କେମିତି ବା ଜାଳିହେବ ନିଜକୁ ଏଣିକି
ଜଳିଗଲା ପରେ ଜୁଇ
ଧୋଇଯିବା ପରେ ମୋ ପାଉଁଶ
ଶ୍ରାବଣ ବନ୍ୟାରେ
ଜଳିବକି ଓଦା ଭୂଇଁ
ଜଳେ କି ପୃଥିବୀ
ହୁଏତ ଗଜୁରି ପାରେ
ସେଠି ମୋର ଆତ୍ମା
ଜଳିଥିଲା ଯହିଁ ମୋର
ଏନ୍ତୁଡ଼ି ଓ ଜୁଇ
ହୁଏତ ଗଜୁରି ପାରେ
ଗଛଟିଏ
ମା’ର ଗର୍ଭରେ
ସେ ହିଁ ମୋର ଆତ୍ମା
ହେ ମୋର ପ୍ରତିଦ୍ୱନ୍ଦୀ
ଘଡ଼ିଏ ଅପେକ୍ଷା କର
ମୋ ଗଛରେ ଫୁଲ ଫୁଟୁ
ଫଳ ହେଉ –
ତମ ପିଲା ଖାଆନ୍ତୁ ଖୁସିରେ
ତାପରେ ଖଞ୍ଜିବ ମୋତେ
ଖଣ୍ଡ ଖଣ୍ଡ କରି
ଜଳିବି ମୁଁ ହୁତ ହୁତ ହୋଇ
ତୁମର ଜୁଇରେ
