ଜୀବନ କେବେ ମଧୁ ବସନ୍ତ
ମନକୁ ମହାକାଏ,
ଜୀବନ କେବେ ଚଇତି ବାଆ
ଉତ୍ତାଳରେ କରି ଦିଏ ।
ଜୀବନ କେବେ ସୋରିଷ ଖେତ
ଫୁଲରେ ହସୁଥାଏ,
ଜୀବନ କେବେ ଶ୍ରାବଣ ରାତି
ମନ ଭିଜାଇ ଦିଏ ।
ଜୀବନ କେବେ ବଇଶାଖରେ
ଝାଞ୍ଜି ପହଁରୁ ଥାଏ,
ଜୀବନ କେବେ ଆଦ୍ୟ ଆଷାଢ଼
ଗୀତରେ ମଜ୍ଜି ଯାଏ ।
ଜୀବନ କେବେ ଭାଦ୍ରବ ତାତି
ଦେହକୁ ଜାଳି ଦିଏ,
ଜୀବନ କେବେ ଅଶିଣ ଜହ୍ନ
ପ୍ରୀତିରେ ଝୁମୁ ଥାଏ ।
ଜୀବନ କେବେ କାର୍ତ୍ତିକ ଧର୍ମ
ହୃଦୟ ଧୋଇ ଦିଏ,
ଜୀବନ କେବେ ମାର୍ଗଶୀରର
ପୁରାଣ ପଢୁ ଥାଏ ।
ଜୀବନ କେବେ ପଉଷ ମେରୀ
ପାଖରେ ବୁଲୁ ଥାଏ
ଜୀବନ କେବେ ମାଘର ଶୀତ
ଦେହ ଥରାଇ ଦିଏ ।
ଜୀବନ ଏକ ବିଚିତ୍ର ବହି
ଅପଢା ରହି ଯାଏ,
ସାରା ଜୀବନ ଯେତେ ପଢିଲେ
କିଛି ବି ବାକି ରହେ ।
