ଜନ୍ମ ପରେ ପରେ
ଯେବେ ହାତ ମୁଠା କରି
ଭିଡ଼ି ଧରିଲି ଅସହାୟରେ
କଣ ଗୁଡ଼ାଏ ମୁଠାରେ ମୁଠାଇ
ସେ ଥିଲା
ମୋ ମା ର ଲୁଗା କାନି ।
ଏଠି ସେଠି ପାଦ ଥାପି
ଚାଲି ସଳଖୁ ସଳଖୁ
ପଡ଼ିଗଲା ବେଳେ
ତା ହାତ ଲମ୍ବି ଆସେ
ଆଉ କାହା ଆଗରୁ ।
ଆଖିର ମିଛୁଆ ଲୁହକୁ
ଶୁଖିଲା କାନି ତାର ପିଇ ଯାଏ
କେବେ ବହକି ପଡେନା ।
ଦୁଃଖ ଭୋକ ଅଭାବର
ଝାସକୁ ବି ପିଇଯାଏ ।
କେବେ ମୁଁ ପଚାରିନି
ତୋ ପେଟପୁରିଲା କି ନା ।
କାରଣ
ସବୁଦିନ ତ ପିଉଥାଏ ସେ
ସେ ସବୁକୁ ହସି ହସି ।
ସେଥି ପାଇଁ ତ ସେ ମା ମୋର
ତା ପରି କିଏ ହେବ ।
ତା ହାତ ଛାଡ଼ିଦେଲି
ଛିଡା ହେଲି ନିଜ ଗୋଡ଼ରେ ତାରି କଥାରେ ।
ଜୀବନର ଅପରାହ୍ନରେ ଏକା ଥିଲା ବେଳେ
ସେ ବହୁ ଦୂରରେ ।
ଜୀବନର ଦୀପ ଲିଭି ଲିଭି ଆସେ,
ନିର୍ଜୀବ ଦେହକୁ କେହି ଛୁଏଁନା ।
ହେଲେ ସିଏ ଆଉଜେଇ ନିଏ କୋଳକୁ ତାର
କିଛି ଆଶା ନ ରଖି ।
ମଥା ଥପୁଡ଼େଇ ଦିଏ
ଶୋଇଯା ଶୋଇଯା କହୁଥାଏ
ମୁଁ ଶୋଇଲିଣି ଜାଣିବି ।
ତାରି କୋଳରେ ମିଶିଯାଏ ମୁଁ
ସେ ପରା ମୋ ଗାଁ
ତା ପରି କିଏ ହେବ
ମୋ ମା ପରି କିଏ ହେବ ।
