କହିବାକୁ ପଡ଼ିବନି
ଭଲ ଅଭିନୟ କରିପାର ବୋଲି
ଅଜଣାତରେ ତମ ଅସ୍ପଷ୍ଟ ଅଭିବ୍ୟକ୍ତିର
କେଉଁ ଫାଙ୍କରୁ ଝରି ପଡ଼ୁଥିବା
ଛଳନାର ମିଠା ମିଠା କଥା କହିଦିଏ
ତମେ କେଉଁଠି ପଡିଯାଇଛ ବନ୍ଧା ।
କଥା ଛୁରିରେ ତମେ
ସମୟକୁ କରିପାର କାବୁ
କେମିତି କହିହେବ କେଉଁ ଭାଷାରେ
ବେଦନା ଜର୍ଜର କ୍ଷତାକ୍ତ ହୃଦୟର ଅନ୍ଦିସନ୍ଧି
ଜଗି ବସେ ତମ ବାଟ
ସଙ୍ଖୋଳେ ଭିଜା ଆଖିରେ
ନିରୁଦ୍ଧିଷ୍ଟ ତମ ମନର ଗୋପନ ଅଭିସାରକୁ ।
ପ୍ରତି ରାତିରେ ନାଗରୀ ସାଜି
ଆଖିରେ କଜଳ କିମିଆଁ ମାଖି
ଦେହରୁ ନିକଟ
ମନରୁ କାହିଁ କେତେ ଦୂର
ତମ ଇଚ୍ଛାର ପରିଚିତ କେଉଁ ନିର୍ଭର ଜାଗାରେ
ନିଜକୁ ଥାପିଛ ତମେ ହିଁ କହିବ ।
କେଉଁ ମୋହର ଆକର୍ଷଣରେ
ସୁରକ୍ଷା ବଳୟ ହୋଇ ତମ ଚାରି ପଟେ
ଜମି ରହିଥାଏ ମୁଁ
ମୁହୂର୍ତ୍ତକରେ ହୋଇ ଯାଉଥାଅ ଆଉ କାହାର
ସବୁ ବନ୍ଧବାଡ଼ ଲଂଘି
କେଉଁ ଦୁର୍ବାର ସମ୍ମୋହନରେ ତରଳି
ଲୋଟି ପଡୁଥାଅ କା’ ଛାତିରେ
ସ୍ବପ୍ନ ଅନୁରାଗ ପ୍ରେମ
ତଥାକଥିତ ସମୟର ଅଙ୍ଗୁଳି ନିର୍ଦ୍ଦେଶର
ମାନେ ଯାହାଥାଉ ପଛେ ।
