ଏକା ଏକା ଖୁବ ସୁନ୍ଦର ଥିଲା
ଏ ଜୀବନର ଚଲାପଥ
କେଜାଣି କେମିତି ଧସେଇ ପଶିଆସିଲ
ନା କେବେ ନିଜର କଲ
ନା ଅନ୍ୟ କାହାର ହେବାକୁ ଦେଲ
ସେଇ ଛାଇ ଆଲୁଅର ଖେଳକୁ
ବୁଝିବାକୁ ଚେଷ୍ଟାକରେ ଯେବେ
ଲାଗ ତୁମେ ସତେ ଯେମିତି
ମୋ ଡାଏରୀ ପୃଷ୍ଠାର ଏକ
ଅସମାହିତ ପ୍ରଶ୍ନଟିଏ ।
ସାତ ସିନ୍ଧୁକର ସୁନା ଫରୁଆରେ
କେଉଁ ଅନନ୍ତ କାଳରୁ
ସାଇତି ରଖିଥିବା
ତୁମର ସ୍ମୃତି ସବୁ
ବେଳେ ବେଳେ ଖୋଲି ଦେଖେ
ଲାଗ ତୁମେ ସତେ ଯେମିତି
କେଉଁ ଏକ କବିର
ଅନାଲୋଚିତ କାବ୍ୟଟିଏ ।
ଯଦି, କିନ୍ତୁ, ପରନ୍ତୁ ଭିତରେ
ଛନ୍ଦି ହୋଇଯାଇଛି ମୁଁ
ହୃଦୟର ଗଭୀର ଆବେଗରେ
ପାଇଛି ତୁମକୁ ନୀତି
ହାତବଢେଇ ଛୁଇଁବାକୁ
ଯେବେବି ଚେଷ୍ଟାକରେ
ଲାଗ ତୁମେ ସତେ ଯେମିତି
ଜୀବନ୍ୟାସ ପାଇନଥିବା
ଶିଳ୍ପୀ ହୃଦୟର ସୃଷ୍ଟିଟିଏ ।
ପ୍ରଶ୍ନଟିର ସମାଧାନ କରିବାର
ଚେଷ୍ଟାରେ ଆଜିବି ବିଫଳ
ଚେଷ୍ଟାବି କରି ଥକିଯାଇଛି
କାବ୍ୟଟିର ସରଳାର୍ଥ ଲେଖିବାରେ
ପାଷାଣର ଜୀବନ୍ୟାସ ପ୍ରତୀକ୍ଷାରେ
ବିତୁଥିବା ମୁହୂର୍ତ୍ତ ଗୁଡିକ
ଲାଗେ ମତେ ସତେ ଯେମିତି
ଶିତାଂଶୁ ପ୍ରତିକ୍ଷାରେ ନୀତି ଫୁଟି
ମଉଳି ଯାଉଥିବା ନୀଳକଇଁଟିଏ ।
