ଭାବେ ବେଳେବେଳେ
ମୋ କବିତାରେ
ଜହ୍ନକୁ କରିବି ବର୍ଣ୍ଣନା…
କି ଭାବେ କରିବି ବର୍ଣ୍ଣନା ମୁଁ ତାକୁ
କିଏ ହେବ ତାର ତୁଳନା !
ଆକାଶ ରାଇଜ ରାଣୀ ସିଏ ପରା
ଲାଜେଇ ଜହ୍ନ ତା ନାଁ…
ଅନ୍ଧାର ରାତିକୁ ଭଲ ପାଏ ବୋଲି
ଆଲୁଅକୁ କରେ ମନା ।
ରାଣୀ ଚାରିପଟେ ଘେରି ରହିଥାନ୍ତି
ଚକ୍ ମକ୍ କେତେ ସଖି…
କଳା ଟୋପା ସାଜେ ନଜର ଟିକିକା
ସିଏ ପରା ଚନ୍ଦ୍ରମୁଖି !
ତପ୍ତ ଆଉ ଅସ୍ଥିର ଏଇ ଧରଣୀ ବୁକୁରେ
ପଡେ ତା ଶୀତଳ କିରଣ…
ରୁପେଲିର ସେଇ କୋମଳ ସ୍ପର୍ଶରେ
ଶାନ୍ତ ହୁଏ ବାତାବରଣ ।
ଯେତେ ବର୍ଣ୍ଣିଲେବି ସରିବନି କେବେ
ନାହିଁ ମୋ କଲମେ ଭାଷା…
ଅଟକି ଗଲା ମୋ କଲମ ମୁନଟି
କେମିତି କରିବି ତା ପରିଭାଷା ।
