ଝରକା କବାଟ ଖୋଲିଲି,
ସକାଳର ସୁନେଲି କିରଣ
ଆଉ ମୃଦୁ ମଳୟର ସ୍ପର୍ଶପାଇଁ ।
ମାତ୍ର ଝଡ ପଶିଆସି
ଅସ୍ତବ୍ୟସ୍ତ କରିଗଲା
ମୋ ସଜଡା ବହିଥାକକୁ
ପୃଷ୍ଠା ପୃଷ୍ଠା କରି ଲେଉଟାଇ !
ଦୋହଲାଇ ମୋ ଘର କାନ୍ଥ
ଟଙ୍ଗା ଫୋଟୋକୁ, ସାଇତା ସ୍ମୃତିକୁ
ଆଉ ଝରକା ଓ ଦ୍ଵାରର ପରଦାର
ସ୍ଥିତି ଏକଡ ସେକଡ, ସଜଡା
ସଂସାରର ଉଜୁଡା ମୁହୁରତରେ……
ଡ୍ରଇଂ ରୂମ ଅସଜଡା କରି ।
ଫର୍ନିଚର ସବୁ ଗଡୁଥିଲେ ଗୋଟି
ଗୋଟି ହୋଇ…….।
ଅନେକ ଶ୍ରମ ଓ ସ୍ଵପ୍ନ
ଧୂଳିସାତ ହୋଇଥିଲା
ସ୍ଵପ୍ନ ଗଡୁଥିଲା ତାସ ଘରପରି
ଚଟାଣରେ……..
ପୁଣି କେତେଦିନ,
କେତେ ମୁହୁର୍ତ୍ତ
ସଞ୍ଚିଲେ ସାଜି ଯିବ
ମୋ ଉଜୁଡା ଘର………
ସତରେ କଣ ଆସିବ
ପଶି ମୃଦୁ ମଳୟ
ଡ୍ରଇଂରୁମ କୁ ମୋହର ?