ଆରମ୍ଭର ନିଆଁ, ଶେଷ ନିଆଁ
ପାର୍ଥକ୍ୟ ଅନେକ,
ପୁଣି କିଛି ବି ନଥିଲା ପରି ଲାଗେ ।
ସେଦିନ ନିଆଁ ଜଳୁଥିଲା ମୋ ଏନ୍ତୁଡ଼ିଶାଳରେ,
ଫଡ଼ା ଫଡ଼ା ଘସି ଓ ଗୁଣ୍ଡକାଠର ନିଆଁ,
ଦେହଟାକୁ ଟାଣ କରିବାକୁ
ଜୀବନ ସାରା ଦୁଃଖ ସହିବାକୁ
ଗର୍ବ ଅହଙ୍କାର ମାନ ଅଭିମାନକୁ
ଜାଳିଦେବାକୁ ।
ଜାଣିଲା ଶୁଣିଲା ବୁଢ଼ୀଟିଏ ତା’ର ଥର ଥର ହାତରେ
ପୁଳା ପୁଳା ନିଆଁ ଏଠି ସେଠି
ମାଡ଼ି ଦେଉଥିଲା ।
ଠିକ୍ ସେହି ନିଆଁ ଦିନେ ପୁଣି ଜଳିବ,
ଜୀବନର ସୂର୍ଯ୍ୟାସ୍ତ ପରେ ପରେ ।
ସେଦିନ ନରମ କପଡ଼ାର ପୁଡ଼ା ନଥିବ,
ମା’ର କୋଳ ନଥିବ ।
ଶ୍ମଶାନର ଭୂଇଁ ଥିବ
ଥିବ ଜୁଇର ବିଛଣା ।
କାଠଗୋଛାରେ ଦେହଟାଏ
ମୁହଁ ମାଡ଼ି ପଡ଼ିଥିବ ।
ସେଇ ନିଆଁ ମେଞ୍ଚା ପୁଣି ଥରେ
ମୁହଁରେ କିଏ ମାଡ଼ି ଦେବ ।
ଶୁଖିଲା ଚମ ମେଞ୍ଚାକୁ ଜାଳିବା ପାଇଁ
ଦେହଟାକୁ ପାଉଁଶ କରିଦେବା ପାଇଁ ।
ଏହି ତ ନିଆଁର କାହାଣୀ
ଯିଏ ଖାଲି ନିଜେ ଜଳେ
ଅନ୍ୟକୁ ଜାଳିବା ପାଇଁ !
