେମ । ହେଲେ ଆଜିର ପ୍ରେମ କେବଳ ପାଇବାର ଇଚ୍ଛାରୁ ସୃଷ୍ଟି ହେଉଛି । ଆଜି ସମାଜରେ ସ୍ୱାର୍ଥ ଏବଂ ଲୋଭ ହିଁ ପ୍ରେମକୁ ଦୁର୍ବଳ କରି ଦେଉଛି । ସୁନନ୍ଦା ସହିତ ବ୍ରେକ‌ଅପ୍ ପରେ ମୁଁ ମୋ କ୍ୟାରିୟରକୁ ନେଇ ଆହୁରି ସିରିୟସ ହୋଇଗଲି, ଜୀବନର ସବୁ ସଫଳତା ମୋ ହାତ ମୁଠାରେ ଥିଲା ।

ମୁଁ ହତାଶ ନହୋଇ ଧୈର୍ଯ୍ୟର ସହିତ ଅପେକ୍ଷା କଲି, ମୁଁ ଜାଣିଥିଲି, ଋତୁଚକ୍ର ଅଟକି ଯିବନି । କିଛି ଦିନରେ, ବୈଶାଖ ପରେ ଶ୍ରାବଣ ଆସିବ, ତାପରେ ବସନ୍ତ ଆସିବ, ମୋ ମନ ଅଗଣାରେ ଆଉ ଥରେ ଫୁଲ ନିଶ୍ଚୟ ଫୁଟିବ, ଫୁଲମାନଙ୍କ ମହ ମହ ମହକ ମୋ ଦେହକୁ, ମନକୁ ଛୁଇଁ ଯିବ, ମୋ ମନରେ ଦେହରେ ନୂତନ ଶିହରଣ ଦେଇଯିବ । ପୁନଶ୍ଚ ନୁଆ ଏକ ପ୍ରଣୟର ଋତୁ ଅବସ୍ୟ ଆସିବ । ଏ ରୁତୁରେ ବି ସବୁ କିଛି ଥିବ, ସେହି ମହକ, ସେହି ଶିହରଣ, କିନ୍ତୁ ସେଥିରେ ମୋର ପ୍ରଥମ ପ୍ରେମର ସେ ନିଆରା ଅନୁଭବ ହୁଏତ ନଥିବ ! ତାହା ହିଁ ହେଲା, ପୁଣି ମୋ ଜୀବନରେ ପ୍ରେମ ଆସିଲା । ଏ ପ୍ରେମ କିନ୍ତୁ ମୋର ପ୍ରଥମ ପ୍ରେମ ପରି ମିଛ ମିଛିକା ଖେଳ ନଥିଲା, ଛଳନା ନଥିଲା ସେଥିରେ । ସେଇ ପ୍ରେମ, ଆଜି ବି ମୋ ଜୀବନରେ ଅନେକ ରଙ୍ଗ ଭରି ଦେଉଛି, କେତେ ଜାତି ଫୁଲର ମହକରେ ମୋ ଜୀବନକୁ ମହକେଇ ଦେଉଛି ।

ଶ୍ରୀକାନ୍ତର ମୁହଁର ଭାବ ସେତେ ବେଳକୁ ବଦଳି ଯାଇଥିଲା । ଦୁଃଖ ଅବସାଦ ଏବଂ ବିଫଳତାର ବାଦଲ ହଟି ସାରିଥିଲା ତାର ମୁହଁରୁ । ମୁଁ ସ୍ପଷ୍ଟ ଭାବେ ଦେଖି ପାରୁଥିଲି ତା ଆଖିରେ ଏକ ନୂତନ ସ୍ୱପ୍ନ, ଏକ ନୁଆ ଉଦ୍ଦିପନାର ଝଲକ । ଜୀବନକୁ ପୁଣି ଥରେ ଜୀଇଁବାର ଏକ ନୂଆ ଆଶା ଦେଖା ଦେଇ ଥିଲା ତାର ସେଇ ଆଖି ଦୁଇଟିରେ । ମୁଁ ତା କାନ୍ଧରେ ହାତ ପକାଇ କହିଲି, ଆଚ୍ଛା ଶ୍ରୀକାନ୍ତ ଏବେ ଉଠ, ତୁମେ କେଉଁଠିକୁ ଯିବ କହିଲେ, ମୁଁ ତୁମକୁ ଗାଡିରେ ଛାଡି ଦେଇ ଆସିବି ।

ଶ୍ରୀକାନ୍ତ ଉଠି ଠିଆ ହେଲା, କହିଲା, ନାହିଁ ଅଙ୍କଲ, ଆପଣଙ୍କୁ ଆଉ କଷ୍ଟ ଦେବିନି, ଆପଣ ଏବେ ଘରକୁ ଯାଆନ୍ତୁ, ଆଣ୍ଟି ଆପଣଙ୍କୁ ଘରେ ଅପେକ୍ଷା କରି ଥିବେ । ମୋ ବାଇକଟା ବ୍ରୀଜ୍‌ର ସେ ପାଖରେ ଠିଆ ହୋଇଛି । ମୁଁ ଏଇଠୁ ସିଧା ହଷ୍ଟେଲ ଚାଲି ଯିବି । କହିଲି ଆସ, ତୁମକୁ ତୁମ ବାଇକ୍ ପାଖରେ ଛାଡି ଦେବି । କାର୍‌ର ଡୋର ଖୋଲି ଭିତରକୁ ଆସୁ ଆସୁ ଶ୍ରୀକାନ୍ତ କହିଲା, ଡରନ୍ତୁନି ଅଙ୍କଲ, ମୁଁ ଆଉ ଆତ୍ମହତ୍ୟା କରିବା ମୁଡ୍ ରେ ଆଦୌ ନାହିଁ । ଆପଣଙ୍କର ସେହି ପ୍ରିୟ କବି ବିନୟ ମହାପାତ୍ରଙ୍କ କବିତା ପଦକୁ ମୁଁ ମୋ ଜୀବନର ମନ୍ତ୍ର କରି ନେଲି । ମୁଁ ବି ଅପେକ୍ଷା କରିବି, ମୋ ଜୀବନରେ ବି ଦିନେ ପୁଣି ବସନ୍ତ ଆସିବ ଆଉ ଥରେ ପ୍ରେମ ବରଷି ଯିବ । ଶ୍ରୀକାନ୍ତର କଥା ଶୁଣି ଆମେ ଦୁହେଁ ଏକା ସାଥିରେ ହସି ଉଠିଲୁ । ମୁଁ କହିଲି ଆଉ ପଦେ କବିତା ତୁମ ପାଇଁ ସେଇ କବି ବିନୟ ମହାପାତ୍ରଙ୍କର ଆବୃତ୍ତି କରୁଛି ଶୁଣ ;

“ପ୍ରତୀକ୍ଷା ମୋ ଏବେ ବି ରହିଛି ଜାରୀ,
କେହି ଜଣେ ଆସିବ ତ ଦିନେ,
ମଲମ ଲଗାଇ ଦେବ
ଏଇ ମୋର ଦରଜଳା ହୃଦୟରେ,
ପୁଣି ବସନ୍ତର ଅନୁଭବ ଦେଇ ଯିବ,
ଏଇ ମୋର ବିଦଗ୍ଧ, ମନ ଉପବନେ ।”
(କବିତା- “ପ୍ରେମ ଓ ପକ୍ଷୀରାଜ ଘୋଡା”)

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top