ଅଣୁଗଳ୍ପ

ଝିଅଟା ଫସିଗଲା

Sagaria Abhiram's odia Short Story Jhiataa Phasigalaa

ମଣିଷ ମାରିବା ପାଇଁ ବ୍ୟବହାର ହେଉଥିବା ବିଷ ଯାହାକୁ କେବଳ ଡାକ୍ତର ମାନେ ବଞ୍ଚିବାର ଆଶା ନଥିବା ରୋଗୀ ମାନଙ୍କୁ ଅଯଥା କଷ୍ଟ ନପାଇ ମାରିବା ପାଇଁ ବ୍ୟବହାର କରନ୍ତି

ଝିଅଟା ଫସିଗଲା

ଝିଅର ବୟସ ୪ ବର୍ଷ ହୋଇଥିଲା ଯେତେବେଳେ ରମେଶ ବାବୁଙ୍କ ସ୍ତ୍ରୀ କର୍କଟ ରୋଗରେ ମୃତ୍ୟୁ ବରଣ କରିଥିଲେ । ହେଲେ ରମେଶ ବାବୁ ଦ୍ୱିତୀୟ ବିବାହ କରିନଥିଲେ । ନାନା ଦୁଃଖ କଷ୍ଟ, ବାଧାବିଘ୍ନ ସହି ନିଜେ ଝିଅଟିର ଦାଇତ୍ୱ ନେଇଥିଲେ । ବାପା ଝିଅକୁ ଯେମିତି ସ୍ନେହ ଆଦର କରନ୍ତି, ଝିଅ ମଧ୍ୟ ବାପାକୁ ସେମିତି ଆପଣାର କରିପାରିଥିଲା । କେବେ କୌଣସି କଥାରେ ଅଳି କିମ୍ବା ଯିଦି କରିନଥିଲା ଝିଅଟି । ବାପାଙ୍କ କଥା ଅକ୍ଷରେ ଅକ୍ଷରେ ପାଳନ କରୁଥିଲା ଝିଅ । ବାସ୍ ଜୀବନରେ ବାପାଙ୍କର ଗୋଟିଏ କଥା ଅମାନ୍ୟ କରିଦେଇଥିଲା ଝିଅ ରୁବୀ । ଆଉ ସେଇଟା ଥିଲା ବାପାଙ୍କ କଥା ନ ମାନି ନିଜ କଲେଜ୍ ସାଥି ରାଜା ସହପ୍ରେମ ବିବାହ । ରମେଶ ବାବୁଙ୍କୁ ରାଜା କିଛି ଖାସ୍ ପସନ୍ଦ ନଥିଲା ହେଲେ ଝିଅର ଖୁସିରେ ସେ ତାଙ୍କ ଖୁସି ମାନିନେଇଥିଲେ ।

ବାହାଘର ପରେ ରୂବୀ ଶାଶୂଘରକୁ ନଯାଇ ନିଜ ବାପା ପାଖରେ ରହିବାକୁ ଯିଦି କରିଥିଲା । ରାଜା ମଧ୍ୟ ଘରଜୋଇଁଆ ହୋଇ ରହି ଯାଇଥିଲା । ଝିଅ ବାହାଘରର ୩ ମାସ ପରେ ରମେଶ୍ ବାବୁ ତାଙ୍କ ସମସ୍ତ ସମ୍ପତ୍ତି ତାଙ୍କ ଝିଅ ଜୋଁଇଙ୍କ ନାମରେ ଲେଖାଇଦେଲେ । ସମ୍ପତ୍ତି ଲେଖାଇବାର କିଛି ଦିନ ପରେ ପରେ ଏକ ରାତିରେ ରମେଶ ବାବୁ ହୃତ୍‌ଘାତରେ ପ୍ରାଣ ହରାଇଲେ । ଏତେବେଳକୁ ଝିଅ ରୁବୀ ମାସକର ଗର୍ଭବତୀ ମଧ୍ୟ ହୋଇ ସାରିଥିଲା । ବାପାଙ୍କ ଆକସ୍ମିତ ମୃତ୍ୟୁ ପରେ ନିଜ ସ୍ତ୍ରୀକୁ ସଂଭାଳି ନେଇଥିଲା ରାଜା । ବାପାଙ୍କୁ ହରାଇ କିଛି ଦିନ ଏମିତି ଗୁମ୍‌ସୁମ୍‌ରେ କଟିଗଲା ରୁବୀର ।

ଦିନେ ହଠାତ୍ ରାତିରେ ରୁବୀର ପେଟ ପ୍ରବଳ ଯନ୍ତ୍ରଣା ହେଲା । ମୁଣ୍ଡ ବୁଲାଇବା ସହ ବାନ୍ତି ମଧ୍ୟ ହେଲା । ସେ ଚିତ୍କାର କରିବାକୁ ଲାଗିଲା । ନିଜ ସ୍ୱାମୀକୁ ଡାକ୍ତରଖାନା ନେଇଯିବା ପାଇଁ ଗୁହାରି କଲା । ହେଲେ ସବୁ ଠିକ୍ ହୋଇଯିବ କହି ରାଜା ଡାକ୍ତରଖାନା ଯିବାକୁ ମଙ୍ଗିଲା ନାହିଁ । ମାତ୍ର ରୁବୀ ଜାଣିଥିଲା ଏହା ତାର ଗର୍ଭ ଯନ୍ତ୍ରଣା ନୁହେଁ । ରୁବୀର ଅଧରାତିରେ ଏଭଳି ଚିତ୍କାର ଶୁଣି ଜଣେ ପାଖ ଦମ୍ପତ୍ତି ଆସି ରୁବୀର ହାଲ୍ ପଚାରିଲେ ଓ ତା ସ୍ୱାମୀକୁ ତୁରନ୍ତ ଡାକ୍ତରଖାନା ନେଇଯିବାକୁ ପରାମର୍ଶ କଲେ । ରାଜା ବାଧ୍ୟ ହୋଇ ରୁବୀକୁ ଡାକ୍ତରଖାନା ନେଇଗଲା । ଚିକିତ୍ସା ପରେ ରୁବୀ ଭଲ ହୋଇ ଘରକୁ ଫେରିଲା । ଘରକୁ ଫେରିବାର ପରଦିନ ରୁବୀର ନଜର ପଡିଲା ତାଙ୍କ ଘର ଡଷ୍ଟବିନ୍‌ରେ ପଡିଥିବା ଏକ ଅଜଣା ଔଷଧ ଖୋଳ ଉପରେ । ବାପାଙ୍କ ମୃତ୍ୟୁ ପରେ ଘରେ କେହି ଔଷଧ ଖାଉନଥିଲେ କେବଳ ରୁବୀର କିଛି ଭିଟାମିନ୍ ଟ୍ୟାବ୍ଲେଟ ଛଡା । ତାହା କି ଔଷଧ ଜାଣିବାକୁ ଚାହିଁ ରୁବୀ ଔଷଧ ଖୋଳ ସହ ଡାକ୍ତରଙ୍କ ସହ ପରାମର୍ଶ କଲା । ଡାକ୍ତର ବାବୁ ରୁବୀକୁ କହିଲେ ତାହା କୌଣସି ଔଷଧ ନୁହେଁ, ବରଂ ମଣିଷ ମାରିବା ପାଇଁ ବ୍ୟବହାର ହେଉଥିବା ବିଷ ଯାହାକୁ କେବଳ ଡାକ୍ତର ମାନେ ବଞ୍ଚିବାର ଆଶା ନଥିବା ରୋଗୀ ମାନଙ୍କୁ ଅଯଥା କଷ୍ଟ ନପାଇ ମାରିବା ପାଇଁ ବ୍ୟବହାର କରନ୍ତି । ଡାକ୍ତରବାବୁ ଆହୁରି ମଧ୍ୟ କହିଲେ । କିଛି ଦିନ ପୂର୍ବେ ତାଙ୍କ ଦେହ ଖରାପର କାରଣ ଏହି ବିଷ ହୋଇପାରେ ।

ଘରକୁ ବିଷ ଗଲା କିଭଳି ଓ ରୁବୀକୁ ବିଷ ଦେଲା କିଏ ? ଏହି ପ୍ରଶ୍ନ ପରେ ରୁବୀର ସକ୍ ତାର ସ୍ୱାମୀ ଉପରେ ହିଁ ଯାଇଥିଲା । ସେ ସିଧା ଏହି ବିଷୟରେ ପୋଲିସ୍‌ରେ ଅଭିଯୋଗ କଲା । ପୋଲିସ୍ ତୁରନ୍ତ ରାଜାକୁ ଗିରଫ କରିଥିଲା । ପ୍ରଥମେ ରାଜା ସମସ୍ତ ଅଭିଯୋଗ ଖଣ୍ଡନ କଲା ହେଲେ ପରେ ସେ ତାହା ମାନିଲା । ସେ ହିଁ ସମ୍ପତ୍ତି ଲୋଭରେ ରୁବୀକୁ ବାହା ହୋଇଥିଲା । ରୁବୀର ବାପାଙ୍କୁ ବିଷ ଦେଇ ମାରିଥିଲା ଓ ରୁବୀକୁ ମାରିବାକୁ ଚାହିଁଥିଲା ହେଲେ ପଡିଶା ଘର ଦମ୍ପତି ପାଇଁ ବଞ୍ଚିଯାଇଥିଲା ରୁବୀ । ଦୋଷ ସ୍ୱୀକାର ପରେ କୋଟ୍ ଚାଲାନ୍ ହେଲା ରାଜାର ଓ ଦଣ୍ଡ ଆଜୀବନ କାରାଦଣ୍ଡ ।

ଏବେ ରୁବୀ ସେ ଘରେ ଏକା ଅଛି । ବାପା ଆର ପାରିର ଓ ସ୍ୱାମୀ ଜେଲ୍ ଭିତରେ । ବିଷ ପ୍ରଭାବରେ ଗର୍ଭ ମଧ୍ୟ ନଷ୍ଟ ହୋଇଯାଇଥିଲା ରୁବୀର । ରୁବୀ ବାପାଙ୍କ ଫଟୋକୁ ଅନେଇ କାନ୍ଦି କାନ୍ଦି ଭାବେ, ସେ କାହିଁକି ବାପାଙ୍କ କଥା ଅମାନ୍ୟ କଲା, ସେ କାହିଁକି ପ୍ରେମ ବିବାହ କଲା ? “ପ୍ରେମ ବିବାହ କରି ଝିଅଟା ଫସିଗଲା ।”

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top